Latest Odisha News

ଗ୍ରାମ୍ୟ ଉନ୍ନୟନ ସଚିବଙ୍କ ଗଞ୍ଜାମ ଗସ୍ତ; ଋଷିକୂଲ୍ୟା ବ୍ରିଜ ଫେବୃଆରୀ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ଗ୍ରାମ୍ଯ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିର ବୁଲି ଦେଖିଛନ୍ତି ।

ସଞ୍ଜୟ ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମନ୍ଦିର ପାର୍ଶ୍ବ ପାଚେରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ମାଁ ତାରାତାରିଣୀଙ୍କୁ ଦର୍ଶନ କରିଥିଲେ । ଏହା ପରେ ମନ୍ଦିରର ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରିଥିଲେ ।

ବହୁ କମ ସମୟ ମଧ୍ୟରେ ମନ୍ଦିରର ଆଖିଦୃଶିଆ ଅନେକ ଉନ୍ନୟନ ହୋଇଛି । ବର୍ତ୍ତମାନ ମଧ୍ୟ ଅନେକ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଗାମୀ ଦିନରେ ଭାରତର ଏହି ମନ୍ଦିର ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ହେବା ସହିତ ପର୍ଯ୍ୟଟକ ମାନଙ୍କ ସୁଅ ମଧ୍ୟ ଛୁଟିବ ବୋଲି ସଞ୍ଜୟ କହିଛନ୍ତି।

ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରିବ ବୋଲି ଆହୁରି କହିଛନ୍ତି।

ମନ୍ଦିର ଦର୍ଶନ କରିବା ପରେ ରାୟପୁରରୁ ହାଣ୍ଡିଘରକୁ ସଂଯୋଗ କରୁଥିବା ଋଷିକୂଲ୍ୟା ନଦୀ ଉପରେ ନିର୍ମାଣାଧିନ ୪ କିମି ଲମ୍ବ ନୂତନ ବ୍ରିଜ୍‌ର କାମ ୨୦୨୩ ଫେବୃଆରୀ ମାସ ସୁଦ୍ଧା ସାରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ।

ଏହି ବିଜୁ ସେତୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ଖୁବଶୀଘ୍ର ଏହାର କାର୍ଯ୍ୟ ଶେଷ ହେବା ପରେ ପୁରୁଷୋତ୍ତମପୁର ବ୍ଳକର ଅନେକ ଗାଁ ସମେତ ଏହି ବ୍ଳକକୁ ଆସୁଥିବା ଅନେକ ଲୋକେ ମଧ୍ୟ ଉପକୃତ ହୋଇପାରିବେ।

ବିଜୁ ସେତୁ ପରିଦର୍ଶନ କରିବା ପରେ ଏନେଇ କାର୍ଯ୍ୟ ସମୀକ୍ଷା କରି କିଭଳି ଖୁବଶୀଘ୍ର କାର୍ଯ୍ୟ ଶେଷ ହେବ ସେ ନେଇ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ।

ପ୍ରମୁଖ ସଚିବଙ୍କ ସହିତ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ କୁମାର ସାମଲ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.