ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଘରୋଇ ପରିବେଶରେ ୧୦୦ ଟେଷ୍ଟ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ୭୨ କ୍ରିକେଟର ୧୦୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମଧ୍ୟ ଘରୋଇ ମାଟିରେ ୧୦୦ ମ୍ୟାଚ ଖେଳି ନାହାନ୍ତି । ସଚିନ ଭାରତ ପକ୍ଷରୁ ୨୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମଧ୍ୟ ଘରୋଇ ମାଟିରେ ୯୪ ମ୍ୟାଚ ଖେଳିଛନ୍ତି । ଅଷ୍ଟ୍ରେଲିଆର ରିକି ପଂଟି ୯୨ ମ୍ୟାଚ ଖେଳି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ଷ୍ଟୁଆର୍ଟ ବ୍ରଡ(୯୧) ଓ ଆଲିଷ୍ଟର କୁକ(୮୯) ଯଥାକ୍ରମେ ୪ର୍ଥ ଏବଂ ୫ମ ସ୍ଥାନ ହାସଲ କରିଛନ୍ତି ।
ଆଣ୍ଡରସନ ୧୭୩ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୨୬.୪୦ ଆଭରେଜରେ ୬୬୧ ୱିକେଟ ଅକ୍ତିଆର କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୭/୪୨ ରହିଛି । ସେହିପରି ସେ ୩୨ ଥର ୫ ୱିକେଟ ଓ ୩୦ ଥର ୪ ୱିକେଟ ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ପେସ ବୋଲର ଭାବେ ୬୦୦ ୱିକେଟ ହାସଲ କରିଛନ୍ତି । ସର୍ବାଧିକ ୱିକେଟ ହାସଲରେ ଆଣ୍ଡରସନ(୬୬୧) ତୃତୀୟ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନ(୮୦୦) ଓ ଅଷ୍ଟ୍ରେଲିଆର ଶେନ ୱାର୍ଣ୍ଣେ(୭୦୮) ତାଙ୍କ ଆଗରେ ରହିଛନ୍ତି ।
Comments are closed.