Latest Odisha News

ଶିଖି-ଶିଖାଇବା ହିଁ ସାହିତ୍ୟ ସର୍ଜନାର ମୂଳମନ୍ତ୍ର : ସୁଜିତ୍ କୁମାର ସତପଥୀ

ଓଡ଼ିଆ ସାହିତ୍ୟର ଧାରାରେ ଅନେକ ନୂଆ ସମ୍ଭାବନାର ଖିଅ ଯୋଡ଼ିଥିବା ଏକ ଅନ୍ୟନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଜିତ କୁମାର ସତପଥି। ଗଳ୍ପ, କବିତା, ଉପନ୍ୟାସ ତଥା ପ୍ରବନ୍ଧ ଆଦି ସବୁ ବିଭାଗରେ ସେ ସିଦ୍ଧହସ୍ତ। ତାଙ୍କ ଗଳ୍ପର ଗାମ୍ଭିର୍ଯ୍ୟ, କବିତାର ମାଦକତା, ଉପନ୍ୟାସର ଗତିଶୀଳତା ଏବଂ ଅନାଲୋଚିତ ଦିଗକୁ ଉନ୍ମୋଚିତ କରୁଥିବାତାଙ୍କର ପ୍ରବନ୍ଧ ସମାଲୋଚକଙ୍କୁ ମଧ୍ୟ ପ୍ରଶଂସା କରିବା ପାଇଁ ବାଧ୍ୟ କରିଦିଏ।

ଚତୁର୍ଥ ପୁରୁଷ, ନୁରା, ଛୁଟି ଦେବା ସମୟକୁ, କବି ସଞ୍ଜୟ ମିଶ୍ରଙ୍କ କବିତା ଦୀପ୍ତି ଓ ଦିଗନ୍ତ ଆଦି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ସାହିତ୍ୟର ସେ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।

ଓଡ଼ିଆ ସାହିତ୍ୟର ଉଦିୟମାନ ସ୍ରଷ୍ଟା ସୁଜିତ୍ କୁମାର ସତପଥିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

 

 

ସାହିତ୍ୟ ସର୍ଜନା ପ୍ରତି ଆଗ୍ରହୀ କେମିତି ହେଲେ ?

ସାହିତ୍ଯ ପ୍ରତି ଆଗ୍ରହ ମୋର ପିଲାଦିନରୁ, ପାଠ୍ଯଖସଡାରେ ଥିବା ବିଭିନ୍ନ କବିତା, ଗଳ୍ପ, ପ୍ରବନ୍ଧ ମୋତେ ବେଶ ଆକର୍ଷିତ କରୁଥିଲା । ଚିକିଟା ମାଟିରେ ମୂର୍ତ୍ତି ତିଆରି କରୁକରୁ, ରଙ୍ଗ ତୂଳୀରେ ଚିତ୍ର ଆଙ୍କୁ ଆଙ୍କୁ କେବେ କେବେ ନିଜ ଗାଁ, ନଈକୁ ନେଇ ଅନେକ କବିତା ଲେଖିଛି । ପିଲାଦିନରୁ ମୋର ଏକ୍ଲାପଣ ଅନ୍ୟମନସ୍କତା ମୋତେ ଏ ଦିଗରେ ଉତ୍ସାହିତ କରିଛି । ମୋର ଚତୁର୍ଥ ଶ୍ରେଣୀର କଥା, ସେ ସମୟରେ ଆମ ଗାଁର ମୋର ଜଣେ ବଡଭାଇ ଜ୍ଯୋତିରଞ୍ଜନ ମିଶ୍ରଙ୍କ ବିଷୟରେ ଏବଂ ତାଙ୍କର ଗୋଟେ କବିତା କୌଣସି ଏକ ଖବରକାଗଜରେ ପ୍ରକାଶିତ ହୋଇଥିଲା, ସେଥିରେ ଥିଲା ତାଙ୍କର ପରିଚୟ, ଗାଁର ନାଁ ସବୁକିଛି । ପଢିଲି ଖୁବ ଖୁସି ଲାଗିଲା ଆଉ ଈର୍ଷ୍ୟା ବି, ଭାବିଲି ମୋର ବି ଏମିତି ଦିନେ ଛପା ହେବ, ମୋ ଗାଁ ବାପା ମାଁଙ୍କ ନାଁ ଦିନେ ପ୍ରକାଶିତ ହେବ । ବାସ୍ କେତେ ଘାରିହେଇଛି ସେ କଥାରେ । କେତେଦିନ ପରେ ରଥଯାତ୍ରା ସମୟ, ଘୋର ବର୍ଷା ହେଉଥାଏ ଏବଂ ଜଗନ୍ନାଥଙ୍କୁ ମାଉସୀ ମାଁ ମନ୍ଦିର ଅଣାଗଲା ଛତା ଘୋଡାହୋଇ। ସେ ଦିନ ଜଗତର ନାଥ ଜଗନ୍ନାଥଙ୍କ  ଏ ପରି ବିବଶତାକୁ ନେଇ ସ୍ଫୁରିଥିଲା କବିତାଟିଏ, ଯାହା ମୋର ପ୍ରଥମ କବିତା ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖାଟି ଥିଲା କବିତା ‘ମୋ ଗାଁ’, ଯାହାକି ବଲାଙ୍ଗୀରରୁ ପ୍ରକାଶିତ ‘ ଆଞ୍ଚଳିକ ସମ୍ବାଦ ‘ ରେ ପ୍ରକାଶିତ ହୋଇଥିଲା । ନିଜକୁ ଏମିତି ପ୍ରକାଶିତ ହେବା ଦେଖିବାର ପୁଲକ ଅବର୍ଣ୍ଣନୀୟ, କେତେ ଖୁସି ହୋଇଥିଲି ସେ ଦିନ । କବିତାଟି ପାଠକ ମହଲରେ ମଧ୍ଯ ବେଶ ପ୍ରଶଂସିତ ହୋଇଥିଲା, ସାଉଁଟି ଆଣିଥିଲା ମୋ ପାଇଁ ଅନେକ ପିଠିଥାପୁଡା ଓ ସ୍ନେହାଶିଷ ଆଗାମୀ କାଲି ପାଇଁ ।

ଗଳ୍ପ ଅପେକ୍ଷା କବିତା ଲେଖିବା ପାଇଁ ଅଧିକ ଆଗ୍ରହୀ କାହିଁକି ହେଲେ ?

ମୁଁ କିଛି ଗଳ୍ପ ବି ଲେଖିଛି, କିଛି ପ୍ରବନ୍ଧ ଲେଖିଛି, ପୁଣି ଗୋଟାଏ ଉପନ୍ୟାସ ବି ଲେଖିଛି, ହେଲେ ବି ମୁଁ କବିତାମନସ୍କ ଚିରକାଳ । ମୁଁ ଭାବେ ଏ ସବୁ ସର୍ଜନା ଆପଣାଛାଏଁ ନିଜର ସ୍ବରୂପ ନେଇ ଉତୁରିଆସେ , ଆମେ ଖାଲି ମାଧ୍ଯମ ମାତ୍ର । ମୁଁ କବିତାକୁ ବାଛି ନାହିଁ ବରଂ କବିତା ହିଁ ମୋତେ ବାଛି ନେଇଛି, ଆଦରି ନେଇଛି ।

କବିତାକୁ ନେଇ ଜଣେ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଉପଲବ୍ଧି କ’ଣ ହୋଇପାରେ?

ମୋ ମତରେ ଜଣେ ନିଜ ପାଇଁ ହିଁ ଲେଖେ, ନିଜ ଭାରାକ୍ରାନ୍ତ ହୃଦୟକୁ ଉଶ୍ୱାସ କରିବା ପାଇଁ ହିଁ ଲେଖେ । ସେ ପୀଡା, ସେ ଉତ୍କଣ୍ଠା, ସେ ଆତ୍ମଦହନ, ସବୁ କିଛି ଲଙ୍ଘି ଯିବାର ସ୍ପୃହା ହିଁ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଉପଲବ୍ଧି । ନିରୂତା ପାଠକଟିଏ ଯଦି ସେ ଲେଖାଦ୍ବାରା ଅନୁପ୍ରାଣିତ ହୋଇଗଲା , ଲେଖାକୁ ନିଜର କରିନେଲା, ତେବେ ତ ତାହା ପରମ ଉପଲବ୍ଧି ।

ଓଡ଼ିଶାରୁ ପ୍ରକାଶିତ ଆଗ ଧାଡ଼ିର ପତ୍ର ପତ୍ରିକାରେ ବରିଷ୍ଠ ଲେଖକଙ୍କ ତୁଳନାରେ କନିଷ୍ଠ ଲେଖକମାନେ ଅବହେଳିତ ହୋଇଯାଉଛନ୍ତି ବୋଲି ଆପଣ ଭାବନ୍ତି କି ?

ମୁଁ ସେମିତି କିଛି ଭାବେ ନାହିଁ। ଓଡିଶାର ଅଧିକାଂଶ ପତ୍ରପତ୍ରିକାରେ ମୋର ଲେଖା ପ୍ରକାଶିତ ହୋଇସାରିଛି । ଉକ୍ତ ସମ୍ପାଦକଙ୍କ ଅକୁଣ୍ଠିତ ଆଗ୍ରହରେ ଅନୁପ୍ରାଣିତ ହୋଇଛି ମୁଁ ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ମୋ ଦେଇ ଏ କାମଟି ହୁଏନି । ହୃଦୟର ଭାଷାକୁ, ଭାବକୁ କେମିତି ସମୀକ୍ଷା କରିହୁଏ ଜାଣିନି ମୁଁ। ହେଲେ ଆତ୍ମସମୀକ୍ଷା କରେ ମୁଁ ନିଜ ପାଇଁ । ଅନେକ ପାଠକଙ୍କଠୁ ମତାମତ ପାଇଛି ମୋ ଲେଖାକୁ ନେଇ, ସେମାନେ ହିଁ ଜାଣନ୍ତି ଓ କୁହନ୍ତି ମୋ ଭଲ ଓ ଦୁର୍ବଳ ଦିଗ ବିଷୟରେ ତାହା ହେଉଛି ଅଧିକ ଟିକେ ଭାବପ୍ରବଣ ହୋଇଯିବା ।

ଆପଣ ଆଞ୍ଚଳିକ ଭାଷାରେ ମଧ୍ୟ ଲେଖାଲେଖି କରନ୍ତି । ତେବେ ଆପଣଙ୍କ ସର୍ଜନା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ମୁଁ ଖାଲି ଓଡ଼ିଆରେ ନୁହେଁ, କୋଶଲୀ ଭାଷାରେ ମଧ୍ଯ ଲେଖେ, ଏପରିକି କେବେ କେବେ ହିନ୍ଦି ଓ ଇଂରାଜୀରେ ମଧ୍ଯ । ମୁଁ କୋଉ ଭାଷାରେ ଲେଖିବି ନିଜେ ଜାଣେ ନାହିଁ, ଭାବ ହିଁ ନିଜ ପାଇଁ ଭାଷା ବାଛିନିଏ । ମୋ ସର୍ଜନା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ଯ ହେଲା ଯାହା ବି ମୋ ଛାତିକୁ ଦୋହଲାଇ ଦେଇଛି ତାହା ଉତୁରି ଆସିଛି ଆପଣାଛାଏଁ କବିତା ହୋଇ, କେବେ ସେ କୌଣସି ବାଦ କିମ୍ବା ନୀତିରେ ସଂକୀର୍ଣ୍ଣମନା ହେଇନି ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?

ପୁରସ୍କାର ଓ ପରିଚିତି ଉତ୍ସାହିତ କରେ, ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ ଯେତେଦିନ ଯାଏ ତାହା ଆତ୍ମଗର୍ବରେ ପରିଣତ ନ ହୋଇଛି । ଥରୁଟିଏ ଏ ଆତ୍ମଗର୍ବର ଅନ୍ଧାରରେ ପାଦ ପଡିଛି ମାନେ ସର୍ଜନା ଓ ସମ୍ପୃକ୍ତି ଯିବ ।

ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ବୋଲି ଆପଣ ଭାବୁଛନ୍ତି ?

ଏମିତି ବି ହେଉଛି ଯେ ଗୋଟିଏ ଦେଶରେ ଏଇନେ ଲେଖା ହୋଇଥିବା ଲେଖାଟିଏ କିଛି ସମୟ ପରେ ଅନ୍ଯ ଗୋଟାଏ ଦେଶରେ ବି ପଢିବା ସମ୍ଭବ ହୋଇପାରୁଛି ଗଣମାଧ୍ୟମ ଯୋଗୁଁ। ଆଜି ଗଣମାଧ୍ୟମ ଅଛି ବୋଲି ଏଇ ସାକ୍ଷାତକାର ଟି ସମ୍ଭବ ହୋଇପାରିଛି । ବ୍ଯତିକ୍ରମ ଘଟୁଛି ତଥାପି ଦୂରତାର ଦୂରତାକୁ ପୋଛି ହୃଦୟକୁ ହୃଦୟ ଯୋଡିବାର କାମ କରୁଛି ଗଣମାଧ୍ୟମ ।

 

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ମୋର ସମସାମୟିକ ଅନେକେ ବହୁତ ଭଲ ଲେଖନ୍ତି, ଅନେକଙ୍କ ଲେଖା ଦ୍ବାରା ମୁଁ ଅନୁପ୍ରାଣିତ। ସେମାନଙ୍କୁ ଖାଲି ଏତିକି କହିବି ଯେ “ଶିଖି ଶିଖାଇବା ହିଁ ଜୀବନ”… ଚାଲ ଶିଖୁଥିବା ଚିରକାଳ ।

 

Comments are closed.