Latest Odisha News

BREAKING NEWS

ଓଡ଼ିଶାରେ ପାରିବାରିକ ସମସ୍ୟା ଯୋଗୁଁ ଅଧିକ ଜୀବନ ହାରୁଛନ୍ତି !

ଭୁୁବନେଶ୍ୱର: ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟା ହାର । ୨୦୨୦ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ହାର ୧.୯ ପ୍ରତିଶତ ବୃଦ୍ଧି ପାଇଛି। ଏନସିଆରବି ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ପ୍ରତି ଦିନ ୧୫ରୁ ଅଧିକ ଲୋକ ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି । ଯାହାକି ଉଦ୍‌ବେଗଜନକ ରହିଛି। ତେବେ ପାରିବାରିକ ବିବାଦ, ପ୍ରେମରେ ଧୋକା ଆଦି ସମସ୍ୟା ପାଇଁ ଅଧିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଗତବର୍ଷ ରାଜ୍ୟରେ ମୋଟ୍ ୫୬୫୧ ଜଣ ଆତ୍ମହତ୍ୟା କରିଥିବା ଏନସିଆରବି ରିପୋର୍ଟରୁ ଜଣାପଡିଛି । ଏହି ସଂଖ୍ୟା ମଧ୍ୟରୁ ୪୪୧୨ ଜଣ ପୁରୁଷ ଥିବା ବେଳେ ୧୨୩୯ ଜଣ ମହିଳା ରହିଛନ୍ତି। ପାରିବାରିକ ସମସ୍ୟା ଯୋଗୁଁ ସର୍ବାଧିକ ୪୦୩୩ ଜଣ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସେହିପରି ୧୩୪ ଜଣ ବିବାହ ଜନିତ ଓ ୧୩୨ ଜଣ ପ୍ରେମ ବ୍ୟାପରକୁ ନେଇ ଆତ୍ମହତ୍ୟା କରିଥିବା ଏନସିଆରବି ରିପୋର୍ଟରୁ ଜଣାପଡିଛି।

ଏହାବାଦ ୮୩୪ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ଯେଉଁଥିରେ ୬୯୭ ଜଣ ଛାତ୍ର ରହିଥିବା ବେଳେ ୧୩୭ ଛାତ୍ରୀ ରହିଛନ୍ତି। କରୋନା ବେଳେ ମାନସିକ ଅବସାଦ ବଢିଥିଲା। ଏହାପରେ ପାଠ ପଢାର ଚାପ ଏବଂ ଅନ୍ୟାନ୍ୟ କାରଣ ପାଇଁ ଛାତ୍ରଛାତ୍ରୀ ଜୀବନ ହାରିଥିବା ସୂଚନା ରହିଛି।

ଏହାବାଦରେ ଲକଡାଉନ ସମୟରେ ପାରିବାରିକ ସମସ୍ୟା ବଢିଥିଲା। ଯାହାର ପରିଣାମ ୨୦୨୧ରେ ମଧ୍ୟ ଦେଖିବାକୁ ମିଳିଛି। ଗତବର୍ଷ ୩୭୭ ଜଣ ଗୃହିଣୀ, ୬୧୮ ଜଣ ବେକାର, ୩୦୨ ଜଣ ଦିନ ମଜୁରିଆ ଓଡ଼ିଶାରେ ଆତ୍ମହତ୍ୟା କରିଛନ୍ତି। ୨୭୫୩ ଜଣ ରଶି ଲଗାଇ ଆତ୍ମହତ୍ୟା କରିଥିବା‌ ବେଳେ ୨୩୨୨ ଜଣ ବିଷ ପିଇ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟାନ୍ୟ ଅପରାଧ ମଧ୍ୟ ବୃଦ୍ଧି ପାଇଛି। ହେଲେ କୌଣସି ଚାଷୀ ଆତ୍ମହତ୍ୟା କରିନଥିବା ରିପୋର୍ଟରୁ ଜଣାପଡ଼ିଛି।

Comments are closed.