କରୋନା ଜନ୍ତାରୁ ବାହାରି ପାରୁନି ଚୀନ: ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ‘ଚେଙ୍ଗଦୁ’ରେ ଲକଡାଉନ୍
ବେଜିଂ: ବିଭିନ୍ନ ଦେଶରେ କରୋନା ସଂକ୍ରମଣ କମିଯାଇଛି। କିନ୍ତୁ ଯେଉଁ ଦେଶରୁ ଏହି ଅଦୃଶ୍ୟ ଭୂତାଣୁ ଚିହ୍ନଟ ହୋଇଥିଲା ସେହିଦେଶ ଚୀନରେ ଏବେ ବି କରୋନା ସକ୍ରିୟ ରହିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବିଭିନ୍ନ ପ୍ରାନ୍ତରେ ଏବେ ବଢୁଛି। ଚେଙ୍ଗଦୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଲକଡାଉନ୍ ଘୋଷଣା ହୋଇଛି। ଏହାଦ୍ୱାରା ୨୦ କୋଟି ଲୋକ ଘରବନ୍ଦୀ ହୋଇ ରହିଛନ୍ତି।
ଗୁରୁବାର ଦିନ, ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରାନ୍ତର ରାଜଧାନୀ ଚେଙ୍ଗଦୁରେ ୧୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଯେଉଁଥିରୁ ୫୧ ଜଣ ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ହେଲେ ଏପରି ସଂକ୍ରମଣ ଆକ୍ରାନ୍ତଙ୍କ ସଂଖ୍ୟା ବଢାଇବାରେ ସହଯୋଗ କରିବ ଭାବି ସ୍ଥାନୀୟ ପ୍ରଶାସନ ଲକଡାଉନ୍ କରିଛି।
ଚେଙ୍ଗଦୁରେ ଆନୁମାନିକ ଜନସଂଖ୍ୟା ପ୍ରାୟ ୨ କୋଟି। ଏହି ସମସ୍ତ ଲୋକଙ୍କୁ କୋଭିଡ ନିୟମ ପାଳନ କରିବାକୁ ଏବଂ ନିଜ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ପରିବାରର କେବଳ ଜଣେ ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ପରିବାରର ଜଣେ ସଦସ୍ୟଙ୍କର ୨୪ ଘଣ୍ଟା ମଧ୍ୟରେ କରୋନା ପରୀକ୍ଷାରେ ନେଗେଟିଭ୍ ରିପୋର୍ଟ ଆସିଲେ ସେହିଁ ଜରୁରୀ ଜିନିଷ କିଣିବାକୁ ବାହାରକୁ ଯିବାକୁ ଯାଇପାରିବେ।
ସେହିପରି ସମସ୍ତ ଲୋକଙ୍କର ଆଗାମୀ ଦିନରେ କୋଭିଡ ପରୀକ୍ଷା କରାଯିବ। ତେବେ କୋଭିଡ ପ୍ରତିବନ୍ଧକ କେବେ ହଟାଯିବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଏବେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯାଉଥିବା ୭୦ ପ୍ରତିଶତ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ତେବେ ଅର୍ଥନୀତିକ କାର୍ଯ୍ୟକଳାପ ଦୃଷ୍ଟିରୁ ଏହି ସହର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଇନା କହିଛି ଯେ ସଂକ୍ରମଣ ଯେପରି ନବ୍ୟାପେ ସେଥିପ୍ରତି ଠୋସ୍ ପଦକ୍ଷେପ ନେବା ଆବଶ୍ୟକ।
କହିରୁଖୁଛୁ କରୋନା ସଂକ୍ରମଣର ପ୍ରଥମ ଆକ୍ରାନ୍ତ ଚାଇନାର ଉହାନରୁ ଚିହ୍ନଟ ହୋଇଥିଲା। ଆଉ ଚୀନ୍ ଏହି ଭୂତାଣୁ ବାବଦରେ ଦୁନିଆକୁ ଅନ୍ଧାରରେ ରଖିଥିଲା। ଏହା ପରେ ଧୀରେ ଧୀରେ ସଂକ୍ରମଣ ସମଗ୍ର ବିଶ୍ୱକୁ ବ୍ୟାପିଯାଇଥିଲା। ତେବେ ଟିକା ବାହାରିବା ପରେ ଅଧିକାଂଶ ଦେଶ ଏହି ସଂକ୍ରମଣରୁ ମୁକ୍ତି ପାଇଛନ୍ତି ଏବଂ ପୁନର୍ବାର ଟ୍ରାକକୁ ଫେରୁଛନ୍ତି। କିନ୍ତୁ ଚୀନ୍ କରୋନା ଜନ୍ତାରୁ ଏଯାଏ ବାହାରି ପାରୁନି।
Comments are closed.