Latest Odisha News

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ
ଚିତ୍ତରେ ଥାଉ ଆନୁଗତ୍ୟ
ହୃଦୟେ ବାସ କରୁ ପ୍ରୀତି
ସୁସ୍ଥିର ହୋଇଥାଉ ମତି

ହାତ ବି କରୁଥାଉ ଦାନ
କାନ ନ ଶୁଣୁ ବିଜ୍ଞାପନ
ଆଖି ଆଗରେ ରହୁ ଲକ୍ଷ୍ୟ
କେ ନୋହୁ କାହାର ବିପକ୍ଷ

କରିଲେ ଏ ସବୁ ଅଭ୍ୟାସ
ଅବଶ୍ଯ ବ୍ୟକ୍ତିତ୍ବ ବିକାଶ
ସହିତ ହୁଏ କ୍ରମୋନ୍ନତି
ନିଶ୍ଚିହ୍ନ ହୋଇଯାଏ ଭ୍ରାଂତି

ଏ ସବୁ ଗୁଣ ଆହରଣ
କରିଲେ ସାର୍ଥକ ଜୀବନ
ସ୍ବଭାଷା ହେଉ ସହାୟକ
ନିଶ୍ଚିତ ବିକାଶ ବର୍ଧକ

ଯେତେଟା ମତି ସେତେ ମତ
ସବୁ ତ ହୁଏନି ସ୍ବୀକୃତ
ଏଥିରେ ବୃଥା ବିଚଳିତ
ହେବା ହିଁ ପୂରା ଅନୁଚିତ

ମତର ଖଂଡନ ମଂଡନ
କରିଲେ ନାହିଁ ସମାଧାନ
ମତଟେ ପାଇଲେ ପ୍ରକାଶ
ସ୍ବମତ ହୁଏନାହିଁ ନାଶ

ଯେ ଯାହା ଜ୍ଞାନ ଅନୁଯାୟୀ
ସ୍ବମତ ପ୍ରଚାରକ ହୋଇ
କରଂତୁ ତାହାକୁ ସ୍ଥାପନ
ଅନ୍ୟାନ୍ୟ ଚିଂତା ଅକାରଣ

ଦେଲେ ଆଘାତ,ପ୍ରତ୍ୟାଘାତ
ସବୁ ମତ ହୋଇବେ ମୃତ
ଆଉ କେ କାହାର ସହିତ
ମିଶି କରିବ ଭାଷା ହିତ ?

Comments are closed.