Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦୁଇଟି ଚକ୍ରଙ୍କ ବିଶେଷ ପ୍ରଭାବ ଦୃଷ୍ଟି ଗୋଚର ହୁଏ । ଜଣେ ରତ୍ନସିଂହାସନରେ ପ୍ରଭୁଙ୍କ ସହିତ ବିରାଜମାନ କରନ୍ତି। ଯଥା ଶ୍ରୀଜଗନ୍ନାଥଙ୍କ ଠିକ ଉତ୍ତରକୁ ସ୍ତମ୍ଭ ଆକୃତି ଓ ରକ୍ତ ବର୍ଣ୍ଣ ଧାରଣ କରି ଅପୂର୍ବ ରୂପରେ ଶ୍ରୀ ସୁଦର୍ଶନ ମହାରାଜ ଏବଂ ଅନ୍ୟ ଚକ୍ରଟି ଜଗତଜନଙ୍କ ଭାବରେ ବନ୍ଧା, ପତିତଜନଙ୍କ ଉଦ୍ଧାର କର୍ତ୍ତା ନୀଳ ବର୍ଣ୍ଣ ଧାରଣ କରିଥିବା ଏବଂ ଶ୍ରୀମନ୍ଦିର ଚୂଡ଼ାରେ କୋଟି ସୂର୍ଯ୍ୟଙ୍କ କାନ୍ତି ବହନ କରି ବିରାଜିତ “ନୀଳଚକ୍ର “। ଏମିତି ସାଧାରଣ ଭାବରେ ବିଚାର କଲେ ପ୍ରତ୍ୟେକ ମନ୍ଦିରର ଚୂଡ଼ାରେ ରକ୍ଷା କବଚ ହିସାବରେ ଚକ୍ର(ବିଷ୍ଣୁ ମନ୍ଦିର ) ଅବା ତ୍ରିଶୂଳ (ଶିବ ମନ୍ଦିର) ମାନଙ୍କରେ ଶୋଭାପାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ମନ୍ଦିର ମାନଙ୍କ ରକ୍ଷା କବଚ ହିସାବରେ, ବଜ୍ରପାତ ଭୟରୁ ରକ୍ଷା କରିଥାଏ। କିନ୍ତୁ ନୀଳଚକ୍ର କେବଳ ଶ୍ରୀମନ୍ଦିରର ରକ୍ଷା କବଚ ନୁହଁନ୍ତି ; କୋଟି କୋଟି ଭକ୍ତଙ୍କ ଆବେଗର ପ୍ରାଣବିନ୍ଦୁ ଅଟନ୍ତି। ଅନେକ ଦୂରରୁ ତାର ପ୍ରାଣର ଦେବତା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମlନେ ନୀଳାଚଳରେ ପହଞ୍ଚିବା ମାତ୍ରେ ଉର୍ଦ୍ଧ୍ବମୁଖ ହୋଇ ପ୍ରଥମେ ଦର୍ଶନ କରନ୍ତି ନୀଳଚକ୍ର ଓ ତା ଉପରେ ଫର ଫର ଉଡୁଥିବା ପତିତପାବନ ବାନାଙ୍କୁ। ମନରେ ଅନେକ ଆଶା ଜାଗ୍ରତ ହୁଏ।

କେହି କେହି ନିବେଦନ ମଧ୍ୟ କରିଦିଅନ୍ତି କାରଣ ଏହି ନୀଳଚକ୍ର ପରା ସ୍ୱୟଂ ନାରାୟଣ ସ୍ୱରୂପ, ପତିତଉଦ୍ଧାରକର୍ତ୍ତା। ତେଣୁ ଯଥାର୍ଥରେ ଶାସ୍ତ୍ରରେ କୁହାଯାଏ :- “ଚକ୍ର ସେବ୍ୟଂ ନୃପ ସେବ୍ୟଂ ନ ସେବ୍ୟଂ ନୃପ କେବଳମ ।” କେବଳ ନୃପ୍ୟ ଭାବରେ ଶ୍ରୀଜଗନ୍ନାଥଙ୍କୁ ସେବା କଲେ ହେବନାହିଁ । କାରଣ ରତ୍ନ ବେଦିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନର ଯେତିକି ପୁଣ୍ୟ, ଭକ୍ତିର ସହ ନୀଳଚକ୍ର ଦର୍ଶନର ମଧ୍ୟ ସେତିକି ଫଳ ମିଳେ ।

ପରମ ବୈଷ୍ଣବ କବି ଗୌରଚରଣ ଅଧିକାରୀଙ୍କ ଭାଷାରେ ନୀଳଚକ୍ର ଓ ପତିତପାବନ ବାନା ଉଭୟଙ୍କ ମହିମା ।

“ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା
ପତିତପାବନ ନାମଟି ଯା ନାଁ
ଆସ ଆସ ବୋଲି ପlତକୀମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତଧ୍ବଜା ବର ଉଡି ଫର ଫର
ଉଡାଇ ଦେଉଛି ଭବ ଯାତନା
ପାଞ୍ଚକୋଶ ଯାଏ ଜନେ ଦେଖାଯାଏ
ଦର୍ଶନେ କଲ୍ମଷ ହୁଅଇ ଚୁନା ।

ଆଗେ ଶ୍ରୀକ୍ଷେତ୍ର ପ୍ରବେଶ ପୂର୍ବରୁ ଅର୍ଥାତ ପାଞ୍ଚକୋଶ ଦୂରରୁ ଏହି ନୀଳଚକ୍ର ଓ ପତିତପାବନ ବାନା ଦୃଷ୍ଟି ଗୋଚର ହେଉଥିଲା। ସାମ୍ପ୍ରତିକ ପରିସ୍ଥିତି ରେ ଏହା କେବଳ ବଡ଼ ଦାଣ୍ଡରେ ପହଞ୍ଚିବା ପରେ ଦୃଷ୍ଟି ଗୋଚର ହେଉଛି। ତେଣୁ ଆଗକୁ ଜାଣିବା ଶ୍ରୀମନ୍ଦିର ଭିତରେ କେଉଁଠି ସ୍ୱତନ୍ତ୍ର ଭାବରେ ନୀଳଚକ୍ର ଦର୍ଶନର ବ୍ୟବସ୍ଥା ଅଛି । ତାହା ଜାଣିବା, ଚକ୍ର ମଣୋହି କଣ ତାହାବି ଜାଣିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ

“ଏ ମାୟା ନିର୍ମିତ୍ତ ସଂସାରେ
ପ୍ରାଣୀ ସକଳ କର୍ମ କରେ ।
ନିଜ ସ୍ଵଭାବେ ଅଲଂଘିତ
ଏ ଘେନି ଯେ ହୋନ୍ତି ପଣ୍ଡିତ ।
ନିନ୍ଦା ପ୍ରଶଂସା ନ କରନ୍ତି 
ସାକ୍ଷୀଙ୍କ ପ୍ରାୟେ ସେ ଦେଖନ୍ତି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.