Latest Odisha News

ବିଚାରପତିଙ୍କ ଆତ୍ମହତ୍ୟା ପଛରେ କିଏ, ପରିବାର ଏବଂ ଶ୍ୱଶୁର ଘର ମଧ୍ୟରେ ଥିବା ବିବାଦକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ଯାଜପୁର ସ୍ଥିତ ପୈୃତକ ଗାଁରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୁଅର ମଲା ମୁହଁ ଦେଖିନପାରି ବୃଦ୍ଧ ବୟସରେ ପୁଅ ମୃତ୍ୟୁର ନ୍ୟାୟ ଦାବି କରି ଥାନାରେ ଏତଲା ଦେଇଛନ୍ତି। ଆଉ ମୃତ୍ୟୁ ପାଇଁ ସେ ତାଙ୍କ ପୁଅର ଶ୍ୱଶୁର ଘର ଏବଂ ବୋହୂକୁ ଦାୟୀ କରିଛନ୍ତି।

ମୃତ ସୁବାସଙ୍କ ମାଆ ଓ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ଓ ଶ୍ୱଶୂର ଘର ଲୋକେ ସୁବାସଙ୍କୁ ହତ୍ୟା କରିଛନ୍ତି । ଏବଂ ଅନ୍ୟମାନଙ୍କୁ ଆତ୍ମହତ୍ୟା ବୋଲି ବିଶ୍ୱାସ କରାଇବା ପାଇଁ ଏଭଳି କାଣ୍ଡ ଘଟାଇଛନ୍ତି। ସୁବାସଙ୍କ ମର ଶରୀରକୁ ଗାଁରେ ଅନ୍ତିମ ସଂସ୍କାର କରିବାକୁ ତାଙ୍କ ପରିବାର ଲୋକେ ଓ ଗାଁ ଲୋକେ ଦାବି କରିଥିଲେ। ହେଲେ ପାଖରେ ଥିବା ଶ୍ୱଶୂର ଘର ଲୋକେ ଏବଂ ସୁବାସଙ୍କ ପତ୍ନୀ ବଳ ପୂର୍ବକ ପୁରୀରେ ଅନ୍ତିମ ସଂସ୍କାର କରିଛନ୍ତି। ଯାହାକୁ ନେଇ ବିଚାରପତିଙ୍କ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୃତ ବିଚାରପତିଙ୍କ ମା’ କହିଛନ୍ତି, ମୋ ପୁଅର ସ୍ତ୍ରୀ ଓ ଶ୍ୱଶୂର ଘର ଲୋକେ ମିଶି ତାକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି। ସେମାନେ ତାଙ୍କୁ ଆମ ଘରକୁ ଆସିବାକୁ ଦେଉ ନଥିଲେ ଏବଂ ଆମ ପରିବାର ସହ ଯୋଗାଯୋଗ କରିବାକୁ ମଧ୍ୟ ବାରଣ କରୁଥିଲେ ବୋଲି ସୁବାସଙ୍କ ମା’ କହିଛନ୍ତି।

ମିଳିଥିବା ସୂଚନା ଅନୁୟାୟୀ, ସୁବାସଙ୍କ ପରିବାର ଲୋକେ କଟକ ମର୍କତନଗର ଥାନାରେ ପହଞ୍ଚି ପତ୍ନୀ ଓ ଶଶୂର ଘର ବିରୋଧରେ ହତ୍ୟା ଅଭିଯୋଗ ନେଇ ବିଧିବଦ୍ଧ ଅଭିଯୋଗ କରିଛନ୍ତି। ସେପଟେ ମୃତ ବିଚାରପତିଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ। ସୁବାସଙ୍କ ସଂପର୍କୀୟ ଭାଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି।

ସୁବାସଙ୍କ ଶରୀର ଉପରେ କ୍ଷତ ଚିହ୍ନ ଥିଲା କିନ୍ତୁ ତାଙ୍କ ମରଶରୀର କାହିଁକି ହସ୍ତାନ୍ତର କରାଯାଇ ନାହିଁ କିମ୍ବା ଆମ ପରିବାରକୁ ଦେଖାଗଲା ନାହିଁ। ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ଭଳି ସର୍ବୋଚ୍ଚ ନିରପେକ୍ଷ ସଂସ୍ଥାକୁ ହସ୍ତାନ୍ତର କରାଯାଉ ବୋଲି ମୃତକଙ୍କ ଭାଇ ଦାବି କରିଛନ୍ତି।

ଅପରପକ୍ଷରେ ମୃତ ବିଚାରପତିଙ୍କ ପତ୍ନୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଶୁକ୍ରବାର ସହରର ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ସୁବାସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଦୁଇ ଦିନ ଧରି ଛୁଟିରେ ଥିବା ବେଳେ ଶୁକ୍ରବାର ପୁଣି କୋର୍ଟ କାର୍ଯ୍ୟରେ ଯୋଗ ଦେବାର ଥିଲା। ତେବେ ସେ ପୁଣି ଥରେ ଛୁଟିରେ ଯିବାକୁ ଆବେଦନ କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ ସେ ତାଙ୍କ ପୈତୃକ ଘରକୁ ଯାଇ ସ୍ୱର୍ଗତ ପିତାଙ୍କ ଶ୍ରାଦ୍ଧରେ ସାମିଲ ହେବାକୁ ଆସିବାର ଯୋଜନା କରିଥିଲେ।

ସେହିପରି ଥାନା ଅଧିକାରୀ କହିଛନ୍ତି, ବିଚାରପତିଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି। ଉଭୟ ପରିବାରର ୧୨ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ ହୋଇସାରିଲାଣି। ଏହି ଘଟଣାରେ ଯିଏ ବି ସନ୍ଦେହ ଘେରକୁ ଆସିବେ ସେ ଜେରାର ସାମ୍ନା କରିବେ।

Leave A Reply

Your email address will not be published.