ଅନୁବାଦ ଗଳ୍ପ : ପୁଣି ଥରେ ଲେଉଟାଣି
ଗୁରୁଦିଆଲ୍ ସିଂହ ପଞ୍ଜାବୀ ସାହିତ୍ୟର ବରିଷ୍ଠ ସାହିତ୍ୟକାର । ବିଭାଜନର ଦୁଃଖକୁ ଅଙ୍ଗେନିଭେଇଥିବା ଶ୍ରୀ ସିଂହ ପ୍ରାୟ କୋଡ଼ିଏଟି ଗଳ୍ପ ସଂକଳନ ଓ ଉପନ୍ୟାସର ରଚୟିତା । ସାହିତ୍ୟ ଏକାଡେମୀ ସମେତ ଜ୍ଞାନପୀଠ ସ୧ାନରେ ସ୧ାନିତ ଗୁରୁଦିଆଲ ସିଂହଙ୍କର ଅନେକ କୃତି ଦେଶ ବିଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇସାରିଛି ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୮
ମୂଳ ପଞ୍ଜାବୀ: ଗୁରୁଦିଆଲ ସିଂହ
ପଞ୍ଝାଏ ଟୋକା ହାତରେ ଫାର୍ଶ, ଠେଙ୍ଗା ଆଉ ବର୍ଚ୍ଛା ଧରି ଅନ୍ଧାର ରାତିରେ ପଇଁତରା ମାରୁଥିଲେ । ସେମାନେ ଗାଆଁକୁ ସୁରକ୍ଷା ଦେଲଲାଗି ଏମିତି ପହରା ଦେଉଥିଲେ । କିନ୍ତୁ ଲାଗୁଥିଲା ସତେ ଯେମିତି ସେମାନେ କେଉଁ ମେଳାରେ ଖୁସି ମନରେ ଟହଲ ମରୁଛନ୍ତି! ଯଦି କେଉଁ ଘରେ କି କ୍ଷେତରେ ସାମାନ୍ୟ ନିଆଁ ଜଳିବାର ସୁରାକ ପାଉଥିଲେ, ତୁରନ୍ତ ସେଠାକୁ ବିନ୍ଧି ଯାଉଥିଲେ । ଗଲା ତିନିଦିନ ଧରି ସେମାନେ ନଅଜଣଙ୍କଠାରୁ ଏମିତି ଜୋରିମାନା ଆଦାୟ କରି ସାରିଥିଲେ । ନିଆଁ ଜାଳୁଥିବା ଲୋକଙ୍କୁ ସେମାନେ ପଞ୍ଚାୟତ ସାମ୍ନାରେ ହାଜର କରେଇ ଏମିତି ତଣ୍ଡ ଅସୁଲ କରୁଥିଲେ । ଏବେ ଗାଆଁରେ ନିଆଁ ଜାଳିବା ଉପରେ ହୁଲିଆ ଜାରି ହୋଇଥିଲା । ହାଡ଼ଭଙ୍ଗା ଜାଡ଼, ତା’ ସାଙ୍ଗକୁ ଛାତିଫଟା କୋହଲା ପବନ ଓ ନିଆଁଜଳା ନିଷେଧାଦେଶ ସେମାନଙ୍କ ମନକୁ କୌଣସି ପ୍ରକାରେ ଉଦାସ କରି ନ ଥିଲା । ବରଂ ସେମାନେ ଅଧିକ ଆଗ୍ରହରେ ଗାଆଁସାରା ପହରା ଦେଉଥିଲେ । ଗୋଟିଏ ପଟେ କେନାଲ ଉପରେ ବଡ଼ବନ୍ଧ ପର୍ଯ୍ୟନ୍ତ ଯାଇ ସେମାନେ ଦୂରରୁ ଶୁଭୁଥିବା ବନ୍ଧୁକଫୁଟା ଶବ୍ଦକୁ କାନଉଥିଲେ । ଗୁଳି ଫୁଟିଲାବେଳେ ଯେଉଁ ଅଗ୍ନି ସ୍ଫୁଲିଙ୍ଗ ବାହାରୁଥିଲା ତାହା ସେମାନଙ୍କୁ ଦୀପାବଳିର ଫଟକା କି ହାବେଳି ଫୁଟିଲାପରି ମନେ ହେଉଥିଲା ।
ପ୍ରବଳ ଜାଡ଼ରୁ ରକ୍ଷା ପାଇବାଲାଗି ପୁଣି ଥରେ ସେମାନେ ଲେଉଟି ଆସୁଥିଲେ ଗାଆଁର ଉତ୍ତରପଟ ସୀମା ପାଖକୁ । ମଝିରେ ମଝିରେ ପକେଟରେ ପୂରେଇଥିବା ମୁଢ଼ି କି ଚୁଡ଼ାଭଜା ମୁଠାରେ ଗୁଡ଼ ଖଣ୍ଡେ କିମ୍ବା ନଡ଼ିଆ ଖଣ୍ଡେ ପାଟିକି ପକାଉଥିଲେ ।
ସେମିତି ପହରାଦେବା ଭିତରେ ଦିନେ ରାତିରେ ପ୍ରାୟ ବାରଟାବେଳ ହେବ, ସେମାନେ ଆକାଶକୁ ଉଣ୍ଡି ଦେଖିଳେ ଦି’ଟା ବିମାନ ପଶ୍ଚିମ ଦିଗରୁ ପୂର୍ବ ଆଡ଼କୁ ଆସୁଥିଲା । ବିମାନ ଦୁଇଟି ଖୁବ୍ କମ୍ ଉଚ୍ଚତାର ଉଡ଼ୁଥିଲା ଓ ସେତେବେଳକୁ ସୀମା ପାର ହାଇ ସାରିଥିଲା । ପ୍ରାୟ ପାଞ୍ଚମିନିଟ୍ ଭିତରେ ବିମାନ ଦୁଇଟି ପୁଣି ପଶ୍ଚିମ ଦିଗକୁ ଲେଉଟି ଯାଇଥିଲା । କେନାଲ ବନ୍ଧ ଉପରେ ପଇଁତରା ମାରୁଥିବା ଟୋକା ପଞ୍ଝାକ ଆଉ ଟିକେ ଆଗକୁ ଯାଇ ଝଟାବଣ ପାଖରେ ଖୋଜାଖୋଜି କଲେ ।
ଭଗତୁର ପୁଅ ନାରଣ ରାତିରେ ତା’ ଆଖୁ କିଆରିରେ ପାଣି ମଡାଉଥିଲା । ଗାଆଁପିଲାମାନଙ୍କୁ ଦେଖି ସେ କହିଲା, ‘ଆରେ ପିଲାଏ, ଏପଟେ ଯାଅନି । ଜାହାଜ ଦି’ଟା ଏଇ କିଛି ସମୟ ଆଗରୁ କେଇଜଣ ପାରାଟ୍ରୁପରଙ୍କୁ ଆକାଶରୁ ଖସେଇବାର ମୁଁ ଦେଖିଛି । ଏଇ ଅଳ୍ପ ସମୟ ଆଗରୁ ।’
ଟୋକାମାନେ ନାରାୟଣ ଓରଫ ନାରଣକୁ ବେଢ଼ିଯାଇ ଆଉ କେତେ କଥା ପଚାରିଲେ ।
‘ଚାଚା, ତୁମେ ନିଜ ଆଖିରେ ଏକଥା ଦେଖିଚ?’
‘ହଁ, ହଁ! ଏଇ କେଇ ମିନିଟ୍ ଆଗରୁ ପରା ଏକଥା ଘଟିଲା । ମୋରି ଆଖି ଆଗରେ । ତୁମେ କ’ଣ ଭାବୁଛ ମୁଁ ମିଛ କହୁଚି?’ ନାରଣ ପ୍ରତିବାଦ କଲାପରି କହିଲା । ତା’ପରେ ନିଜ କଥାକୁ ଆହୁରି ପୁଷ୍ଟ କରିବା ଲାଗି କହିଲା, ‘ଏବେ ମୁଁ ଏଇପଟେ ନିଘା ରଖିଚି । ତୁମେମାନେ ଗାଆଁରୁ ଲୋକ ଡାକି ତଲାସି କର । ସରପଞ୍ଚଙ୍କୁ ବି ଖବର ଦିଅ, ସଙ୍ଗେ ସଙ୍ଗେ ଦି’ଜଣ ଲୋକଙ୍କୁ ଥାନାକୁ ପଠେଇ ସିଏ ପୁଲିସକୁ ବି ଖବର ଦିଅନ୍ତୁ ।’
ପହରା ଦେଉଥିବା ଟୋକା ପଞ୍ଝାକ ହୋ ହୋ ବାଜି ହସିଉଠିଲେ । ସେମାନେ ଭାବୁଥିଲେ ନାରଣ ଚାଚା ସେମାନଙ୍କୁ ବୋକା ବନଉଚନ୍ତି, ଡରାଉଚନ୍ତି । ଗାଆଁରେ ଲୋକେ ତାଙ୍କୁ କେହି ଭଗତୁର ପୁଅ ନାରଣ ବୋଲି ଡାକୁ ନ ଥିଲେ । ତା’ର ଏମିତିକିଆ ବାହାପିଆ କଥାଲାଗି ‘ଫାଡ଼ୁ’ ବୋଲି ସମ୍ବୋଧନ କରୁଥିଲେ । ଟୋକାଙ୍କ ଭିତରେ କାଳିଆ ଥିଲା । ସିଏ କହିଲା, ‘ଆଚ୍ଛା, ହଲପ କରି କହିଲ ଚାଚା, ସତରେ କ’ଣ ତୁମେ ଏକଥା ନିଜ ଆଖିରେ ଦେଖିଚ?’
ନାରଣ ବିଗିଡ଼ିଉଠି ଚଟାପଟ ଜବାବ ଦେଲା, ‘ମୁଁ କାଇଁକି ହଲପ କରିବି? ମୁଁକ’ଣ ଗୋହତ୍ୟା କରିଛି? ତୁମେମାନେ ମତେ ଏମିତି ସନ୍ଦେହ କରି ଜେରା କରୁଚ ସତେ ଯେମିତି ମୁଁ ପାକିସ୍ତାନୀ ଗୁପ୍ତଚର! ତୁମେ ଯଦି ମତେ ମିଛୁଆ ବୋଲି ଭାବୁଚ, ଭାବ । ଯାହା ଆଖି ବଥଉଚି ସିଏ ତା’ ଆଖିରେ ପଟି ବାନ୍ଧୁ । ମୋର ସେଥିରେ ଯାଏ ଆସେ କେତେ? ମୋର କ’ଣ ଯାଉଚି, ସେମାନେ ଆସି ତୁମ ଦୁର୍ଗକୁ ଭାଙ୍ଗନ୍ତୁ କି ଗାଆଁକୁ ଲୁଟନ୍ତୁ । ତୁମେ ଯୁଆଡ଼େ ଯାଉଚ ଯାଅ, ମୋର କି ଗରଜ ପଡ଼ିଚି ତୁମ କଥା ଭାବିବାକୁ । ସେମାନେ ଲୁଟିସାରିବା ପରେ ମୋ କଥାକୁ ମନେ ପକେଇବ ।’ ପହରା ଦେଉଥିବା ପିଲାମାନଙ୍କର ବିଶ୍ୱାସ ହେଲା ଯେ ନାରଣ ଚାଚା ମିଛ କଥା କହୁନି । ତେଣୁ ସେମାନେ ତୁରନ୍ତ ପରସ୍ପର ଭିତରେ ମବଣା କଲେ- ଏବେ କ’ଣ କରାଯିବ? ଦି’ଜଣ ପିଲାଙ୍କୁ ତୁରନ୍ତ ପଠାଗଲା ଗାଆଁରେ ଖବରଟା ପହଞ୍ଚେଇବାକୁ ଓ ଅନ୍ୟ ଦି’ଜଣ ଗଲେ ପାଖ ଝାଡ଼ବୁଦାବଣ ଆଡ଼େ, ନିଘା ରଖିବାକୁ ।
ଏଇ ଘଟଣାର ପ୍ରାୟ ଅଧଘଣ୍ଟାଏ ଭିତରେ ତିନିଜଣ ହୋମଗାର୍ଡ ଆସି ସେଠାରେ ପହଞ୍ôଚଗଲେ । ସେମାନଙ୍କ ସାଙ୍ଗରେ ଗାଆଁର କିଛି ପୁରୁଖା ଲୋକ । ସଙ୍ଗେ ସଙ୍ଗେ ଝାଡ଼ବୁଦା ଅରାକୁ ଚାରିପଟୁ ଘେରାଉ କରାଗଲା । ପରେ ପରେ ସେଠାରେ ଆଧ ଦଶ ପନ୍ଦରଜଣ ଲୋକ ଆସି ଯୋଗଦେଲେ । ସେମାନଙ୍କ ହାତରେ ଠେଙ୍ଗାବାଡ଼ି ଥିଲା । ସମସ୍ତଙ୍କ ପଛରେ ଆସି ପହଞ୍ଚିଲେ ସରପଞ୍ଚ ଓ ନମ୍ବରଦାର । ନାରଣଠାରୁ ସବୁକଥା ପଚାରି ବୁଝିଲାପରେ ସେମାନେ ଚାଲିଲେ ପାଖ ଥାନାରେ ଖବର ଦେବାକୁ ।
ସେତେବେଳକୁ ଗାଆଁରେ ଏ ଖବର ପ୍ରଚାର ହୋଇସାରିଥିଲା । ଲୋକମାନେ ଏମିତି ହାଲ୍ଲା କରୁଥିଲେ ସତେ ଯେମିତି କେନାଲ ବନ୍ଧ ଭାଙ୍ଗିଯାଇଚି ଓ ସେମାନଙ୍କ ଗାଆଁ ଅଳ୍ପ ସମୟ ଭିତରେ ପାଣିରେ ବୁଡ଼ିଯିବ, ସେମାନେ ଭାସିଯିବେ… ସବୁ ଘରେ ସେଇ ଏକା କଥାବାର୍ତ୍ତା । କିଏ ସେଇ ପାରାଟ୍ରୁପରମାନେ? ସେମାନେ ଗଲେ କୁଆଡ଼େ? ସେମାନଙ୍କ ଆସିବାର ଉଦ୍ଦେଶ୍ୟ କ’ଣ? ନିଜ ନିଜ ମାଆ କୋଳରେ କଙ୍ଗାରୁ ଭଳି ଓହଳିଥିବା ପିଲାମାନେ ସୁଦ୍ଧା ମାଆବାପାଙ୍କଠାରୁ ଏ ଖବର ଜାଣିବାଲାଗି କଲବଲ କରି ମୁହଁକୁ ଚାହୁଁଥିଲେ । ଆଉ କେଉଁ ପିଲା ପଚାରୁଥିଲା, ‘କ’ଣ ହେଲା, ବାପା?’, ଏତେ ବ୍ୟସ୍ତ କାଇଁକି ହେଉଚୁ ମା’ ?’ ବାପା ମା’ମାନେ କିନ୍ତୁ ପିଲାମାନଙ୍କୁ ଆଶ୍ୱାସନା ଦେଇ ଚାଲିଥିଲେ, ‘କିଛି ହେବନିରେ ପୁଅ, ତୁ ଜମାରୁ ବ୍ୟସ୍ତ ହଅନା’ ।’ ଆଉ କେହି ପିଲାମାନଙ୍କୁ ଆରାମରେ ଶୋଇଯିବାକୁ ଆକଟ କରୁଥିଲେ ।
ସକାଳୁ କୁଆ କାଆ କଲାବେଳକୁ ପବନା ନାରଣ ଯାହା କହିଥିଲା ସେକଥା ସତ ବୋଲି ପ୍ରମାଣିତ ହୋଇ ସାରିଥିଲା । ଜଣେ ପାରାଟ୍ରୁପରକୁ ଗାଆଁବାଲା ଧରିଥିଲେ । ଝଣାବଣରୁ ନୁହେଁ, କେନାଲର ନଳବଣ ଭିତରୁ ସେ ଧରା ପଡ଼ିଥିଲା । ଗାଆଁ ଟୋକାମାନେ ତା’ ହାତକୁ ପଛପଟୁ ଚୌକଷ କରି ବାନ୍ଧି ପକାଇଥିଲେ । ତାକୁ ଆଣି ଗାଆଁ ଢାବା ପାଖରେ ଗୋଟିଏ ଘରେ ରାତି ପାହିଲା ପର୍ଯ୍ୟନ୍ତ ପୂରେଇ ରଖିଥିଲେ । ରାତି ପାହିବା ମାତ୍ରେ ତାକୁ ଦେଖିବା ଲାଗି ଗାଆଁବାଲାଏ ଧାଉଡ଼ି ଦେବା ଆରମ୍ଭ କରିଦେଇଥିଲେ । କିନ୍ତୁ ଗାଆଁପିଲାଏ ତା’ ପାଖକୁ ଯିବାଲାଗି କାହାକୁ ଛାଡ଼ୁ ନ ଥିଲେ ।
ସକାଳୁ ସକାଳୁ ପୋଖରିରେ ଗାଧୋଇପାଧୋଇ ବାବା ଗୁରୁମୁଖ ଗୁରୁଦ୍ୱାରା ଆଡ଼କୁ ମୁହାଁଇଥିଲେ । ମଝିରେ ମଝିରେ ସେ ପଦେ ଲେଖାଏଁ ଗୁରୁବାଣୀ ଗୁଣୁଗୁଣୁ କରି ବୋଲି ଚାଲିଥାନ୍ତି । ହଠାତ୍ ତାଙ୍କର ଆଖି ପଡ଼ିଗଲା ଢାବାଆଡ଼େ । ସକାଳ ପହରଟାରୁ ଏତେ ଲୋକ ରୁଣ୍ଡ ହୋଇଥିବା ଦେଖବ ସେ ମନେମନେ ଆଶ୍ଚର୍ଯ୍ୟ ହେଲେ । କାରଣଟା କ’ଣ ହୋଇପାରେ! ବାବା ଗୁରୁମୁଖଙ୍କ କାନକୁ ଟିକେ କମ୍ ଶୁଭେ । ତେଣୁ ଗଲାକାଲି ରାତିରେ ଯାହାସବୁ ଘଟିଯାଇଥିଲା ସେକଥା ତାଙ୍କ କାନରେ
ପଡ଼ି ନ ଥିଲା । ତେଣୁ ସାମ୍ନାରେ ଯାଉଥିବା ବସନ୍ତ ଭିନ୍ଦରର କାନ୍ଧରେ ହାତ ପକାଇ ସେ ପଚାରିଲେ, ‘ଘଟଣା କ’ଣ? କାଇଁକି ଏତେ ଲୋକ ରୁଣ୍ଡ ହେଇଚନ୍ତି?’
ବସନ୍ତ ମୁହଁ ଘୂରାଇ ବାବାଙ୍କ କାନ ପାଖକୁ ମୁହଁ ନେଇ ବଡ଼ପାଟିରେ କହିଲା, ‘ଚାଚା, ଗଲାକାଲି ରାତିରେ ଜଣେ ପାକିସ୍ତାନୀ ଗୁପ୍ତଚର ଧରାପଡ଼ିଚି ।’
‘ଓଃ…!’ ଏଥିରେ ଖୁସି ନ ହୋଇ ସେ ଗୁଣୁଗୁଣୁ ସ୍ୱରରେ ସ୍ୱଗତୋକ୍ତ କରି କହିଚାଲିଲେ, ‘ବଡ଼ ବୋକା ଲୋକଟା ହେଇଥିବ । ନ ହେଲେ ଆମ ଇଲାକାକୁ କାଇଁକି ଆସନ୍ତା?’
ବସନ୍ତ ପୁଣି ଥରେ ବଡ଼ପାଟିକରି କହିଲା, ‘କେନାଲବନ୍ଧ ଭାଙ୍ଗିବାକୁ… ତା’ହେଲେ ଆମ ଗାଆଁ ଡୁବିଯିବ ।’
ଏକଥା ଶୁଣି ବାବା ଗୁରୁମୁଖ ନିରବରେ ତାଙ୍ବ ବାଟରେ ପୁଣି ଚାଲିଗଲେ । ହେଲେ ଗୁରୁଦ୍ୱାରାରେ ପହଞ୍ôଚ ଆଉ ଶବଦ୍ କୀର୍ତ୍ତନରେ କି ପ୍ରାର୍ଥନାରେ ତାଙ୍କର ଧ୍ୟାନ ଲଗେଇ ପାରିଲେନି । ଏପରିକି ଅରଦାସରେ ବି ନୁହେଁ । ଶେରେ ବାହେଗୁରୁଙ୍କ ପାଖରେ ମୁଣ୍ଡିଆଟିଏ ମାରି ସେ ଗୁଣୁଗୁଣୁ ହୋଇ ପାଞ୍ଚଥର କହିଲେ, ‘ସମସ୍ତଙ୍କର ମଙ୍ଗଳ ହେଉ!’ ସେଦିନ କାଇଁକି ତାଙ୍କ ମନ ପ୍ରାର୍ଥନା କି ଅର୍ଚ୍ଚନାରେ ଲାଗୁ ନ ଥିଲା ସେକଥା ସେ ବୁଝି ପାରୁ ନ ଥିଲେ । ତା’ର କାରଣ ସେ ମନେ ମନେ ଖୋଜି ହେଉଥିଲେ ।
ଗୁରୁଦ୍ୱାରାରୁ ପୁଣି ସେଇବାଟେ ବାବା ଘରକୁ ଫେରିଲେ । ଢାବା ପାଖରେ ପହଞ୍ଚିବାପରେ ତାଙ୍କ ପାଦ ଆପେ ଅଟକିଗଲା । ଢାବା ବାରଣ୍ଡାରେ ଏବେ ଆହୁରି ଅଧିକ ଲୋକ ଥାଟପଟାଳି ଭାଙ୍ଗୁଥିଲେ । ଅବଶ୍ୟ ଯୁବକମାନଙ୍କ ସଂଖ୍ୟା କମିସାରିଥିଲା । କିନ୍ତୁ ପାକିସ୍ତାନୀ ଗୁପ୍ତଚରକୁ ଦେଖିବାଲାଗି ଗାଆଁରୁ ବୁଢ଼ାବୁଢ଼ୀଙ୍କଠାରୁ ସ୍ତ୍ରୀଲୋକ ଓ ପିଲାଛୁଆ ସମସ୍ତେ ଧାଡ଼ି ବାନ୍ଧିଥିଲେ ।
ବାବା ଏଥର ପଚାରିଲେ, ‘ଆଚ୍ଛା, ସେ ଲୋକଟା କିଏ ଚିହ୍ନାପଡ଼ିଲା ପିଲାଏ?’ ବାରଣ୍ଡାରେ ବସିଥିବା ଲୋକମାନେ ବାବାଙ୍କୁ ମୁଣ୍ଡିଆମାରି ବାଟ ଆଗକୁ ବାଟ ଛାଡ଼ିଦେଲେ । ଟୋକାଟିର ହାତଗୋଡ଼ ବନ୍ଧା ହୋଇଥିଲା ଓ ସେ ନିଜ ଆଣ୍ଠୁ ଉପରେ ମୁଣ୍ଡ ତଳକୁ ପୋତି ନିରବରେ ବସିରହିଥିଲା । ସେତେବେଳକୁ ଜାଡ଼ୁଆ ଶୀତରେ ତା’ ସର୍ବାଙ୍ଗ ନୀଳ ପଡ଼ିସାରିଥିଲା । ସେ ପିନ୍ଧିଥିବା ଫଉଜି ସାର୍ଟ ଓ ପ୍ୟାଣ୍ଟ୍ରୁ କେଇଜାଗା ଚିରିଫାଟି ଯାଇଥିଲା, ସତେ ଯେମିତି ଢେର୍ ଦିନ ଧରି ସେ ବଣବୁଦା ଓ କଣ୍ଟାଝଟା ଭିତର ଦେଇ ଯାତ୍ରା କରିଥିଲା! ବାବା ତା’ଆଡ଼କୁ ଚାହିଁ ଦୋଦୋପାଞ୍ଚ ହେଲାପରି କହିଲେ, ‘ପିଲାଟା ଆମ ଗାଆଁର ଘୁଲ୍ଲା ତେଲିପୁଅ ଭଳିଆ ଦିଶୁଚି!’
ବାବାଙ୍କ ତୁଣ୍ଡରୁ ନିଜର ପରିଚୟ ଶୁଣି ଯୁବକଟି ମୁଣ୍ଡ ଟେକି ଚାହିଁଲା । ସମସ୍ତେ ତା’ ମୁହଁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଟୋକାଟ ମୁହଁ ନେଫେଡ଼େଇ ହସୁଥିଲା । ଏଥର ସେ ସିଧା ବାବା ଗୁରୁମୁଖଙ୍କ ମୁହଁକୁ ଚାହିଁ କହିଲା, ‘ଚାଚା ଗୁରୁମୁଖ ସିଂହ! ସଲାମ୍ ୱାଲେକମ୍ । ସତ୍ ଶ୍ରୀ ଅକାଲ୍!’
ସମସ୍ତେ ଆଁ କରି ଚାହିଁ ଆ୧⁄୨ର୍ଯ୍ୟ ହେଲେ । ବାବା ପୁଣି ଟିକେ ତା’ପାଖକୁ ଲାଗିଯାଇ ମୁହଁଟାକୁ ନିରୀକ୍ଷଣ କଲେ ଓ କହିଲେ, ‘ଓଏ! ତୁ ତ ସତକୁ ସତ ଘୁଲ୍ଲା ପୁଅ ଇଲ୍ମା!’ ଇଲମା ଦାନ୍ତ ଦେଖେଇ ହସିଲା । ତା’ ଆଖି ଯୋଡ଼ିକ ଏଥର ଆହୁରି ଉଜ୍ଜ୍ୱଳ ଦିଶିଲା । ସେ ମୁଣ୍ଡ ଟୁଙ୍ଗାରି ବାବା ଗୁରୁମୁଖଙ୍କ କଥାରେ ସତ ଭରିଲା ।
ଏଥର ଅନ୍ୟମାନଙ୍କ ଆଡ଼କୁ ଦୃଷ୍ଟି ନ ଦେଇ ବାବା ଇଲ୍ମା କାନ୍ଧରେ ହାତ ଥାପି ତାକୁ ଟିକେ କୋଳେଇନେଲେ । ତା’ ପାଖରେ ବସିପଡ଼ିଲେ । କିନ୍ତୁ ବେଶ୍ କିଛି ସମୟ ଧରି କ’ଣ କହିବେ କହିବେ ବୋଲି ଭାବି କିଛି କହିପାରୁ ନ ଥିଲେ । ତାଙ୍କ ତୁଣ୍ଡରୁ କିଛି ସ୍ଫୂରୁ ନ ଥିଲା । କେବଳ ଯାହା ସେ ମଝିରେ ମଝିରେ ଇଲ୍ମାର କାନ୍ଧ ଓ ପିଠିକୁ ଆଉଁଷି ଦେଉଥିଲେ ଓ ଥାପୁଡ଼ାଉଥିଲେ ।
ସତେକି ସିଏ ଇଲ୍ମା ନୁହଁ, ତାଙ୍କ ନିଜ ପୁଅ ନିଧନା ଯିଏ ଗଲା ଯୁଦ୍ଧବେଳେ ପ୍ରାଣ ହରାଇଥିଲା । ଯୁଦ୍ଧକୁ ଯାଇ ଆଉ ଫେରି ନ ଥିଲା ।
ରୁଣ୍ଡ ହୋଇଥିବା ଲୋକଙ୍କ ଭିତରୁ କେହି ଜଣେ ଆଗକୁ ଆସି ବାବା ଗୁରୁମୁଖଙ୍କ ହାତକୁ ଇଲ୍ମା ପିଠିରୁ ଖସେଇ ଦେଉ ଦେଉ କହିଲା, ‘ତୁ ଟିକିଏ ବି ସୁଧୁରିନୁରେ ଇଲ୍ମା! ଯେଉଁ ବଦମାସକୁ ସେଇ ବଦମାସ ହୋଇ ରହିଯାଇଚୁ! ଗଲାକାଲି ରାତିଠାରୁ ଏପର୍ଯ୍ୟନ୍ତ ଅଧାଦିନ ବିତି ସାରିଲାଣି, ତୁ ଆମକୁ ଏଯାଏ ଅନ୍ଧାରରେ ରଖି ଭୁଆଁ ବୁଲଉଚୁ! …ତୁ ଶଳା ମହା ବଦମାସ୍!’ ଇଲ୍ମାକୁ ଏବେ ଯିଏ ଗାଳି ଦେଉଥିଲା ସେ ଥିଲା ଧନମଣିର ବଡ଼ପୁଅ ଜିନ୍ଦର୍ । ସିଏ ଓ ଇଲ୍ମା ପିଲାଦିନେ ଏକା ସାଙ୍ଗରେ ଦ୍ୱିତୀୟ ଶ୍ରେଣୀଯାଏ ପଢ଼ିଥିଲେ । ତା’ପରେ ପାଠଶାଠ ଛାଡ଼ିଲାପରେ ଏକା ସାଙ୍ଗରେ ଗାଈଗୋରୁ ଚରାଉଥିଲେ । ଏକା ସାଙ୍ଗରେ କେତେ ହସ ପରିହାସ, ଥଟ୍ଟା ତାମସା ହେଉଥିଲେ ।
ଯେଉଁ ମୁହୂର୍ତ୍ତରେ ଇଲ୍ମା ଜିନ୍ଦରକୁ ଚିହ୍ନିଲା, ସେ ଡେଇଁପଡ଼ି ପ୍ରଥମେ ତାକୁ କୁଣ୍ଢେଇ ଧରିଲା । ତା’ ମୁହଁକୁ ଲୁହ ଛଳଛଳ ଆଖିରେ ଚାହିଁ କହିଲା, ‘ଆବେ ଶଳା ସଇତାନ! ଏତେ ସମୟ ହେଲା ତୁ ଏଠି ଅଚିହ୍ନା ଲୋକଙ୍କ ପରି ଠିଆହୋଇ ତାମ୍ସା ଦେଖୁଥିଲୁ? ଆଃ ଆଲ୍ଲା! ମତେ ମାଫ୍ କର! ମତେ ମାଫ୍ କର!’
ସମସ୍ତେ ଆବାକାବା ହୋଇ ପରସ୍ପର ମୁହଁକୁ ଚାହାଁଚୁହିଁ ହେଉଥିଲେ । ଯେଉଁ ଲୋକକୁ ଅଳ୍ପ ସମୟ ଆଗରୁ ସମସ୍ତେ ଶତ୍ରୁପକ୍ଷର ‘ଜାସୁସ୍’ ବୋଲି ଭାବୁଥିଲେ,ଏବେ ସେଇ ଲୋକ ଜିନ୍ଦରକୁ କୁଣ୍ଢେଇଧରି କଇଁକଇଁ ହୋଇ କାନ୍ଦୁଚି!
ବାବା ଗୁରୁମୁଖ ବି ନିଜକୁ ସମ୍ଭାଳି ରଖି ପାରିଲେନି । ନିଜ ଆଖିରୁ ଖସିଆସୁଥିବା ଲୁହକୁ ପୋଛିନେଇ ସେ ଇଲ୍ମା ପିଠିକୁ ଆଉଁଷି ପକେଇ କହିଲେ, ‘ଆଜି ଆମ ସମସ୍ତଙ୍କ ପାଇଁ ଗୋଟିଏ ଶୁଭଦିନ, ଖୁସିର ଅବସର । ଏତେ ଦିନ ପରେ ତୋତେ ଭେଟିପାରିଲୁ! ବାହେଗୁରୁଙ୍କ ଲୀଳା ସତରେ ବଡ଼ ବିଚିତ୍ର! ଈଶ୍ୱର ମହାନ!’
ପାଖରେ ପଡ଼ିଥିବା ଖଟ ଖଣ୍ଡିକରେ ପଞ୍ଝାଏ ପିଲା ବସି ଏସବୁ ଲକ୍ଷ୍ୟ କରୁଥିଲେ । ସେମାନଙ୍କୁ ଉଠାଇ ଜିନ୍ଦର ଇଲ୍ମାକୁ ନେଇ ସେଠାରେ ବସେଇଲା । ଅନ୍ୟ ଗୋଟିଏ ଦଉଡ଼ିଆ ଖଟରେ ବାବା ବି ବସିଲେ । ରୁଣ୍ଡ ହୋଇଥିବା ଗାଆଁଲୋକମାନେ ସେ ତିନିଜଣଙ୍କୁ ଅଚିହ୍ନା ଲୋକଙ୍କ ପରି ଚାହିଁ ରହିଥିଲେ । ଜିନ୍ଦର ଓ ଇଲ୍ମା ଏବେ ଏମିତି ହସଖୁସି ଓ କଥାବାର୍ତ୍ତାରେ ମଜ୍ଜି ଯାଇଥିଲେ ସତେ ଯେମିତି ଏକା ମା’ପେଟର ଦି’ଭାଇ! ଘୁଲ୍ଲା ତେଲି ପୁଅ ଇଲ୍ମା ଗାଆଁକୁ ଫେରି ଆସିାବ ଖବର
ସେତେବେଳକୁ ଚାରିଆଡ଼େ ରାଷ୍ଟ୍ର ହୋଇ ସାରିଥିଲା । ସିଏ ପାରାଟ୍ରୁପର୍ ନୁହେଁ କି ଗୁପ୍ତଚର ନୁହେଁ । ସୀମାରେ ସୁଦ୍ଧା କରିବାକୁ ଆସି କୌଶଳରେ ଇଲ୍ମା ଏପଟକୁ ଖସି ଆସିଥିଲା । ତାଫରେ ନିଜ ଜୀବନକୁ ବାଜି ଲଗେଇ, ଦି’ଦିନ ଧରି ବଣବୁଦା, କଣ୍ଟା ଝଟକା ଭିତରେ ପଶି ସୀମା ପାରହୋଇ ଏଠାରେ ପହଞ୍ଚିଗଲା ।
ସୀମା ପାର ହେବାପରେ ସେ ଗାଆଁପିଲାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ସେମାନଙ୍କୁ ଛାତି ଫୁଲେଇ କହିଥିଲା, ‘ମୋତେ ଗିରଫ କର ।’
ପଇଁତିରିଶ ବର୍ଷରୁ ଅଧିକ ବୟସ୍କ ଗାଆଁର ସବୁ ଲୋକ ଘୁଲ୍ଲା ପୁଅ ଇଲ୍ମାକୁ ଦେଖିବାକୁ ଆସୁଥିଲେ । ଜିନ୍ଦର ଭଳିଆ ତା’ର ଆଉ କେତେଜଣ ସାଙ୍ଗ ଇଲ୍ମାକୁ କୁଣ୍ଢେଇ ତା’ ସାଙ୍ଗରେ ହସପରିହାସ ହେବା ଆରମ୍ଭ କରିଦେଇଥିଲେ । ପିଲାଦିନର କେତେ କଥା ମନେ ପକେଇ କଥାବାର୍ତ୍ତା ହେଉଥିଲେ । ସେସବୁ ଏବେ ସେମାନଙ୍କ ସ୍ମୃତିରେ ସାଇତି ହୋଇ ରହିଥିଲା । ପୁଣି ପରସ୍ପରର ପରିବାର ଓ ଅନ୍ୟ ପ୍ରିୟଜନଙ୍କ କଥା ପଚରାଉଚରା ହେଉଥିଲେ । ହିନ୍ଦୁସ୍ତାନ ଓ ପାକିସ୍ତାନ ଦିଓଟି ସ୍ୱତବ ଦେଶଭାବେ ବିଭଜନ ହେବାବେଳେ ଯେଉଁ ସାଙ୍ଗସାଥୀ କି ଆତ୍ମୀୟମାନେ ଦଙ୍ଗାରେ ପ୍ରାଣ ହରାଇଥିଲେ ସେମାନଙ୍କ କଥା ମନେ ପକାଇ ଦୁଃଖ ପ୍ରକଟ
କରୁଥିଲେ ।
ଏବେ ଇଲ୍ମାକୁ ସ୍ୱାଗତ କରିବା ଲାଗି ତାକୁ ଚା’ଜଳଖିଆ ଓ ଖାଦ୍ୟପଦାର୍ଥ ଦେବାଲାଗି ସତେ ଯେମିତି ଗାଆଁଟା ସାରା ଲୋକ ତତ୍ପର ହୋଇ ପଡ଼ିଥିଲେ ।
ସେଦିନ ଦିନବେଳା କିଛି ସମୟ ପରେ ସରପଞ୍ଚ ଓ ନମ୍ବରଦାର ପୁଲିସକୁ ଧରି ଆସି ଗାଆଁରେ ପହଞ୍ଚିଲେ । କିନ୍ତୁ ଇଲ୍ମା ଏବେ ପାକିସ୍ତାନୀ ଗୁପ୍ତଚରରୁ ପ୍ରିୟ ଅତଥି ବନି ସାରିଥିବା ଦେଖି ବିସ୍ମିତ ହେଲେ । ଅନେକ ଲୋକ ତ ଇଲ୍ମାକୁ ଗିରଫ ନ କରିବା ଲାଗି ଥାନାବାବୁଙ୍କୁ ନେହୁରା ହେଲେ ।
କିନ୍ତୁ ଦାରୋଗା ବାବୁଙ୍କର ଏକା ଜିଦ୍ । କାଗଜପତ୍ର କାମ ତ ଯେମିତି ହେଲେ କରିବାକୁ ପଡ଼ିବ । ଆଇନ ଅନୁସାରେ ଯିବାକୁ ହେବ । ତାଙ୍କ ହାତରେ କିଛି ନାହିଁ । ଯାହା ଆଇନ କହୁଚି, ସେ ସେଇଆ କରିବାକୁ ବାଧ୍ୟ । ଯାହା ଫଇସଲା ହେବ, କୋର୍ଟରେ ହେବ । ଇଲ୍ମା ମୁହଁରେ କିନ୍ତୁ ବେଳକୁ ବେଳ ହସ ଆହୁରି ଫୁଟି ଉଠୁଥିଲା । ତା’ଆଖିରେ ଖୁସିର ଚମକ ବାରି ହୋଇ ପଡ଼ୁଥିଲା । ସେ ଖୁସିରେ ଦାରୋଗାବାବୁଙ୍କ ସାମ୍ନାରେ ହାତଯୋଡ଼ି କହିଲା, ‘ସର୍ଦ୍ଦାରଜୀ, ମୋର ଆପଣଙ୍କୁ କେବଳ ଗୋଟିଏ ଅନୁରୋଧ – ମୋତେ ଥାନାକୁ ନେଲାବେଳେ ଦିନ୍ଦର ଭାଇର ସେଇ କ୍ଷେତବାଟ ଦେଇ ନେବ, ଯେଉଁଠି ପୂର୍ବରୁ ଆଖୁଚାଷ ହେଉଥିଲା । ଆଉ ଯଦି ସମ୍ଭବ ହୁଏ, ମୋ ସାଥିରେ ଜିନ୍ଦର ଓ ଆଉ କେଇଜଣ ସାଙ୍ଗ ଥାନା ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଅନ୍ତୁ । ମୁଁ ଆପଣଙ୍କ ପାଖରେ ଋଣୀ ରହିବି…. ଆମେ ଏତେ ବର୍ଷ ପରେ ପରସ୍ପରଙ୍କୁ ଭେଟିଛୁ, ମନଭରି ଦି’ପଦ ଗପସପ ହୋଇପାରିନୁ… ।’
ତା’ରି ଭିତରେ ବାବା ଗୁରୁମୁଖ ହଠାତ୍ ବସିବା ଜାଗାରୁ ଉଠିପଡ଼ିଲେ । ସତେ ଯେମିମତି କିଛି ଗୋଟିଏ କଥା ତାଙ୍କର ମନେ ପଡ଼ିଗଲା । ସେ ଇଲ୍ମା ପାଖକୁ ଧାଇଁଯାଇ କହିଲେ, ‘ଓଏ ଇଲ୍ମା! ତୁ ଆଗ କହିଲୁ ତୋ ବାପା କେମିତି ଅଛି? ତୋ ମା’ର ଦେହପା’ ଭଲ ଅଛି ତ? ସେତେବେଳେ ତା’ ଦେହ ଭଲ ରହୁ ନ ଥିଲା ।ଆଉ ତୋ ସାନ ଭଉଣୀ, ବଡ଼ ଭାଇ – ସେମନେ ସବୁ କେମିତି ଅଛନ୍ତି? ସମସ୍ତେ କୁଶଳରେ ଅଛନ୍ତି ତ?’
ଇଲ୍ମା ମିଛ କହିଥିଲା ଯେ ସୀମା ଆରପଟେ ତା’ର ଘରେ ସମସ୍ତେ ଗଲରେ ଅଛନ୍ତି ଖୁସିରେ ଅଛନ୍ତି । ପୁରୁଣା ଘାଆକୁ ଉଖାରି ଆଉଥରେ କ୍ଷତାକ୍ତ କରିବାକୁ ତା’ର ଇଚ୍ଛା ନ ଥିଲା । ସୀମାର ଏଇପଟେ କେଇ କିଲୋମିଟର ଦୂରରେ କିଛି ଲୋକ ତା’ବାପାକୁ ହତ୍ୟା କରିଥିଲେ । ଆତତାୟୀମାନଙ୍କ କବଳରୁ ମୁକ୍ତି ପାଇବା ଲାଗି ତା’ଭଉଣୀ ଭରା ନଈକୁ ଡେଇଁ ପଡ଼ିଥିଲା । ଆଜ୍ମାରେ ଚିର ରୋଗୀଣୀ ତା’ର ମାଆ ପରିବାରର ଏଭଳି ଦୁର୍ଦ୍ଦଶାରେ ଭାଙ୍ଗି ପଡ଼ିଥିଲା ଓ ଚାରିବର୍ଷ ତଳୁ ଆଖି ବୁଜି ସାରିଥିଲା । ଇଲ୍ମାକୁ ଜଣାଥିଲା ତା’ ପରିବାରର ଏଭଳି ଦୁର୍ଦ୍ଦଶା ପାଇଁ ଏ ଗାଆଁର କାହାକୁ ସେ ଦୋଷ ଦେଇ ପାରିବନି । ଏଇ ବାବା ଗୁରୁମୁଖ ଓ ଅନ୍ୟ ପୁରୁଖା
ଲୋକମାନେ ତ ଗାଆଁରେ ସବୁ ସମ୍ପ୍ରଦାୟର ଲୋକଙ୍କୁ ଦଙ୍ଗାରୁ ନିବୃତ୍ତ ରଖିଥିଲେ; ଏଇମାନେ ତ ତା’ପରିବାର ସହ ଅନ୍ୟ ଲୋକମାନଙ୍କୁ ନେଇ ନିରାପଦରେ ଟ୍ରେନରେ ବସେଇଦେଇ ଆସିଥିଲେ । ପାଖଆଖ ଗାଆଁର ଲୋକମାନଙ୍କୁ ଗଣ୍ଡଗୋଳ ଓ ହିଂସାରୁ ବିରତ ରହିବାକୁ ନେହୁରା ହୋଇଥିଲେ । ସେମାନଙ୍କର ଏଇ ମହତପଣ ଲାଗି ଇଲମା ନିଜ ଜୀବନକୁ ବାଜି ଲଗେଇ ପୁଣି ଥରେ ସେମାନଙ୍କୁ ଦେଖା କରିବାଲାଗି ଏତେ ଦୂରକୁ ଦୌଡ଼ି ଆସିଥିଲା ଏଇ ଗାଆଁ, ଏଇ ତା’ର ଭିଟାମାଟି । ସେଇଥିପାଇଁ ଯୁଦ୍ଧବେଳେ ଜାଣିଶୁଣି ସେ ସୀମାରେଖା ଡେଇଁ, ପହରାଦାର ସୈନିକଙ୍କ ଆଖିରେ ଧୂଳି ଫିଙ୍ଗି ଚାଲିଆସିଥିଲା… ଯେକୌଣସି ସମୟରେ ସେ ଗୁଳିର ଶିକାର ହୋଇଥାଆନ୍ତା, ତା’ଜୀବନ ଚାଲି ଯାଇଥାଆନ୍ତା…! କିନ୍ତୁ ଏଇ ମାଟି ତାକୁ ଆକର୍ଷିତ କରିଥିଲା । ସେ ନିଜକୁ ନିୟବଣ କରି ପାରି ନ ଥିଲା ।
ଦାରୋଗା ବାବାୁଙ୍କ ସାଙ୍ଗରେ ଜିପ୍ରେ ବସିଲାବେଳେ ଗାଆଁର ଜଣେ ବୟସ୍କା ମହିଳା ସନ୍ତୋ, ଇଲ୍ମା ପାଖକୁ ଦୌଡ଼ିଆସି ତା’ ମୁଣ୍ଡକୁ ଆଉଁଷିଦେଇ କହିଲା, ‘ତୋ ମାଆକୁ କହିବୁ, ସନ୍ତୋ ତା’କଥା ପଚାରୁଥିଲା । ଜାଣିଚୁ, ଆମେ ଦି’ଜଣ ଭାରି ସାଙ୍ଗ ଥିଲୁ ।ଏତିକି କହି ସନ୍ତୋ ତା’ କାନିରେ ଆଖଢ଼ରୁ ଲୁହ ପୋଛିନେଲା । ଇଲ୍ମା ବି ନିଜକୁ ସମ୍ଭାଳି ନ ପାରି କାନ୍ଦି ପକେଇଲା । ନିଜ ଲୁହଭିଜା ଆଖିକୁ ଅନ୍ୟମାନଙ୍କଠାରୁ ଲୁଚେଇବା ଲାଗି ସେ ମୁହଁ ବୁଲେଇନେଲା ।
ଧୂଳି ଉଡେଇ ଜିପ୍ ଦ୍ରୁତ ଗତିରେ ଆଗକୁ ଚାଲିଲା । ବାବା ଗୁରୁମୁଖ ଓ ଅନ୍ୟମାନେ ଜିପ୍ ପଛରେ ଧୂଳିକୁ ସେମିତି ଚାହିଁ ରହିଥିଲେ । ସତେ ଯେମିତି ସେମାନଙ୍କ ହାତରେ ଅମୂଲ୍ୟ ରତ୍ନଟିଏ ପଡ଼ି ପୁଣି ହାତଛଡ଼ା ହେଇଗଲା । କେହି ଜଣେ ସେ ରତ୍ନଟିକୁ ଛଡ଼େଇନେଲା!
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.