Latest Odisha News

ଛାଡ଼ପତ୍ର ନୁହେଁ ଶେଷ ବିକଳ୍ପ

ନମ୍ରତା ଚଢାଙ୍କ ସ୍ୱତନ୍ତ୍ର ଆଲେଖ୍ୟ

ଛାଡପତ୍ର ଆବେଦନକୁ ଖାରଜ କରି କେରଳ ହାଇକୋର୍ଟ ତାଙ୍କ ବକ୍ତବ୍ୟରେ ବିବାହ ପ୍ରତିଷ୍ଠାନର ପବିତ୍ରତା ଏବଂ ଭାରତୀୟ ସାମାଜିକ ସଂସ୍କୃତିର ଉତ୍ତମ ଅଂଶ ବୋଲି ବର୍ଣ୍ଣନା କରିଛନ୍ତି। ଏହାର ଅର୍ଥ ହେଉଛି ଯେ ଯେତେ ପର୍ଯ୍ୟନ୍ତ ସମ୍ଭବ ହେଉଛି ଛାଡପତ୍ର ହେବା ଉଚିତ୍ ନୁହେଁ। ପତ୍ନୀଙ୍କ ଅବୈଧ ସମ୍ପର୍କ ଥିବା ସନ୍ଦେହରେ ଜନୈକ ପୁରୁଷଙ୍କ ଛାଡପତ୍ର ଆବେଦନକୁ ଖାରଜ କରି କେରଳ ହାଇକୋର୍ଟ ଭାରତରେ କ୍ରମାଗତ ଭାବେ ବଢୁଥିବା ଛାଡ଼ପତ୍ର ମାମଲାଗୁଡିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।ମାନ୍ୟବର ହାଇକୋର୍ଟ ଟିପ୍ପଣୀରେ କହିଛନ୍ତି ଯେ ନୂତନ ପୀଢ଼ି ବାହାଘରକୁ ଏକ କୁ-ପ୍ରଥା ବୋଲି ଭାବୁଛନ୍ତି ଏବଂ ଏହି କାରଣ ହେତୁ ଲିଭ-ଇନ ରିଲେସନ ମଧ୍ୟ ବୃଦ୍ଧି ପାଉଛି । ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଏହି ‘ ୟୁଜ ଆଣ୍ଡ ଥ୍ରୋ ‘ କଲଚର ଆମକୁ ନଷ୍ଟ କରିଦେଲାଣି । ଏହା ଏକ ଚିନ୍ତାର ବିଷୟ ଅଟେ ।

ଛାଡପତ୍ର ଆବେଦନକୁ ଖାରଜ କରିବା ସହ ନ୍ୟାୟାଧୀଶ ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ ଓ ଜଷ୍ଟିସ୍ ସୋଫି ଟମାସଙ୍କ ଖଣ୍ଡପୀଠ ୨୪ ଅଗଷ୍ଟରେ ଏହି ଟିପ୍ପଣୀ ଦେଇଥିଲେ । ଖଣ୍ଡପୀଠ କହିଛନ୍ତି ଯେ ଆଇନ ଏବଂ ଧର୍ମରେ ବିବାହ ଏକ ଅନୁଷ୍ଠାନ ଭାବରେ ବିବେଚନା କରାଯାଏ। ତେଣୁ ବିବାହ ପରେ ଆଇନଗତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ କେହି ଏହି ସମ୍ପର୍କକୁ ଏକପାଖିଆ ଛାଡି ପାରିବେ ନାହିଁ । ଛୋଟ ଛୋଟ କଥାରେ ସମ୍ପର୍କ ଭଙ୍ଗା ଯାଏ ନାହିଁ । ଅନେକ ଜୀବନ ନଷ୍ଟ ହୋଇଯାଏ | ସେମାନଙ୍କର ପିଲାମାନଙ୍କ ଉପରେ ମଧ୍ୟ ମଧ୍ୟ ଖରାପ ପ୍ରଭାବ ପଡେ। ଆଜିକାଲି ପରକୀୟା ପ୍ରୀତି ବା ଅନ୍ୟ ସ୍ବାର୍ଥପର କାରଣ ପାଇଁ ବୈବାହିକ ବନ୍ଧନ ଭାଙ୍ଗିଯାଉଛି।

କେରଳ ହାଇକୋର୍ଟଙ୍କର ଏହି ଟିପ୍ପଣୀ ଭାବିବା ପାଇଁ ବାଧ୍ୟ କରୁଛି ଯେ ଦେଶରେ ସାମାଜିକ ବିଦୁପତା ପାଇଁ ଅନ୍ୟ କାରଣ ସମେତ ବର୍ଦ୍ଧିତ ଛାଡପତ୍ର ମାମଲା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରେ । ଯଦିଓ ଏହା ସତ୍ୟ ଯେ ପାଶ୍ଚାତ୍ୟ ଦେଶଙ୍କ ତୁଳନାରେ ଭାରତୀୟ ମହିଳା ଅଧିକ ସୁରକ୍ଷିତ । ପରିବାରରେ ସେମାନଙ୍କ ଦେଖାଶୁଣା ଖୁବ ଭଲରେ କରାଯାଇଥାଏ ଏପରିକି ବେଳେ ବେଳେ ଗୋଟିଏ ଝିଅ ନିଜ ମାଆ – ବାପାଙ୍କ ଅପେକ୍ଷା ନିଜ ଶାଶୂଘରେ ବେଶୀ ଖୁସିରେ ରୁହେ । କେବଳ ଏତିକି ନୁହେଁ, ସାମାଜିକ ସ୍ତରରେ ପ୍ରେମ, ଘୃଣା, ବିବାହ ଏବଂ ଦ୍ୱିତୀୟ ବିବାହ ଭଳି ସମସ୍ୟାର ସମାଧାନ ହୋଇଯାଉଥିଲା କିନ୍ତୁ ଧୀରେ ଧୀରେ ଏହା ଏହା ସବୁ ଏବେ କେବଳ ଗପ ହୋଇ ରହିଯାଇଛି ।

ସମୟର ଟିକେ ପଛକୁ ଗଲେ ଜଣାଯାଏ ଯେ ସ୍ୱାଧୀନତା ପରେ ସଂସଦରେ ‘ହିନ୍ଦୁ କୋଡ଼ ବିଲ ‘ ପାସ ହୋଇଥିଲା ଯାହାଦ୍ୱାରା ମହିଳାଙ୍କୁ ସମ୍ପତ୍ତିର ଅଧିକାର ମିଳିଲା, ବହୁ ବିବାହରେ ରୋକ ଲଗାଇବା ସହ ଛାଡ଼ପତ୍ର ଦେବାର ମଧ୍ୟ ଅଧିକାର ମିଳିଥିଲା । ୧୯୭୬ ମସିହାରେ ସଂଶୋଧନ କରାଯାଇ ଉଭୟ ପତି-ପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦର ଅନୁମତି ଦିଆଗଲା । ସମୟର ସ୍ରୋତରେ ପାଶ୍ଚାତ୍ୟ ସଭ୍ୟତାର ଛିଟା ଏପରି ପଡିଲା ଯେ ଧୀରେ ଧୀରେ ମିଳିତ ପରିବାର ଭାଙ୍ଗିବାକୁ ଲାଗିଲା ।ମହିଳାମାନେ କାମ କରିବାକୁ ବାହାରକୁ ଗଲେ ଏବଂ ସ୍ୱାମୀମାନେ ଘର କାର୍ଯ୍ୟରେ ମହିଳାଙ୍କୁ ସାହାଯ୍ୟ କଲେ । ସମ୍ପର୍କର ଗୁରୁତ୍ୱ ଧୀରେ ଧୀରେ କମିବାକୁ ଲାଗିଲା । ଲିଙ୍ଗ ଭେଦ ସହ ଯୋଡି ହୋଇଥିବା ମାମଲାଗୁଡିକରେ ପରିବର୍ତ୍ତନ ଆସିବାକୁ ଲାଗିଲା । ପୁରୁଷ ସମାଜ ନିଜ ଶ୍ୱଶୁର ଘର ପ୍ରତି ଅଧିକ ମାତ୍ରାରେ ସମ୍ବେଦନଶୀଳ ହେବାକୁ ଲାଗିଲେ । କହିବାକୁ ଗଲେ ସମ୍ପର୍କରେ ପ୍ରାଥମିକତା ନିର୍ଣ୍ଣୟ ହେବା ଆରମ୍ଭ ହେଲା ।

ବର୍ତ୍ତମାନ ଜନଗଣନାରେ ମଧ୍ୟ ଛାଡପତ୍ର, ଅବିବାହିତ, ବିଧବା କିମ୍ବା ବିବାହିତ ଜୀବନ ବଞ୍ଚିବା ସମ୍ପର୍କରେ ପଚରାଯାଉଛି । ତେଣୁ ସାମାଜିକ ଗଠନ ଉପରେ ବିଶ୍ଳେଷଣ ପାଇଁ ଏକ ସୁଯୋଗ ଅଛି । ଏହିପରି ଏକ ବିଶ୍ଳେଷଣରେ ସାମ୍ନାକୁ ଆସିଛି ଯେ ଭାରତରେ ପ୍ରାୟ ୧ .୪ ନିୟୁତ ଲୋକ ଛାଡପତ୍ର ପାଇଛନ୍ତି। ଏହା ହେଉଛି ଜନସଂଖ୍ୟାର 0.୧୧ ପ୍ରତିଶତ ଏବଂ ବିବାହିତ ଜନସଂଖ୍ୟାର 0.୨୪ ପ୍ରତିଶତ । ଓଡ଼ିଶାରେ ୭୮ ପ୍ରତିଶତ ମାମଲା ଫ୍ୟାମିଲି କୋର୍ଟରେ ବିଚାରାଧୀନ ଅଛି।
ପାରିବାରିକ ହିଂସା ଆଇନରେ ୩ ପ୍ରତିଶତ ମାମଲା କେବଳ ଲାଇଭ-ଇନ୍ ସମ୍ପର୍କ ଅଟେ। ଆଶ୍ଚର୍ଯ୍ୟର କଥା ହେଉଛି, ଅଲଗା ହୋଇଥିବା ଲୋକଙ୍କ ସଂଖ୍ୟା ଛାଡପତ୍ର ହୋଇଥିବା ଲୋକଙ୍କ ତୁଳନାରେ ତିନି ଗୁଣ ଅଧିକ। ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଛାଡପତ୍ର ପାଇଛନ୍ତି ଏବଂ ନିଜ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ଛାଡପତ୍ର ମାମଲା ଅପେକ୍ଷାକୃତ ଅଧିକ। କୁହାଯାଏ ଯେ ହିନ୍ଦୀ ବେଲ୍ଟରେ, ଉଦାହରଣ ସ୍ୱରୂପ, ୟୁପି, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ହରିୟାଣା ଇତ୍ୟାଦି ରାଜ୍ୟଗୁଡିକରେ ସମାଜରେ ପୁରୁଷଙ୍କ ପ୍ରାଧାନ୍ୟ ଚାଲିଥାଏ, ଯାହା ମଧ୍ୟ ବହୁ ପରିମାଣରେ ସତ୍ୟ ଅଟେ। ଏଠାରେ ଛାଡ଼ପତ୍ରର ମାମଲା ଟିକେ କମ ଅଟେ । ଗୁଜୁରାଟରେ ଛାଡପତ୍ରର ମାମଲା ସବୁଠାରୁ ଅଧିକ । ଏହି ବିଶ୍ଳେଷଣ ସାମାଜିକ ବିଘଟନର ଏକ ଅକୁହା କାହାଣୀ । ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ହେତୁ, ପତି-ପତ୍ନୀ ଅଲଗା ରହିବାର ମାମଲା ଛାଡପତ୍ର ଅପେକ୍ଷା ଅଧିକ । ଏହା ସାମାଜିକ ବିଚ୍ଛିନ୍ନତାର ଏହା ପ୍ରମାଣ ।

ମହିଳା ସମାଜ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ପଦାଧିକାରୀ କୁହନ୍ତି ଯେ ଆମ ଦେଶରେ ମହିଳାମାନେ ଭେଦଭାବକୁ ସହ୍ୟ କରନ୍ତି। ଶତାବ୍ଦୀ ଧରି ଏହା ଚାଲିଆସୁଛି । ମହିଳା ନିଜେ ଏହି ପରିବେଶ ପାଇଁ ଦାୟୀ । ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଦେଖାଯାଏ ଯାହା ଯେକୌଣସି ଘରେ ଦେଖିବାକୁ ମିଳେ । ବିବାହ ବିଚ୍ଛେଦ ତ ହୋଇଯାଏ କିନ୍ତୁ ଜଣେ ଛାଡ଼ପତ୍ର ହୋଇଥିବା ମହିଳାର ଦ୍ୱିତୀୟ ବିବାହ ଅନେକାଂଶରେ କଠିନ ଲାଗୁନାହିଁ କି ? ଏହା ମଧ୍ୟ ସେମାନଙ୍କ ସହ ଏକ ପ୍ରକାରର ଭେଦଭାବ । ବର୍ତ୍ତମାନ ଗାଁମାନଙ୍କରେ ମଧ୍ୟ ବିବାହ ବିଚ୍ଛେଦର ମାମଲା ଦେଖିବାକୁ ମିଳିଲାଣି, କିନ୍ତୁ ଏହା ସତ ଯେ ଅନ୍ୟ ଦେଶଗୁଡିକ ତୁଳନାରେ ଆମ ଦେଶରେ ଛାଡ଼ପତ୍ରର ମାମଲା ବହୁତ କମ । ଆମେରିକା ପରି ବିକଶିତ ଦେଶରେ ଏହା ୩୦ ପ୍ରତିଶତ ହୋଇଥିବା ବେଳେ ଭାରତରେ ଏହା ମାତ୍ର ୧ .୩ ପ୍ରତିଶତ ଅର୍ଥାତ ପ୍ରତି ୧୦୦୦ ରେ ୧୩ ଟି ଛାଡ଼ପତ୍ର ହେଉଛି । ଏହା ୨୦୧୯ ର ତଥ୍ୟ ଅଟେ ।

ଗ୍ଳୋବାଲାଇଜେସନ ପୂର୍ବରୁ ଏହି ସଂଖ୍ୟା 0.୫ ପ୍ରତିଶତ ଥିଲା । ଅର୍ଥାତ ୩୦ ବର୍ଷ ମଧ୍ୟରେ ୨୬ ଗୁଣା ବୃଦ୍ଧି | ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ଭାବେ ପରିଗଣିତ ହେବାକୁ ଆମର ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖୁଛନ୍ତି। ଯଦି ଏହି ବେଗରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଏ, ତେବେ ଛାଡ଼ପତ୍ର କ୍ଷେତ୍ରରେ ସେତବେଳକୁ ଦେଶ ଯାଇ କେଉଁଠାରେ ପହଞ୍ଚିବ। ଉଭୟ ପ୍ରେମ ଏବଂ ଆରେଞ୍ଜଡ଼ ମ୍ୟାରେଜରେ ଛାଡପତ୍ର ଘଟୁଛି । କିନ୍ତୁ ଆରେଞ୍ଜଡ଼ ମ୍ୟାରେଜରେ , ମତଭେଦ ପରେ ମଧ୍ୟ ଟିକିଏ ଆପୋଷ ବୁଝାମଣା ପାଇଁ ସୁଯୋଗ ଅଛି ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଯେଉଁ ସମାଜ ଛାଡପତ୍ର, ଲାଇଭ-ଇନ୍ ସମ୍ପର୍କକୁ ଆପଣେଇବା ସହ ଆଇନଗତ ସ୍ୱୀକୃତି ମଧ୍ୟ ଦେଇସାରିଛି ସେହି ସମାଜରେ ଆମେ ଆରେଞ୍ଜଡ଼ ମ୍ୟାରେଜର ଯୁଗକୁ ଫେରିବାରେ ସମର୍ଥ ହେବା କି? ପ୍ରାୟ ୪୦ ଟି ଦେଶରେ ସମଲିଙ୍ଗୀ ବିବାହ ଗ୍ରହଣୀୟ ହୋଇପାରିଛି। ଭାରତରେ ଏହି ଦାବି ଉଣା ଅଧିକେ ମଧ୍ୟ ଦେଖିବାକୁ ମିଳେ | ଏଭଳି ମାମଲା ଗଣମାଧ୍ୟମ ଜରିଆରେ ମଧ୍ୟ ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ, କେବଳ ସନ୍ଦେହ ଆଧାରରେ କେରଳ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ଛାଡପତ୍ର ଆବେଦନକୁ ଖାରଜ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଏବଂ ସମସ୍ୟା ସମ୍ପର୍କରେ କିଛି ଭାବିବାକୁ ବାଧ୍ୟ କରିଛନ୍ତି। ସେଥିପାଇଁ ଏହି ଧାରଣା ୱାଇଫ୍ ମାନେ ‘ଓରି ଇନ୍‌ଭାଇଟେଡ୍ ଫର୍ ଏଭର୍’ ନୁହେଁ ବରଂ ‘ୱାଇଜ୍ ଇନ୍‌ଭେଷ୍ଟମେଣ୍ଟ ଫର୍ ଏଭର୍’ ସତ୍ୟ ଅଟେ ।

 

Leave A Reply

Your email address will not be published.