Latest Odisha News

BREAKING NEWS

ଜୀବନ୍ତ ସହର ଭୁବନେଶ୍ୱର, କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟ ଏବଂ ଭାଷାର ପେଣ୍ଠସ୍ଥଳୀ

ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ

ଅତୀତରେ ଭାରତର ସହରାଞ୍ଚଳ କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟର ଭାଷା ଏବଂ ବେପାର ବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇ ଆସିଛନ୍ତି । ଫଳସ୍ୱରୂପ ଏହି ସହରମାନ ନିଜ ମଧ୍ୟରେ ଏକ ଐତିହାସିକ ପୃଷ୍ଠଭୂମି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି ଐତିହାସିକ ପୃଷ୍ଠଭୂମି ପ୍ରଥମେ ଏହି ସହରମାନଙ୍କ ପ୍ରଗତିର ମୁଖ୍ୟ ଶ୍ରୋତ ଭାବେ ପରିଗଣିତ ହୋଇଆସିଅଛି। ଯାହା ଆଜି ମଧ୍ୟ ଏହି ସହରର ମାନଙ୍କର ଐତିହାସିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇଅଛି। ଏହି ପୃଷ୍ଠଭୂମିରେ ମଧ୍ୟ ଗଢି ଉଠିଛି ବହୁ ବିଶାଳକାୟ ଅଟ୍ଟାଳିକା, ବୃହତ ବାଣିଜ୍ୟସ୍ଥଳୀ ,ଇତ୍ୟାଦି ଇତ୍ୟାଦି। ହେଲେ ବିଂଶ ଶତାବ୍ଦୀର ଆରମ୍ଭ ଭାଗରେ ଏହି ଐତିହାସିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ପେଣ୍ଠସ୍ଥଳୀ ପାଲଟି ଯାଇଛି ସହରୀକରଣର ଦୁଃସ୍ବପ୍ନର ଉଦାହରଣ। ବହୁ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ଦ୍ରୁତ ସହରୀକରଣ ଯୋଗୁଁ ସହରମାନଙ୍କରେ ଥିବା ଐତିହାସିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ପେଣ୍ଠସ୍ଥଳୀ ଧ୍ବଂସାବିମୁଖୀ ରାସ୍ତାରେ ଆଗେଇଯାଇଛିl ଏହା ମଧ୍ୟ ସତ୍ୟ ଦ୍ରୁତ ସହରୀକରଣ ସଦା ସର୍ବଦା ସହରର ପାର୍ଶ୍ୱ ଅପେକ୍ଷା ସହରରେ ଥିବା ଐତିହାସିକ ଏବଂ ସାଂସ୍କୃତିକ ପେଣ୍ଠସ୍ଥଳୀର ମୁଖ୍ୟ ଆକର୍ଷଣ ପାଲଟିଛି । ଏହାର ଉଦାହରଣ ଭାରତର ବହୁ ସହରରେ ଦେଖିବାକୁ ମିଳେ। ଯଥା:- ବାରାଣାସୀ, ଅହମଦାବାଦ , ହାଇଦ୍ରାବାଦ , କୋଲକାତା, ଦିଲ୍ଲୀ, ପୁରୀ ଇତ୍ୟାଦି ଏବଂ ଭୁବନେଶ୍ୱର ଭଳି ଅନ୍ୟ ସହରମାନଙ୍କ ଐତିହାସିକ ପେଣ୍ଠସ୍ଥଳୀ। ଏହାର ଅର୍ଥ ଏହି ସହରମାନଙ୍କରେ ଥିବା ଐତିହାସିକ ପେଣ୍ଠସ୍ଥଳୀର ପୁନଃରୁଦ୍ଧାର ସହିତ ଏହାର ବାହ୍ୟ ଭିତ୍ତିଭୂମିର ଉନ୍ନତିକରଣରେ ତିଳେ ମାତ୍ର ବିଳମ୍ବତା ଗ୍ରହଣୀୟ ନୁହେଁ। ଅର୍ଥାତ ଏକ ସୁନ୍ଦର ସହର ପାଇଁ ଅତି ଶୀଘ୍ରରୁ ଅତି ଶୀଘ୍ର ଏହାର ଉନ୍ନତିକରଣ ପ୍ରୟାସ ହେବାର ଆବଶ୍ୟକତା ଅଛି।

ଅନ୍ୟପଟରେ ଦେଶ ତଥା ବିଶ୍ୱରେ ଭୁବନେଶ୍ୱରର ସ୍ଥାନ ବିରଳ କହିଲେ ଭୁଲ ହେବ ନାହିଁ। ଯେପରି ବିଶ୍ୱରେ ବହୁ କମ ସଂଖ୍ୟକ ସହର ଅଛନ୍ତି ଭୁବନେଶ୍ୱର ଭଳି ଯେଉଁଠାରେ ଆଜି ମଧ୍ୟ ତିନି ଧର୍ମର ଯଥା ହିନ୍ଦୁ ଧର୍ମର ବିଶାଳ ପୁରାତନ ମନ୍ଦିର ଧଉଳି ପାହାଡ଼ ଉପରେ ବୁଦ୍ଧ ଧର୍ମ, ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ମଧ୍ୟରେ ଜୈନ ଧର୍ମ, ଶିଶୁପାଳଗଡ଼ ଦୁର୍ଗର ସହର ଧଉଳି ପାହାଡ଼ ଉପରେ ଅଶୋକଙ୍କ ପଥରରେ ଲିଖିତ ଶାନ୍ତିର ବାର୍ତ୍ତା ଚଣ୍ଡାଶୋକରୁ ଧର୍ମାଶୋକ ପରିବର୍ତ୍ତନ ହେବା, ଏବଂ ସ୍ୱାଧୀନ ଭାରତର ପ୍ରଥମ ଯୋଜନା ଭିତ୍ତିକ ସହର ହେବାର ନକ୍ସା ଓଟୋ କୋନିସବର୍ଜରଙ୍କ ଦ୍ୱାରା ପ୍ରସ୍ତୁତ ଇତ୍ୟାଦି ଇତ୍ୟାଦି। ଭୂବନେଶ୍ୱରକୁ ବିଶ୍ୱରେ ଏକ ଅନନ୍ୟ ସହରର ମାନ୍ୟତା ପ୍ରଦାନ କରିଛି। ଏହାସତ୍ତ୍ୱେ ଭୁବନେଶ୍ୱର ଦେଶର ଅନ୍ୟ ପ୍ରମୁଖ ସହର ଯେଉଁଠିକୁ ରୁଷି, ମୁନି, ଧାର୍ମୀକ ବ୍ୟକ୍ତି ବିଶେଷ ଏବଂ ପର୍ଯ୍ୟଟକ ଯିବା ଆସିବା କରନ୍ତି। ପ୍ରାୟ ଦେଖିବାକୁ ଏକା ଭଳି ଜନଗହଳି ପୂର୍ଣ୍ଣ ରାସ୍ତା, ବ୍ୟସ୍ତ ବହୁଳ ହାଟ ବଜାର, ଅଳିଆ ଆବର୍ଜନା ଭର୍ତି ଜଳାଶୟ, ଭଗ୍ନ ମଳ ତ୍ୟାଗ ବ୍ୟବସ୍ତା ଏବଂ ବିପର୍ଯ୍ଯସ୍ତ ପରିମଳ ବ୍ୟବସ୍ତା ମଧ୍ୟରେ ପ୍ରାୟତଃ ସମସ୍ତ ଐତିହସ୍ଥଳ ଅବସ୍ଥାପିତ। ଐତିହ୍ୟ ପରିପୂର୍ଣ୍ଣ ସ୍ଥଳ ପ୍ରାୟତଃ ନିଜସ୍ୱ ହରାଇ ସହରର ବିନା ଯୋଜନା ଏବଂ ରକ୍ଷଣାବେକ୍ଷଣ ମଧ୍ୟରେ ନିଜସ୍ୱ ହରାଇ ବସିଥାନ୍ତି। ଯେଉଁଠାରେ ସହର ଯୋଜନା ଅବା ସଂସ୍କୃତି ପ୍ରତି କିଛି ସମ୍ମାନ ନଥାଏ ନା ନୂତନ ଏବଂ ପୁରାତନ ଚିନ୍ତାଧାରା ପ୍ରତି କିଛି ଆଗ୍ରହ। ପ୍ରାୟତଃ ଏହି ଐତିହ୍ଯସ୍ଥଳମାନେ ବିଭିନ୍ନ ଅନୁଷ୍ଠାନ ଅବା ପ୍ରସାଶନିକ କୂଟନୀତି ମଧ୍ୟରେ ଛନ୍ଦି ହୋଇପଡିଥାନ୍ତି ନିଜର ରକ୍ଷଣା ବେକ୍ଷଣ ଏବଂ ଅସ୍ତିତ୍ୱ ପାଇଁ। ଫଳସ୍ୱରୂପ ନବେ ଦଶକର ଅନ୍ତଭାଗରେ ଭାରତ ସରକାର, ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ କିଛି ଘରୋଇ ସଂସ୍ଥାମାନେ ଅନୁଭୂତି କଲେ ଅବହେଳିତ ସହର ମଧ୍ୟରେ ଅବସ୍ଥାପିତ ଐତିହ୍ଯର ବିନା ରକ୍ଷଣା ବେକ୍ଷଣରେ ଦେଶ ଏବଂ ବିଦେଶରେ ସହରର ଅସ୍ତିତ୍ୱ ଉପରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଫଳସ୍ୱରୂପ ସ୍ଥାନୀୟ ପ୍ରଶାସନ ନିଜ ସହରରେ ଅବସ୍ଥାପିତ ଐତିହ୍ଯସ୍ଥଳୀମାନଙ୍କର ସର୍ଭେ ଆରମ୍ଭ କଲେ ଏବଂ ଦୃଢ ନିଷ୍ପତି ନେଲେ ଯେପରି ଏହାର ଯଥା ଶୀଘ୍ର ପୁନରୁଦ୍ଧାର ହେବ ଏବଂ ଏହାକୁ ଆଉ ଅବହେଳିତ କରିବେ ନାହିଁ।

ଏହି ପ୍ରୟାସ ସ୍ୱରୂପ ବିଗତ ଦିନରେ ଭାରତ ସରକାର, ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ କିଛି ଘରୋଇ ସଂସ୍ଥାନମାନଙ୍କ ଉଦ୍ୟମରେ ବହୁ ଐତିହ୍ଯସ୍ଥଳମାନଙ୍କର ରକ୍ଷଣା ବେକ୍ଷଣ, ପୁନରୁଦ୍ଧାର, ପରିଚାଳନା ଏବଂ ଏହାର ପ୍ରଚାର ପ୍ରସାରରେ ବହୁ ସୁଦ୍ଧାର ଆସିପାରିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଭୁବନଶ୍ୱରରେ ଥିବା ଐତିହ୍ଯସ୍ଥଳମାନଙ୍କର ଅସ୍ତିତ୍ଵରେ ପରିବର୍ତ୍ତନ ଆଣିବା ସହିତ ଏହାର ରକ୍ଷାଣବେକ୍ଷଣର ମାଧ୍ଯମ ବାହାରକରିବା। ସମ୍ଭବତଃ ଭୁବନେଶ୍ୱର ଦେଶର ଆଗଧାଡ଼ିରେ ଥିବା ଐତିହ୍ୟ ସମ୍ପନ୍ନ ସହରମାନଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରୁଥିବାର କହିଲେ ଭୁଲ ହେବନି। ଭୁବନେଶ୍ୱର ଦେଶର ଅନ୍ୟ ସହରମାନଙ୍କୁ କିପରି ନଗର ପରିଚାଳନା ସହିତ ଐତିହ୍ୟ ଏବଂ ସଂସ୍କୁତିକୁ କିପରି ପରିଚାଳନା କରାଯାଇ ପାରିବ ଏହାର ମାର୍ଗଦର୍ଶକ ସାଜିପାରିଥିଲା।

ଭୁବନେଶ୍ୱରର ଏହି ଐତିହ୍ୟ ପେଣ୍ଠସ୍ଥଳୀ ସାଧାରଣରେ ଓଲଡ଼ ଟାଉନ ଅବା ପୂରଣା ଭୁବନେଶ୍ୱର ଭାବେ ଜଣାଶୁଣା, ଯାହା ହଜାର ହଜାର ବର୍ଷର କଳିଙ୍ଗ ସ୍ଥାପତ୍ୟକାରଙ୍କ କଳାରେ ଗଙ୍ଗ ଶିଉଳି ଫୁଟିଲା ପରି ଭରପୁର। ଯାହାକୁ ଏକ ଜୀବନ୍ତ ଐତିହ୍ଯର ସହର କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭୁବନେଶ୍ୱରେ ବହୁମାତ୍ରାରେ ଅବସ୍ଥାପିତ ହିନ୍ଦୁ ମନ୍ଦିର, ଜୈନ ଗୁମ୍ଫା ଏବଂ ବୁଦ୍ଧ ସ୍ତୁପ ଏହାକୁ ମନ୍ଦିରମାଳିନୀ ସହର ଭାବେ ବିଶ୍ୱରେ ପରିଚିତ କରିଛି । ଦିନେ ଭୁବନେଶ୍ୱରେ ନିଜର ନାମ ତ୍ରିଭୁବନେଶ୍ୱରରୁ ପାଇଥିଲା ଯାହାର ଅର୍ଥ ଥିଲା ପୃଥିବୀ ପୃଷ୍ଠର ଭଗବାନ। ଯେଉଁଠାରେ ଦିନେ ପ୍ରାୟ ଦଶହଜାର ପୁରାତନ ମନ୍ଦିର ଥିଲା ସେଠାରେ ବର୍ତ୍ତମାନ ଆପାତତଃ ସାତଶହ ମନ୍ଦିର ଦେଖିବାର ନଜର ମିଳୁଛି ଏବଂ ଏହା ମଧ୍ୟରୁ ଅଳ୍ପ କିଛି ମନ୍ଦିରପୂର୍ବର ପୂର୍ଣ୍ଣ ରୂପରେ ଥିବାବେଳେ ବାକିସବୁ ଯେପରି ଯୁଦ୍ଧ ଭୂମିରେ ଯୁଦ୍ଧ ପରେ ପଡିଥିବା ଅବ୍ୟବହୃତ ଟ୍ୟାଙ୍କ ଆଉ ତୋପ ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛନ୍ତି। ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଭୁବନେଶ୍ୱରର ପ୍ରାୟ ପୁରାତନ ମନ୍ଦିର ଆଠଶହ ଏବଂ ବାରଶହ ଶତାବ୍ଦୀ ମଧ୍ୟରେ ଶୈବ ପୀଠ ଭାବେ ଗଢି ଉଠିଥିଲା। ଭୁବନେଶ୍ୱର ମଧ୍ୟ ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜ ପାଇଁ, ଯେପରି ଖ୍ରୀଷ୍ଟପୂର୍ବ ୨୬୧ର ଅଶୋକଙ୍କ ପଥରରେ ଲିଖିତ ବାର୍ତ୍ତା । ଦେଖିବାକୁ ଲାଗେ ଯେପରି ଏକ ଗର୍ଭ ଧାରଣ କରିଥିବା ହାତୀର ପେଟରେ ପଥର ଖୋଦିତ ଲେଖା ସମାଜକୁ ବାର୍ତ୍ତା, ଯେପରି ହାତୀରୁ ଜନ୍ମ ନେବାକୁ ଯାଉଛି ଶାନ୍ତି। ଇତିହାସରୁ ଜାଣିବାକୁ ମିଳେ ପ୍ରଥମ ଏବଂ ଦ୍ୱିତୀୟ ଶତାବ୍ଦୀ ମଧ୍ୟରେ ଖାରବେଳଙ୍କ ସମୟରେ ଜୈନ ଧର୍ମର ଐତିହାସିକ ପୃଷ୍ଟଭୁମିର ପରିଚୟ ମିଳେ ଆଜିର ଖଣ୍ଡଗିରି ଉଦୟଗିରିରେ ଥିବା ହାତୀ ଗୁମ୍ଫାରେ। ସେହିପରି ଭଗ୍ନଅବସ୍ଥାରେ ଥିବା ଶିଶୁପାଳଗଡ଼ ସୂଚାଏ ଏଠାରେ ଦିନେ ଖ୍ରୀଷ୍ଟ ପୂର୍ବ ତୃତୀୟ ଏବଂ ଖ୍ରୀଷ୍ଟଙ୍କ ପରେ ଚତୁର୍ଥ ଶତାବ୍ଦୀ ମଧ୍ୟରେ ପ୍ରାୟ କୋଡିଏ ହଜାରରୁ ପଚିଶ ହଜାର ଲୋକେ ଏଠାରେ ବସବାସ କରୁଥିଲେ, ଯାହା ସେ ସମୟର ଏଥେନ୍ସରେ ବସବାସ କରୁଥିବା ଦଶ ହଜାର ଲୋକଙ୍କ ସହରଠାରୁ ମଧ୍ୟ ବୃହତ୍ତମ ଥିଲା ।

ସେହିପରି ଭୁବନେଶ୍ୱରର ଆଉ ଏକ ଅଞ୍ଚଳ ଐତିହ୍ୟ କୀର୍ତ୍ତିରାଜି ବାହାରେ ସ୍ୱାଧୀନ ଭାରତରେ ସୃଷ୍ଟି କରିଛି ନିଜସ୍ୱ ପରିଚୟ । ସ୍ୱାଧୀନତା ପରେ ଯେତେବେଳେ ସାରା ଭାରତ ଖୋଜୁଥିଲା ସହର ଯୋଜନାର ଉଦାହରଣ, ସେତେବେଳେ ଓଡିଶା ସରକାର ନିଷ୍ପତି ନେଇଥିଲେ ଆଧୁନିକ ଓଡ଼ିଶାରେ ରାଜ୍ୟର ନୂତନ ରାଜଧାନୀ ହେବ ଭୁବନେଶ୍ୱର ଏବଂ ଜର୍ମାନୀ ସ୍ଥାପତ୍ୟକାର ଓଟୋ କୋନିସବର୍ଜର ୧୯୪୮ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଯୋଜନା ଭିତ୍ତିକ ସହର ଯୋଜନା ପ୍ରସ୍ତୁତ କରିଥିଲେ। ଏହା ବହୁ ମାତ୍ରାରେ ଭାରତର ଅନ୍ୟ ସହର ଯଥା ଚଣ୍ଡିଗଡ, ଗାନ୍ଧୀନଗର , ଜାମସେଦପୁର ଇତ୍ୟାଦି ସହର ପାଇଁ ଉଦାହରଣ ସୃଷ୍ଟି କରିଥିଲା। ଆଜି ମଧ୍ୟ ଦେଶ ବିଦେଶରୁ ବହୁ ଗବେଷକ ପ୍ରତି ବର୍ଷ ଆସୁଛନ୍ତି ଭୁବନେଶ୍ୱରକୁ ଓଟୋ କୋନିସବର୍ଜରଙ୍କ ଯୋଜନା ଉପରେ ଗବେଷଣା କରିବା ପାଇଁ। ଭୁବନେଶ୍ୱର ଯୋଜନାର ସାରାଂଶ ଏହା ଥିଲା ଯଥା: ସମସ୍ତେ ଚଲା ବୁଲା ମାଧ୍ୟମରେ ଚିକିତ୍ସାଳୟ, ଖେଳ ପଡିଆ, ବିଦ୍ୟାଳୟ, କାର୍ଯ୍ୟସ୍ଥଳୀ, ଉଦ୍ୟାନ, ହାଟ ଇତ୍ୟାଦି ଇତ୍ୟାଦି ଯାତାୟାତ କରିପାରିବେ। ଯାହା ମହିଳା ଏବଂ ଶିଶୁଙ୍କୁ ନଜରରେ ରଖି ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ସେତେବେଳର ସମସ୍ତ ଅଟ୍ଟାଳିକା ମନ୍ଦିର, ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଉଦୟଗିରିକୁ ନଜରରେ ରଖି ଗଢି ଉଠିଥିଲା ଭୁବନେଶ୍ୱର। ସମ୍ଭବତଃ ପଞ୍ଚସ୍ତରୀ ବର୍ଷ ପରେ ସେଦିନର ଓଟୋ କୋନିସବର୍ଜରଙ୍କ ଯୋଜନା ଆଜି ଭୁବନଶ୍ୱରକୁ ସହର ଯୋଜନାର ଏକ ନୂତନ ଐତିହାସିକ ପେଣ୍ଠସ୍ଥଳୀ ସୃଷ୍ଟି କରିବାର ସୁଯୋଗ ଦେଇଛି। ଯେପରି ନିକଟରେ ଚଣ୍ଡିଗଡ ଲି କରବେଜରଙ୍କ ଯୋଜନାକୁ ଐତିହର ମାନ୍ୟତା ଦେଇ ଏହାକୁ ପରବର୍ତ୍ତୀ ସମୟରେ ବିଶ୍ବ ଐତିହ୍ଯ ସହରର ମାନ୍ୟତା ପାଇଁ ଏକ ନୂତନ ଐତିହାସିକ ପେଣ୍ଠସ୍ଥଳୀ ସୃଷ୍ଟି କରିପାରିଛି ।

ବିଗତ ଦିନରେ ଭୁବନେଶ୍ୱର ମଧ୍ୟ ପ୍ରୟାସ ଆରମ୍ଭ କରିଛି ବିଶ୍ବ ଐତିହ୍ୟ ସହର ମାନ୍ୟତା ପାଇବା ପାଇଁ।ଏହି ଶୃଙ୍ଖଳାରେ ୨୦୧୪ ମସିହାରେ ଭୁବନେଶ୍ୱର ନିଜର ଦରଖାସ୍ତ ମିଳିତ ଜାତିସଂଘର ଐତିହ ବିଭାଗକୁ ପ୍ରଦାନ କରିଛି। ଯାହା ତର୍ଜମା କରି ବିଶ୍ବ ଐତିହ୍ଯ ସହରର ମାନ୍ୟତା ପ୍ରଦାନ କରେ। ଭୁବନେଶ୍ୱର ଐତିହ୍ୟ ସହର ଦରଖାସ୍ତର ନାମକରଣ ଦିଆଯାଇଛି ଏକାମ୍ରକ୍ଷେତ୍ର-ମନ୍ଦିରମାଳିନୀ ସହର । ଯାହା ସମଗ୍ର ପୁରୁଣା ଭୁବନେଶ୍ୱରକୁ ସାଂସ୍କୁତିକ ଐତିହ୍ଯ କ୍ଷେତ୍ର ଭାବେ ମାନ୍ୟତା ପାଇଁ ଆବେଦନ ହୋଇଛି। ଏକାମ୍ରକ୍ଷେତ୍ରର ଅର୍ଥ ହେଉଛି ଶହେ ଆମ୍ର ବୃକ୍ଷ ମଧ୍ୟ ବାହାଗରେ ଏକ ବିଶାଳ ମନ୍ଦିରକୁ ଆଛାଦିତ କରିଥିବା ଅନେକ ଛୋଟ ବଡ଼ ମନ୍ଦିର।।ପଇଁଚାଳିଶି ଗ୍ରାମ ମଧ୍ୟରେ ଅଷ୍ଟ ତନ୍ତ୍ ଭାବେ ପରିଗଣିତ ଏବଂ ସମସ୍ତ ସ୍ଥଳର ଜଳାଶୟ, ଏବଂ ସମସ୍ତ ସାଂସ୍କୃତିକ ଓ ଯାତ୍ରା ଲିଙ୍ଗରାଜ ମନ୍ଦିର ସହିତ ଜଡିତ । ଏକାମ୍ର କ୍ଷେତ୍ର ଦରଖାସ୍ତ ଏକାମ୍ରକ୍ଷେତ୍ରକୁ ବିଶ୍ୱର ଅନ୍ୟାନ୍ୟ ବିଶ୍ବ ଐତିହ ସ୍ଥଳ ଯଥା କାମ୍ବୋଡିଆର ଆଙ୍ଗୋରବାଟ, କର୍ଣ୍ଣାଟକର ହାମ୍ପି ଏବଂ ଉତ୍ତର ପ୍ରଦେଶର ବାରଣାସୀ ସହିତ ସମତୁଲ କରାଇଛି।

ଅନ୍ୟପଟରେ ଭୁବନେଶ୍ୱର ଏକ ଜୀବନ୍ତ ନଗର ସନ୍ଦର୍ଭ ସହର ଯୋଜନା ପ୍ରଣାଳୀରେ ଏପର୍ଯ୍ୟନ୍ତ ବ୍ୟବହୃତ ହୋଇନାହିଁ। ହେଲେ ବିଭିନ୍ନ କାର୍ଯ୍ୟ ପ୍ରଣାଳୀରୁ ଦେଖିବାକୁ ମିଳୁଛି ଯେପରି ଭୁବନେଶ୍ୱରକୁ ଏକ ଜୀବନ୍ତ ନଗରରେ ପରିଗଣିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ଯାହାର ନଜର ଦେଖିବାକୁ ମିଳୁଛି ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭୁବନଶ୍ୱରରେ ଥିବା ଐତିହ୍ଯସ୍ଥଳମାନଙ୍କର ଅସ୍ତିତ୍ଵରେ ପରିବର୍ତ୍ତନ ଆଣିବା ପ୍ରୟାସ ସୂଚାଉଛି ଏକ ଜୀବନ୍ତ ନଗର ପଥରେ ଅଗ୍ରସର ହେଉଛି ମନ୍ଦିର ମାଳିନୀ ସହରର ଐତିହାସିକ ପେଣ୍ଠସ୍ଥଳୀ। ଏହାର ଉଦାହାରଣ ଦେଖିବାକୁ ମିଳେ ପୁରୁଣା ଓ ଆଧୁନିକ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଐତିହ୍ଯସ୍ଥଳମାନଙ୍କର ସ୍ଥାପତ୍ୟର ରକ୍ଷଣାବ୍ୟକ୍ଷଣ, ପୁନରୁଦ୍ଧାର କାର୍ଯ୍ୟକ୍ରମ ଏବଂ ନୂତନ ପରିଚାଳନା। ଫଳସ୍ୱରୂପ ଭୁବନେଶ୍ୱରରେ ଏକାମ୍ରକ୍ଷେତ୍ରର ଜୀବନ୍ତ ସଂସ୍କୃତିର ପୁନରୁଦ୍ଧାର ଦେଖିବାକୁ ମିଳୁଛି ବିନ୍ଦୁ ସାଗରର ପଶ୍ଚିମ ପଟେ ସୃଷ୍ଟି ହୋଇଥିବା ଅବହେଳିତ ଅଳିଆ ଆବର୍ଜନା କ୍ଷେତ୍ର ଉପରେ ଔଷଧୀୟ ଉଦ୍ୟାନ, ଲିଙ୍ଗରାଜ ହାଟ, ସହର ମଧ୍ୟରେ ଥିବା କାନ୍ଥ ବାଡ଼ରେ ସୃଷ୍ଟି ହୋଇଥିବା ଜୀବନ୍ତ ଚିତ୍ର କଳା ଏବଂ ସ୍ମାର୍ଟ ସହର ଯୋଜନା ପ୍ରୟାସ ଏକ ଜୀବନ୍ତ ନଗରର ପରିକଳ୍ପନା ସହିତ ଐତିହାସିକ ପେଣ୍ଠସ୍ଥଳୀର ଆବିର୍ଭାବର ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିନ୍ଦୁସାଗର କୂଳରେ ଐତିହ୍ଯ ଔଷଧୀୟ ଉଦ୍ୟାନ

ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଦେବତା ଭାବେ ଘରେ ଘରେ ପରିଚିତ ମହାପ୍ରଭୁ ଲିଙ୍ଗରାଜ ଏବଂ ବିଶ୍ୱାସ ଅଛି ସମସ୍ତ ଜଳ ସ୍ରୋତ ମହାସାଗର, ନଦୀ, ନାଳ, ହ୍ରଦ, ଜଳାଶୟର ଜଳରୁ ସୃଷ୍ଟି ବିନ୍ଦୁସାଗର। ଏହା ମଧ୍ୟ ବିଶ୍ୱାସ କରାଯାଏ ବିନ୍ଦୁସାଗରର ଅନ୍ୟ ନାମ ମହାସାଗର ବିନ୍ଦୁର ଜଳାଶୟ। ବିନ୍ଦୁସାଗରର ପଶ୍ଚିମ ସୀମା ପୁରୁଣା ଭୁବନେଶ୍ୱରର ସବୁଠାରୁ ଅବହେଳିତ ଜାଗା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପାତତଃ ପ୍ରାୟ ଗୋଟେ ଏକର ଜାଗା ବସ୍ତିରେ ରହୁଥିବା ଅଧିବାସୀମାନେ ଅଳିଆ ଆବର୍ଜନା, ବାହ୍ୟ ମଳ ମୂତ୍ର ତ୍ୟାଗ ସ୍ଥଳୀଭାବେ ବ୍ୟବହୃତ କରୁଥିଲେ। ଯାହା କେବଳ ସ୍ଥାନୀୟ ନୁହେଁ ବରଂ ବିନ୍ଦୁସାଗର ଭଳି ଐତିହ୍ୟ ସମ୍ପନ୍ନ ଜଳାଶୟକୁ ପରିତ୍ୟକ୍ତ ପରିବେଶ ସୃଷ୍ଟି କରୁଥିବା ବେଳେ, ଏହା ତୀର୍ଥଯାତ୍ରୀ ତଥା ପର୍ଯ୍ୟଟଙ୍କ ମାନଚିତ୍ରରୁ ଧୀରେ ଧୀରେ ହଜି ସାରିଥିଲା। ତେଣୁ ବିନ୍ଦୁସାଗର ଏବଂ ଏହାର ପାର୍ଶ୍ଵ ପରିବେଶର ତୁରନ୍ତ ପୁନରୁଦ୍ଧାର ଆଵଶ୍ୟକତା ସରକାର ହୃଦବୋଧ କଲେ। ଫଳସ୍ୱରୂପ ତତକ୍ଷଣାତ ସରକାର ବିନ୍ଦୁସାଗର ଜଳାଶୟ ସହିତ ଏହାର ଚତୁର୍ପାଶ୍ୱର ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କଲେ। ଫଳରେ ଅବହେଳିତ ଅବସ୍ଥାରେ ଥିବା ବିନ୍ଦୁସାଗରର ପଶ୍ଚିମ ସୀମାରେ ଚିତ୍ର ବଦଳି ଏକ ସୁନ୍ଦର ଔଷଧୀୟ ଉଦ୍ୟାନ ଏକାମ୍ରବନ ନାମରେ ସୃଷ୍ଟି ହୋଇପାରିଲା। ଏକାମ୍ରବନ ଉଦ୍ୟାନ ତିନି ଭାଗରେ ବିଭକ୍ତ, ପ୍ରଥମ ଭାଗ ଶୈବ ଧର୍ମ ଉପରେ ଆଧାରିତ, ମଧ୍ୟ ଭାଗ ଦେବୀ ପାର୍ବତୀଙ୍କ ଉପରେ, ଏବଂ ଶେଷ ଭାଗ ଗଣେଶଙ୍କ ସହିତ ଜଡିତ କାହାଣୀ ଉପରେ ଆଧାରିତ। ଉଦ୍ୟାନର ଶୋଭାବର୍ଦ୍ଧନ କରୁଥିବା ମଧ୍ୟରେ ସମସ୍ତ ବୃକ୍ଷ ଲତା ଫୁଲ ଶିବ, ପାର୍ବତୀ, ଗଣେଶଙ୍କ ପୂଜାରେ ବ୍ୟବହାର ଯୋଗ୍ୟ । ଏହି ଉଦ୍ୟାନ ତିନି ଠାକୁରଙ୍କ ଜୀବନଶୈଳୀ ଉପରେ ଆଧାରିତ। ଏହି ଉଦ୍ୟାନ ଏପରି ଭାବେ ଗଠନ କରାଯାଇଛି, ଜଣେ ତୀର୍ଥ ଯାତ୍ରୀ ଅବା ପର୍ଯ୍ୟଟକ ଜାଣିପାରିବେ ଭୁବନେଶ୍ୱରରେ କିପରି ଭାବେ ମହାଦେବ ଶିବଙ୍କ ଆବିର୍ଭାବ ହୋଇଥିଲା, ଯାହା ଦିନେ ଏକାମ୍ର ବନ ଅବା ଏକାମ୍ର କାନନ ଭାବେ ସମଗ୍ର ଘଞ୍ଚ ଜଙ୍ଗଲ ମଧ୍ୟରେ ପରିଚିତ ଥିଲା । ଏହି ଉଦ୍ୟାନରେ ପ୍ରାୟ ଦୁଇ ଶହରୁ ଅଧିକ ଔଷଧୀୟ ବୃକ୍ଷ, ଲତା, ଫୁଲର ସମ୍ଭାର ମଧ୍ୟରେ ବିନ୍ଦୁସାଗର ଏବଂ ଲିଙ୍ଗରାଜ ମନ୍ଦିର ସହିତ ପୁରୁଣା ଭୁବନେଶ୍ୱର ଦୃଶ୍ୟମାନ। ଯାହା ମଧ୍ୟ ପର୍ଯ୍ୟଟକ ଏବଂ ସ୍ଥାନୀୟଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଏକାମ୍ର ବନ ଉଦ୍ୟାନ କେବଳ ଜନସାଧାରଙ୍କ ପାଇଁ ଔଷଧୀୟ ବୃକ୍ଷ, ଲଟା, ଫୁଲର ଶିକ୍ଷଣୀୟ ମାଧ୍ୟମ ହୋଇ ରହିନାହିଁ ବରଂ ଏହା ପୁରୁଣା ଭୁବନେଶ୍ୱର ଐତିହାସିକ ପେଣ୍ଠସ୍ତଳୀର ଶୋଭା ମଧ୍ୟ ବଢ଼ାଉଛି।

ଲିଙ୍ଗରାଜ ହାଟ

ଐତିହାସିକ ଦୃଷ୍ଟିକୋଣ ଅନୁସାରେ, ଲିଙ୍ଗରାଜ ହାଟ ପୁରୁଣା ଭୁବନେଶ୍ୱରରେ ଅପାତତଃ ଖ୍ରୀଷ୍ଟଙ୍କ ପରେ ସପ୍ତମ ଶତାବ୍ଦୀରେ ଥିବାର ସୂଚନା ମିଳେ। କିନ୍ତୁ ବହୁ ଦିନର ଅବହେଳିତ ଯୋଗୁଁ ଲିଙ୍ଗରାଜ ହାଟ ଏକ ପରିତ୍ୟକ୍ତ ଅଳିଆ ଆବର୍ଜନା, ଷଣ୍ଢ କୁକୁର ଗାଇ ଗୋରୁଙ୍କ ପେଣ୍ଠସ୍ଥଳୀ ଭାବେ ପରିଚିତ ହୋଯାଇଥିଲା। ବର୍ତ୍ତମାନ ଏହାର ପୁନରୁଦ୍ଧାର ହୋଇଛି, ପୁରୁଣା ଐତିହ୍ୟକୁ ନଜରରେ ରଖି ଏକାମ୍ର କ୍ଷେତ୍ର, ଅର୍ଥ ଆମ୍ର ବନର ପରିକଳ୍ପନା କରାଯାଇଛି। ଏଥିପାଇଁ ହାଟର ମଧ୍ୟ ଭାଗରେ ଏକ ଆମ୍ର ବୃକ୍ଷ ଲଗାଯାଇଛି ଏବଂ ଏହାର ପାରିପାର୍ଶ୍ୱକୁ ଚଲା ପଥ, ଆଲୋକ ମାଳାରେ ସୁସଜିତ କରାଯାଇ ଲିଙ୍ଗରାଜ ମନ୍ଦିର ସହିତ ମିଶିଯିବାର ଦୃଶ୍ୟମାନ କରାଯାଇଛି। ଯେଉଁଦିନ ଏହି ହାଟ ବନ୍ଦ ରୁହେ ସେହିଦିନମାନଙ୍କରେ ଏଠାରେ ଐତିହ୍ୟ ସମ୍ପନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇପାରେ। ପୁନରୁଦ୍ଧାର ପରେ ବର୍ତ୍ତମାନ ଏହି ତିରିଶ ହଜାର ବର୍ଗ ଫୁଟ ଜାଗାରେ ଅବସ୍ଥାପିତ ଏବଂ ଏଠାରେ ଦୁଇଶହ ପଚାଶ ଜଣ ବେପାରୀ ଏକ ସାଙ୍ଗେ ବସି ବେପାର ବାଣିଜ୍ୟ କରିପାରିବେ। ଲିଙ୍ଗରାଜ ହାଟ ସପ୍ତାହରେ ଦୁଇ ଦିନ ତଥା ସୋମବାର ଏବଂ ମଙ୍ଗଳବାର ପ୍ରାତଃରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆଖ ପାଖ ଗ୍ରାମୀଣ ଚାଷୀ ଏବଂ ବେପାରୀମାନଙ୍କ ସହଯୋଗରେ ଚାଲେ ଏବଂ ଏହାକୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପରିଚାଳନା କରନ୍ତି। ଲିଙ୍ଗରାଜ ହାଟର ପୁନରୁଦ୍ଧାର ପୁରୁଣା ଭୁବନେଶ୍ୱର ଐତିହାସିକ ପେଣ୍ଠସ୍ଥଳୀର କେବଳ ଶୋଭା ବଢା଼ଇନି ବରଂ ଗ୍ରାମୀଣ ଚାଷୀ ଓ ବେପାରୀ ମାନଙ୍କୁ ମାନ୍ୟତା ଦେଇଛି ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ ପର୍ଯ୍ୟଟନ ସ୍ଥଳୀ ଭାବେ ମଧ୍ୟ ବିବେଚିତ ହୋଇପାରିଛି।

ଜୀବନ୍ତ ଐତିହ୍ୟ ଚିତ୍ରକଳା ପଥ

ଭାରତବର୍ଷରେ ସହରରେ ଥିବା ପ୍ରାୟ ସମସ୍ତ ସରକାରୀ ଅବା ବେସରକାରୀ ରାସ୍ତା ପାର୍ଶ୍ୱରେ ଥିବା କାନ୍ଥ ବାଡ଼ ସବୁ ପ୍ରାୟତଃ ନିଜର ଅସ୍ତିତ୍ବ ହରାଇ ବସିବା କହିଲେ ଭୁଲ ହେବନି। ଯଥା:- ଏହି କାନ୍ଥ ବାଡ଼ ପ୍ରାୟ ବ୍ୟବହାର ହେଉଥିଲା ଚଳଚ୍ଚିତ୍ର ପୋଷ୍ଟର, ରାଜନୈତିକ ପ୍ରଚାର ପତ୍ର,ଗୋବର ଘଷି ପ୍ରସ୍ତୁତି ଇତ୍ୟାଦି। ଯାହାର ଯାହା ଇଛା ହେଲା ଏହା ଉପରେ ଲେଖିଦେବା ଏବଂ ବହୁଳ ମାତ୍ରରେ ଏହାକୁ ବାହ୍ୟ ଶୌଚାଳୟ ଭାବେ ବ୍ୟବହାର କରିବା ଏବଂ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ ପଡ଼ିନଥିଲା। ଏଥିରୁ ନିସ୍ତାର ପାଇବାପାଇଁ ଭୁବନେଶ୍ୱର ଭଳି ବହୁ ସହର ଅତୀତରେ ଚେଷ୍ଟା କରିଛନ୍ତି କିପରି ସର୍ବସାଧାରଣ ସ୍ଥାନକୁ ଦୂଷିତ ହବାରୁ ରକ୍ଷା କରିବା ପାଇଁ । ହେଲେ ସବୁ ଚେଷ୍ଟା କିଛି ଦିନର ଅନ୍ତରାଳ ପରେ ପୁଣି ସେହି ଅବସ୍ଥାର ପୁନରାବୃତି ହେବା ପାଇଁ ବେଶୀ ସମୟ ଲାଗିନି।ଅବଶ୍ୟ ସ୍ଥାନୀୟ ପ୍ରଶାସନ ଆଇନର ମାଧ୍ୟମ ବ୍ୟବହାର କରିବ ସତ୍ତ୍ୱେ ସେମିତି କିଛି ଉତ୍ସାହଜନକ ଫରକ ଦିଶେନାହିଁ ବରଂ ସ୍କୁଲ, ସରକାରୀ କାର୍ଯ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ବସ ଷ୍ଟାଣ୍ଡ, ରାସ୍ତା ଘାଟ, ସବୁକିଛି ପାନ ଛେପ, ମୂତ୍ର ତ୍ୟାଗ, ପୋଷ୍ଟର, ଚିତ୍ର ବିଚିତ୍ରରେ ସହର ଦୂଷିତ ଅବସ୍ଥାରେ ରହୁଥିଲା। ଫଳସ୍ୱରୂପ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ସବୁବେଳେ ଆଶ୍ଚର୍ଯ୍ୟ ହୁଅନ୍ତି ଏକ ଐତିହ୍ୟ ସମ୍ପର୍ଣ୍ଣ ସହରରେ କିପରି ଏତେ ଦୂଷିତ କାନ୍ଥ ବାଡ଼ ଭରି ରହିଛି l

ଏହି ପରିସ୍ଥିତିରେ ଭୁବନେଶ୍ୱର ନିଷ୍ପତି ନେଲା ସମ୍ଭବତଃ ଏହି କାନ୍ଥ ବାଡ଼କୁ ଯଦି ଉଚିତ ଭାବେ ବ୍ୟବହାର କରାଯିବ ତେବେ ଏହା ସହରର ସୌନ୍ଦର୍ଯ୍ୟ, ଐତିହ୍ୟ , ପର୍ଯ୍ୟଟନ ଏବଂ ସଂସ୍କୃତିକୁ ପ୍ରୋତ୍ସାହନ ଦେବl ଏହି ଭାବରେ ପ୍ରଥମେ ଏକ ଛୋଟ ଜନଗହଳି ସ୍ଥାନର କାନ୍ଥରେ ଓଡ଼ିଆ ଐତିହ୍ୟ ଏବଂ ସଂସ୍କୃତିକୁ ନେଇ ବିଭିନ୍ନ ଚିତ୍ର ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ପ୍ରସ୍ତୁତ କରାଗଲା। ଯାହା ସହର ମଧ୍ୟରେ କେବଳ ଆକର୍ଷଣ ନୁହେଁ ବରଂ ବହୁତ ଅନୁଷ୍ଠାନ ଏବଂ ଜନସାଧାରଙ୍କୁ ଉତ୍ସାହିତ କରିଥିଲାl ଫଳସ୍ୱରୂପ କେବଳ ସରକାରୀ ଭାବେ ନୁହେଁ, ବରଂ ବେସରକାରୀ ସଂସ୍ଥା ଏବଂ ସ୍ଥାନୀୟ ଜନସାଧାରଣ ନିଜର କାନ୍ଥ ବାଡ଼ରେ ସୌନ୍ଦର୍ଯ୍ୟ, ଐତିହ୍ୟ , ପର୍ଯ୍ୟଟନ ଏବଂ ସଂସ୍କୃତିଭିତ୍ତିକ ବିଭିନ୍ନ ଓଡ଼ିଆ କଳା ସ୍ଥାପତ୍ୟର ଚିତ୍ରରେ ଭୁବନେଶ୍ୱର ଭରପୁର ହୋଇଗଲା। ଦିନେ ଯେଉଁ କାନ୍ଥ ବାଡ଼ ଭୁବନେଶ୍ୱରର ଅବହେଳିତ ଓ ପରିତ୍ୟକ୍ତ ଅବସ୍ଥାରେ ଥିଲା ଆଜି ଜୀବନ୍ତ ଐତିହ୍ୟ ଚିତ୍ର କଳା ପଥ ଭାବେ ବିଶ୍ୱରେ ପରିଚିତ ପାଇପାରିଲା । ଓଡ଼ିଶାର କଳା ସ୍ଥାପତ୍ୟକୁ ରାଜରାସ୍ତାରେ ପର୍ଯ୍ୟଟକ ଉପଭୋଗ କରିପାରୁଛନ୍ତି । କହିବାକୁ ଗଲେ ଭୁବନେଶ୍ୱରର ଏହି ପ୍ରଚେଷ୍ଟା ଯାହା ଦିନେ କିଛି ଲୋକେ ଲଳିତ କଳା କେନ୍ଦ୍ରରେ ଦେଖୁଥିଲେ ଏବେ ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରାଜରାସ୍ତାରେ।

ଆଧୁନିକ ଭୁବନେଶ୍ୱର ଐତିହସ୍ଥଳୀ

ପୁରୁଣା ଭୁବନେଶ୍ୱରରେ ଅବସ୍ଥାପିତ ଏହାର କିଛି ଦୂରରେ ଆଜିକୁ ଛଅସ୍ତରି ବର୍ଷ ତଳେ ଏକ ନୂତନ ଜନବସତି ଯୋଜନାବଦ୍ଧ ଭାବେ ଗଢିଉଠିଛି । ସ୍ୱାଧୀନ ଭାରତର ପ୍ରଥମ ଯୋଜନା ଭିତ୍ତିକ ସହର ଭାବେ। ଛଅସ୍ତରି ବର୍ଷ ତଳେ ଓଟୋ କୋନିସବର୍ଜରଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ଆଜି ଏକ ନୂତନ ଆଧୁନିକ ଭୁବନେଶ୍ୱର ଐତିହ ପେଣ୍ଠସ୍ଥଳୀ ସୃଷ୍ଟି କରିସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଟୋ କୋନିସବର୍ଜରଙ୍କ ଯୋଜନରେ ଥିଲା ଆଜିର ସ୍ମାର୍ଟ ସହରର ଆଧୁନିକତାର ମାନଦଣ୍ଡ, ଯଥା ବିଦ୍ୟାଳୟ, ଖେଳ ପଡିଆ, ଚିକିତ୍ସାଳୟ, ହାଟ, ବଜ଼ାର, ଇତ୍ୟାଦି ପିଲା ଏବଂ ମହିଳାମାନଙ୍କ ଚାଲିବା ଦୂରତ୍ବରେ। ଆଉ ଦ୍ରୁତ ଗତି ଗାଡି ରାସ୍ତା ଏବଂ ଗୋଷ୍ଠୀ ମଧ୍ୟରେ ଥିବା ରାସ୍ତା ମଧ୍ୟରେ ଥିଲା ସବୁଜ ବଳୟ ଏବଂ ଚାଲିବା ପଥ, ଯାହା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ରୋକିବାରେ ସହାୟତା କରୁଥିଲା ଓ ଦୁର୍ଘଟଣା ରୋକିପାରୁଥିଲା। ଯାହା ଆଜିର ଆଧୁନିକ ସହରମାନେ ଆଶା କରୁଛନ୍ତି ନିଜ ସହର ମାନଙ୍କରେ ଯୋଜନାରେ ସାମିଲ କରିବାପାଇଁ। ଆଜି ମଧ୍ୟ ବହୁ ଲୋକେ ଭୁବନେଶ୍ୱର ଓ ଭାରତରେ ଜାଣିନାହାନ୍ତି ଓଟୋ କୋନିସବର୍ଜରଙ୍କ ଯୋଜନାରୁ ପ୍ରସ୍ତୁତ ଅଟ୍ଟାଳିକାମାନ କଳିଙ୍ଗ ସ୍ଥାପତ୍ୟ କଳା ଏବଂ କାରୁକାର୍ଯ୍ୟରୁ ପ୍ରେରଣା ପାଇଥିଲେ। ଆଜି ମଧ୍ୟ ଭୁବନେଶ୍ୱରର ପଚାଶରୁ ଅଶି ଦଶକ ମଧ୍ୟରେ ଗଢ଼ା ଯାଇଥିବା ସ୍କୁଲ, ହାଟ, ବଜ଼ାର, ସଚିବାଳୟ, ଵିଧାନସଭା, ସଂଗ୍ରାହଳୟ, ଇତ୍ୟାଦି ଇତ୍ୟାଦିରେ ଦେଖିବାକୁ ମିଳେ। କିନ୍ତୁ ନବେ ଦଶକ ପରେ ଯେଉଁମାନେ ଏହି ସହରକୁ ନିଜର ବାସସ୍ଥାନ କରିଛନ୍ତି ସେମାନେ ପ୍ରାୟତଃ ଭୁବନେଶ୍ୱରର ଏହି ଐତିହ୍ୟ ବିଷୟରେ ଅବଗତ ନାହାଁନ୍ତି । ଯେପରି ବହୁତ ଅବଗତ ନୁହଁନ୍ତି ଏହି ଭଳି ଏକ ସ୍କୁଲରେ ଦିନେ ବର୍ତ୍ତମାନ ଭାରତର ରାଷ୍ଟ୍ରପତି ଅଧ୍ୟୟନ କରୁଥିଲେ। କିନ୍ତୁ ସମୟ ସହିତ ଆଧୁନିକ ଆଢୁଆଳରେ ପ୍ରାୟ ଏହି ସବୁ ସ୍ଥାପତ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ନିଜର ଅସ୍ତିତ୍ୱ ହରାଇ ବସିଲେଣି। ଯେପରି ବହୁତ ଅବଗତ ନାହାନ୍ତି ନୂତନ ସଚିବାଳୟ ଲିଙ୍ଗରାଜ ମନ୍ଦିର ଏବଂ ପର୍ତ୍ତୁଗୀଜ ସ୍ଥାପତ୍ୟରୁ ଅନୁପ୍ରାଣିତ ହୋଇ ଗଢାଯାଇଛି ବୋଲି। ବେଳେ ବେଳେ ପର୍ଯ୍ୟଟକଙ୍କୁ ଏବଂ ଗବେଷକଙ୍କୁ ଆଶ୍ଚର୍ଯ୍ୟ ଲାଗେ ଏହି ଆଧୁନିକ ଭୁବନେଶ୍ୱରକୁ ଆଜି ପର୍ଯ୍ୟନ୍ତ ପୁରୁଣା ଭୁବନେଶ୍ୱରରେ ଅବସ୍ଥାପିତ ଐତିହାସିକ ପେଣ୍ଠସ୍ଥଳୀ ଭଳି ଏହାକୁ ମଧ୍ୟ ଆଧୁନିକ ଭୁବନେଶ୍ୱରରେ ଐତିହାସିକ ପେଣ୍ଠସ୍ଥଳୀ ଘୋଷଣା ନହେବାର କାରଣ । ଭାରତରେ ଏମିତି ସହର ନାହିଁ ଯେଉଁଠାରେ ଶୈବ, ବୁଦ୍ଧ, ଜୈନ, ଲିଙ୍ଗରାଜ ମନ୍ଦିର, ଧଉଳି ଶାନ୍ତିସ୍ତୁପ, ଖଣ୍ଡଗିରି ଉଦୟଗିରି ଏବଂ ପର୍ତ୍ତୁଗୀଜ ସ୍ଥାପତ୍ୟର କୀର୍ତ୍ତିମାନ ସମ୍ଭାରରେ ପ୍ରସ୍ତୁତ ଅଟ୍ଟାଳିକା ଆଜି ମଧ୍ୟ ଜୀବନ୍ତ କିନ୍ତୁ ଅବହେଳିତ। ଆଜି ମଧ୍ୟ ଏହି ଐତିହ୍ୟ କୀର୍ତିରାଜିକୁ ଗଠିତ ଆଧୁନିକ ଭୁବନେଶ୍ୱରର ଅଟ୍ଟାଳିକା ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟିକରିଛି କିପରି ଜଳବାୟୁକୁ ମାଧ୍ୟମ କରି ଏକ ସହର ଏବଂ ଏହାର ଅଟ୍ଟାଳିକା ଗଢ଼ା ଯାଇପାରିବ। ଅତ୍ୟାଧୁନିକ ନଗର ପରିକଳ୍ପନାରେ ମଧ୍ୟରେ ଆଜି ମଧ୍ୟ ଆଧୁନିକ ଭୁବନେଶ୍ୱରରେ ଏହି ଐତିହାସିକ ପେଣ୍ଠସ୍ଥଳୀ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକଙ୍କ ସ୍ୱପ୍ନର ସହର।

ଜୀବନ୍ତ ସଂଗ୍ରାହଳୟ

ଭୁବନେଶ୍ୱର ଐତିହାସିକ ପେଣ୍ଠସ୍ଥଳୀରୁ ବହୁ କିଛି ଶିକ୍ଷିବାର ବିଷୟ ଅଛି, ଯେକୌଣସି ଐତିହ୍ୟ ସ୍ଥଳର ପୁନଃରୁଦ୍ଧାର ସଫଳତା ନିର୍ଭର କରୁଛି ଜନସାଧାରଣ, ସରକାର, ସ୍ଥାନୀୟ ପ୍ରଶାସନ, ଘରୋଇ ସଂସ୍ଥାମାନଙ୍କ ମଧ୍ୟରେ ସହଭାଗିତା ବହୁତ ଜରୁରୀ। ଏହାପରେ ଐତିହ ସ୍ଥଳର ପୁନଃରୁଦ୍ଧାର ଯୋଜନା ଏବଂ କାର୍ଯ୍ୟକାରୀ ଲୋକାଭିମୁଖୀ , ପର୍ଯ୍ୟଟନ ଏବଂ ନିବେଶକଙ୍କୁ ଆକୃଷ୍ଟ କଲାଭଳି ଆବଶ୍ୟକତା ଅଛି। ଫଳସ୍ୱରୂପ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସ୍ଥା ପ୍ରକଟ କରିବ ଐତିହ୍ୟ ସ୍ଥଳକୁ ନିଜର ବୋଲି ଭାବିବାର ଏବଂ ଭବିଷ୍ୟତରେ ଏହାକୁ ପୁନର୍ବାର ଅବହେଳିତ ପରିତ୍ୟକ୍ତ ଅବସ୍ଥାରୁ ବଞ୍ଚିତ କରିବା ପାଇଁ ଏବଂ ଏକ ବିଂଶ ଶତାବ୍ଦୀର ସହର ଗଢିତୋଳିବାରେ ସହାୟକ ହେବ। ଭୁବନେଶ୍ୱର ଐତିହାସିକ ପେଣ୍ଠସ୍ଥଳୀ ଏକ ଆଦର୍ଶ ଭାରତର ସହର ମାନଙ୍କ ପାଇଁ ଯଥା: ଅର୍ଥନୈତିକ ସଫଳତା, ପର୍ଯ୍ୟଟନ, ପରିବେଶ ସନ୍ତୁଳନ, ଜୀବିକା, କୌଶଳ ଏବଂ ପୌର ସେବାର ମାନ ବୃଦ୍ଧି ପାଇଁl କହିବାର ତାତ୍ପର୍ଯ୍ୟ ଏହା କେବଳ ଭୁବନେଶ୍ୱର ନୁହେଁ ବରଂ ଭାରତର ଅନନ୍ୟ ଐତିହାସିକ ପେଣ୍ଠସ୍ଥଳୀ ନଜରରେ ଥିବା ସହର ଏକ ଜୀବନ୍ତ ସଂଗ୍ରାହଳୟ।

ନିକଟ ଅତୀତରେ କଳା ସଂସ୍କୃତି ଭାଷାକୁ ନେଇ ବହୁ କର୍ମଶାଳା ଆୟୋଜନ ହୋଇଛି। ଏହା ସହିତ ବିଶ୍ୱ ଭାଷା ସମ୍ମିଳନୀ ମଧ୍ୟ ଅନୁଷ୍ଟିତ ହୋଇଇଛି ଏବଂ ଭାଷାକୁ ନେଇ ଏକ ଉଦ୍ୟାନ ମଧ୍ୟ ତିଆରି ହୋଇଅଛି। ଭୁବନେଶ୍ୱର ଭବିଷ୍ୟତରେ ସାରା ବିଶ୍ୱ ପାଇଁ ସହର ଯୋଜନା, କଳା, ସଂସ୍କୃତି, ଭାଷା ଏବଂ ଐତିହର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରୁ। ଏଥିପାଇଁ ଏହାର ରକ୍ଷଣା ବେକ୍ଷଣରେ ତିଳେ ମାତ୍ର ଅବହେଳାର ସୁଯୋଗ ସୃଷ୍ଟି ନହେବା ଭଲ।ବରଂ ଭୁବନେଶ୍ୱର ସହର ଯୋଜନା ଏବଂ ଐତିହାସିକ ପେଣ୍ଠସ୍ଥଳୀର ପୁନରୁଦ୍ଧାର କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରୁ।

Leave A Reply

Your email address will not be published.