Latest Odisha News

ଅନୁବାଦ କବିତା : ଉର୍ବଶୀ

ଆଧୁନିକ ବଙ୍ଗଳା କାବ୍ୟ ଜଗତର ଜଣେ ବିଶିଷ୍ଟ କବି ଓ ଲେଖକ ବିଷ୍ଣୁ ଦେ ୧୯୦୯ ମସିହା ଜୁଲାଇ ୧୮ ତାରିଖ କୋଲକାତାର କଲେଜ ଚୌକ ଅଞ୍ଚଳରେ ଏକ ଧନୀ ଓ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ପାସ କରି ସେ ବିଭିନ୍ନ କଲେଜରେ ଅଧ୍ୟାପକ ହିସାବରେ କାମ କରିଥିଲେ। ୧୯୬୬ରେ ସାହିତ୍ୟ ଏକାଡେମୀ , ୧୯୬୭ ରେ ନେହେରୁ ସ୍ମୃତି ପୁରସ୍କାର , ୧୯୭୧ରେ ସୋଭିଏତ ଦେଶ ପୁରସ୍କାର ଓ ୧୯୭୧ ରେ ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ମୂଳ ରଚନା : ବିଷ୍ଣୁ ଦେ

ମୁଁ ନୁହେଁ ପୁରୁରବା
ହେ ଉର୍ବଶୀ ଜାଣିଛ କି ତୁମେ
କ୍ଷଣିକର ଏଇ ଭଙ୍ଗୁର ଦୁନିଆର
ଅଳକାପୁରୀରେ
ଇନ୍ଦ୍ରିୟର ଆନନ୍ଦ ପାଇଁ
ମୁଁ ରଚିଛି ମୋ ନିଜ ଭୁବନ?
ଆସ ତୁମେ ସେଇ ଜଗତକୁ
କଦମ୍ବର ରୋମାଞ୍ଚ ବିତରି
ରହିଯାଅ କିଛି କ୍ଷଣ ପାଇଁ
ତୁମ ଦେହର ହାୟ ଅନ୍ତହୀନ
ନିମନ୍ତ୍ରଣରେ ଲମ୍ବା ଧାଡ଼ିରେ
ତୁମର ସମୟ କାହିଁ
ରୁହ ତୁମେ କ୍ଷଣକାଳ ପାଇଁ
ସେଇ କ୍ଷଣିକ ଆନନ୍ଦର ଆଲୋକରେ
ଅନ୍ଧକାର ଆକାଶ ସଭାରେ
ନଗ୍ନତାର ଦୀପ୍ତ ତନୁ ଜଳାଇ ଜଳାଇ
ନୃତ୍ୟମୟ ଆଲୋକିତ କରି ଯାଅ ଚାଲି।

ଆଉ ଏକ ରାତି , ରହିବ ଉର୍ବଶୀ ?
ଆକାଶର ଶୋଭାମୟ ନକ୍ଷତ୍ର ଆଭାରେ
ରଜନୀର ନୀରବତାରେ ରାହୁଗ୍ରସ୍ତ ହୋଇ
ଧରଣୀର ନାରୀ ପରି ବାହୁବନ୍ଧନରେ
ସ୍ପର୍ଶରେ କମ୍ପିତ ତନୁ ଆଗ୍ରହ ଲାଜରେ ?

ମୁଁ ନୁହେଁ ପୁରୁରବା ହେ ଉର୍ବଶୀ।ଆମରଣ ସଙ୍ଗ ଲୋଭୀ
ମୁଁ ଜାଣେ ଆକାଶ-ପୃଥିବୀ
ମୁଁ ଜାଣେ ଆମ ପ୍ରେମ
ଇନ୍ଦ୍ରଧନୁ ସମ ।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.