ଅନୁବାଦ ଗଳ୍ପ : ନଦୀ ଓ ସେତୁ
୧୯୩୦ ମସିହାରେ ଉତ୍ତର ପ୍ରଦେଶର ଉନାଓ ଠାରେ ଜନ୍ମଗ୍ରହଣ କରିଥିବା ମହୀପ ସିଂହ ହିନ୍ଦୀ ସାହିତ୍ୟର ଜଣେ ବରିଷ୍ଠ ସାହିତ୍ୟିକ ଭାବେ ସୁପରିଚିତ । ଉଭୟ ଗଳ୍ପ ଓ ଉପନ୍ୟାସ ରଚନାରେ ସେ ପାଠକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ । କାନପୁର ଡିଏଭି କଲେଜ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗରେ ଅଧ୍ୟାପନା କରିଥିଲେ । ବିଦେଶର କେତେଗୋଟି ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ହିନ୍ଦୀ ଅଧ୍ୟାପକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସାହିତ୍ୟ ରଚନା ନିମନ୍ତେ ଭାରତ ଭାରତୀ ସମ୍ମାନ ସହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ । ୨୦୧୫ ମସିହାରେ ତାଙ୍କର ନିଧନ ହୋଇଥିଲା ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୯
ମୂଳ ହିନ୍ଦୀ : ମହୀପ ସିଂହ
ଲାହୋର ଷ୍ଟେସନରୁ ଯେତେବେଳେ ଟ୍ରେନ୍ ଛାଡ଼ିଲା, ମୋ ମନ ଭାରାକ୍ରାନ୍ତ ହୋଇଉଠିଲା । ଏବେ ଆମେ ଯେଉଁ ସ୍ଥାନ ଆଡ଼କୁ ଅଗ୍ରସର ହେଉଥିଲୁ, ସେଠାରେ ଆଜକୁ ଚଉଦବର୍ଷ ପୂର୍ବେ ଏକ ଅଭାବନୀୟ ସଂହାରଲୀଳ ସଂଘଟିତ ହୋଇଥିଲା । ସେଇ ସାମ୍ପ୍ରଦାୟିକ ହିଂସାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଆହୁରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସେ କ୍ଷତାକ୍ତ ସ୍ମୃତି ସବୁଦିନପାଇଁ ରହି ଯାଇଥିଲା ।
ମୋତେ ଲାଗୁଥିଲା ଯେପରି ଆମ ଟ୍ରେନ୍ଟି ଏକ ଦୀର୍ଘ, ଅନ୍ଧକାରମୟ ଓ ଗଭୀର ସୁଡ଼ଙ୍ଗ ଭିତରେ ପ୍ରବେଶ କରୁଛି । ଆମ ଚତୁଃପାଶ୍ୱରେ ସେଇ ଘନ ଅନ୍ଧକାରକୁ ଆମ ପକ୍ଷେ ଯାହାକିଛି ସମ୍ଭବ ତାହା ଆମେ ଦେବାକୁ ଯାଉଛୁ ।
ଆମେ ଥିଲୁ ପ୍ରାୟ ତିନିଶହ ତୀର୍ଥଯାତ୍ରୀ । ଆମ ସାଙ୍ଗରେ ଅନେକ ମହିଳା ଓ ଶିଶୁ ବି ଥିଲେ । ଲାହୋର ସହରର ଛୋଟବଡ଼ ସବୁ ଗୁରୁଦ୍ୱାରା ଆମେ ବୁଲି ଦେଖିଥିଲୁ । ସବୁ ଜାଗାରେ ଆମକୁ ଏତେ ସ୍ନେହ ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଥିଲାଯେ ପଞ୍ଜ ସାହିବ୍ରେ ପହଞ୍ଚିବା ପରେ ଆମକୁ କିପ୍ରକାର ସ୍ୱାଗତ ସମ୍ଭାଷଣ ମିଳିବ ସେଥିପାଇଁ ଆମେ ନିଃସନ୍ଦେହ ଥିଲୁ । ଆମ ମନରେ ତିଳେ ସୁଦ୍ଧା ଭୟ ନ ଥିଲା । ତଥାପି କିଏ କହିବ, ମଣିଷ ମନ ଭିତରେ ସୁପ୍ତ ଅବସ୍ଥାରେ ଥିବା ସେଇ ଦାନବଟି କେତେବେଳେ କଡ଼ ଲେଉଟେଇ ଜାଗି ଉଠିବ! ସବୁକିଛିକୁ ଗୋଟିଏ ମୁହୂର୍ତ୍ତରେ ଓଲଟପାଲଟ, ଧୂଳିସାତ୍ କରିଦେବ!
ମୁଁ ଏମିତି କେତେ କଥା ଭାବି ଚାଲିଥିଲି । ସେତିକିବେଳେ ହଠାତ୍ ମୋ ଦୃଷ୍ଟି ଫେରିଗଲା ମା’ ଉପରକୁ । ବର୍ଥର କଡ଼ ସିଟ୍ରେ ବସି ସେ ଏକାଲୟରେ ବାହାରକୁ ଚାହିଁ ରହିଥିଲା । ଦେଖୁଥିଲା ତା’ଆଖି ସାମ୍ନାରେ ଦିଶୁଥିବା କ୍ଷେତକୁ । ତା’ହାତ କହୁଣିଟି ଉପରେ ଚିବୁକ୍ଟି ସେମିତି ରହିଥିଲା । ସେ ହାତ ଥାପିଥିଲା ଝର୍କା ପାଖରେ । ଲାଗୁଥିଲା ସେ ସମ୍ପୂର୍ଣ୍ଣ ଧ୍ୟାନସ୍ଥ ହୋଇ ଚାହିଁ ରହିଛି । ସାମ୍ନାକୁ କ୍ଷେରୁ ଫସଲସବୁ ଅମଳ ସାରିଥିଲା । ତେଣୁ ଚାଷଜମିସବୁ ଫାଙ୍କା ଓ ଧୂସର ଦିଶୁଥିଲା । ମୁଁ ଭାବୁଥିଲି ଏଇ ଫାଙ୍କା ଭୂଇଁ ମା’ର ଶୂନ୍ୟ ହୃଦୟର ପ୍ରତିଫଳନ ପରା! ବଗିରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କ ଆଡ଼େ ମୁଁ ମୁହଁ ଫେରେଇ ଚାହିିଁଲି । ସେମାନଙ୍କ ମନ ବି ଗଭୀର ଦୁଃଖରେ ଡୁବି ରହିବାପରି ଶଳଗୁଥିଲା । ମୁଁ ବୁଝିପାରୁ ନ ଥିଲି ହଠାତ୍ ସମସ୍ତଙ୍କର ହେଲା କ’ଣ? କାହିଁକି ସମସ୍ତେ ଏମିତି ଦୁଃଖ ଦରିଆରେ ଡୁବିଗଲେ!
ମୁଁ ମା’କୁ ପଚାରିଲି, ‘ମୁଁ ଭାବୁଛି ଏସବୁ ସ୍ଥାନ କଥା ତୋର ନିଶ୍ଚେ ମନେ ଥିବ ।’ ମୋର ଏପରି ପ୍ରଶ୍ନ କରିବାର ମୂଳ ଉଦ୍ଦେଶ୍ୟ ଥିଲା ଚିନ୍ତାରାଜ୍ୟରୁ ତାକୁ ଫେରେଇ ଆଣିବା । ‘ଏଇ ବାଟଦେଇ ତୁ ଶହ ଶହ ଥର ଯା’ଆସ କରିଥିବୁ?’
ମା’ କିଛି ଜବାବ ନଦେଇ କେବଳ ମୋ ମୁହଁକୁ ଚାହିଁ ଶୁଖିଲା ହସ ଚେନାଏ ହସିଦେଲା । ସେ ହସ ଟିକକରୁ ଜଣା ପଡ଼ୁଥିଲା ଜୀବନରେ ସେ ସବୁକିଛି ହରେଇଛି । ଏଥର କେମିତି ଉଦାସିଆ ସ୍ୱରରେ ସେ କହିଲା, ‘ଏ ରୁଟ୍ର ପ୍ରତିଟି ଷ୍ଟେସନକୁ ସେ ଭଲଗାବେ ଜାଣିଛି । ହେଲେ ଆଜି ତ ଏ ସ୍ଥା ଆମ ଲାଗି ପର । ଦୀର୍ଘ ଚଉଦବର୍ଷ ପରେ ପ୍ରଥମ ଥର ଲାଗି ମୁଁ ପୁଣି ଥରେ ଏଇ ବାଟେ ଯାଉଛି । ଅତୀତରେ ଏଇବାଟେ ତ ମୁଁ ସଦାବେଳେ ଯା’ଆସ କରୁଥିଲି । ଆମେ ଲାହୋର ସହର ପାର ହେବା ପରେ ମୁଁ ମନରେ ଏକ ବିଚିତ୍ର ଉନ୍ମାଦନା ଅନୁଭବ କଲି । ଆମେ ଏବେ ଅଗ୍ରସର ହେଉଥିଲୁ ସରାଇ ଗାଆଁ ଆଡ଼େ, ଆମ ନିଜ ଗାଆଁ । ସେ ଗାଆଁର ପ୍ରତିଟି ଲୋକଙ୍କ ଚେହେରା ମୋ ଆଖି ଆଗରେ ନାଚି ଉଠୁଥିଲା ମୁଁ ମନେମନେ ଭାବୁଥିଲି, ମୋତେ ସ୍ୱାଗତ କରିବା ଲାଗି କେତେ ଲୋକ ଷ୍ଟେସନକୁ ଆସିଥିବେ… ପୁରୁଣା ଦିନର ସ୍ମୃତିସବୁ ମନ ଭିତରେ ଗୋଟିକ ପରେ ଗୋଟିଏ ଭାସି ଉଠୁଥିଲା ।
ମୋ ବାପା ଉତ୍ତର ପ୍ରଦେଶରେ ତାଙ୍କର ବ୍ୟବସାୟ ଚଳାଇଥିଲେ । ମୋର ସବୁ ଭାଇ ଓ ଭଉଣୀଙ୍କ ଜନ୍ମ ପଞ୍ଜାବ ବାହାରେ ହୋଇଥିଲା । ମୋର ମନେ ପଡ଼ିଯାଉଥିଲା ବାପାଙ୍କ କଥା: … ବାପା ବର୍ଷକୁ ଥରେ ମାତ୍ର ପଞ୍ଜାବ ଆସୁଥିଲେ । ମା’ କିନ୍ତୁ ଫି’ବର୍ଷ ଦି’ତିନିଥର ଗାଆଁକୁ ଆସୁଥିଲା । ସାନପୁଅକୁ ସିଏ ସଦାବେଳେ ସାଙ୍ଗରେ ନେଇ ସବୁଆଡ଼େ ଯାଉଥିଲା । ମୋର ମନେ ପଡ଼ିଗଲା ପଞ୍ଜାବ ଭାଗ ଭାଗ ହେବା ଦିନର କଥା ।
ସେତେବେଳେ ପାଞ୍ଚଟିଯାକ ନଦୀର ଜଳ ମଣିଷ ଲହୁରେ ଲାଲ୍ ହୋଇଯାଇଥିଲା । ମା’ତଥାପି ସେତିକିବେଳେ ପଞ୍ଜାବରେ ଥିବା ନିଜ ଗାଆଁକୁ ଯିବାକୁ ଜିଦ୍ ଧରିବସିଥିଲା । ସମସ୍ତେ ତାକୁ ବାରଣ କଲେ । ସତେ ଯେମିତି ଜାଣୁଶୁଣି ନିଆଁକୁ ଡେଇଁବାକୁ ସିଏ ମନେମନେ ସ୍ଥିର କରିଥିଲା । ସତକୁ ସତ ସେତେବେଳେ ପଞ୍ଜାବକୁ ଯିବା ଅର୍ଥ ନିଆଁରେ ପୋଡ଼ିଜଳି ମରିବା ସଙ୍ଗେ ସମାନ । କିନ୍ତୁ ଆମ ସମସ୍ତଙ୍କୁ ଜଣାଥିଲା, ମା’କୁ ବୁଝେଇବା କେଡ଼େ କଷ୍ଟ କାମ । ସିଏ ଥରେ ଯାହା ବୁଝିଥିବା ଶେଷ ପର୍ଯ୍ୟନ୍ତ ତା’କଥାରେ ଅଟଳ ରହିବ ।
ଆମମାନଙ୍କ ବାରଣକୁ ସିଏ ହସରେ ଉଡେଇ ଦେଇଥିଲା । ଶେଷରେ ସେ ପଞ୍ଜାବ ଗଲା ଓ ପ୍ରାୟ କୋଡ଼ିଏ ଦିନ ପରେ ଲେଉଟି ଆସିଥିଲା । ଏପରିକି ଏତେ ଦଙ୍ଗା ଭିତରେ ସୁଦ୍ଧା ସେ ଆମ ଗାଆଁଘରର କିଛି ଆସବାବପତ୍ର ଟ୍ରେନ୍ରେ ପଠେଇବାର ବନ୍ଦୋବସ୍ତ କରିଥିଲା । କିନ୍ତୁ ସେ ଫେରିବାବେଳେ ନିଜ ସାଥିରେ ମାତ୍ର ଦୁଇଟି ଚିଜ ଆଣିଥିଲା । ଯାହା ଥିଲା ତା’ର ଅତି ପ୍ରିୟ – କାଠ ଚରଖାଟିଏ ଓ ତା’ର ଦହିଗୋଳା ଦଣ୍ଡ ।
ପରେ ପରେ ଦଙ୍ଗା ପଞ୍ଜାବସାରା ବ୍ୟାପି ଯାଇଥିଲା । ଗାଆଁଗଣ୍ଡା, ଘରଦ୍ୱାର, ସହରବଜାର ସବୁକିଛି ପୋଡ଼ିଜଳି ଛାରଖାର ହୋଇଯାଇଥିଲା । ଆଉ ଯେତେବେଳେ ସେ ଦଙ୍ଗା ଥମିଲା,ସେତେବେଳକୁ ଅମୃତସର ଓ ଲାହୋର ଭିତରେ ଏକ ଗଭୀର ଗର୍ତ୍ତ ସୀମା ଆରପଟର ଭୂଇଁ ସତେକି ଯୋଜନ ଯୋଜନ ବାଟ ଦୂରେଇ ଯାଇଥିଲା! ସେଇ ଗର୍ତ୍ତରେଖାର ଆରପଟେ ଯେ ଭୁଲି ଯାଇଥିଲୁ । କେନାଲର କୂଳେକୂଳେ ଆମ ଗାାଁକୁ ପଡ଼ିଥିବା ପିଚୁରାସ୍ତାକୁ ଆମେ ସବୁଦିନ ପାଇଁ ଭୁଲି ଯାଇଥିଲୁ । ଯେଉଁ ଭୂଇଁରେ ଝେଲମ୍ ନଦୀ ନାଚି ନାଚି ତା’ର ସ୍ୱଚ୍ଛ ଶୀତଳ ଜଳରେ ପ୍ରବାହିତ ହେଉଥିଲା, ତାହା ଆମପାଇଁ ଏବେ ଅପହଞ୍ଚ ହୋଇଯାଇଥିଲା ।
ଏତେ ବର୍ଷ ପରେ ମୋ ମାଆ ସହିତ ସେଇ ବିଭାଜନର ଗର୍ତ୍ତକୁ ଅତିକ୍ରମ କରି ମୁଁ ଟ୍ରେନରେ ବସି ଯାତ୍ରା କରୁଥିଲେ । ସେଇ ଝେଲମ୍ ନଦୀ ଉପରେ, ସେଇ ପୋଲ ଉପରେ । ଦିନେ ଏଇ ନଦୀ ଉପରେ ସୁଦୃଢ଼ ଲୌହ ସେତୁ ନିର୍ମିତ ହୋଇଥିଲା ରାଜନୈତିକ- କୂଟନୀତିକୁ ପୁଷ୍ଟ କରିବା ଲାଗି । ଯେଉଁ ଭୂଇଁ ଦିନେ ହୃଦୟଠାରୁ ବଳି ପ୍ରିୟ ଥିଲା, ଆଜି ଏତେ ପର ଲାଗୁଥିଲା!
ମୁଁ ବହି ଖଣ୍ଡିଏ ଧରି ଅନ୍ୟବନସ୍କ ଭାବେ ପୃଷ୍ଠା ଓଲଟାଇ ଚାଲିଥିଲି । ମା’ ମୋ ପାଖକୁ ଲାଗିଆସି ପଚାରିଲା, ‘ଆମ ଟ୍ରେନ୍ ସରାଇ ଷ୍ଟେସନରେ ଅଟକିବ ଟି?’
ଦଣ୍ଡେ ଭାବି ମୁଁ କହିଲି, ‘ହଁ । ଅଟକିବା କଥା ତ । ହେଲେ ସେଠାରେ ପହଞ୍ଚିଲା ବେଳକୁ ରାତି ପ୍ରାୟ ଦି’ଟା ବାଜିଥିବ । ଆମେ ସମସ୍ତେ ଶୋଇ ସାରିଥିବା । ତେଣୁ ସେ ଷ୍ଟେସନ କେତେବେଳେ ପାର ହୋଇଯିବ, ଆମେ ଜାଣି ସୁଦ୍ଧା ପାରିବାନି । ତା’ଛଡ଼ା ସରାଇ ସହିତ ଆମର ଆଉ କି ସମ୍ପର୍କ ଅଛି ଯେ? ସବୁ ତ ତୁଟି ସାରିଛି ।’
ମା’ ମୋ କଥା ଶୁଣି କେମିତି ବିରକ୍ତ ହେବା ପରି ଜଣାପଡ଼ିଲା । ସେ କହିଲା, ‘ତୋର ତ ସରାଇ ସାଙ୍ଗରେ ମୂଳରୁ କିଛି ସମ୍ପର୍କ ନ ଥିଲା ।’
ମା’କଥା ଶୁଣି ମୋତେ ସାମାନ୍ୟ ବାଧିଲା । କିନ୍ତୁ ମୁଁ ତାକୁ କିଛି ନ କହି ଚୁପ୍ଚାପ୍ ବସିରହିଲି । ପୁଣି ଥରେ ବହି ଖଣ୍ଡିକ ପଢ଼ିବାର ବାହାନା କଲି ।
ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା । ବାହାର ଆସ୍ତେ ଘନ ଅନ୍ଧକାର ଭିତରେ ଡୁବିଗଲା । ମା’ ତା’ର ପୁଡ଼ା ଫଟାଇ କିଛି ଖାଦ୍ୟ ବାହାରକଲା । ଆମ ସାଙ୍ଗରେ ମୋର ଜଣେ ଦୂର ସମ୍ପର୍କୀୟ ମାମୁ ବି ଥିଲେ । ଆମେ ତିନି ହେଁ ସାମାନ୍ୟ କିଛି ଖାଇ ଶୋଇବାର ଉପକ୍ରମ କଲୁ । ଅଳ୍ପ ସମୟ ପରେ ମାମୁଁ ନିଦରେ ଶୋଇଯାଇ ଘୁଙ୍ଗୁଡ଼ି ପେଲିଲେ । ମୁଁ ମଧ୍ୟ ଗୋଟିଏ ବର୍ଥରେ ଶୋଇଗଲି । ମା’ ଆଖିକୁ କିନ୍ତୁ ନଦି ଆସୁ ନ ଥିଲା । ସେ ତା’ ବର୍ଥରେ ସେମିତି ବସି ରହିଥିଲା ।
କିଛି ସମୟ ପରେ ହଠାତ୍ ମୋ ନିଦ ଭାଙ୍ଗିଗଲା । ନିଦରେ ଚମକିପଡ଼ି ମୁଁ ଉଠି ବସିପଡ଼ିଲି । ଲକ୍ଷ୍ୟ କଲି ମା’ ଝର୍କାଦେଇ ବାହାର ଅନ୍ଧାରକୁ ସେମିତି ଚାହିଁ ରହିଥିଲା । ମୁଁ ହାତ ଚାହିଁଲି । ରାତି ସେତେବେଳକୁ ସାମେ ଦଶଟା ବାଜି ସାରିଥିଲା । ମୁଁ କହିଲି, ‘ମା’, ତୁ ବି ଟିକିଏ ବିଶ୍ରାମ ନେ’ । ଶୋଇ ପଡ଼ । ଭଲ ଲାଗିବ ।’
‘ଠିକ୍ ଅଛି ।’ ଏତିକି କହି ସେ ତା’ ବର୍ଥରେ ଗୋଡହାତ ଲମ୍ବେଇନେଲା । ମୁଁ ପୁଣି ଥରେ ଶୋଇବାର ଉପକ୍ରମ କଲି । ସେଇ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ମୁଁ ଗୋଟିଏ ଭୟଙ୍କର ସ୍ୱପ୍ନ ଦେଖିଲି । ସେ ସ୍ୱପ୍ନ କଥା ସବୁ ତ ମୋର ମନେନାହିଁ । ହେଲେ ମୋ ମନ କାହଁକି କେଜାଣି ଉତ୍ସୁକତାରେ ଭରିଉଠିଲା । ମୋତେ ଲାଗୁଥିଲା ନଦୀର ଲାଲ୍ ଜଳ ମୋ ଚାରିକଡ଼େ ଭଊଁରି ଖେଳୁଥିଲା ଓ ମୁଁ ସେଇ ପାଣିରେ ହାତ ବାଡ଼େଇ ଚାଲିଥିଲି । ହଠାତ୍ ନିଦରୁ ଉଠିପଡ଼ି ମୁଁ ଚାରିଆଡ଼କୁ ଚାହିଁଲି । ମା’ ମୋତେ ହଲେଇଦେଇ ଉଠାଉଥିଲା । ସିଏ କେମିତି ଉତ୍ତେଜିତ ଓ ଭୟାର୍ତ୍ତ ଲାଗୁଥିଲା । ଗୋଟାପଣେ ଥରୁଥିଲା ।
‘କ’ଣ ହେଲା ମା’?’
‘ଦେଖ୍ ତ ପୁଅ, ବାହାରେ କାଇଁ ଏତେ ପାଟିତୁଣ୍ଡ ଶୁଭୁଚି?’ ମୁଁ ଝର୍କା ପାଖକୁ ମୁହଁ ଲଗେଇ ବାହାରକୁ ଚାହିଁଲି । ଆମ ଟ୍ରେନ୍ଟି ଗୋଟିଏ ଛୋଟ ଷ୍ଟେସନରେ ଅଟକିଥିଲା । ସାମ୍ନା ଲାଇଟ୍ ପୋଷ୍ଟ୍ରୁ ନିଷ୍ପ୍ରକ ବିଜୁଳି ବତିଟିଏ ଝୁଲୁଥିଲା । ବାହାର ବାତାବରଣ କେମିତି କୋଳାହଳମୟ ଲାଗୁଥିଲା । ମୋ ଲୋମ ଟାଙ୍କୁରି ଉଠିଲା । ପୁଣି ଥରେ ଚଇଦ ବର୍ଷ ତଳର ଏମିତି କୋଳାହଳମୟ ରେଳଷ୍ଟେସନ କଥା ମନେ ପଡ଼ିଗଲା । ସେତେବେଳୁ ଗୋଟି ଗୋଟି ଦୃଶ୍ୟ ମୋ ଆଖି ଆଗରେ ନାଚି ଉଠିଲା । ଦଙ୍ଗାକାରୀମାନେ ଟ୍ରେନ୍ ଅଟକେଇ ସେତେବେଳେ କେମିତି ନିରୀହ ଶରଣାର୍ଥୀମାନଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲେ ସେ ଦୃଶ୍ୟ ଜଳଜଳ ହୋଇ ଦିଶିଲା । ମୋ ପାଖରେ ଠିଆହୋଇ ମାମୁଁ ମୋ କାନ୍ଧକୁ ହଲେଇ ଦେଲେ । ସେତିକିବେଳେ ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ ଲୋକର କଥା ମୋ କାନରେ ପଡ଼ିଲା, ‘ଆରେ ଭାଇ, ଏ ଟ୍ରେନରେ କେହି ସରାଇ ଗାଆଁର ଯାତ୍ରୀ ଅଛନ୍ତି ?’ ଲୋକଟି ବେଶ୍ ବଡ଼ ପାଟିରେ ଚିତ୍କାର ଛାଡ଼ୁଥିଲା ।
ମୁଁ ମା’ଆଡ଼େ ଚାହିଁ ପଚାରିଲି, ‘ଏଇଟା କେଉଁ ଷ୍ଟେସନ?’ ମା’ କହିଲା, ‘ସରାଇ ଷ୍ଟେସନ୍… ମୋ ଗାଆଁ ।’
ପୁଣି ଥରେ ବାହାର ଲୋକଭିଡ଼ ଭିତରୁ ଆଉ ଜଣକ ଚିତ୍କାର ଶୁଭିଲା, ‘ଆରେ ଭାଇ ଶୁଣୁଚ, ସରାଇ ଗାଆଁର ଏ ଟ୍ରେନରେ କେହି ଯାତ୍ରୀ ଅଛନ୍ତି?’
ମୁଁ ମା’ମୁହଁକୁ ଚାହିିଁଲି । ତା’ ମୁହଁ କେମିତି ଏକ ଆତ୍ମତୃପ୍ତିରେ ଉଜ୍ଜ୍ୱଳ ଦିଶୁଥିଲା ।
ମା’ କହିଲା, ‘ଆଚ୍ଛା, ତାକୁ ପଚାର ତ… ଘଟଣା କ’ଣ?’
ମୁଁ ଝର୍କା ପାଖକୁ ନଇଁଆସି ବାହାରକୁ ଚାହିଁଲି । ପ୍ଲାଟଫର୍ମ ଉପରେ ଲୋକମାନେ ଏଣେତେଣେ ଧାଁ ଦଉଡ଼ କରୁଥିଲେ । ସମସ୍ତଙ୍କ ମନର ଚଞ୍ଚଳତା ବାରି ହୋଇ ପଡ଼ୁଥିଲା । ସେମାନଙ୍କ ଭିତରୁ କେଇଜଣ ବାରମ୍ବାର ସେଇ ଗୋଟିଏ ପଦ କଥା ଦୋହରାଉଥାଆନ୍ତି, ‘ଭାଇ, ଏ ଟ୍ରେନରେ କେହି ସରାଇ ଗାଆଁର ଯାତ୍ରୀ ଅଛନ୍ତି?’
ମୋ ସାମ୍ନା ଦେଇ ଚାଲି ଯାଉଥିବା ଜଣେ ଲୋକକୁ ଚାହିଁ ମୁଁ କହିଲି, ‘ଘଟଣା କ’ଣ ଭାଇ?’
: ‘ତୁମ ସାଙ୍ଗରେ କେହି ସରାଇ ଗାଆଁର ଯାତ୍ରୀ ଏ ଟ୍ରେନ୍ରେ ଯାଉଛନ୍ତି?’
: ‘ହଁ । ମୁଁ ସେଇ ଗାଆଁର ।’ ମା’ ପଛପଟୁ ଜବାବ ଦେଲା ଓ ମୋ ଆଗକୁ ଚାଲିଆସିଲା ।
: ‘ତୁମେ ସତରେ ସରାଇ ଗାଆଁର?’ ଲୋକଟି ସନ୍ଦେହ କଲାପରି ପଚାରିଲା । ସତେ ଯେପରି ସେ ମା’ କଥାକୁ ବିଶ୍ୱାସ କରିପାରୁ ନ ଥିଲା ।
: ‘ହଁ ।’
ମା’ ତୁଣ୍ଡରୁ ଏଇ ଶବ୍ଦଟି ବାହାରିଛି କି ନାହିଁ, ପ୍ଲାଟଫର୍ମରେ କେମିତି କୋଳାହଳ ବଢ଼ିଗଲା । ଆମ ବଗି ଆଗରେ ଲୋକମାନେ ରୁଣ୍ଡ ହେବା ଆରମ୍ଭ କଲେ । ବେଳକୁ ବେଳ ଭିଡ଼ ବଢ଼ିବାରେ ଲାଗିଲା । ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ ପ୍ରଶ୍ନ: ‘ତୁମେ ସତରେ ସରାଇ ଗାଆଁର..?’
ମା’ ବେଶ୍ ଦୃଢ଼ ସ୍ୱରରେ ପ୍ରତିଥର କହୁଥିଲା, ‘ହଁ, ମୁଁ ଏଇ ଗାଆଁର ।’
ବେଳକୁ ବେଳ ଲୋକମାନେ ଅସ୍ଥିର ହୋଇ ପଡ଼ିବାପରି ଲାଗୁଥିଲା । କେହି ଜଣେ ପୁଣି ପଚାରିଲା, ‘ତୁମେ କାହା ଘର ଝିଅ କି ବୋହୂ?’
ମା’ ମୋ ମୁହଁକୁ ଥରେ ଚାହିଁଲା । ଏଥର ମୁଁ ଜବାବ ଦେଲି, ‘ ମୋ ବାପାଙ୍କ ନାଁ ସର୍ଦ୍ଦାର ମୂଳା ସିଂହ । ଆଉ ଇଏ ମୋ ମା’ ।’
‘ଆରେ ତୁଁ ମୂଳା ସିଂହ ପୁଅ?’ କେଇଜଣଙ୍କ ସମମେତ ଓ ବିସ୍ମୟସୂଚକ ପ୍ରଶ୍ନ ମୋ କାନରେ ପଡ଼ିଲା । ‘ଆଉ ତୁମେ ମୂଳା ସିଂହର ସ୍ତ୍ରୀ…? ରଭେଲ ସିଂହର ଭାଉଜ? ସେମାନେ ସମସ୍ତେ ଭଲରେ ଅଛନ୍ତି ତ…?’
ସତେ ଯେମିତି ଏକାସଙ୍ଗେ ସବୁ କୁଶଳ ଜିଜ୍ଞାସା କରିବା ଲାଗି ସେମାନଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ଏବେ ସେମାନେ ଝର୍କାର ରେଲିଂ ଫାଙ୍ଗ ଦେଇ ଆମମାନଙ୍କ ହାତକୁ ଗୋଟିକ ପରେ ଗୋଟିଏ ପୁଡ଼ା ବଢ଼େଇ ଚାଲିଥିଲେ । ପ୍ରତି ପୁଡ଼ାରେ କାଜୁ, ପିସ୍ତାବାଦାମ, ଅଖରୋଟ ଓ କିସମିସ୍ ଥିଲା । ସେମାନଙ୍କ ଶ୍ରଦ୍ଧା, ସ୍ନେହ ଓ ଆପଣାପଣ ଦେଖି ଭାବାବେଗରେ ମୁଁ ଓ ମା ଏକବାର ମୂକ ପାଲଟି ଯାଇଥିଲୁ । ଆମ ତୁଣ୍ଡରୁ କଥା ସ୍ଫୂରୁନଥିଲା । କେବଳ ସେମାନଙ୍କ ହାତରୁ ପୁଡ଼ାଟିମାନ ଗ୍ରହଣ କରି ସେସବୁକୁ ସିଟ୍ ଉପରେ ରଖୁଥିଲୁ ।
ସେତେବେଳକୁ ସିଟ୍ ଉପରେ ଛୋଟ ଛୋଟ ପୁଡ଼ାର ଗୋଟିଏ ସ୍ତୂପ ହୋଇସାରିଥିଲା ।
ମୁଁ ସେମିତି ମୂକ ପାଲଟିଗଲାପରି ସେଇ ଅପରିଚିତ ଲୋକମାନଙ୍କ ଶ୍ରଦ୍ଧାକୁ ଉପଭୋଗ କରୁଥିଲି । କେବଳ ଆମକୁ ଭେଟିବା ସକାଶେ ସେମାନେ ବିଳମ୍ବିତ ରାତିରେ ଷ୍ଟେସନକୁ ଦୌଡ଼ି ଆସିଥିଲେ । ମୁଁ ମା’ ମୁହଁକୁ ଚାହିଁଲି । ମା ତା’ର ଦୁପଟିକୁ ମୁ୍ଣ୍ଡ ଉପରେ ଆଉ ଟିକିଏ ଟାଣି ସଜାଡ଼ିନେଇ ସମସ୍ତଙ୍କୁ ଯୋଡ଼ ହସ୍ତରେ ନମସ୍କାର କରୁଥିଲା । ତା’ଓଠ ରହି ରହି କମ୍ପି ଉଠୁଥିଲା । କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥିଲା । ତା’ ତୁଣ୍ଡରୁ କିଛି କଥା ବାହାରୁ ନ ଥିଲା । କିନ୍ତୁ ଆଖି ଛଳଛଳ, ଲୁହ ଢଳଢ଼ଳ ଲାଗୁଥିଲା । ପାଖରେ ବଗିର ଦ୍ୱାରମୁହଁରେ ଠିଆ ହୋଇଥିବା ଗାର୍ଡଟି ସବୁ ଦେଖୁଥିଲା । ଏଥର ସେ ହାତରେ ଧରିଥିବା ନୀଳ ଲଣ୍ଠନଟିକୁ ଉପରକୁ ଟେକି ଧରିଲା ଓ ଟ୍ରେନ୍ ଛାଡ଼ିବାର ସଂକେତ ଦେବାକୁ ନିଜ ପକେଟରୁ ହ୍ୱିସିଲ୍ଟି ବାହାରକଲା । ପାଖରେ ଠିଆ ହୋଇଥିବା ତିନି ଚାରିଜଣ ଲୋକ ଗାର୍ଡକୁ ଘେରିଯାଇ ଅଭିଯୋଗ କଲାପରି କହିଲେ, ‘ଆରେ ବାବୁ, କାଇଁକି ଏମିତି ତରତର ହେଉଚ? ଆଉ ଦି’ତିନିମିନିଟ୍ ଗାଡ଼ିଟା ରହୁ । ଇଏ ଭାଭିଜୀ ଆମ ଗାଆଁର । ତାଙ୍କ ସାଙ୍ଗରେ ଦି’ପଦ କଥା ହେବାକୁ ତ ଦିଅ । ଏତେ ଦିନପରେ ଦେଖା ହୋଇଛନ୍ତି ।’ ସେମାନଙ୍କ ଭିତରୁ ଜଣେ ଗାର୍ଡକୁ ବାଧ୍ୟ କଲାପରି ଲଣ୍ଠନକୁ ତଳକୁ କରିବା ଲାଗି ଅନୁରୋଧ କରୁଥିଲା ।
‘ବୋହୂରାଣୀ, ସର୍ଦ୍ଦାରଜୀ କେମିତି ଅଛନ୍ତି? ପଞ୍ଜ୍ ସାହିବ୍ ଦର୍ଶନ କରିବା ଲାଗି ତାଙ୍କୁ କାଇଁକି ସାଙ୍ଗରେ ଆଣିଲନି?’ କେହି ଜଣେ ପୁରୁଖା ଲୋକର କଣ୍ଠସ୍ୱର ଶୁଭିଲା ।
ମା’ନିଜ ଦୁପଟ୍ଟାକୁ ମୁଣ୍ଡ ଉପରେ ସାମାନ୍ୟ ଆଗକୁ ଟାଣିନେଇ ସମ୍ଭ୍ରମର ସହ ଅନୁଚ୍ଚ ସ୍ୱରରେ କହିଲା, ‘ସର୍ଦ୍ଦାରଜୀ ଆଉ ସଂସାରରେ ନାହାନ୍ତି ।’
‘ୟା ଆଲ୍ଲା! କଅଣ କହୁଚ ବୋହୂ…! ମୂଳା ସିଂହଙ୍କର ପରଲୋକ ହୋଇଗଲାଣି? କ’ଣ ଦେହ ବେମାର ଥିଲା?’
ମା’ ନିରବ ରହିଲା । ମୁଁ ବୃଦ୍ଧ ବ୍ୟକ୍ତିଙ୍କୁ କହିଲି, ‘ତାଙ୍କ ପେଟରେ ଘାଆଟିଏ ହୋଇଥିଲା । ଦିନେ ହଠାତ୍ ସେଇ ଘାଆଟା ପେଟଭିତରେ ଫାଟିଗଲା । ତା’ ଆର ଦିନ ସେ ଚାଲିଗଲେ ।’ ଭିଡ଼ ଭିତରୁ କେହି ଜଣେ କହୁଥିବାର ମୋ କାନରେ ପଡ଼ିଲା, ‘ସର୍ଦ୍ଦାରଜୀ ଭାରି ଭଲ ଲୋକ ଥିଲେ । ଆଲ୍ଲା ତାଙ୍କ ଦରଘାରେ ତାଙ୍କୁ ସ୍ଥାନ ଦେଇଥାଆନ୍ତୁ ।’ କେଇଟି ମୁହୂର୍ତ୍ତଲାଗି ସମସ୍ତେ ତୁନି ପଡ଼ିଗଲେ। ‘ଆଚ୍ଛା ବୋହୁ, ତୋ ପିଲାମାନଙ୍କର ସବୁ କୁଶଳ ମଙ୍ଗଳ ତ?’
: ‘ବାହେଗୁରୁଙ୍କ କୃପାରୁ ସମସ୍ତେ ଭଲରେ ଅଛନ୍ତି ।’ ମା’ ଉତ୍ତର ଦେଲା । ସମବେତ ଲୋକଙ୍କ କଣ୍ଠସ୍ୱର ଶୁଭିଲା, ‘ଆଲ୍ଲା ସେମାନଙ୍କୁ ଭଲରେ ରଖିଥାଆନ୍ତୁ ।’
‘ଆଚ୍ଛା ବୋହୂ, ତୁ ତୋ ପିଲାମାନଙ୍କୁ ଧରି ଏଠିକି ଫେରିଆସୁନୁ?’ କେହି ଜଣେ କହୁଥିଲା । ତା’ ସ୍ୱର ସାଙ୍ଗରେ ସ୍ୱର ମିଳାଇ ଆହୁରି ଅନେକ ଜଣ କହିବାର ମୁଁ ଶୁଣି ପାରୁଥିଲି, ‘ହଁ, ହଁ, ବୋହୂ, ତୁମେ ଫେରିଆସ… ତୁମ ନିଜ ଘର, ନିଜଗାଆଁକୁ ଫେରିଆସ ।’ ହଠାତ୍ ସମସ୍ତଙ୍କ ତୁଣ୍ଡରୁ ସମବେତା ସ୍ୱର ଶୁଭିଲା, ‘ଫେରିଆସ…
ଏଠାକୁ ଫେରିଆସ ।’
ମୋ ପଛପଟେ ମାମୁଁ ଠିଆ ହୋଇଥିଲେ । ଏବେ ସେ ଦାନ୍ତ କଡ଼ମଡ଼ କରି ଗୁଣୁଗୁଣୁ ହେଉଥିଲେ, ‘ବଦମାସଗୁଡ଼ାକ! ପ୍ରଥମେ ଆମକୁ ମାରଧର କଲେ , ଘରଦ୍ୱାର ଲୁଟିଲେ, ଆମ ଲୋକଙ୍କୁ ହତ୍ୟା କଲେ, ଭିଟାମାଟିରୁ ଭଗେଇଦେଲେ; ଏବେ କହୁଚନ୍ତି କ’ଣ ନା ଲେଉଟିଆସ! ଠଗଗୁଡ଼ାକ!’
ଭାଗ୍ୟ ଭଲ, ମୁଁ ସିନା ମାମୁଁଙ୍କ ଏମିତି କଥାକୁ ଶୁଣି ପାରୁଥିଲି, ହେଲେ ପ୍ଲାଟଫର୍ମ ଉପରେ ରୁଣ୍ଡ ହୋଇଥିବା ଲୋକଙ୍କ କାନ ପର୍ଯ୍ୟନ୍ତ ସେ କଥା ପହଞ୍ଚୁ ନ ଥିଲା । ସେମାନେ ସେମିତି ଅଳି କରି ଚାଲିଥିଲେ, ‘ବୋହୂ, ତୁମ ପିଲାମାନଙ୍କୁ ଧରି ଏଠିକି ଲେଉଟିଆସ । କେବେ ଆସିବ? ତୁମେ କ’ଣ ନିଜ ଗାଆଁଭୂଇଁକୁ ଭୁଲିଯାଇଚ?
ବୋହୂ, ଆସିବଟି?’
ମା’ ମୋର କିଛି ଜବାବ ଦେଇପାରୁ ନ ଥିଲା । କିଛି କହିବା ଅବସ୍ଥାରେ ସେ ନଥିଲା । ସେ କେବଳ ମଝିରେ ମଝିରେ ନିଜ ଦୁପଟ୍ଟାକୁ ସଜାଡ଼ି ନେଉଥିଲା ଏବଂ ସମସ୍ତଙ୍କ ଆଗରେ ହାତଯୋଡ଼ି ଠିଆ ହୋଇଥିଲା ।
ଟ୍ରେନର ଗାର୍ଡଟି ସେତେବେଳକୁ ଭିଡ଼ ଭିତରୁ ବାହାରିଯାଇ ବଗି ଦୁଆରମୁହଁ ପାହାଚ ଉପରେ ନୀଳ ଲଣ୍ଠନଟିକୁ ଉପରକୁ ଟେକି ଦେଖାଉଥିଲା । ଏବେ ସେ ହ୍ୱିସିଲ୍ ବଜେଇଲା ଓ ତା’ସହ ଇଞ୍ଜିନରୁ ପୁଳାଏ ଧୂଆଁ ହଠାତ୍ ଆକାଶକୁ ଉଠି ଚାରିଆଡ଼ ଅନ୍ଧାରୁଆ କରିଦେଲା । ଆମ ଟ୍ରେନ୍ଟି ଆଗକୁ ଗଡ଼ିବା ଆରମ୍ଭ କଲା । ଆମ ବଗି ପାଖକୁ ଲାଗି କେଇଜଣ ଅଚିହ୍ନା ଲୋକ ସେମିତି ଚାଲିଥାଆନ୍ତି ।
କେହି କେହି କହୁଥିବାର ଆମ କାନରେ ପଡ଼ୁଥିଲା, ‘ସଲାମ୍ ଭାଭୀଜୀ, ସଲାମ୍… ହଉ ବେଟା, ସଲାମ୍ … ରଭେଲ ସିଂହକୁ ଆମ ସଲାମ ଜଣେଇଦେବ । ସମସ୍ତଙ୍କୁ ଆମର ସଲାମ୍ କହିବ…!’ ମୋ ମା’ବଗି ଦୁଆରମୁହଁରେ ସେମିତି ହାତଯୋଡ଼ି ଠିଆ ହୋଇ ରହିଥିଲା । ସେ କିଛି କହୁଥିଲା, କିନ୍ତୁ ତା’ ସ୍ୱର ସେ ଟ୍ରେନ୍ ଇଞ୍ଜିନ୍ର ଗର୍ଜନ ଭିତରେ କାହାରି କାନରେ ପଡ଼ୁ ନ ଥିଲା । ଆମ ଟ୍ରେନ୍ର ବେଗ ଧୀରେ ବଢ଼ୁଥିଲା । ଏବେ ଆମେ ସିଟ୍ ପାଖକୁ ଫେରିଆସି ଝର୍କାପଟେ ନଇଁପଡ଼ି ବାହାରକୁ ଚାହିଁଲୁ । ହାତଯୋଡ଼ି ଲୋକମାନଙ୍କୁ ନମସ୍କାର କଲୁ । ପ୍ଲାଟ୍ଫର୍ମ ଉପରେ ପଞ୍ଝାଏ ଲୋକ ସେମିତି ଆମରି ବଗିକୁ ଚାହିଁ ଠିଆ ହୋଇଥିଲେ ଓ ହାତ ହଲାଇ ବିଦାୟ ଦେଉଥିଲେ । କେଇ ସେକେଣ୍ଡ୍ ପରେ ଟ୍ରେନ୍ ଷ୍ଟେସନ୍ ବାହାରକୁ ଚାଲି ଆସିଲା । ମୁଁ ସିଟ୍ ଉପରେ ଥୁଆ ହୋଇଥିବା ପୁଡ଼ା ସବୁକୁ ଆଡ଼େଇ ବସି ପଡ଼ିଲି ଓ ମା’କୁ କିଛି କହିବାକୁ ଚାହିଁଲି ।
ମା’ କିନ୍ତୁ କଇଁକଇଁ ହୋଇ କାନ୍ଦୁଥିଲା । ତାକୁ ବୁଝେଇବା ମୋ ସାଧ୍ୟାତୀତ ଥିଲା । ଆଖିରୁ ଧାର ଧାର ଲୁହ ଗଡ଼ି ଚାଲିଥିଲା । ସତେକି କେଉଁ ନଦୀବନ୍ଧ ଭାଙ୍ଗିଯାଇଛି! ଥରକୁ ଥର ସେ କେବଳ ତା’ଦୁପଟ୍ଟା କାନିରେ ଆଖିକୁ ପୋଛି ଚାଲିଥିଲା । ଏବେ ଟ୍ରେନ୍ ପହଞ୍ଚି ଥିଲା ଝେଲମ୍ ନଦୀ ପୋଲ ଉପରେ । ନିର୍ଜନ ରାତିରେ ଲୁହାପୋଲ ଉପରେ ଟ୍ରେନ୍ଟାର ଶବ୍ଦ ଆହୁରି ବିକଟାଳ ଶୁଭୁଥିଲା । ଝେଲମ୍ ରେଳପୋଲକୁ ଦେଖିବାଲାଗି ମୁଁ ଝର୍କା ଆଡ଼କୁ ନଇଁ ଆସିଲି । ଶୁଣିଥିଲି ଏ ପୋଲଟା ଖୁବ୍
ମଜଭୁତ । ସେ ପୋଲକୁ ଉଣ୍ଡିଲି । ପଥର ଖୁଌକ୍ଷଗ୍ଧ; ଉପରେ ସମ୍ପୂର୍ଣ୍ଣ ଲୁହାରେ ନିର୍ମିତ ପୋଲ । ସେଇ ପୋଲ ଉପର ଦେଇ ରାତିରେ ଆମ ଟ୍ରେନ୍ ଆଗକୁ ଅତିକ୍ରମ କରୁଥିଲା । ମୁଁ ତଳକୁ ଚାହିଁଲି । ତଳେ କିଟ୍କିଟ୍ ଅନ୍ଧାର । କିଛି ବୋଲି କିଛି ଦିଶୁ ନ ଥିଲା । କିନ୍ତୁ ମୁଁ ଜାଣିଥିଲି ଝେଲମ୍ର ଜଳ ଯେତିକି ସ୍ୱଚ୍ଛ ସେତିକି ଶୀତଳ । ଲୁହାପୋଲ ତଳେ ସେ ସ୍ରୋତ ସେମିତି ନିରବରେ ବହି ଚାଲିଥିଲା ।
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.