ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ନିକଟ ଆରବ ସାଗରରେ ୧୦୨ ମିଟର ଲମ୍ବା ବିଦେଶୀ ମାଲ ପରିବହନ ଜାହାଜ ବୁଡ଼ିଯାଉଥିବା ବେଳେ ଏଥିରେ ଥିବା ସଦସ୍ୟମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛନ୍ତି।
ବୁଡ଼ି ଯାଉଥିବା ଜାହାଜ ଓମାନରୁ ଭାରତକୁ ଆସୁଥିଲା। ରତ୍ନଗିରି ନିକଟରେ ପହଞ୍ଚିବା ପରେ ଜାହାଜ ଭିତରେ ପାଣି ଭର୍ତ୍ତି ହେବା ଆରମ୍ଭ କରିଥିଲା। ସାମୁଦ୍ରିକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଟ୍ୟାଙ୍କରର ତଳଭାଗ ପାଣିରେ ଭର୍ତ୍ତି ହୋଇଯିବାରୁ ଟ୍ୟାଙ୍କରଟି ଗୋଟିଏ ପାର୍ଶ୍ୱକୁ ବିପଦପୂର୍ଣ୍ଣ ଭାବରେ ଢଳି ହୋଇଯାଇଥିଲା। ଜାହାଜରେ ଥିବା କ୍ରିଉ ସଦସ୍ୟମାନେ ଏହାକୁ ଠିକ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ବିଫଳ ହୋଇଥିଲେ। ଆଉ ସେପଟେ ଜାହାଜରେ ପାଣି ଭର୍ତ୍ତି ହେଉଥିଲା। ଜାହାଜର ବେଗ ମଧ୍ୟ କମିବା ଆରମ୍ଭ କରିଥିଲା।
ଯେତେବେଳେ ଏହି ଜାହାଜରେ ଥିବା କ୍ରିଉ ସଦସ୍ୟମାନେ ଏହି ଜାହାଜକୁ ପାଣି ଭର୍ତ୍ତି ହେବାକୁ ଅଟକାଇ ପାରିଲେନି ସେତେବେଳେ ସେମାନେ ସାହାଯ୍ୟ ମାଗିଥିଲେ। ସେମାନେ ଭାବିଲେ ଯେ ଜାହାଜ ଆଉ ଉଦ୍ଧାର ହୋଇପାରିବ ନାହିଁ, ଅନ୍ତତଃ ଜାହାଜରେ ଥିବା ସଦସ୍ୟ ଉଦ୍ଧାର ହେବା ଉଚିତ ବୋଲି ସମସ୍ତେ ଭାବିଥିଲେ। ଏହାପରେ ଜାହାଜରେ ଥାଇ SOS ବାର୍ତ୍ତା ପଠାଇ ଅପେକ୍ଷା କରିଥିଲେ ତଟରକ୍ଷା ବାହିନୀଙ୍କୁ।
ଭାରତୀୟ ତଟରକ୍ଷୀ ଏହି SOS ବାର୍ତ୍ତା ପାଇବା ମାତ୍ରେ ସେମାନେ ଉଦ୍ଧାର କରିବାକୁ ଆଗେଇ ଯାଇଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ସହିତ ଦୁଇଟି କୋଷ୍ଟଗାର୍ଡ ଜାହାଜ – ଆଇସିଜିଏସ୍ ସୁଜିତ୍ ଏବଂ ଆଇସିଜିଏସ୍ ଆପୋର୍ଭା ଥିଲା। ଏହା ବ୍ୟତୀତ ଏକ ବ୍ୟବସାୟିକ ଜାହାଜରୁ ମଧ୍ୟ ସାହାଯ୍ୟ ନିଆଯାଇଥିଲା।
ଏହି ଜାହାଜରେ ୧୯ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ଥିଲେ। ଜଣେ ସଦସ୍ୟ ଇଥିଓପିଆର ଥିଲେ। ତଟରକ୍ଷୀ ଏବଂ ପରିବହନ ମନ୍ତ୍ରଣାଳୟ ବୁଡ଼ିଯିବାର କାରଣ ତଦନ୍ତ କରୁଛନ୍ତି। ଜାହାଜ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଜାହାଜଟି ବହୁ ପୁରୁଣା ନୁହେଁ ହେଲେ ପାଣି କିପରି ଭର୍ତି ହୋଇଗଲା ତାର ତଦନ୍ତ ହେବା ଆବଶ୍ୟକ।
Comments are closed.