କଟକ: ଓଭରଲୋଡ୍ କାରୀ ସାବଧାନ । ପରମିଟ୍ ଠାରୁ ଅଧିକ ଓଭରଲୋଡିଂ କରି ରାସ୍ତାରେ ଯାଉଥିଲେ ଚାଲାଣ କଟିବା ସହ ଡ୍ରାଇଭିଂ ଲାଇସେନ୍ସ ବି ଜବତ ହେବ । ଓଭରଲୋଡ୍ ଯାନ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ମୋଟ ୯୨ଟି ଚାଲାଣ ଜାରି କରାଯାଇଛି ।
ଓଭରଲୋଡିଂ ପାଇଁ ମୋଟ ୩୨ଟି ଯାନକୁ ଅଟକ ରଖାଯାଇଥିବା ବେଳେ ୧୦୮ଟି ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି । ଓଭରଲୋଡିଂ ପାଇଁ ୪ ଲକ୍ଷ ୨୬ ହଜାର ୩୧୨ ଟଙ୍କା ଜରିମାନା କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସାରା ରାଜ୍ୟରେ ୬ ଦିନିଆ ସ୍ୱତନ୍ତ୍ର ଆଣ୍ଟି ଓଭରଲୋଡିଂ ଡ୍ରାଇଭ୍ ଲଞ୍ଚ ଚାଲିଛି ।
ଲାଲମୋହନ ସେଠୀ, ଅତିରିକ୍ତ କମିଶନର ପରିବହନ, ଏନଫୋର୍ସମେଣ୍ଟ ଏବଂ ସଡ଼କ ସୁରକ୍ଷାଙ୍କ ଅନୁସାରେ ‘ଏହି ଡ୍ରାଇଭ୍ ରାଜ୍ୟର ଶିଳ୍ପ ଏବଂ ଖଣି କାର୍ଯ୍ୟକଳାପ ଥିବା ଅଞ୍ଚଳରେ ବିଶେଷ ଫୋକସ୍ ସହିତ ବ୍ୟାପକ ଭାବେ ପରିଚାଳିତ ହେବ । ସାଧାରଣତଃ ଏହି ଅଞ୍ଚଳରେ ଦେଖାଯାଏ ଯେ ଅନେକ ସାମଗ୍ରୀ ଯାନବାହାନ ନିୟମ ମାନୁ ନାହାଁନ୍ତି ଏବଂ ଦୁର୍ଘଟଣା ଘଟାଉଛନ୍ତି ।‘
ମୋଟର ଯାନ ନିୟମକୁ ଖଣ୍ଡନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ଉଲ୍ଲଂଘନକାରୀଙ୍କୁ ଧାରା ୧୯୪ (l) ଅନୁଯାୟୀ ଦଣ୍ଡିତ କରାଯିବ । ଯାନବାହାନର ଓଭରଲୋଡିଂ ପାଇଁ ୨୦ ହଜାର ଟଙ୍କା ଏବଂ ଅତିରିକ୍ତ ଟନ୍ ପିଛା ୨ ହଜାର ଟଙ୍କା ଜରିମାନା କରାଯିବ । ଆହୁରି ମଧ୍ୟ, ଡ୍ରାଇଭିଂ ଲାଇସେନ୍ସ (DL) ତିନିମାସ ପାଇଁ ରଦ୍ଦ ହୋଇପାରେ ।
୨୦୨୧ ମସିହାରେ ଓଭରଲୋଡ୍ ଯାନ ପାଇଁ ୧୪୪୨ଟି ଦୁର୍ଘଟଣା ଘଟିଥିଲା । ଗାଡ଼ି ଗୁଡିକର ଭାରସାମ୍ୟ ଅବସ୍ଥା ଠିକ୍ ନଥିବା ଯୋଗୁଁ ମୋଟ ୬୭୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାଛଡ଼ା ଭାରସାମ୍ୟ ହରାଇ ଯାନବାହନ ଦୁର୍ଘଟଣାରେ ସମୁଦାୟ ୮୩୪ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୫୮୮ ଜଣ ସାମାନ୍ୟ ଆହତ ହୋଇଛନ୍ତି ।
ବିଭିନ୍ନ ଅପରାଧ ପାଇଁ ଅନ୍ୟ ଯାନ ବିରୋଧରେ ଜରିମାନା ଆଦାୟ କରାଯାଇଛି । ଅନ୍ୟାନ୍ୟ MV ନିୟମକୁ ଖଣ୍ଡନ କରିବା ପାଇଁ ମୋଟ ୮୦୦ ଇ-ଚାଲାଣ ଜାରି କରାଯାଇଥିବା ବେଳେ ୨୬ଟି ଯାନକୁ ଅଟକ ରଖାଯାଇଥିଲା ।
ଏହା ପୂର୍ବରୁ ଓଭରଲୋଡ୍ ଗାଡ଼ି ଉପରେ କଟକଣା ଜାରି କରି ମୋଟ ୮୩ଟି ଇ-ଚାଲାଣ ଜାରି କରାଯାଇଥିଲା, ୨୫ଟି ଗାଡ଼ି ଜବତ କରାଯାଇଥିଲା ଏବଂ ୮୧ଟି ଡିଏଲ୍ ସ୍ଥଗିତ ରଖା ଯାଇଥିଲା । ଏବେ ଓଭରଲୋଡିଂ ବିରୋଧରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ୍ ଆସନ୍ତା ୨୫ ତାରିଖ ଯାଏ ଜାରି ରହିବ ।
Comments are closed.