Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୦ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରଠାରୁ ପଶ୍ଚିମ ଦିଗରେ ଆଗେଇଲେ ପଡେ ହରଚଣ୍ଡି ସାହି ଓ ଗୌଡ଼ବାଡ଼ ସାହି। ଏହି ଦୁଇ ସାହିର ମଧ୍ୟ ସ୍ଥଳ ରେ ଅବସ୍ଥିତ ଶ୍ରୀ ଜମେଶ୍ବର ମହାଦେବଙ୍କ ମନ୍ଦିର। ଏହି ମନ୍ଦିରର ଠିକ ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ମହର୍ଷି କଣ୍ଡୁଙ୍କ ଆଶ୍ରମ। ଅନ୍ୟ ଦୁଇଜଣ ମହର୍ଷି ଅଙ୍ଗିରା ଓ ଭୃଗୁ ସଂସାରୀ ହୋଇଥିବା ବେଳେ କଣ୍ଡୁ ସମ୍ପୂର୍ଣ ରୂପେ ବ୍ରହ୍ମଚାରୀ ଥିଲେ । ତ୍ରେତୟା ଯୁଗରେ ପ୍ରଭୂ ଶ୍ରୀରାମ ବନବାସରୁ ଫେରି ପୁନଃ ରାଜସିଂହାସନରେ ଅଭିଷେକ ହେବା ସମୟରେ ଜଣେ ମହର୍ଷି କଣ୍ଡୁ ସେଠାରେ ଉପସ୍ଥିତ ଥିବାର ବିଷୟ ରାମାୟଣରେ ବର୍ଣ୍ଣିତ ହୋଇଛି। କିନ୍ତୁ ଏହି ମହର୍ଷି କଣ୍ଡୁଙ୍କୁ କେହି କେହି ବର୍ତ୍ତମାନ ଶ୍ରୀକ୍ଷେତ୍ରେ ଆଶ୍ରମ କରିଥିବା କଣ୍ଡୁ ମହର୍ଷିଙ୍କ ପିତା ବୋଲି କହନ୍ତି। କାରଣ ଆଲୋଚ୍ୟ କଣ୍ଡୁ ମହର୍ଷି ଆଦ୍ୟ ଯୌବନରୁ ଅରଣ୍ୟ ଗମନ କରି ଘୋର ତପସ୍ୟାରେ ମଗ୍ନ ହୋଇଥିଲେ। ତାଙ୍କର ତପସ୍ୟା ଏତେ ପ୍ରଚଣ୍ଡ ଥିଲା ଯେ ଦେବରାଜ ଇନ୍ଦ୍ର ଭୟଭୀତ ହୋଇ ତପସ୍ୟା ଭଙ୍ଗ ପାଇଁ ସୁନ୍ଦରୀ ଅପସରା ମାନଙ୍କୁ ପଠାଇଲେ । ତଥାପି କଣ୍ଡୁ ମହର୍ଷି ନିଜ ତପ ତ୍ୟାଗ ନକରି ଶ୍ରୀକ୍ଷେତ୍ର ଆଗମନ କରି ଶ୍ରୀ ଜମେଶ୍ୱର ମହାଦେବଙ୍କ ମନ୍ଦିର ପାର୍ଶ୍ୱରେ ଅବସ୍ଥାନ କଲେ। କାରଣ ସେ ଜାଣିଥିଲେ ଏହି କ୍ଷେତ୍ରରେ ଜନ୍ତୁପତି ଯମଙ୍କ ପ୍ରଭାବ ମଧ୍ୟ ସଙ୍କୁଚିତ । ଏହି ଆଶ୍ରମଟିର କିଛି କିଛି ଅଂଶ ଯଥା ଏହାର ଇଷ୍ଟ ଦେବତା ଅଷ୍ଠଭୁଜ ବିଶିଷ୍ଠ କଣ୍ଡୁ ନୃସିଂହ ଙ୍କ ପାଇଁ ସ୍ଥାୟୀ ମନ୍ଦିର ନିର୍ମିତ ହୋଇଛି। ତେଣୁ ଏହା ସୁରକ୍ଷିତ ଅଛି ଓ ଦୈନିକ ପୂଜା ଵିଧି ମଧ୍ୟ ଚାଲୁଛି। ନିଜ ପରିଚୟ ଗୋପନ ରଖି ଜଣେ ଭକ୍ତ ୧୯୭୦ ମସିହାରୁ ଏହା କରିଆସୁଛନ୍ତି।

ଆଗାମୀ ଅଧ୍ୟାୟରେ ଅନ୍ୟ ମନ୍ଦିର ଓ ଆସ୍ଥାନ କଥା ଆଲୋଚନା କରିବା । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

ସ୍ଵଭାବେ ତ୍ରିଗୁଣ ସଂଯୁକ୍ତ
ଏଣୁ ପ୍ରକୃତି ଭିନ୍ନ ମତ ।
ଯାହାକୁ ଯେମନ୍ତ ଦିଶଇ
ସେ ଭାବେ ବେଦ ଅଭ୍ୟାସଇ ।
ଏଣୁ ପ୍ରାକୃତି ଭେଦ ମତେ
. ଅର୍ଥ ନଜାଣନ୍ତି ସମସ୍ତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.