ନବରାତ୍ରର ନବସ୍ୱରୂପର ଚତୁର୍ଥ ରୂପ ‘ମା’ କୁଷ୍ମାଣ୍ଡା’
ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା’ ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ପ୍ରାପ୍ତ ହୁଏ । କଥିତ ଅଛି ଯେ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ଯେଉଁ ତେଜ ନିର୍ଗତ ହୁଏ ତାହାର ସୃଷ୍ଟି କର୍ତ୍ତ୍ରୀ ହେଉଛନ୍ତି ଦେବୀ କୁଷ୍ମାଣ୍ଡା।
ପୌରାଣିକ ମତ ଅନୁସାରେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି। ମା’ଙ୍କର ଏହି ରୁପକୁ ରୂପରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ମା’ଙ୍କ ଆରାଧନାରେ :-
ଚତୁର୍ଥ ଦିବସେ କୁଷ୍ମାଣ୍ଡା ରୂପେ
ଅମୃତ କଳସୀ ଧରିବ
ସୃଷ୍ଟି ନିର୍ମାଣେ ମା’ ସହଭାଗୀ ହୋଇ
ବ୍ରହ୍ମାଣ୍ଡ ରଚନା କରିବ।
ଯେତେବେଳେ ଏ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ମା’ କୁଷ୍ମାଣ୍ଡା ଏହି ସୃଷ୍ଟିର ରଚନା କରିଥିଲେ। ସେଥିପାଇଁ ଦେବୀଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି କୁହାଯାଏ। ମା’ଙ୍କ ସ୍ୱରୂପ ହେଉଛି ସିଏ ସିଂହାରୁଢା ତଥା ଅଷ୍ଟଭୂଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ ମଧ୍ୟ ପକ୍ଷାନ୍ତରେ କୁଷ୍ମାଣ୍ଡା କୁହାଯାଇଥାଏ। ମାନ୍ୟତା ଅଛି ଯେ ଦେବୀଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।
ମା’ କୁଷ୍ମାଣ୍ଡାଙ୍କ ଉପାସନା କଲେ ଭକ୍ତଙ୍କ ସମସ୍ତ ରୋଗ ଶୋକ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
Comments are closed.