Latest Odisha News

BREAKING NEWS

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ

ପାର୍ଥସାରଥୀ ସାମଲ

୨୦୧୩ ମସିହା। ବାଣୀବିହାରରେ ସ୍ନାତକୋତ୍ତର ପ୍ରଥମ ବର୍ଷ ସରିଥାଏ। ଗୋପବନ୍ଧୁ ଛାତ୍ରାବାସରେ ଥିଲୁ। ରଥଯାତ୍ରା ପୂର୍ବଦିନ ଛାତ୍ରାବାସର କିଛି ସାଙ୍ଗ ନିଷ୍ପତି ନେଲୁ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଯିବା। ପୁରୀରୁ ଜଣେ ସାଙ୍ଗ ଥିଲା। ତାକୁ ଆମର ଲିଡର କରାଗଲା। ପଣ୍ଡା ପୁଅ ସେ। ସକାଳ ୬.୦୦ ରେ ଗୋଟେ ଟ୍ରେନ ଥିଲା। ସେଥିରେ ବାହାରି ଯିବା ପାଇଁ ସ୍ଥିର କରାଗଲା।

ପରଦିନ ସକାଳୁ ନିଦରୁ ଉଠିଲି। ମନ ପ୍ରଫୁଲ୍ଲ। ଜଗାକୁ ରଥ ଉପରେ ଦେଖିବି। ତାର ପହଣ୍ଡି ଦେଖିବି। ହଟାଠ ମନଟା ମଉଳିଗଲା। ଘଣ୍ଟା ଦେଖେ ତ ବାଜିଛି ୭.୦୫। ଯିବାର ଥିଲା ୬ଟା ରେ। ପାଖ ରୁମ କୁ ଯାଇ ଦେଖେ ତ ସମସ୍ତେ ଛୁ। ଫୋନ କଲି ସେମାନଙ୍କୁ। ଗଧ ଭଳି ଶୁଏ ମୁଁ। ବାରମ୍ବାର ଡାକିଛନ୍ତି ସେମାନେ। ମୁଁ ନ ଉଠିବାରୁ ସେମାନେ ଚାଲି ଯାଇଛନ୍ତି। ପଚାରିଲି ପରବର୍ତ୍ତୀ ଟ୍ରେନ କେବେ। ଉତ୍ତର ଆସିଲା ୭.୪୦ ରେ। ଫୋନ କାଟିଦେଲି। କ୍ଷଣିକ ପାଇଁ ଭାବିଲି। ଯିବି କି ନାହିଁ??? ମୋ ଆତ୍ମା ଯେମିତି ମତେ ଉତ୍ତର ଦେଉଥିଲା – ତତେ ପରା କାଳିଆର ପହଣ୍ଡି ଦେଖିବାର ଅଛି। ଟିଭିରେ କେମିତି ବଲବଲ କରି ଦେଖୁ ଯେ ତାର ପହଣ୍ଡି ! ଏକ ଲୟ ରେ ଚାହିଁ ଥାଉ! ଆଜି କଣ ସ୍ଵଚକ୍ଷୁରେ ଦେଖିବୁନି ! ଚାଲ। ତତେ ପୁଣି ଘଣ୍ଟୁଆ ଙ୍କ ଘଣ୍ଟ ବାଦ୍ୟ ତାଳରେ ଘଣ୍ଟ ବାଡ଼େଇବା ପାଇଁ ଆଜି ବି ଇଚ୍ଛା ହୁଏ ନା ! ଚାଲ। ଭାବୁଛୁ କଣ!

ଆଉ କିଛି ନ ଭାବି ମୁଁ ସିଧା ଚାଲିଲି ଗାଧେଇବାକୁ। ଗାଧୋଇ ସାରି ଆସି କଳା ପ୍ୟାଣ୍ଟ ଆଉ ଧଳା ଟି-ସାର୍ଟ ଗୋଟେ ପିନ୍ଧିଲି। ପାଖରେ ଟଙ୍କା ୪୦ଟା ଥାଏ। ସେତକ ପାକିଟିରେ ପୁରେଇ ଚାଲିଲି। ଯାହା ହେବ ଦେଖା ଯିବ।

ଛାତ୍ରାବାସରୁ ବାଣୀବିହାର ଅଟୋ ଷ୍ଟାଣ୍ଡ ୨ କିମି ହେବ। ଚାଲିବା ଆରମ୍ଭ କଲି। ସେ ଚାଲିବା ମୋର ଦୌଡ଼ିବା ସଙ୍ଗେ ସମାନ ଥିଲା। ଗୋବିନ୍ଦ ସାହୁ ମାର୍କେଟ ରୁ ଟିକେ ଆଗକୁ ଗଲା ପରେ ବାଇକ ଲିଫ୍ଟ ମିଳିଗଲା। ଅଟୋରେ ବସୁ ବସୁ ଅଟୋ ଛାଡ଼ିଲା। ବାଣୀବିହାର ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ମତେ ଲାଗୁଥିଲା ସତେ ଯେମିତି ସମୟ ଟା ମୋ ହାତ ଛାଡ଼ି ଆଗକୁ ଦୌଡ଼ି ପଳାଉଛି। ମାଷ୍ଟର କ୍ୟାଣ୍ଟିନ ରେ ଅଟୋ ରୁ ଓଲହେଇଲି। ଘଣ୍ଟାରେ ସମୟ ୭.୩୭। ହାତରେ ଆଉ ୩ ମିନିଟ ସମୟ ଥାଏ। ଆଖି ବୁଜି ଦୌଡ଼ିଲି ଟିକେଟ କାଉଣ୍ଟର କୁ। ସେତେବେଳେ ଭୁବନେଶ୍ବର ରେଲୱେ ଷ୍ଟେସନର ବୁକିଙ୍ଗ କାଉଣ୍ଟର ସାମ୍ନା ରେ ଥିଲା। ଜେନେରାଲ ବୁକିଙ୍ଗ କାଉଣ୍ଟର ରେ ପହଁଚିଲା ବେଳକୁ ଲମ୍ବା ଲାଇନ। ଜାଣିଥିଲି ଯେ ସେ ଟ୍ରେନ ଆଉ ଧରି ପାରିବିନି। ତାର ଅର୍ଥ ମୁଁ ଆଉ ପହଣ୍ଡି ଦେଖି ପାରିବିନି। ତଥାପି ଧାଡ଼ି ରେ ଛିଡ଼ା ହେଲି। ଅତି ଜୋର ରେ ୨ ମିନିଟ ଛିଡ଼ା ହେଇଥିବି। ତା ପରେ ଭାବିଲି – ଆଉ ମୋ ପାଖରେ ୩୨ ଟଙ୍କା ତ ଅଛି। ଟିଟିଇ ଧରିଲେ ଧରିବ। ଏଇଆ ଭାବି ଷ୍ଟେସନ ଭିତରକୁ ଦୌଡ଼ିଲି। ୧ ନଂ ପ୍ଲାଟଫର୍ମ ରେ ପହଁଚିକି ଦେଖେ ତ ସେ ଟ୍ରେନ ୩ ନଂ ପ୍ଲାଟଫର୍ମ ରେ ଛାଡ଼ିଲାଣି। ମୋ ଆଖି ଆଗରେ ଟ୍ରେନ ଗଡୁଥିଲା। ପୁରୀ ଆଡ଼କୁ। ହତୋତ୍ସାହିତ ହେଇଯାଇଥିଲି। ପୁନର୍ବାର ଭାବିଲି। ଯିବି କି ନାହିଁ। କିଛି ନିଷ୍ପତି ରେ ପହଁଚିବା ପୂର୍ବରୁ ମୁଁ ଦୌଡ଼ୁଥିଲି। ଫୁଟ ଓଭରବ୍ରିଜ ଦେଇ ୩ ନଂ ପ୍ଲାଟଫର୍ମ ରେ ପହଁଚିଲା ବେଳକୁ ଟ୍ରେନ ଆଉ ଟିକେ ଆଗକୁ ଚାଲିଯାଇଥିଲା। ମୋ ପହଁଚିବାର ସକ୍ଷମତାର ବାହାରେ। ମୋ ଆଖି ଆଗରେ ଚାଲି ଯାଉଥିଲା ସେ ଟ୍ରେନ। ହଟାଥ ଜଣେ ଲୋକ ଟ୍ରେନ ର ଶେଷ ଆଡ଼କୁ ଥିବା ଗୋଟେ ଡବାର ଦ୍ୱାର ପାଖରେ ଠିଆ ହେଇ, ହାତ ବଢ଼େଇ ଡାକୁଛି, “ଭାଇ, ପଳେଇ ଆସ। ଏ ଟ୍ରେନ ଖାଲି ଯାଉଛି। ଆ’ପର ଟ୍ରେନ ରେ ସବୁ ବହୁତ ଭିଡ଼ ଥିବ। ପଳେଇ ଆସ ଭାଇ। ଦୌଡ଼ି ଗଲି। ଦୌଡ଼ି ଦୌଡ଼ି ତାର ହାତ ଧରି ଚଢ଼ିଗଲି। ରଥଯାତ୍ରା ଦିନ ସକାଳୁ ସକାଳୁ ସେ ଟ୍ରେନର ସେଇ ଡବା ରେ ୨୦ କି ୩୦ ଜଣ ଲୋକ ଥିଲେ। ବଡ଼ ଆଶ୍ଚର୍ଯ୍ୟ !!! ଶେଷରେ ମୁଁ ପହଞ୍ଚିଗଲି। ପୁରୀ ରେ।

ରେଲୱେ ଷ୍ଟେସନ ରୁ ଲୋକ ମାନଙ୍କର ପିମ୍ପୁଡି ଧାର ଲାଗି ଥାଏ। ସେଇ ଧାର ରେ ମୁଁ ଚାଲିଲି। ବଡ଼ ଦାଣ୍ଡ ରେ ପହଞ୍ଚି ଦେଖେ ତ ମୋ ଆଗରେ ଜନ ସମୁଦ୍ର। ପହଣ୍ଡି ଦେଖିବାକୁ ହେଲେ ମତେ ଆଗକୁ ଯିବାକୁ ପଡ଼ିବ। କିନ୍ତୁ କେମିତି ! ବଡଦାଣ୍ଡରେ ଲାଗିଥିବା ବଡ ବଡ ଟିଭି ସ୍କ୍ରିନରେ ଦେଖିଲି ଯେ କାଳିଆ ର ପହଣ୍ଡି ଏଇନେ ଆରମ୍ଭ ହେଇଛି। ବଡ଼ ମନ ଦୁଃଖ ହେଲା। ତଥାପି ଧୀରେ ଧୀରେ ଆଗକୁ ଯିବାକୁ ଚେଷ୍ଟା କଲି। ମନ ଦୁଃଖ କରୁ ଥାଏ। ନିଜକୁ ଗାଳି ଦେଉଥାଏ ଡେରି ରେ ଉଠି ଥିବାରୁ। ଏତିକି ବେଳକୁ ମୋ ପଛ ପଟୁ ଗୋଟେ ଆମ୍ବୁଲାନ୍ସ ଆସିଲା। ଆଗକୁ ବଢ଼ିଲା। ଭାବିଲି ୟା ପଛରେ ଗଲେ କିଛି ଦୂର ପହଞ୍ଚି ଯିବି ବିନା କଷ୍ଟ ରେ ଆଉ ଠେଲାପେଲାରେ। କିନ୍ତୁ ଆଶ୍ଚର୍ଯ୍ୟ !!! ଆମ୍ବୁଲାନ୍ସ ତ ଗଡ଼ି ଚାଲୁଥାଏ। ଏବଂ ମୁଁ ତା ପଛରେ ଦୌଡୁଥାଏ। ଆମ୍ବୁଲାନ୍ସ ରହିଲା ପରେ ମୁଁ ଦେଖେ ତ ମୁଁ ଆସି ସବା ଆଗରେ ପହଞ୍ଚି ଯାଇଛି। ଆଉ ଠିକ ସେତିକି ବେଳକୁ କାଳିଆ ବାହାରି ଆସୁଥିଲା ବାଇଶି ପାହାଚ ଆଡ଼ୁ। ଖେଚୁଡ଼ି ଖାଇ। ହଲି ହଲି। ଝୁଲି ଝୁଲି। ସତେ ଯେମିତି ପହଣ୍ଡି ତା ପାଇଁ ରଜ ଦୋଳି। ଟାହିଆର ନାଚରେ ତାଳ ଦେଇ ନାଚି ନାଚି ବଡ଼ ଦାଣ୍ଡକୁ ଓଲହେଇଆସେ ସେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ। କି ଅପୂର୍ବ ଦୃଶ୍ୟ ସେ। ସେମିତି ଚାହିଁ ରହିଥିଲି। ପୁଲିସ କର୍ଡନ ର ସେ ଦଉଡ଼ି ଧରି ଛିଡ଼ା ହେଇଛି। ଘଣ୍ଟୁଆ ମାନେ ଘଣ୍ଟ ବଜେଇ ଚାଲିଛନ୍ତି। ଭକ୍ତ ମାନଙ୍କର ହରିବୋଲ ଡାକରେ ମୋ ହାତ ଦୁଇ ଆପେ ଆପେ ଉପରକୁ ଉଠି ଯାଉଛି ଆଉ କାଳିଆ ମୋ ଆଖି ଆଗରେ ନାଚି ନାଚି ରଥ ଉପରକୁ ଯାଉଛି। କି ଲୀଳା ସେ କାଳିଆର !!! କେଡ଼େ ସୁନ୍ଦର ସେ ଦୃଶ୍ୟ !

ସତେ ଯେମିତି ସେତିକିରେ ମୋ ମନ ଖୁସି ହେଇଯାଇଥିଲା। ପଛକୁ ଫେରି ଆସିଲି। କୁହା ଯାଏ ଦଶହରା ଏବଂ ଶ୍ରୀଗୁଣ୍ଡିଚା ରେ ଆକାଶରେ ବାଦଲ ନ ଥିଲେ ବି ଟିକେ ବର୍ଷା ହେବ। ପଛକୁ ଫେରୁଛି। ଝିପି ଝିପି ବର୍ଷାରେ ସମସ୍ତଙ୍କୁ ଭିଜେଇ ଦେଲା କାଳିଆ। ଏବେ ମୁଁ ଭାବିଲି କଣ କରିବି। କିନ୍ତୁ ଏ କଣ ! ସାମ୍ନାରେ ଦେଖେ ତ ଛିଡ଼ା ହେଇଛନ୍ତି ସାଙ୍ଗମାନେ। ବାଣୀବିହାରର ସେଇ ସାଙ୍ଗମାନେ। ଖୁସି ହେଇଗଲି। କିଛି ସମୟ ବୁଲିଲୁ। ତା ପରେ ଗଲୁ ପଣ୍ଡା ପୁଅ ଘରକୁ। ଘରେ ତାଙ୍କର ରନ୍ଧା ହେଇଥାଏ ଅରୁଆ ଭାତ ଆଉ ଡାଲମା। ଘିଅ ଛୁଙ୍କ ଦିଅ ଯାଇଥାଏ। ମନ ଭରି ଖାଇଲୁ। ତା ପରେ ସମୁଦ୍ର କୂଳକୁ ବୁଲିଗଲୁ। ସେଠୁ ଫେରିଲା ପରେ ଏବେ ସମୟ ରଥ ଟାଣିବାର। ପ୍ରଥମଥର ରଥ ଟାଣୁଥାଏ ପୁରୀ ରେ। କି ରୋମାଂଚକର ଅନୁଭୂତି ସେ! ! ଭାଇ ଭଉଣୀ ମାଉସୀ ଘରେ ପହଞ୍ଚି ନ ଥିଲେ। ଆମେ ଭୁବନେଶ୍ୱର ଫେରିବା ପାଇଁ ପ୍ରସ୍ତୁତ ହେଇଗଲୁ।

ଏବେ ଭୁବନେଶ୍ୱର କୁ ଫେରିବାର ସମୟ। ତପସ୍ୱିନୀ ଏକ୍ସପ୍ରେସରେ ଚଢ଼ିଲୁ। ନାହିଁ ନ ଥିବା ଭିଡ଼।ବଡ଼ କଷ୍ଟ ରେ ଭୁବନେଶ୍ୱର ରେ ପହଁଚିଲୁ। କିନ୍ତୁ ସେ କଷ୍ଟ କୁ ମୁଁ ସେଇ ଷ୍ଟେସନରେ ଛାଡ଼ିଦେଇ ଆସିଥିଲି।

ରାତିରେ ନିରୋଳାରେ ବସିଥିବାବେଳେ ନିଜକୁ ନିଜେ କହୁଥିଲି – ଏବେ ବୁଝିଲୁ ତ !!! କାଳିଆ ର ଡୋରି କେମିତି ଲାଗେ। ଟ୍ରେନ ରେ ହାତ ବଢ଼େଇ ଡାକୁଥିବା ସେ ଅଚିହ୍ନା ଯୁବକ ଜଣକ କାଳିଆ ହିଁ ଥିଲା। ଆଗକୁ ମାଡିଯାଉଥିବା ସେ ଆମ୍ବୁଲାନ୍ସ ର ଡ୍ରାଇଭର କାଳିଆ ହିଁ ଥିଲା। ସାଙ୍ଗ ଘରେ ଖାଇଥିବା ଅରୁଆ ଭାତ ଆଉ ଡାଲମା ଶ୍ରୀମନ୍ଦିରର ଅଭଡ଼ା ହିଁ ଥିଲା।

ମତେ କାଳିଆର ଡୋରି ଲାଗିଥିଲା…

…………………………………
ଓଡ଼ିଶା ଆଦର୍ଶ ବିଦ୍ୟାଳୟ,
ଲାଞ୍ଜିଗଡ, ଜିଲ୍ଲା- କଳାହାଣ୍ଡି
ଫୋନ- ୮୨୪୯୪୮୪୨୦୩

Leave A Reply

Your email address will not be published.