ଜୀବାଳି
ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ
ହଁ, ଯା’ କହିଲ ଠିକ୍
ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ
ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ,
ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍
ସ୍ଵର୍ଗଦ୍ଵାର ଦର୍ଶନ!
ତମେ ଠିକ୍ କହିଚ,
ମୁଁ’ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ
ଏବେ ଶେଷ ଦେଖା ପାଇଁ କେବଳ ଅଭିମନ୍ତ୍ରିତ।
କହିଥିଲ ମନେଅଛି,
ସପନବିଳାସୀ, ଆମେ ମିଳନାଭିଳାଷୀ
ମଧୁମଳୟ ଡାକେ ପୀରତି ବେଣୁ ସୁରେ…
ମୁଁ ବି କୋଉ କମ୍ କି ପାଳି ଧରିବାରେ
ବିଲବଣ ସାକ୍ଷୀ, ଆସ ମଧୁମକ୍ଷୀ
ବେଳନାହିଁ ବେଳନାହିଁ
ତରବର ହୁଏ ଏ ଦୁଷ୍ଟ ସମୟ
ଆମରି ମିଳନ ପାଇଁ,
ସବୁ ଗୀତର ଅନ୍ତ ଯଦି କଳ୍ପାନ୍ତ ହେଇଥାନ୍ତା,
ମୁଁ ହୁଏତ ଖୁସି ହେଇଥାନ୍ତି
ଏ କବିତା ର ନାଁ’ ଯେ ‘ଦେହାନ୍ତ’ !
ତମେ ଠିକ୍ କରିଚ ବି
ଚାରି ବିଦ୍ୟା ପ୍ରୟୋଗ କରି
ମୁଁ ମୁଣ୍ଡ ତଳକୁ କରି ମାନୁଛି
ତମ ସମସ୍ତ
ମୋହନ, ବଶୀକରଣ, ସ୍ତମ୍ଭନ, ଉଚ୍ଚାଟନ
କଟେଇବାର ନାହିଁ ମୋହ ମୁଦଗର
ଫିଟେଇବାର ନାହିଁ ଆଖିର ପରଳ,
ହଟେଇବାର ନାହିଁ ଦେହରୁ ନିର୍ମୋକ
ଅଭିଶାପର ଉଷ୍ମତା
ଆଉ ଅନୁତାପର ଆର୍ଦ୍ରତାରେ କଲବଲ,
ଡହଳବିକଳ ହବା
ମୋ ପାଇଁ ମଞ୍ଜୁର୍ ।
ହଁ ମୁଁ ଦଗ୍ଧ ଫୁଲବଣ
ତମ ହାତରେ କ୍ଳାନ୍ତ ତରବାରୀ
ଏମିତି ପ୍ରେମରେ ବା କି ଲାଭ
ରଙ୍ଗ ସବୁ ଫିକା ହବା ପରେ
ଆଉ କ’ଣ ଅଛି ଯେ କହିବି
ଆଉଥରେ ସ୍ୱପ୍ନ ଦେଖ ।
ଅବାଞ୍ଛିତ ଶିଶୁ ପରି ପେଟରେ ବଢେ ଡର
ମୁହଁ ତଥାପି ଲାଜ ସରସର
ମୃଦୁ ମୃତ୍ୟୁର ମେହେଗାନି ପଲଙ୍କରେ
ଏ ଯେ ଅଜବ ଜୀବନ-ଯଉବନ ବେଭାର,
ତମେ ଏତିକି କର
କିଛି ଲୁହ ଅନ୍ତତଃ ବିଞ୍ଚିଦିଅ
ଇନ୍ଦ୍ରଧନୁ ରଙ୍ଗର ।