Latest Odisha News

BREAKING NEWS

ଏୟାର ଇଣ୍ଡିଆରେ ନିୟମ ପରିବର୍ତ୍ତନ, ବୃଦ୍ଧି ପାଇବ ବରିଷ୍ଠ ନାଗରିକଙ୍କ ବିମାନ ଭଡା

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଏୟାର ଇଣ୍ଡିଆ ନିୟମ। ବିମାନ ଭଡ଼ା କମିବା ପରିବର୍ତ୍ତେ ବୃଦ୍ଧି ଘଟିଛି। ଟାଟା ଗ୍ରୁପ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛି ସ୍ୱତନ୍ତ୍ର ରିହାତି। ବିମାନ ସେବା ପକ୍ଷରୁ କୁହାଯାଇଛି ଯେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ବିମାନ ଟିକେଟରେ ୫୦ ପ୍ରତିଶତରୁ ୨୫ ପ୍ରତିଶତକୁ ରିହାତି ହ୍ରାସ କରାଯାଇଛି। ଅର୍ଥାତ୍ ପୂର୍ବରୁ ବିମାନ ଭଡ଼ା ୫୦ ପ୍ରତିଶତ ରିହାତି ଦେଉଥିବା ବେଳେ ଏବେ ୨୫ ପ୍ରତିଶତ ରିହାତି ଦେବେ। କହିବାକୁ ଗଲେ ଏୟାର ଇଣ୍ଡିଆ ବିମାନ ଭଡ଼ା ବୃଦ୍ଧି କରିବାକୁ ଯାଉଛି।

କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୯ ରୁ ବିମାନ ଭଡାରେ ସଂଶୋଧିତ ରିହାତି କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏହି ଦୁଇଟି ବର୍ଗରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲା। ଏୟାର ଇଣ୍ଡିଆର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ‘ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୯ ତାରିଖ କିମ୍ବା ଏହା ପରଠାରୁ ଦିଆଯାଇଥିବା ଟିକେଟର ମୂଳ ଭଡା ଉପରେ ୨୫ ପ୍ରତିଶତ ରିହାତି ପାଇପାରିବେ। ଇକୋନୋମି କ୍ୟାବିନରେ ସିଲେକ୍ଟ ବୁକିଂ ଶ୍ରେଣୀରେ ଏହି ରିହାତି ଉପଲବ୍ଧ ହେବ।’

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ବଜାର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରିହାତି ଉପରେ ଆମେ ପରିବର୍ତ୍ତନ କରିଛୁ। ସେ ଆହୁରୀ କହିଛନ୍ତି ଯେ ଅନ୍ୟ ବେସରକାରୀ ବିମାନ ସେବା ତୁଳନାରେ ବେସ୍ ଭଡା ଉପରେ ରିହାତି ପ୍ରାୟ ଦୁଇଗୁଣ ଥିଲା। ଏହା ବ୍ୟତୀତ ଅନ୍ୟ କ୍ୟାଟାଗରୀରେ ମିଳୁଥିବା ରିହାତି ପୂର୍ବ ଭଳି ଜାରି ରହିବ।

ସୂଚନା ଥାଉକି ଯେ ଟାଟା ଗ୍ରୁପ, କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଚଳିତ ବର୍ଷ ଜାନୁୟାରୀ ୨୭ ତାରିଖରେ ସରକାରଙ୍କଠାରୁ ଅଧିଗ୍ରହଣ ସମାପ୍ତ କରିଛି। ଏହି ଅଧିଗ୍ରହଣ ପରେ ଏୟାର ଇଣ୍ଡିଆର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ମଧ୍ୟ ନେଇଛି ଟାଟା ଗ୍ରୁପ। କମ୍ପାନୀ ଦ୍ୱାରା କର୍ମଚାରୀ ଏବଂ ସେମାନଙ୍କ ପରିବାର ଚିକିତ୍ସା ବୀମା ସୁବିଧା ଯୋଗାଇ ଦେଇଛି।

Comments are closed.