Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ବିଜେପି ଘେରିଲା, ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଜେରା ପାଇଁ ଡାକିଲା

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସକ୍ରିୟ ହୋଇଛି ପୋଲିସ। ବିଜେପି ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହିତ ଭୁବନେଶ୍ବର ଡିସିପି ଅଫିସ ଘେରାଉ କରି ଭାଇରାଲ ହୋଇଥିବା ଅଡିଓ କ୍ଲିପ ହସ୍ତାନ୍ତର କରିଥିଲା। ଏହାପରେ ଅଡିଓ କ୍ଲିପରେ ଧର୍ମେନ୍ଦ୍ର ସାହୁ ଯେଉଁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ କଥା ହୋଇ ଆତ୍ମହତ୍ୟା ପୂର୍ବରୁ ସମସ୍ତ ଘଟଣା ବାବଦରେ କହିଥିଲେ ତାଙ୍କ ଘରେ ପହଞ୍ଚିଥିଲା ପୋଲିସ । ଆଉ ଆଜି ତାଙ୍କୁ ଧଉଳି ଥାନାରେ ହାଜର ହେବାକୁ ନୋଟିସ କରିଛି।

ଶନିବାର ବିଜେପି ପକ୍ଷରୁ ଏହି ମାମଲାରେ ଭୁବନେଶ୍ବର ଡିସିପି ଅଫିସ ଘେରାଉ କରିଥିଲା ପୁରୀ ଏବଂ ଭୁବନେଶ୍ବର ଜିଲ୍ଲା ବିଜେପି। ଯେଉଁଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ। ପ୍ରତିବାଦ ସମୟରେ ବିଜେପି ନେତ୍ରୀ ପ୍ରଭାତି ପରିଡା କହିଥିଲେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ସପ୍ତାହେ ବିତିଛି। ହେଲେ ପୋଲିସ କଣ କରୁଛି ତାହା ଜଣାପଡୁନି। ସେପଟେ ଭାଇରାଲ ଅଡିଓ କ୍ଲିପକୁ ପୋଲିସ ତଦନ୍ତ ପରିସରଭୁକ୍ତ କାହିଁକି କରୁନି ତାହା ବୁଝାପୁଡୁନି। ପୋଲିସ ପାଖରେ ଏହି ମାମଲାର ସମସ୍ତ ପ୍ରମାଣ ରହିଛି। ପୋଲିସ ଯଦି ମାମଲାକୁ ମୋଡିବାକୁ ପ୍ରୟାସ କରିବ ତାହେଲେ ବିଜେରି ରାଜରାସ୍ତାକୁ ଓହ୍ଲାଇବ।

ସେହିପରି ଏହି ବିଜେପି ନେତ୍ରୀ ଜଣଙ୍କ କହିଥିଲେ, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଜଣେ ସାମ୍ବାଦିକଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ସମୟରେ ସେ ମନ୍ତ୍ରୀ ସମୀର ଦାଶଙ୍କ ସମେତ ଅନେକଙ୍କ ନାଁ ନେଇଥିଲେ। ପୋଲିସ ଏହି ମାମଲାରେ ସବୁ ଜାଣିଛି। ହେଲେ ମନ୍ତ୍ରୀଙ୍କୁ କାହିଁକି ଏଯାବତ ତଦନ୍ତ ପରିସରଭୁକ୍ତ କରୁନି ବୋଲି ସେ ପ୍ରଶ୍ନ କରିଥିଲେ। ପରେ ସେ ଏବଂ ତାଙ୍କ ସହ ଥିବା ବିଜେପି ଟିମ୍ ଯାଇ ଡିସିପିଙ୍କୁ ଭେଟିଥିଲେ। ଆଉ ଶୀଘ୍ର ନ୍ୟାୟ ଦାବି କରିଥିଲେ। ଯଦି ବିଳମ୍ବ ହୁଏ ତାହେଲେ ସାତ ଦିନ ବେଳକୁ ବିଜେପି ଆହୁରି ଜୋରଦାର ପ୍ରତିବାଦ କରିବ ବୋଲି କହିଛି। ଆଉ ଭାଇରାଲ ଅଡିଓଟିକୁ ଡିସିପିଙ୍କୁ ଦେବା ସହ ଘଟଣା ବାବଦରେ ଅବଗତ କରାଇଥିଲା ବିଜେପି ଟିମ୍।

ଏହାପରେ ପୋଲିସ ଅଡିଓ କ୍ଲିପରେ ଯେଉଁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଫୋନରେ ଧର୍ମେନ୍ଦ୍ର କଥା ହୋଇଥିଲେ ସେହି ପୋଲିସ ଘରେ ପହଞ୍ଚିଥିଲା ପୋଲିସ। ଆଉ ପଚରାଉଚରା କରିଥିଲା। ଏବେ ରବିବାର ଏହି ମାମଲାରେ ଧଉଳି ଥାନାରେ ହାଜର ହେବାକୁ ପୋଲିସ କହିଛି। ସେହିପରି ଏହି ଘଟଣାରେ ଥିବା ସମସ୍ତ ପ୍ରମାଣପତ୍ର ଡିସିପି ଅଫିସରେ ଦାଖଲ କରିବାକୁ କହିଛି।

ଏହି ମାମଲାରେ ପୋଲିସ ଭୁବନେଶ୍ବରରୁ ଗୋପ ଯାଏ ତଦନ୍ତ କରିଛି ହେଲେ କଣ ସିଦ୍ଧାନ୍ତରେ ଉପନୀତି ହୋଇଛି ତାହା ଅସ୍ପଷ୍ଚ ରହିଛି। ତେଣୁ ପୋଲିସର ନିରବଦ୍ରଷ୍ଚା ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି।

Leave A Reply

Your email address will not be published.