Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୩

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅବତାରୀ ପୁରୁଷ ଭାବରେ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ଅନେକ କବି, ଭକ୍ତ, ଯୁଗପୁରୁଷମାନେ ସେମାନଙ୍କ ସ୍ଵ ସ୍ଵ ମତ ରଖିଛନ୍ତି, କବି ଜଗନ୍ନାଥ ଦାସଙ୍କ ଭାଷାରେ “ଯେତେ ଯେତେ ବିଷ୍ଣୁ ଅବତାର, ଏହି କ୍ଷେତ୍ରରୁ ସେ ବାହାର, ଏ ଦେବ ଦେବ ଙ୍କ ଉତ୍ତମ ଏ କ୍ଷେତ୍ର ପୁରୁଷ ଉତ୍ତମ । “ସେହିପରି ଭକ୍ତ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ଶୂନ୍ୟ ସଂହିତା କହେ :- “ଅବତାର ଦଶ ଏହି ଦାରୁ ରୂପ, ଏହି ଦାରୁରେ ସେ ଲୀନ, ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ, ବିଜେ ରତ୍ନ ସିଂହାସନ।” କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ “ଦଶ ଅବତାର ଲୀଳା
ଯାତ୍ରା ବିରଚନ, ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥାମାନ ।” ଏହି ଉକ୍ତି ଗୁଡିକ ବିଚାରକୁ ନେଇ ଆମେ ଶ୍ରୀଜଗନ୍ନାଥଙ୍କୁ ମହାଗ୍ରହ ରୂପରେ ଅଥବା ଗ୍ରହରୂପୀ ଜନାର୍ଦ୍ଦନ, ସର୍ବଗ୍ରହ ସ୍ୱରୂପ ରୂପେ ଗ୍ରହଣ କରିଛେ ଓ ଆଲୋଚନାରେ କହିଛେ ବିଭିନ୍ନ ଅବତାର ଗୁଡିକ ବିଭିନ୍ନ ଗ୍ରହ ରୂପେ ପ୍ରକାଶିତ। ଏବେ ଆସନ୍ତୁ ଶ୍ରୀ ଜଗନ୍ନାଥଙ୍କ ରୀତିନୀତିରେ ଗ୍ରହମାନଙ୍କ ଭୂମିକା କଣ ତାହା ଆଲୋଚନା କରିବା। ଗୋଟିଏ ଗୋଟିଏ ଅବତାର ଗୋଟିଏ ଗୋଟିଏ ଗ୍ରହ ସହ ଜଡିତ ଏବଂ ଶ୍ରୀଜଗନ୍ନାଥଙ୍କଠାରୁ ସୃଷ୍ଟି ହୋଇଛନ୍ତି। ତଥାପି ଶ୍ରୀଜଗନ୍ନାଥଙ୍କ ଗ୍ରହପୀଡାର ପ୍ରତିକାର ପାଇଁ ଶ୍ରୀମନ୍ଦିର ନୀତିରେ ଗ୍ରହ ପୂଜା ଓ ନକ୍ଷତ୍ର ବନ୍ଦାପନା ଇତ୍ୟାଦି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ନୀତି ଅନୁସାରେ ପ୍ରତିଦିନ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୁଏ।

ଶ୍ରୀମନ୍ଦିର ମଧ୍ୟରେ ପ୍ରତିଦିନ ନବଗ୍ରହ ପୂଜା ମଧ୍ୟ ନବଗ୍ରହ ମନ୍ଦିରମାନଙ୍କରେ ଅନୁଷ୍ଠିତ ହୁଏ ସବୁଠାରୁ ଆଶ୍ଚର୍ଯ୍ୟ କଥା ଶ୍ରୀମନ୍ଦିରର ନବଗ୍ରହ ମନ୍ଦିରରେ (ଲଷ୍ମୀ ମନ୍ଦିର ନିକଟ ) ଗ୍ରହମାନଙ୍କ ସ୍ଥିତି, ବାହାର ମନ୍ଦିରମାନଙ୍କଠାରୁ ଭିନ୍ନ, କାରଣ ସାଧାରଣରେ ନବଗ୍ରହ ବିଗ୍ରହମାନେ ଯଥାକ୍ରମେ ବାମରୁ ଡାହାଣକୁ କ୍ରମରେ ରହନ୍ତି । ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ। କିନ୍ତୁ ଏହି କ୍ରମରେ ଗ୍ରହମାନେ ରହିଲେ ମଧ୍ୟ ଶ୍ରୀମନ୍ଦିରରେ ରବି ଦକ୍ଷିଣରେ ଓ କେତୁ ବାମରେ ରହନ୍ତି । ଏହାର ପ୍ରକୃତ ଉଦ୍ଦେଶ୍ୟ କଣ ଜଣା ନଥିଲେ ମଧ୍ୟ, କେବଳ ଏତିକି କହି ପରିବା ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ
ଦେବେ ନ ଜାନlତି, କୃତଃ । ସମସ୍ତ ନବଗ୍ରହଙ୍କର ସମନ୍ୱୟ ଦେବତା ଶ୍ରୀଜଗନ୍ନାଥଙ୍କ ପାଖରେ ଗ୍ରହମାନଙ୍କ ସ୍ଥିତି କିଛି ବିଶେଷ ପ୍ରଭାବ ରଖେନି। ଶ୍ରୀମନ୍ଦିର ପ୍ରବେଶ ପଥରେ, ତଥା ଅନ୍ୟ ମନ୍ଦିରମାନଙ୍କ ଦ୍ୱାରବନ୍ଧ ଶୀର୍ଷରେ ନବଗ୍ରହଙ୍କର ଉପସ୍ଥିତି ପ୍ରମାଣ କରେ ଯେ ସ୍ୱୟଂ ଶ୍ରୀଜଗନ୍ନାଥ ସମସ୍ତ ଗ୍ରହମାନଙ୍କ ସମ୍ମିଳିତ ରୂପ ହେଲେ ମଧ୍ୟ, ନବଗ୍ରହଙ୍କର ସ୍ୱତନ୍ତ୍ର ପ୍ରଭାବ ରହିଛି ଓ ଯୁଗ ଯୁଗ ଧରି ଏ ଜଗତ ସେହି ସ୍ୱତନ୍ତ୍ର ସ୍ୱରୂପକୁ ଆରାଧନା କରି ଆସିଛି। ଏବେ ଆମେ ଆରାଧନା ଓ ଭାଗବତ ପଠନ କରିବା ।

“ବ୍ରହ୍ମ ଅଟନ୍ତି ସ୍ୱୟଂ ଜ୍ୟୋତି,
ଏଣୁ ସେ ନିଜେ ପ୍ରକାଶନ୍ତି।
ଇଦ୍ରିୟ ଅର୍ଥ ଆତ୍ମା ମନ
ଏ ଆଦି ନୋହେ ବିଦ୍ୟମାନ ।
ତଥାପି ବ୍ରହ୍ମ ମୟ ଏହି
ଯେଣୁ ପ୍ରକାଶ ତାର ହୋଇ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.