Latest Odisha News

BREAKING NEWS

ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ, ଅବନ୍ତୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କି ନବୀନ ?

ଭୁବନେଶ୍ୱର: ଧାମନଗର ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କୁ ଆଣି ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଧାମନଗରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ବିଜେଡିର ଅସନ୍ତୋଷର ଫାଇଦା ବିରୋଧୀ ହିସାବରେ ବିଜେପିକୁ ମିଳିବ ବୋଲି କହିଛନ୍ତି ଜୟ ନାରାୟଣ । ଧାମନଗରରେ ଦଳର ଭଲ ସଂଗଠନ ରହିଛି, ବ୍ରଜରାଜନଗର ଭଳି ସ୍ଥିତି ହେବ ନାହିଁ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର । ପ୍ରଚାର ପାଇଁ ବିଜେପି ପ୍ରସ୍ତୁତି ଶେଷ କରିଥିବା ବେଳେ କଂଗ୍ରେସ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧାମନଗର ଆଣିବ ।

ତେବେ ବିଗତ ଉପନିର୍ବାଚନ ଗୁଡ଼ିକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ପ୍ରଚାର ପାଇଁ ନ ଯାଇ ଭର୍ଚୁଆଲରେ ପ୍ରଚାର କରିଥିଲେ । ୨୦୨୦ ନଭେମ୍ବରରେ ହୋଇଥିବା ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ସହ ତିର୍ତ୍ତୋଲ ଉପନିର୍ବାଚନରେ ନବୀନ କରିଥିଲେ ଭର୍ଚୁଆଲ୍ ପ୍ରଚାର । ସେହିଭଳି ୨୦୨୧ ଅକ୍ଟୋବରରେ ହୋଇଥିବା ପିପିଲି ଉପନିର୍ବାଚନରେ ନବୀନ ଭର୍ଚୁଆଲ୍ ପ୍ରଚାର କରିଥିଲେ ।

ସେହିଭଳି ଗତ ଜୁନରେ ହୋଇଥିବା ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ନାଁ ପ୍ରଥମେ ଥିଲା । କିନ୍ତୁ ନବୀନ ବ୍ରଜରାଜନଗର ପ୍ରଚାର ପାଇଁ ଯାଇ ନଥିଲେ ମଧ୍ୟ ଦଳ ୬୫ ହଜାରରୁ ଅଧିକ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହୋଇଥିଲା ।

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ତେବେ ପୂର୍ବରୁ ହୋଇଥିବା ଉପନିର୍ବାଚନ ଗୁଡ଼଼ିକରେ ବିଜେପୁରକୁ ଛାଡ଼ି ଦେଲେ ନବୀନ କେଉଁଠିକୁ ପ୍ରଚାର ପାଇଁ ଯାଇ ନାହାନ୍ତି । ବାଲେଶ୍ୱର ସଦର ଆସନରେ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗ ପରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ଜିତିଥିଲା । ଉପନିର୍ବାଚନ ଇତିହାସରେ ବିଜେଡି ପରାଜୟ ଦେଖିନି ।

ତେଣୁ ଏବେ ଧାମନଗର ଉପନିର୍ବାଚନ ମୈଦାନରୁ ନବୀନ ନିଜେ ଓହ୍ଲାଇବେ ନା ଦୁଇ ପ୍ରଣବ ସବୁ ସମ୍ଭାଳି ନେବେ ତାକୁ ନେଇ ଚର୍ଚ୍ଚା ହେଉଛି । ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଟିକେଟ୍ ନଦେଇ ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିବାରୁ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହୋଇ ପାରନ୍ତି । ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଲେ ଦଳର ସମ୍ମାନ ରକ୍ଷା ସହ ଉପନିର୍ବାଚନ ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ନବୀନ ପ୍ରଚାର ପାଇଁ ଯିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ତେବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ନାମାଙ୍କନ ପରେ ଦଳ ଜାରି କରିବାକୁ ଥିବା ଷ୍ଟାର ପ୍ରଚାରକ ତାଲିକା ଆସିବା ପରେ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.