ଭୁବନେଶ୍ୱର: ବୋଧହୁଏ ନିକଟ ଅତୀତରେ ବିଜେଡି ଏଭଳି ଏକ ଅଡୁଆରେ ପଡ଼ିନଥିଲା ଯେଉଁଠି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇଥିବ। ଆଉ ଦଳୀୟ ପ୍ରାର୍ଥୀକୁ ସୁପ୍ରିମୋଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ନିଜେ ସ୍ୱାଧୀନ ଭାବେ ବିଧାୟକ ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି କହିଥିବେ।
ଭଦ୍ରକ ଧାମନଗର ଉପନିର୍ବାଚନରେ ବିଜେଡି ଅବନ୍ତୀ ଦାସଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ହଲଚଲ ବଢିଛି। ଯାହା ସାରା ରାଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି। ଉପନିର୍ବାଚନରେ ଦୁଇ ପୂର୍ବତନ ବିଧାୟକଙ୍କୁ ପଛରେ ପକାଇ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁବାର ଭଦ୍ରକ ସହରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ବାସଭବନରେ ଶତାଧିକ ସମର୍ଥକ ଏକାଠି ହୋଇ ତାଙ୍କ ସମର୍ଥନରେ ନାରା ବାଜି କରିଛନ୍ତି। ଯାହା ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ହୃଦସ୍ପନ୍ଦନ ବଢାଇ ଦେଇଛି। କାରଣ ରାଜୁଙ୍କ ସମର୍ଥନରେ ଗୋଟିଏ ଗୋଟିଏ ନାରା ଅବନ୍ତୀଙ୍କ ଭୋଟ୍ କାଟିବ । ଯାହା ପ୍ରତିପକ୍ଷ ବିଜେପି ଓ କଂଗ୍ରେସ ପ୍ରାର୍ଥୀକୁ ବେଶ ସୁହାଇବ।
ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି। ସେ ସ୍ୱାଧୀନ ଭାବେ ଉପନିର୍ବାଚନ ଲଢ଼ୁଛନ୍ତି ବୋଲି ସୋଶିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଭାଇରାଲ ହେଉଛି। ଏହା ବ୍ୟତୀତ ଏକ ହାତଲେଖା ଚିଠି ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ରାଜୁ ଦାସ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।
ଦୁଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ କୌଣସି ଅପ୍ରତ୍ୟାଶିତ ପରିସ୍ଥିତିକୁ ଏଡ଼ାଇବା ଲକ୍ଷ୍ୟରେ ଅବନ୍ତୀ ଦାସଙ୍କ ଉପରେ ଦଳ ଭରସା କରିଥିବା ଚର୍ଚ୍ଚା ହେଉଛି। ଏପରି କରି ଦଳୀୟ ଅସନ୍ତୋଷକୁ ଚାପିବାକୁ ଶାସକ ଦଳ ପ୍ରୟାସ କରିଥିଲା। କିନ୍ତୁ ଏହି ଅସନ୍ତୋଷ ଏବେ ପଦାକୁ ଆସିଛି।
କୁହାଯାଉଛି ବିଜେଡି ଧାମନଗରରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ବଡ ଚିନ୍ତାରେ ଥିଲା। ପ୍ରଥମେ ଦିବଂଗତ ବିଧାୟକଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ପ୍ରସ୍ତାବ ଦେଇଥିଲା ହେଲେ ଏହା ଖାରଜ ହେବା ପରେ ଦଳ ଆଉ ଟିକିଏ ଅଡୁଆରେ ପଡିଥିଲା। ଏହାପରେ ଅନୁକମ୍ବାମୂଳକ ଭୋଟକୁ ହାତେଇବା ପାଇଁ ମହିଳା କାର୍ଡ ସହିତ ଏସଏଚଜି କାର୍ଡ ଖେଳିବାକୁ ଉଦ୍ୟମ କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ପାଟକୁରାରେ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ, ବିଜେପୁର ଉପନିର୍ବାଚନ, ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ବେଳେ ବିଜେଡି ମହିଳା କାର୍ଡ ଖେଳି ସଫଳ ହୋଇଛି।
ହେଲେ ଧାମନଗରରେ ରାଜେନ୍ଦ୍ର ଦାସ ପୂର୍ବରୁ ଅଳ୍ପ ବ୍ୟବଧାନରେ ହାରିଥିଲେ। ଏହାପରେ ବି ସେ ସଂଗଠନ ମଜବୁତ କରିବାକୁ ଯାଇ ଦଳରେ ସକ୍ରିୟ ରହିଛନ୍ତି । ଏମିତିକି ବିଭିନ୍ନ ଲୋକଙ୍କ ଘରେ ପଖାଳ ଖାଇ ନିଜର ଲୋକ ସମ୍ପର୍କ ବଜାଇ ରଖିଛନ୍ତି ବୋଲି ରାଜେନ୍ଦ୍ରଙ୍କ ସମର୍ଥକ କହିଛନ୍ତି।
ଉପୁଜିଥିବା ରାଜନୈତିକ ପରିସ୍ଥିତି ଶାସକ ଦଳ ବିରୋଧରେ ଯାଉଥିବାରୁ ରାଜୁ ଦାସଙ୍କୁ ବିଜେଡିର ଏକ ଟିମ୍ ବୁଝାସୁଝା କରିବାକୁ ଉଦ୍ଯମ କରିଥିବା ସୂଚନା ରହିଛି। ଏମିତିକି ନିର୍ବାଚନ ବେଳେ ପ୍ରଚାରର ମଙ୍ଗ ଭଳି ଦାୟିତ୍ବ ଦେବାକୁ ଦଳ ପ୍ରସ୍ତୁତ ବୋଲି କହିଥିବା ସୂଚନା ରହିଛି। ହେଲେ ରାଜୁ ଏହି ପ୍ରସ୍ତାବକୁ ଖାରଜ କରିଥିବା ସୂଚନା ରହିଛି। ସେପଟେ ବିଜେଡି କହିଛି, ରାଜୁ ଦାସ ସେଭଳି କିଛି କରିବେ ନାହିଁ, ଯାହା ଦଳକୁ ଅଡୁଆରେ ପକାଇବ। ସେ କୌଣସି ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେନି ବୋଲି ବିଜେଡି ସାଂସଦ ମୁନ୍ନା ଖାନ୍ କହିଛନ୍ତି।
Comments are closed.