ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ୍ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ବଡ଼ ଝଟକା ଲାଗିଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାରେ ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ, ଯାହାକୁ କୋର୍ଟ ନାକାଜ କରିଛନ୍ତି। ଜାମିନ୍ ଆବେଦନ ଖାରଜ ପରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ।
ପୂର୍ବରୁ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟରେ ଯେଉଁ ସ୍ପେଶାଲ ଲିଭ୍ ପିଟିସନ୍ ଦାଏର କରିଥିଲେ, ସର୍ବୋଚ୍ଚ ନ୍ୟାୟାଳୟ ତାହାକୁ ସିଧାସଳଖ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ ଯେ, ବିଦ୍ୟାଭାରତୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ଖାରଜ କରିବାକୁ ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ହାଇକୋର୍ଟ ମନା କରିଦେଇଥିଲେ ଏବଂ ତାଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ଗିରଫଦାରୀ ସୁରକ୍ଷାକୁ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଏସ୍ଏଲ୍ପି ଉପରେ ଶୁଣାଣି କରିବାକୁ ମନା କରିଦେବା ସହ ଆବେଦନଟିକୁ ଖାରଜ କରିଦେଇଛନ୍ତି। ଆଗୁଆ ଜାମିନ ପାଇଁ ସେ ଚାହିଁଲେ ଉପଯୁକ୍ତ ତଳ କୋର୍ଟରେ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ତାଙ୍କୁ ସ୍ୱାଧୀନତା ଦେଇଥିଲେ।
ଏହି ବହୁଚର୍ଚ୍ଚିତ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଆଗୁଆ ଜାମିନ ଆବେଦନ ପୂର୍ବରୁ ଖାରଜ ହୋଇସାରିଛି ଏବଂ ସେ ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିସାରିଛନ୍ତି । ସେହିପରି ଦୀର୍ଘ ବର୍ଷ ଧରି ଫେରାର ଥିବା ରୋଷେୟା ମନ୍ମଥ କୁମ୍ଭକୁ ମଧ୍ୟ ପୋଲିସ ନିକଟରେ ଗିରଫ କରିବାରେ ସଫଳ ହୋଇଛି ।

