କଟକ: କଟକରେ ପୋଲିସର ଦାଦାଗିରି ଅଭିଯୋଗ । ଖାକି ବର୍ଦ୍ଦିି ପିନ୍ଧି ଉଦ୍ଧତାମି କରୁଥିବା ଅଭିଯୋଗ ଆସିଛି ବିଡାନାସୀ ଥାନା ଆଇଆଇସିଙ୍କ ନାଁରେ । ଜନତାଙ୍କ ପାଇଁ ନୁହେଁ ଜନତାଙ୍କ ବିରୋଧରେ କାମ କରୁଥିବା ଅଭିଯୋଗ ଆଣିଛି ଓଡିଶା ଜନତା କଂଗ୍ରେସ ପାର୍ଟି । ମାନବିକତା ହରାଇ ସାଧାରଣ ଲୋକଙ୍କୁ ଅମାନୁଷିକ ଭାବେ ମାଡ ମାରୁଥିବା ଅଭିଯୋଗ ଆସିଛି ଥାନା ବାବୁଙ୍କ ନାଁରେ ।ପ୍ରଥମେ ଗଣେଶପୂଜା ଭସାଣୀ ବେଳେ କିଛି ଯୁବକଙ୍କୁ ବିନା ଦୋଷରେ ପିଟିଥିଲେ, ଏବେ ଦୁର୍ଗାପୂଜା ଭସାଣୀ ବେଳେ ସାଧାରଣ ଦେଖଣାହାରୀଙ୍କୁ ଚାପୁଡା ମାରିବା ସହ ଧକ୍କା ଦେଇଥିବା ଅଭିଯୋଗ ଆସିଛି । ଭସାଣୀ ବେଳେ ପୁରୀଘାଟ ନିକଟରେ ଆଇନ ଶୃଙ୍ଖଳା ନାଁରେ ବିଡାନାସୀ ଥାନା ଅଧିକାରଙ୍କ ଦ୍ୱାରା ଯୁବକଙ୍କୁ ଅମାନୁଷିକ ଭାବେ ମାଡ ମରାଯିବା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଓଡିଶା ଜନତା କଂଗ୍ରେସ । ଦୃଢ କାର୍ଯ୍ୟାନୁଷ୍ଠାନ ତଥା ଅନ୍ୟତ୍ର ବଦଳି ପାଇଁ ଦାବି କରିଛି ଓଡିଶା ଜନତା କଂଗ୍ରେସ ଦଳ ।
ପୋଲିସ ଲୋକଙ୍କ ସହ ସାଙ୍ଗ ହୋଇ ରହିଲେ ଅପରାଧ କମିବ, କିନ୍ତୁ ସେମାନଙ୍କୁ ମାଡ ମାରିବା କଣ ଆବଶ୍ୟକ ବୋଲି ପ୍ରଶ୍ନ କରିଛି ଦଳ । ଏଭଳି ମାନସିକତାର ବ୍ୟକ୍ତି ପୋଲିସ ଚାକିରୀ କରିବାର ଅଧିକାର ନାହିଁ ବୋଲି କହିଛି ଜନତା କଂଗ୍ରେସ । ଏନେଇ ଦଳର କର୍ମକର୍ତ୍ତା ଏକତ୍ରିତ ହୋଇ ବ୍ୟାନର ଧରି ଥାନା ଅଧିକାରୀଙ୍କ ବିରୋଧରେ ଦାବିପତ୍ର ପୋଲିସ କମିଶନରଙ୍କୁ ଦେଇଛନ୍ତି । ଶୀଘ୍ର ଦାବି ପୂରଣ ନହେଲେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି । ପୋଲିସଙ୍କ ମାଡମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

