Latest Odisha News

BREAKING NEWS

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ର

ପପୁନ ପ୍ରତିଦିନ ସ୍କୁଲ ଯାଉଥିଲା ବାପାଙ୍କ ସହିତ କାରରେ । ପପୁନର ବାପା ଜଣେ ବଡ ବ୍ୟବସାୟୀ । ପପୁନ ଅନ୍ୟ ପିଲାମାନଙ୍କ ଠାରୁ ଟିକେ ଭିନ୍ନ । ସେ ବହୁତ ଶାନ୍ତ ଶିଷ୍ଟ ସରଳ ଏବଂ ଅମାୟିକ । କିଛି ନୂଆ କରିବା ଏବଂ କିଛି ନୂଆ ଶିଖିବାରେ ତାର ସବୁବେଳେ ଆଗ୍ରହ । ପପୁନର ବାପା ତାକୁ ବହୁତ ଭଲ ପାଉଥିଲେ । ପପୁନ ଆଜମା ରୋଗରେ ପୀଡିତ ଥିବାରୁ ତାର ଯତ୍ନ ନେଉଥିଲେ।

ସେଦିନ ପପୁନ ଆଜମା ପମ୍ପ ଆଣିବାକୁ ଭୁଲି ଯାଇଥିଲା, ତେଣୁ ବାପାଙ୍କଠାରୁ ଗାଳିଶୁଣିଲା । ଦିନେ ପପୁନ ବାପାଙ୍କ ସହିତ ସ୍କୁଲ ଯାଉଥିଲା । ହଠାତ୍ ପପୁନର ଜୋତା ଉପରେ ଆଖି ପଡିଲା ବାପାଙ୍କର । ଜୋତା ଏତେ ଅପରିଷ୍କାର ? ରାସ୍ତାରେ ଜୋତା ପଲିସ୍ ଆଗରେ କାର ଅଟକାଇ ପପୁନର ଜୋତା ପଲିସ୍ କରିଦେଲେ । ପପୁନ ଦେଖିଲା ଯେ ଜୋତା ପଲିସ୍ କରୁଥିବା ପିଲାଟି ତାର ବୟସର । ଦୁହେଁ ପରସ୍ପରକୁ ଚାହିଁ ହସିଲେ | ଲାଗୁଥିଲା ଯେପରି ଦୁହେଁ ଏକ କ୍ଷଣ ମଧ୍ୟରେ ଘନିଷ୍ଠ ବନ୍ଧୁ ହୋଇଗଲେ । ପିଲାଟିର ପାଖରେ ଏକ ବୋର୍ଡ ପଡ଼ିଥିଲା, ଯେଉଁଥିରେ ଲେଖାଥିଲା “ଯେଉଁମାନେ ସମୟ ଆସିଲେ ସାହାର୍ଯ୍ୟ କରନ୍ତି, ସେମାନଙ୍କୁ ପ୍ରକୃତ ଧନୀ କୁହାଯାଏ।” ପଛକୁ ଯିବାବେଳେ ପପୁନର ବାପାଙ୍କ ଧ୍ୟାନ ସେହି ବୋର୍ଡ ଉପରେ ପଡ଼ିଥିଲା । ତା’ପରେ ପପୁନ ବାପାଙ୍କୁ ପଚାରିଲା ? ଛୋଟ ପିଲାଟି ଏପରି କାମ କାହିଁକି କରୁଛି ? ବାପା ତାକୁ ବୁଝାଇ କହିଲେ – ସେ ବହୁତ ଗରିବ । ବଞ୍ଚିବା ପାଇଁ ଟଙ୍କା ଦରକାର, ରୋଜଗାର ଦରକାର । ମଣିଷ ଅର୍ଥ ବିନା କିଛି ନୁହେଁ ।

ସବୁଦିନ ପପୁନ ସ୍କୁଲକୁ ଗଲାବେଳେ ରାସ୍ତାରେ ସେହି ପଲିସ୍ ପିଲାଟି ସହିତ ହାତ ମିଳାଇ, ପରସ୍ପରକୁ ଅଭିବାଦନ ଜଣାଉଥିଲେ । ଏସବୁ ଦେଖି ପପୁନକୁ ବାପା ବୁଝାଇ ଥିଲେ – ଆମେ ଏମିତି ଲୋକଙ୍କ ସହିତ ସମ୍ପର୍କ ରଖିବା ଯେମିତିକି ଆମର ଅସମୟରେ ସହାୟ ହୋଇପାରିବ । କିନ୍ତୁ ସେ ଗରିବ ପିଲାଟି …। ସେହି ପିଲାଟି ଏସବୁ ଶୁଣିଥିଲା । ଦିନେ ଦୁଇ ଦିନ ହେବ ପପୁନର ସ୍ୱାସ୍ଥ୍ୟ ଭଲ ନ ଥିଲା । ତାକୁ ଡାକ୍ତରଙ୍କ ଦ୍ବାରା ଯାଞ୍ଚ କରି ଔଷଧ ଦେଉଥିଲେ । ଟିକେ ସ୍ବାସ୍ଥ୍ୟ ଭଲ ହେବାରୁ ପପୁନ ସ୍କୁଲକୁ ଯିବାକୁ ଅଡି ବସିଲା । ପପୁନର ସ୍ୱାସ୍ଥ୍ୟ ପାଇଁ ବହୁତ ଚିନ୍ତିତ ଥିଲେ ତାର ବାପା । ତେଣୁ ସେ ଘରୁ ବାହାରିବା ସମୟରେ ପର୍ସ ଏବଂ ମୋବାଇଲ ନେବାକୁ ଭୁଲି ଯାଇଥିଲେ । ଏପରିକି ପପୁନର ଆଜମା ପମ୍ପ ମଧ୍ୟ ଆଣିବାକୁ ଭୁଲି ଯାଇଥିଲେ । ଆଜି ପାଗ ମଧ୍ୟ ଭଲ ନ ଥିଲା । ହଠାତ୍ ମେଘ ପବନ ସହିତ ବର୍ଷା ଆସିଗଲା । ମୁହଁକୁ ମୁହଁ ଦେଖାଗଲା ନାହିଁ । ଗାଡ଼ି ଚଳାଇବା କଷ୍ଟକର ହୋଇ ପଡିଲା । କାର୍ ଆଗରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିଲା । ଏବେ କଣ କରିବେ ? ସ୍କୁଲକୁ କେମିତି ଯିବେ ବା ଘରକୁ କେମିତି ଯିବେ । ଫୋନ୍ ଲଗାଇବାକୁ ଫୋନ୍ ଖୋଜିଲେ । କିନ୍ତୁ ଫୋନ୍ ଏବଂ ପର୍ସ ଆଣିବାକୁ ଭୁଲି ଯାଇଛନ୍ତି । କିଛି ସମୟ କାର୍ ଭିତରେ ବସିଲେ । ଥଣ୍ଡା ପାଇ ପପୁନର ଆଜମା ବଢିଲା । ତାର ଆଜମା ପମ୍ପ ଦରକାର । କ’ଣ କରିବେ ଭାବି ,ପାଖରେ ଥିବା ମେଡିସିନ୍ ଦୋକାନକୁ ଦୌଡିଲେ ଏବଂ ଅନୁରୋଧ କଲେ ମୁଁ ବର୍ଷା ଛାଡିଲେ ଆପଣଙ୍କର ମୂଲ୍ୟ ଦେଇଦେବି । ଦୋକାନୀ ପିଲାଟି ମନାକଲା ,କହିଲା ବାବୁ ମନା କରିଛନ୍ତି ବାକି ଦେବାକୁ । ଏପଟେ ପପୁନ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗ କଲା । ଅନ୍ୟୋନ ଉପାୟ ନ ପାଇ ଜୋତା ପଲିସ୍ କରୁଥିବା ପିଲାଟି ପାଖକୁ ଦୌଡିଲେ । ଅସହାୟତାରେ ସହଯୋଗର ହାତ ପତାଇଲେ । ପିଲାଟି ଜୋତା ପଲିସ୍ ରୁ କିଛି ସଞ୍ଚୟ କରି ଗୋଟିଏ ଛୋଟ ପେଡିରେ ଟଙ୍କା ରଖିଥିଲା । ସବୁ କାଢି ବାବୁଙ୍କୁ ଦେଲା । ପପୁନର ବାପା ସେହି ବର୍ଷା ପବନରେ ଦୌଡ଼ି ପପୁନ ପାଇଁ ଆଜମା ପମ୍ପ ଆଣି ଦେଲେ । ପପୁନ ସୁସ୍ଥ ଅନୁଭବ କଲା । ପପୁନର ବାପା ଏବଂ ପପୁନ ପିଲାଟି ପାଖକୁ ଯାଇ କୃତଜ୍ଞତା ଜଣାଇଲେ । ପିଲାଟି ତାର ପାଖରେ ଥିବା ବୋର୍ଡ ଦେଖାଇଲା । ଯେଉଁଥିରେ ଲେଖାଥିଲା ଯେଉଁମାନେ ସମୟ ଆସିଲେ ସାହାଯ୍ୟ କରନ୍ତି, ସେମାନଙ୍କୁ ପ୍ରକୃତ ଧନୀ କୁହାଯାଏ । ପପୁନ ତାଙ୍କୁ ଧନ୍ୟବାଦ ଜଣାଇଲା ।

ପପୁନର ବାପା ପିଲାଟିକୁ କହିଥିଲେ – ତୁମେ ମୋତେ ଅନୁଗ୍ରହ କରିଛ, ଯାହା ବଦଳରେ ମୁଁ ମୋର ସମସ୍ତ ସମ୍ପତ୍ତି ଦେଲେ ମଧ୍ୟ ଊଣା ପଡିବ । ତେଣୁ କୌଣସି ମଣିଷକୁ ଛୋଟ ବୋଲି ବିବେଚନା କରିବା ଉଚିତ୍ ନୁହେଁ । ଭଗବାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କରି ଗଢିଥାନ୍ତି । ସମୟ ଆସିଲେ ଆମେ ସେମାନଙ୍କର ଗୁଣ କୀର୍ତ୍ତନ ଜାଣି ପାରୁ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ଚନ୍ଦ୍ରଗିରି, ଗଜପତି, ୯୬୯୨୭୪୦୩୬୬

Comments are closed.