Latest Odisha News

ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ପଠାଇବ ଟଙ୍କା

ନୂଆଦିଲ୍ଲୀ: ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ପଠାଇବେ ଟଙ୍କା। ପୂର୍ବାହ୍ନ ୧୧.୪୫ ଟା ସମୟରେ ନୂଆଦିଲ୍ଲୀରେ ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ର ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ମୋଦୀ ପିଏମ୍ – କିଷାନ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଦ୍ୱାଦଶ କିସ୍ତିରେ ୧୬ ହଜାର କୋଟି ଟଙ୍କା ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିଷାନ) ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଯାହା ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ମୋଦୀ ସରକାରଙ୍କ ଏକ ଫ୍ଲାଗଶିପ ଯୋଜନା। ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୪/୦୨/୨୦୧୯ ତାରିଖରେ ଆରମ୍ଭ କରା ଯାଇଥିଲା । ଏହି ଯୋଜନା ଅନୁସାରେ ହିତାଧିକାରୀ କୃଷକ ପରିବାର ମାନଙ୍କୁ ପ୍ରତ୍ୟେକ ଚାରି ମାସର ବ୍ୟବଧାନରେ ୨,୦୦୦ ଟଙ୍କାର ତିନିଟି ସମାନ କିସ୍ତିରେ ପ୍ରତି ବର୍ଷ ୬,୦୦୦ଟଙ୍କା ଲାଭ ପ୍ରଦାନ କରା ଯାଇଥାଏ ।

ଏହି ଯୋଜନାର ଲାଭ ଆଧୁନିକ ଡିଜିଟାଲ ଜ୍ଞାନ କୌଶଳକୁ ବ୍ୟବହାର କରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବା ଡିବିଟି ମାଧ୍ୟମରେ ସିଧାସଳଖ ଉପଯୁକ୍ତ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତରିତ କରା ଯାଇଥାଏ । ଏବେ ପର୍ଯ୍ୟନ୍ତ ପିଏମ୍ – କିଷାନ ଅଧୀନରେ ଉପଯୁକ୍ତ କୃଷକ ପରିବାର ଗୁଡିକୁ ୧୧ଟି କିସ୍ତିରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥର ଲାଭ ମିଳିସାରିଛି। ଏଥିରେ ୧.୬ ଲକ୍ଷ କୋଟି ଟଙ୍କା କୋଭିଡ୍ ମହାମାରୀ ସମୟରେ ହସ୍ତାନ୍ତରିତ କରାଯାଇଛି ।

Comments are closed.