ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନିଜର ଜୀବନ ଚରିତ
ହେଉ କି ନ ହେଉ ଲିଖିତ
ସ୍ମୃତିରେ ରହିଛି ଗଚ୍ଛିତ
ତହିଁରୁ ହେଉଁ ଉପକୃତ
ଅତୀତ କରିଲେ ସ୍ମରଣ
ବୁଝିବା ଗୁଣ ଓ ଦୁର୍ଗୁଣ
କେଉଁଟି କାହାର କାରଣ
କରିବା ବ୍ୟକ୍ତିତ୍ୱ ବର୍ଧନ
ସ୍ବାନୁଭୂତି ହିଁ ଇତିହାସ
ସଂତୋଷ ଅବା ଅସଂତୋଷ
ସ୍ବେଚ୍ଛାରେ କଲେ ଆହରଣ
ସ୍ବଚ୍ଛଂଦ ହୁଏ ଏ ଜୀବନ
ଭାଷା ଶିଖିଛେଁ ପିଲାଦିନେ
ଏଯାଏଁ ସବୁ ଅଛି ମନେ
ଭାଷାର ଏପରି ପ୍ରକୃତି
ବ୍ୟକ୍ତିକୁ ଦେଉଥାଏ ଶକ୍ତି
ଭାବର ଆଦାନ ପ୍ରଦାନ
ଦ୍ବାରା ହିଁ ସଂପର୍କ ସ୍ଥାପନ
ସଭିଏଁ କରୁଁ ନିରଂତର
ଭାଷାକୁ କରି ବ୍ୟବହାର
ଆରଂଭ ହୁଏ ଶୈଶବରେ
ସମାପ୍ତି ଘଟଇ ଶବରେ
ଏତେ ଦୀର୍ଘ ସମୟ ଧରି
ଭାଷା ତ ମନେ ଥାଏ ପୂରି
ସେହି ଭାଷାକୁ ଅନାଦର
କରିବା ନିମଂତେ ଯାହାର
ମନରେ ଇଚ୍ଛା ହୁଏ ଜାତ
ଜିଇଁଥାଇ ବି ସିଏ ମୃତ
ଏପରି ସ୍ବଭାଷୀ ସଂତାନ
ହୁଅଂତି ଅଭିବ୍ୟକ୍ତିହୀନ
କେବଳ ଜିଅଂତି ଜୀବନ
ଅନ୍ୟାନ୍ୟ ପ୍ରାଣୀଂକ ସମାନ
ମନୁଷ୍ୟ ଭାଷାବଂତ ପ୍ରାଣୀ
ଏ ସତ୍ୟ ଥିଲେ ସୁଦ୍ଧା ଜାଣି
ଅବୋଧ୍ୟ କାହିଁକି କେଜାଣି
ସ୍ବଭାଷା ପାରେନାହିଁ ଟାଣି
ଭାଷା କି ଭାଷୀ ପଥଭ୍ରଷ୍ଟ
ପ୍ରସଂଗ ହେଉନାହିଁ ସ୍ପଷ୍ଟ
ତେଣୁ ସ୍ବଭାଷା ହୁଏ ନଷ୍ଟ
ଭୋଗଇ ବହୁବିଧ କଷ୍ଟ
Comments are closed.