ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଟେରାକୋଟା ପ୍ରଦର୍ଶନୀକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି । ଦର୍ଶକ ଓ ଗ୍ରାହକମାନଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ଏହି ଟେରାକୋଟା ପ୍ରଦର୍ଶନୀକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଥିବା କୁହାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ସ୍ଥାନୀୟ ୟୁନିଟ୍-୩ ସ୍ଥିତ ଏକାମ୍ର ହାଟଠାରେ ଅକ୍ଟୋବର ୧୫ ତାରିଖଠାରୁ ‘ମୃତ୍ତିକା-୨୨’ ଆରମ୍ଭ ହୋଇଥିଲା ।
ଏହି ମୃତ୍ତିକା ହସ୍ତଶିଳ୍ପ ବା ଟେରାକୋଟା ପ୍ରଦର୍ଶନୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା ଥିଲା । ତେବେ ଏହି ପ୍ରଦର୍ଶନୀ ଆଉ ଗୋଟିଏ ଦିନ ବଢ଼ିଥିବାରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସୂତ୍ରରୁ କୁହାଯାଇଛି ।
ଏହି ଟେରାକୋଟା ପ୍ରଦର୍ଶନୀ ରେ ୧୨୫ଟି ଷ୍ଟଲରେ ୨୨୫ ଜଣ କାରିଗର ସେମାନଙ୍କର ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ମାଟିର ସୁନ୍ଦର ସୁନ୍ଦର ରଙ୍ଗବେରଙ୍ଗର ଦୀପ, ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି, ମାଟି ତିଆରି କଣ୍ଡେଇ, ହାଣ୍ଡି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଘର ସଜାଇବା ସାମଗ୍ରୀ ଇତ୍ୟାଦି ବିକ୍ରୟ ଓ ପ୍ରଦର୍ଶନ ନିମନ୍ତେ ରଖାଯାଇଛି । ଏହାକୁ କିଣିବାକୁ ମଧ୍ୟ ଭିଡ଼ ଜମୁଥିବା ଦେଖାଯାଉଛି ।
Comments are closed.