ନୂଆଦିଲ୍ଲୀ: ପାନାମାରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ୭.୭ ଓ ୬.୬ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ୪୫ରୁ ଅଧିକ ଥର ଆଫ୍ଟରଶକ୍ ବା ପରବର୍ତ୍ତୀ କମ୍ପନ ରେକର୍ଡ ହୋଇଛି।
ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିବାବେଳେ ଅନେକ ଅଞ୍ଚଳରେ କୋଠା ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ୟୁଏସ୍ଜିଏସ୍ ଅନୁସାରେ, ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ହେରେରା ପ୍ରଦେଶର ପିତାଲୋସା ଆରିବା ଅଞ୍ଚଳଠାରୁ ପ୍ରାୟ ୧୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ହୋଇଥିଲା। ଏହାର ଗଭୀରତା ମଧ୍ୟ ପ୍ରାୟ ୧୦ କିଲୋମିଟର ଥିଲା। ପରବର୍ତ୍ତୀ କମ୍ପନ ମଧ୍ୟରେ ୫.୮, ୫.୫ ଓ ୫.୨ ତୀବ୍ରତାର ଭୂକମ୍ପ ରହିଛି। ଭୂକମ୍ପ ପରେ ଜାରି ହୋଇଥିବା ସୁନାମି ସତର୍କତାକୁ ପରେ ପ୍ରତ୍ୟାହାର କରାଯାଇଛି। ପ୍ରାରମ୍ଭିକ ଆକଳନରେ ପାନାମାର କେତେକ ଉପକୂଳରେ ୧ରୁ ୩ ମିଟର ଉଚ୍ଚତାର ଲହରି ଆସିବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ପରେ ଆମେରିକାର ସୁନାମି ଚେତାବନୀ କେନ୍ଦ୍ର ଘୋଷଣା କରିଥିଲା ଯେ, ଏହି ଭୂମିକମ୍ପରୁ ଆଉ ସୁନାମି ବିପଦ ନାହିଁ।
ଭେରାଗୁଆସ୍, ହେରେରା ଓ ଲସ୍ ସାଣ୍ଟୋସ୍ ପ୍ରଦେଶରେ ଅଧିକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଲସ୍ ସାଣ୍ଟୋସ୍ର ଐତିହାସିକ ସାନ୍ ଆଟାନାସିଓ ଚର୍ଚ୍ଚ ଭୁଶୁଡ଼ି ପଡ଼ିଥିବାବେଳେ ଭେରାଗୁଆସ୍ର ରାସ୍ତାରେ ଲମ୍ବା ଫାଟ ସୃଷ୍ଟି ହୋଇଛି।
ପାନାମାର ରାଷ୍ଟ୍ରପତି ଜୋସେ ରାଉଲ୍ ମୁଲିନୋଙ୍କ ଅନୁସାରେ, ଏଯାଏଁ କୌଣସି ମୃତ୍ୟୁ ଖବର ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ। କ୍ଷତିଗ୍ରସ୍ତ ଅଞ୍ଚଳରେ ଯାଞ୍ଚ ଜାରି ରହିଛି। ଏପଟେ ରାଜଧାନୀ ପାନାମା ସିଟିରେ କ୍ଷୟକ୍ଷତିର ଖବର ମିଳିନାହିଁ।

