ପୁରୀ: ଏକ ବିଷାକ୍ତ ସାପ ସହିତ ‘ରିଲ୍’ ଓ ଫଟୋ ଉଠାଉଥିବା ସମୟରେ ସାପ କାମୁଡ଼ାରେ ଜଣେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ପରିଚୟ ତପନ କୁମାର ପ୍ରଧାନ ଭାବେ ବୋଲି ଜଣାପଡିଛି। ଯିଏକି ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠାପୁର ଗ୍ରାମର ବାସିନ୍ଦା ଥିଲେ।ସେ ବିଷାକ୍ତ ସାପ ଧରିବା ପାଇଁ ଜଣାଶୁଣା ଥିଲେ। ତେବେ ସାପ ସହିତ ଖେଳୁଥିବାର ତାଙ୍କର ଭିଡିଓ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ସାପ କାମୁଡ଼ିବା ପରେ ତପନଙ୍କୁ ତୁରନ୍ତ ପୁରୀର ଏକ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ଯେତେବେଳେ ତପନ ନିଜ ଘର ବାରଣ୍ଡାରେ ଏକ ସାପ ସହିତ ‘ରିଲ୍’ ସୁଟିଂ କରୁଥିଲେ। ସୁଟିଂ ସମୟରେ ସାପଟି ତାଙ୍କ ଆଙ୍ଗୁଠି, କହୁଣୀ ଏବଂ ବାହୁକୁ ଦଂଶନ କରିଥିଲା। ଏହାପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ଏବଂ ପରେ ପୁରୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ସ୍ଥାନାନ୍ତର କରିଥିଲେ।ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ତପନ ଇନଷ୍ଟାଗ୍ରାମରେ ସକ୍ରିୟ ଥିଲେ ଏବଂ ସେଥିରେ ପ୍ରାୟତଃ ସାପ ସମ୍ବନ୍ଧୀୟ ଭିଡିଓ ଓ ରିଲ୍ ଅପଲୋଡ୍ କରୁଥିଲେ।

