ଛତ୍ରପୁର : ପୁଣି ସାମ୍ନାକୁ ଆସିଲା ନାରୀ ନିର୍ଯାତନାର କରୁଣ କାହାଣୀ । ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ବାମୀ । ଏଭଳି ଦୁଃଖଦ ଘଟଣା ଛତ୍ରପୁର ବଡ଼ଷ୍ଟେସନ ରୋଡ ନିବାସୀ ତାରାକାନ୍ତଙ୍କ ଝିଅ ସହ ଘଟିଛି । ମହିଳା ଜଣକ ନ୍ୟାୟ ପାଇବା ପାଇଁ ଥାନା ଓ ଅଦାଲତ ଦ୍ବାରସ୍ଥ ହୋଇଛନ୍ତି । ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତାରାକାନ୍ତଙ୍କ ଝିଅ ମୋନାଲିସା ରଥ । ୨୦୧୩ ମସିହା ୨୩ ଜାନୁୟାରୀରେ ଦିଗପହଣ୍ଡି ଅନ୍ତର୍ଗତ ଭୀଷ୍ମଗିରିର ରମାବଲ୍ଲଭ ବକ୍ସିଙ୍କ ପୁଅ ଶକ୍ତି ଶଙ୍କର ବକ୍ସିଙ୍କ ସହ ମୋନାଲିସାଙ୍କର ବିବାହ ହୋଇଥିଲା । ବିବାହରେ ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା ।
ତେବେ ସ୍ବାମୀ ସ୍ତ୍ରୀ ଦୁହେଁ ଉଚ୍ଚଶିକ୍ଷିତ ଥିଲେ ଉଭୟ ମଧ୍ୟ ସାଥି ହୋଇ ଚାକିରୀ କରିଥିଲେ । କିନ୍ତୁ ଖୁସିରେ ଚାଲିଥିବା ଏହି ସୁଖର ସଂସାରରେ ସତେ ଯେପରି କାହାର ନଜର ଲାଗିଗଲା । ଆଉ ଦୁଃଖର କଳାବାଦଲ ଛାଇଗଲା । କୌଣସି କାରଣ ବଶତଃ ୨ ଥର ମୋନାଲିସାଙ୍କ ଗର୍ଭନଷ୍ଟ ହୋଇଯାଇଥିଲା । ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଚେନ୍ନାଇରୁ ବାଙ୍ଗାଲୁରୁ ଚାଲିଯାଇଥିଲେ । ସେଠାରେ ମୋନାଲିସା ଗର୍ଭବତୀ ହୋଇଥିଲେ । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଥିବାବେଳେ ଶାଶୁଘର ଲୋକେ ତାଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିଦେଲେ । ପରେ ୨୪ ଜୁଲାଇ ୨୦୨୦ ମୋନାଲିସାଙ୍କର ଶିଶୁ କନ୍ୟା ଜନ୍ମ ହୋଇଥିଲା ।
ଝିଅ ଜନ୍ମ ହେବା ପରେ ମୋନାଲିସା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ । ଆଉ ସେବେଠୁ ମୋନାଲିସାଙ୍କୁ ନିର୍ଯାତନା ଦେଇଥିଲେ ଶାଶୁଘର ଲୋକେ । ଖବର ପାଇ ବାପା ମା ବେଙ୍ଗାଲୁରୁରେ ପହଞ୍ଚିଥିଲେ ଆଉ ମୋନାଲିସାକୁ ନିଜ ସାଥିରେ ନେଇଆସିଥିଲେ। କିନ୍ତୁ ମୋନାଲିସାଙ୍କ କୁନି ଝିଅକୁ ଶାଶୁଘର ଲୋକେ ଛାଡ଼ି ନଥିଲେ। ତେବେ ଏହି ଘଟଣା ସମ୍ପର୍କରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ ମୋନାଲିସା । କିନ୍ତୁ ପୋଲିସ ଏତଲା ଆଧାରରେ କୌଣସି ପଦକ୍ଷେପ ନେଇନଥିଲା । କେବଳ ସେତିକି ନୁହେଁ ସ୍ତ୍ରୀ ପକ୍ଷାଘାତରେ ପୀଡ଼ିତ ହୋଇ ମାନସିକ ସନ୍ତୁଳନ ହରାଇଥିବା ବେଳେ ସ୍ବାମୀ ବେଙ୍ଗାଲୁରୁ ଛାଡ଼ପତ୍ର ନୋଟିସ ପଠାଇଛନ୍ତି । ଏନେଇ ମୋନାଲିସା ଛାଡ଼ପତ୍ର ଦେବାକୁ ରାଜି ନାହାଁନ୍ତି । ଶକ୍ତିଙ୍କର ଅନ୍ୟ ଯୁବତୀଙ୍କ ସହ ବିବାହକୁ ନେଇ ମୋନାଲିସା ଅଭିଯୋଗ ଆଣିଛନ୍ତି ।
ପରିବାର ଲୋକେ ମୋନାଲିସାକୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ମୋନାଲିସା ନିଜ ସନ୍ତାନ ଓ ସ୍ବାମୀଙ୍କୁ ଫେରିପାଇବା ଦୁଃଖରେ ଆଖିରୁ ଲୁହ ଗଡ଼ାଉଛନ୍ତି । ତେବେ ମୋନାଲିସାଙ୍କୁ ପକ୍ଷାଘାତ ହେବା ପରେ ତାର ଶାଶୁଘର ଲୋକେ ତାଙ୍କୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ବାପା ତାରାକାନ୍ତ । ଅଦାଲତରେ ଏହି ମାମଲା ବିଚରାଧୀନ ରହିଛି । ତେବେ ଥାନାରେ ୫୧ /୨୨ ମାମଲା ରୁଜୁ ହୋଇଥିବା ବେଳେ ମୋନାଲିସା ଶାଶୁ ଘର ଲୋକଙ୍କ ଉପରେ ଗିରଫ ପରଓ୍ବାନା ଜାରି ହୋଇଛି ବୋଲି କହିଛନ୍ତି ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା । ଏନେଇ ଅସହାୟ ମୋନାଲିସାଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା ।
Comments are closed.