ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରାଚୀନ ଗ୍ରଂଥକୁ ଆଶ୍ରୟୀ
ସ୍ବମତ ପ୍ରଚାର କରଇ
ଏପରି ଦ୍ବିରୂପୀ ଲେଖକ
ଗ୍ରଂଥପାଠୀଂକୁ ମଣେ ମୂର୍ଖ
ପାଠକ ଯଦି ହୁଏ ହେୟ
ସାହିତ୍ଯ ଲଭେନି ବିଜୟ
ହୁଏ ଅଧିକ ଅବକ୍ଷୟ
ମନରେ ଜାତ କରେ ଭୟ
ଲେଖକ ପାଠକ ଉଭୟ
ପାରସ୍ପରିକ ବରାଭୟ
ପାଇବା ଯେଣୁ ସ୍ପୃହଣୀୟ
ତାହା ହିଁ ତାଂକର କର୍ତବ୍ୟ
କେହି ନୁହଂତି ବଡ଼, ସାନ
ନ କରି ଜ୍ଞାନ ପ୍ରଦର୍ଶନ
କରିଲେ ଭାବନା ପ୍ରକାଶ
ଘଟଇ ଭାଷାର ବିକାଶ
ବହି ଲେଖାଳି ବ୍ୟାଖ୍ୟାକାର
ହେବା ତ ନୁହେ ଦରକାର
ପ୍ରତି ପାଠକ ଜ୍ଞାନ, ରୁଚି
ଜାଣି, ପାରଂତି ନିଜେ ବାଛି
ମୂଳ ଲେଖାର ସାରକଥା
ବୁଝିପାରେ ତାଂକର ମଥା
ପୁନର୍ଲିଖନ ବାରଂବାର
କରଇ ସାହିତ୍ଯ ସଂସାର
ଅତୀତାଚ୍ଛନ୍ନ ହୋଇ କେହି
ସଂସାରେ ଚଳିପାରେନାହିଁ
ଏବେ ଚଳିତ ବର୍ତମାନ
ତାହାକୁ ଜଣାଉଁ ସମ୍ମାନ
ଅତୀତ, ଭବିଷ୍ୟତ୍ ଚିଂତା
ସତରେ ବର୍ତମାନ-ହଂତା
ଏଠି ଓ ଏବେ ରହି ଥାଇ
ସବୁକିଛି ପାରିବା ପାଇ
‘ବର୍ତମାନ’ରେ ସମାହିତ
ଅତୀତ ଆଉ ଭବିଷ୍ୟତ
ଅତୀତ ହେଲାଣି ବିଗତ
ରହିହୁଏନି ତା ସହିତ
ଯାହା ଦେଇନି କେବେ ଦେଖା
ହୋଇ ନ ପାରେ ପ୍ରାଣସଖା
Comments are closed.