କୋଲକାତା: ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସୋନାରପୁର ଗସ୍ତ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗକୁ ନେଇ ପଶ୍ଚିମବଙ୍ଗର ରାଜନୀତି ସରଗରମ ହୋଇଛି। ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି।
ମମତା କହିଛନ୍ତି, ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରି ଭୟର ପରିବେଶ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ଘଟଣା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ସୋନାରପୁର ଅଞ୍ଚଳରେ ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଅଭିଷେକ ବାନାର୍ଜୀଙ୍କ ଉପରକୁ ବିରୋଧ କରି ଜୋରଦାର ପଥର, ଢେଲା ଓ ଅଣ୍ଡା ମାଡ଼ କରାଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଉପସ୍ଥିତ ଲୋକେ ଚୋର ଚୋର କହି ନାରା ଦେଇଥିଲେ। ଏତେ ଜୋର ଲୋକମାନେ ଆକ୍ରମଣ କରିଥିଲେ ଯେ, ସେ ବାଧ୍ୟ ହୋଇ ହେଲମେଟ୍ ପିନ୍ଧିଥିଲେ।
ଘଟଣା ପରେ ତୃଣମୂଳ ନେତୃତ୍ୱ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ରାଜନୈତିକ ଅଭିଯୋଗ ମାତ୍ର ଏବଂ ଏଥିରେ ବିଜେପିର କୌଣସି ଭୂମିକା ନାହିଁ। ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ତେଣୁ ଅଭିଷେକଙ୍କୁ ଦେଖିବାମାତ୍ରେ ଲୋକେ ଆକ୍ରମଣ କରିଛନ୍ତି। ତେଣୁ ଟିଏମସି ପ୍ରତି ଲୋକଙ୍କ ଆକ୍ରୋଶ କେମିତି ରହିଛି ଏଇଠୁ ଚିନ୍ତା କରିବା ଦରକାର।
ମମତା ବାନାର୍ଜୀ କହିଛନ୍ତି, ତୃଣମୂଳ କର୍ମୀମାନେ ଏଭଳି ଚାପରେ ଭୟଭୀତ ହେବେ ନାହିଁ। ଲୋକଙ୍କ ସହ ଦଳର ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ ଦାବି କରିଛନ୍ତି। ସେପଟେ ଆଜି ସିଆଇଡି ମଧ୍ୟ ଅଭିଷେକଙ୍କ ଘରେ ପହଁଚିଥିଲା। ଜାଲ୍ ଦସ୍ତଖତ ମାମଲାରେ ତଦନ୍ତ କରିବାକୁ ଯାଇ ଅଭିଷେକଙ୍କ ଘରେ ପହଁଚିଥିଲା। ଏହାପରେ ଅଭିଷେକ କହିଥିଲେ ତାଙ୍କ ଗଳା କାଟିଦେଲେ ବି ସେ କେବେ ବି ଏ ସରକାର ଆଗରେ ମୁଣ୍ଡ ନୁଆଁଇବେ ନାହିଁ।