Latest Odisha News

BREAKING NEWS

ଅନୁବାଦ ଗଳ୍ପ : ନୂଆଘର

କର୍ତ୍ତାର ସିଂହ ଡୁଗ୍‌ଗଲ ସ୍ୱାଧୀନୋତ୍ତର ପଞ୍ଜାବୀ ସାହିତ୍ୟର ଏକ ବଳିଷ୍ଠ ସ୍ୱର । ଦେଶ ବିଭାଜନର ନିଆଁକୁ ଅଙ୍ଗେ ନିଭେଇଥିବା ଶ୍ରୀ ଡୁଗ୍‌ଗଲ ପରବର୍ତ୍ତୀ ସମୟରେ ଉଭୟ ପଞ୍ଜାବୀ ଏବଂ ଇଂରାଜୀ ଭାଷାରେ ଅନେକ କାଳଜୟୀ ଗଳ୍ପ, ଉପନ୍ୟାସ, ନାଟକ ଓ ପ୍ରବନ୍ଧ ରଚନା କରିଛନ୍ତି । ଆକାଶବାଣୀ ଏବଂ ଜାତୀୟ ପୁସ୍ତକ ନ୍ୟାସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଡୁଗ୍‌ଗଲ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାର ମଧ୍ୟ ଲାଭ କରିଥିଲେ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୭

ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ

ଡେପୁଟୀ କମିଶନର ସା’ବ୍ ଆମକୁ କହିଲେ ଯେ ବଡ଼ବଡ଼ିଆ ହାକିମହୁକୁମାଙ୍କ ଲାଗି ଅଲଗା ଘରସବୁ ରଖାଯାଇଛି – ସେସବୁ ବଙ୍ଗଳାଗୁଡ଼ିକ ବେଶ୍ ପ୍ରଶସ୍ତ । ମୁସଲମାନ ଲୋକମାନେ ସେସବୁ ଘର ଛାଡ଼ିବା ମାତ୍ରେ ସେଗୁଡ଼ିକରେ ତାଲାଠୁଙ୍କି ତାକୁ ସିଲ୍ କରିଦିଆ ଯାଇଥିଲା । ବୋଧହୁଏ ସେଇ କାରଣରୁ ମାତ୍ର ଦଶମିନିଟ୍‌ ଭିତରେ ମୋତେ ଖଣ୍ଡିଏ ବଡ଼ ଘର ମଂଜୁର କରିବାକୁ ଆଦେଶନାମା ଜାରି ହୋଇଯାଇଥିଲା । ବାହାରେ କାର୍ ଭିତରେ ମୋ ମା’ ଅପେକ୍ଷ କରି ବସିଥିଲା । ସେ ପାକିସ୍ତାନରେ ଥିବା ଆମ ପୈତୃକ ଗାଆଁରୁ ଆସିଥିଲା । ତା’ସାଙ୍ଗରେ ଥିଲା ଜଣେ ବିଶ୍ୱସ୍ତ ଭୃତ୍ୟ ଯିଏ ସମୟର କଷଟି ପଥରରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଥିଲା । ତା’ଛଡ଼ା ଗୋଟିଏ ଦିଓଟି ଟ୍ରଙ୍କ୍ ଓ ଖଟ ଖଣ୍ଡିଏ ଯାହା ଆମେ ଲାହୋରଠାରୁ ଆଣିବାକୁ ସକ୍ଷମ ହୋଇଥିଲୁ ।

ଏଭଳି ସାହାଯ୍ୟ ଲାଗି ମୁଁ ଓ ମୋର ପତ୍ନୀ ଡେପୁଟୀ କମିଶନରଙ୍କୁ ଧନ୍ୟବାଦ ଜଣେଇ ବାହାରକୁ ବାହାରି ଆସିଲୁ । ଆମକୁ କୁହାଯାଇଥିଲା ଯେ ମଲ୍ ଆରପଟକୁ ଥିବା ଇଲାକାରେ ଆମ ନୂଆ ବଙ୍ଗଳାଟି ଅବସ୍ଥିତ । ବଙ୍ଗଳାର ମୁଖ୍ୟ ଫାଟକକୁ ସିଲ୍ କରାଯାଇଥିଲା । ଆମେ ସେ ଜଉମୁଦକୁ ଭଲଭାବେ ପରଖିଲୁ । ତା’ପରେ ତାକୁ ଖୋଲି ଭିତରକୁ ଗଲୁ ।

ନୂଆ ଘରେ ମା’ ପାଦ ଥାପୁ ଥାକୁ ଦୀର୍ଘଶ୍ୱାସଟିଏ ଛାଡ଼ିଲା । ସତେ ଯେମିତି ତା’ଛାତି ଭିତରେ ଦୁଃଖ ଓ ଆଶଙ୍କାର ସେ ପବନଟା ଏତେ ଦିନୁ ଅଟକି ଯହିଥିଲା ଓ ସେଇ ଦୀର୍ଘଶ୍ୱାସଟି ବାହାରିବା ସହ ତା ଛାତି ହାଲୁକା ହୋଇଗଲା । ସେ କମ୍ ଦୁଃଖକଷ୍ଟ ଓ ଯନ୍ତ୍ରଣାସିକ୍ତ ଅନୁଭୂତି ଭିତରେ ଏତେ ଦିନ ଜୀବନ ବିତାଇ ନ ଥିଲା । ଏମିତିକା ବଙ୍ଗଳାରେ ରହିବ ବୋଲି ମା’ କେବେ ମନରେ ଇଚ୍ଛା କରି ନ ଥିଲା । ନା କୌଣସିି କାର୍‌ରେ ବସିବାର ସ୍ୱପ୍ନ ସେ ଦେଖିଥିଲା । ଏମିତି ଚାକରବାକରଙ୍କ ସେବାଯତ୍ନ ସୁଦ୍ଧା ସେ ଚାହୁଁ ନ ଥିଲା । ସେ ତା’ର ସରଳ ଓ ଶାନ୍ତପୂର୍ଣ୍ଣ ଜୀବନକୁ ନେଇ ଖୁସି ଥିଲା ।

ଆମେ ଯେତେ ବୁଝାବୁଝି କି ଫୁସୁଲାଫାସୁଲି କଲୁ, କାହାରି କଥାରେ ସେ ଗାଆଁ ଛାଡ଼ିବାକୁ ରାଜି ହୋଇ ନ ଥିଲା । ଆମମାନଙ୍କର କିଛି ଛୋଟମୋଟ କଥାବାର୍ତ୍ତା କି ତା’ଠାରୁ ପରାମର୍ଶ ନେବାର ଥିଲେ ସୁଦ୍ଧା ଆମକୁ ତା’ପାଖକୁ ଯିବାକୁ ପଡ଼ୁଥିଲା ।

ଯେତେବେଳେ ଚାରିଆଡ଼େ ଦଙ୍ଗା ବ୍ୟାପିଲା, ମା’ ଆମର ସବ ଚିଠିକୁ ଏଡ଼େଇ ଚାଲିଲା । ସବୁ ଚିଠିରେ ଆମେ ତାକୁ ଗାଆଁ ଛାଡ଼ି ପଳେଇ ଆସିବାଲାଗି ନେହୁରା ହେଉଥିଲୁ । ଆମ ପାଖକୁ ଆସି ନିରାପଦରେ ରହିବାକୁ କହୁଥିଲୁ । ହେଲେ ନିଜ ଭିଟାମାଟି, ଚୂଲିଚାଳକୁ ଛାଡ଼ି ଆସିବାକୁ ସିଏ ଆଦୌ ରାଜି ହେଉନଥିଲା । ଏମିତି ଦିନେ ଦଙ୍ଗାକାରୀମାନେ ଅମେ ଗାଆଁରେ ପହଞ୍ôଚଲେ । ଏକଥା ମୁଁ ମୋ ପଡ଼ିଶା ଲୋକଙ୍କ ଠାରୁ ଶୁଣିଥିଲି । ମାଆ କିନ୍ତୁ ଅଗଣାରେ ନିଶ୍ଚିନ୍ତ ମନରେ ବସି ରହିଥିଲା । ବାହାର ଗଣ୍ଡଗୋଳ ପ୍ରତି ତା’ର ଆଦୌ ଧ୍ୟାନ ନ ଥିଲା । ଯେଉଁମାନେ ଏବେ ଦଙ୍ଗା ଭିଆଉଥିଲେ ସେମାନେ କେହି ଅପରିଚିତ ଲୋକ ନ ଥିଲେ ।

ଆମରି ଗାଆଁ ଆଖପାଖରେ ରହୁଥିବା ଚାଷୀ ଓ ମୂଲିଆମାନେ ଏମିତି କାଣ୍ଡ ଘଟାଇ ଚାଲିଥିଲେ । ପୂର୍ବରୁ ଆମ ଘରକୁ କ୍ଷୀରଦହି ନେବାଲାଗି ସେମାନେ ପ୍ରାୟ ସବୁଦିନ ଆସୁଥିଲେ । ପ୍ରତି ବର୍ଷ ଶୀତଦିନେ ସେ ଗରିବ ଲୋକମାନଙ୍କୁ ମାଆ ଘରର ପୁରୁଣା ରେଶମ ପୋଷାକ କି କମ୍ବଳ ସବୁ ବାଣ୍ଟୁଥିଲା । ଏବେ ସେଇମାନଙ୍କ ଭିତରୁ କାଳିଆ କାଳିଆ ଆଠଦଶଟା ଭୁଷୁଣ୍ଡା ଗୁଣ୍ଡା ଆମ ଘର ଭିତରକୁ ପଶି ଆସିଥିଲେ । ସମସ୍ତଙ୍କ ହାତରେ ଠେଙ୍ଗା ଓ ଖଣ୍‌ନା ଭଳି ମାରଣାସ୍ତ୍ର ଥିଲା । ସେମାନଙ୍କ ଭିତରେ ଜୁମ୍ମା ତେଲି ବି ଥିଲା । ଝାଡ଼ୁଦାର ସରଖୁ, ଭିସ୍ତି ମାଦୁ, ମୋଚି ଦୁଲ୍ଲା ଓ ଦରଜି ସୟାଦ୍ଦିନ୍‌ର ତିନିପୁଅ ବି ଥିଲେ । ସେମାନେ ସମସ୍ତେ ଆଖପାଖ ଗାଆଁର । ସମସ୍ତେ ମାଆକୁ ଦେଖି ଏକାସ୍ୱରରେ କହିଉଠିଲେ, ‘ଚୌଧୁରାଏନ୍‌, ଆମେ ସମସ୍ତେ ଆପଣଙ୍କୁ ସଲାମ ଠୁଙ୍କୁଛୁ ।’

ଏତିକି କହି କିଳିକିଳା ନାଦ କରି ସେମାନେ ଅଗଣାରୁ ସିଧା ଘର ଭିତରକୁ ପଶିଯାଇଥିଲେ । ମା’ ହଠାତ୍ ଉଠି ଠିଆ ହୋଇପଡ଼ିଲା । ବାରଣ୍ଡାଟା ଉପରେ ଠିଆହୋଇ ସେ ଦୁର୍ବୃତ୍ତମାନଙ୍କ ସବୁ କାଣ୍ଡ ଦେଖୁଥିଲା । ଦଙ୍ଗାକାରୀମାନେ ଘର ଭିତରୁ ସବୁ ଜିନିଷପତ୍ର ବୁହାଇ ନେଉଥିଲେ । କିନ୍ତୁ ସେମାନେ ଯେତେବେଳେ ଘର ଭିତରୁ ସେ ଚଉଠି ପଲଙ୍କଟାକୁ ଟେକି ବାହାର କରିବାକୁ ଉଦ୍ୟତ ହେଲେ, ମା’ ସେମାନଙ୍କୁ ବାରଣ କଲା – ‘ଜେହାନା, ମୋ ପୁଅଟା ପରା, ସେ ପଲଙ୍କଟାକୁ ଛାଡ଼ିଦେ’ । ସେଇଟା ମୋ ବୋହୂ ତା’ବାପଘରୁ ଯୌତୁକରେ ଆଣିଥିଲା । ତା’ଚଉଠି ପଲଙ୍କ ସେଇଟା ।’

ଜେହାନା କିନ୍ତୁ ମା’ କଥା ଶୁଣି ନ ଥିଲା ।

‘ଆରେ ତୁ କେଡେ ନିଲଠାଟାଏ କିରେ? ତତେ ପରା ଏତେକରି କହୁଚି, ସେ ପଲଙ୍କଟା ନେ’ନା ।’

‘ଚୌଧୁରାଏନ, ତୋ ପଲଙ୍କ ତୁ ରଖିଥା’ । କାଇଁକି ଏତେ କାନ୍ଦିକୁନ୍ଥେଇ ହଉଚୁ?’ ଜେହାନା ଛିଗୁଲେଇଲା ପରି କଣ୍ଠରେ କହିଲା ।

ଲୁଟେରାମାନେ ଦର୍ପଣଖଞ୍ଜା ଆମର ଆଉ ଗୋଟିଏ ପଲଙ୍କକୁ ଉଠେଇନେଲେ । ମୋ ମା’ ସେମିତି ସେଇ ପଲଙ୍କ ଉପରେ ବସି ସବୁକଥା ଦେଖୁଥିଲା । ସେତେବେଳକୁ ଲୁଟେରାମାନେ ପଲଙ୍କଟିକୁ ଧରି ଗଳି ଶେଷମୁଣ୍ଡରେ ପହଁଞ୍ଚି ସାରିଥିଲେ । ପୁଣି ଯେତେବେଳେ ସୟାଦ୍ଦିନର ପୁଅମାନେ ଆମ ଘରୁ ଓଜନିଆ ବାକ୍ସସବୁ ନେଇଯିବାକୁ ଉଠେଇଲେ, ମୋ ମାଆ ସେଇଆଡ଼କୁ ଦୌଡ଼ି ଯାଇଥିଲା । ସେସବୁ ବାକ୍ସ ଓ ସିନ୍ଦୂକ ଗୋଟିଏ ଅନ୍ଧାରୁଆ କୋଠରୀରେ ଧୁଆ ହୋଇଥିଲା । ବରଂ ମା’ସେମାନଙ୍କୁ ଲଣ୍ଠନ ଦେଖେଇଥିଲା । ସେମାନଙ୍କୁ ଆକଟ କରି କହିଥିଲା, ‘ଆରେ ନିଷ୍କର୍ମାଗୁଡ଼ାକ । ଆଜିକାଲି ପରା ସାପ ବିଛା ଚାରିଆଡ଼େ ସାଲୁବାଲୁ ହେଉଛନ୍ତି । ନିଜେ ଟିକେ ସାମଧାନ ରହିଥା’ରେ ମୂର୍ଖ । ନ’ହେଲେ ପଛରେ ପସ୍ତେଇବ ।

ମୀରୁକୁ ମା’ ଏକଥା ନିଜେ ଚେତେଇ ଦେଇଥିଲା । ମୀରୁ ହେଲା ପାଖ ଗାଆଁର କମାର । ଆଉ ଗୋଟିଏ ଝୁଡ଼ିରେ ଗ୍ଲାସର ସୌଖିନ ଜିନିଷଗୁଡ଼ାକ ପୂରେଇ ମୀରୁ ଖଣ୍ଡେ ଅଖା ଭିତରେ ଆମ ଘରର ସବୁ କଂସାବାସନ ଭରିଥିଲା । କିଛି ସମୟ ଭିତରେ ଲୁଟେରାମାନେ ଘରେ କଳାକନା ବୁଲେଇ ସେମିତି କିଳିକିଳା ରଡ଼ିଛାଡ଼ି ଫେରି ଯାଇଥିଲେ ।

ଲେଉଟିଲା ବେଳେ ସେମାନେ ମାଆକୁ ସେମିତି ସସମ୍ମାନେ ସଲାମ ଠୁଙ୍କିଥିଲେ । କେବଳ ଆମରି ଘରେ ଏକା ନୁହେଁ, ଗାଆଁର ସବୁରି ଘରେ ଏକାପ୍ରକାର କାଣ୍ଡ ଘଟିଥିଲା । କାହାରି ଜଣକୁ ହେଲେ ସେମାନେ ମାରଧର କି ହଣାକଟା କରି ନ ଥିଲେ । କାହାରି ଜଣକ ଘରୁ କାନ୍ଦବୋବାଳି ଶୁଭି ନ ଥିଲା । ସାରା ଦିନ ଗାଆଁଟାକୁ ଲୁଟି ଚାଲିଥିଲେ । ସେମାନଙ୍କୁ କେହି ହେଲେ ଉଁ ଚୁଁ କିଛି ପ୍ରତିବାଦ କରି ନ ଥିଲେ । ସେଦିନ ସନ୍ଧ୍ୟାରେ ଗାଆଁର ସବୁ ହିନ୍ଦୁ ଓ ଶିଖ ଲୋକ ପାଖ ମୁସଲମାନ
ଗାଆକୁ ଚାଲିଯାଇଥିଲେ ଓ ସେଠାରେ ରାତିଟା ଯେନତେନ ବିତାଇଥିଲେ ।

ଲାହୋର ସହରରେ ଦଙ୍ଗା ଲାଗିବାର ଢେର୍ ଆଗରୁ ରାୱଲପିଣ୍ଡିରେ ଗଣ୍ଡଗୋଳ ଆରମ୍ଭ ହୋଇସାରିଥିଲା । ତେଣୁ ମାଆ ଆମ ପାଖରେ ଲାହୋରରେ ଆସି ଯୋଗ ଦେଇଥିଲା । ତା’ପରେ ପରେ ଲାହୋର ସହରସାରା ହଣାକଟା,ଲୁଟି, ପୋଡ଼ାଜଳା ଆରମ୍ଭ ହୋଇଗଲା । ଅଗଷ୍ଟ ମାସ ହେଲାବେଳକୁ ସହରର ଯୁଆଡ଼େ
ଚାହିଁବି ଚାରିଆଡ଼େ କେବଳ ନିଆଁ ଦିଶିଲା । ସତେକି ସାରା ସହର ଜଳୁଥିଲା! ଆମେ ଭାବୁଥିଲୁ, ମଡେଲ ଟାଉନର ଲୋକମାନେ ନିରାପଦରେ ଥିବେ । ତା’ଛଡ଼ା ସେତେବେଳେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ପାକିସ୍ତାନରେ ଥିଲି । ତେଣୁ ଆମେ ଭାବିଲୁ, ମଡେଲ ଟାଉନ୍ ବିପଦମୁକ୍ତ ଥିବ; କାରଣ ସେଠାରେ ଉଚ୍ଚଶିକ୍ଷିତ ଲୋକମାନେ ବସବାସ କରନ୍ତି ।

ଅଗଷ୍ଟ ପନ୍ଦର ତାରିଖ ଦିନଟା ଚାରିଆଡ଼େ ସେମିତି ରକ୍ତପାତରେ ବିତିଥିଲା । ତା’ପରେ କେଇଦିନ ପର୍ଯ୍ୟନ୍ତ ସମସ୍ତେ ଆତଙ୍କିତ ଅବସ୍ଥାରେ ଘର ଭିତରେ କବାଟକିଳି ଲୁଚି ରହିଲେ । କିନ୍ତୁ ଯେତେବେଳେ ରାସ୍ତାଘାଟରୁ ଲୋକମାନଙ୍କ ପଚାସଢ଼ା ଶବସବୁ ଉଠାଗଲା, ସମସ୍ତେ ଭାବିଲେ ପରିସ୍ଥିତି ଶାନ୍ତ ପଡ଼ିଯାଇଛି । ଏବେ ସବୁକିଛି ପୁଣି ସ୍ୱାଭାବିକ ହୋଇଯିବ ।

ସେତେବେଳକୁ ସାତଦିନ ପର୍ଯ୍ୟନ୍ତ ଆମେ ଘରୁ ପଦାକୁ ବାହାରି ନ ଥିଲୁ । ଦିନେ ସନ୍ଧ୍ୟାବେଳେ ମୁଁ ଭାବିଲି ଆସନ୍ତାକାଲିଠାରୁ ଅଫିସ୍ ଯିବା ଆରମ୍ଭ କରିବି । ସେଇ ଦିନ ବିଳମ୍ବିତ ରାତିରେ ଜଣେ ପଡ଼ୋଶୀ ଆସି ଖବରଦେଲେ ଯେ ସହରରେ ଦଙ୍ଗାକାରୀମାନେ ବେଳକୁ ବେଳ ଅଣଆୟତ୍ତ ହୋଇ ପଡ଼ୁଛନ୍ତି । ଭଲ ହେବ ଯଦି ଆମେ ଘଣ୍ଟାଏ ଭିତରେ ଘରଛାଡ଼ି ଅନ୍ୟ ଆଡ଼େ ପଳେଇଯିବା ।

ମୁଁ ବି ମୋର ଜଣେ ମୁସଲମାନ ବନ୍ଧୁଙ୍କ ସାଙ୍ଗରେ କଥାବାର୍ତ୍ତା କଲି । ସେ ମଧ୍ୟ ହାତଯୋଡ଼ି ସେଇକଥା କହିଲେ । ଏ ସ୍ଥାନ ମୋ ଲାଗି ଆଉ ନିରାପଦ ନୁହେଁ ବୋଲି ମତ ଦେଲେ । କେତେ ଦିନ ଆଉ ସେ ମୋତେ ସୁରକ୍ଷା ଦେଇପାରିବ! ଦଙ୍ଗାକାରୀମାନେ ରକ୍ତମୁଖା ପାଲଟି ସାରିଥିଲେ । ସେମାନଙ୍କୁ ନିୟନ୍ତ୍ରଣ କରିବା କ୍ଷମତା
କାହାରି ନ ଥିଲା । ବନ୍ଧୁ ଜଣକ ପୁଲିସ୍ ଅଧିକାରୀ ଥିଲେ । ତାଙ୍କର ଏଭଳି ପୋଖରିଛୁଆଁ ଅବସ୍ଥା ଦେଖି ମୁଁ ପରିସ୍ଥିତି କେତେ ଭୟଙ୍କର ତାହା ଠଉରାଇନେଲି । ତେଣୁ ଘରର ସବୁ ଜିନିଷ ଆଡ଼ୁ ମୁହଁ ଘୂରେଇନେଇ ବଙ୍ଗଳାରୁ ବାହାରିଗଲି । ଜଣେ ମୁସଲମାନ କନେଷ୍ଟବଳକୁ ଧରି ପାକିସ୍ତାନ ସୀମା ଅଭିମୁଖେ ଗାଡ଼ି ଛୁଟେଇଲି । ଆମକୁ ସୁରକ୍ଷା ଦେବାଲାଗି ମୋର ବନ୍ଧୁ ସେଇ କନେଷ୍ଟବଳଟିକୁ ଯୋଗାଡ଼ କରିଦେଇଥିଲେ ।

ଆମେମାନେ କେବଳ ପିନ୍ଧା ପୋଷାକ ଖଣ୍ଡିକ ସହ ଏମିତି ଭାବେ ଘର ଛାଡ଼ି ଅସିଥିଲୁ । ଏସବୁ ଦେଖି ମୋ ମା’ ଆବାକାବା ହୋଇଯାଇଥିଲା । ବନ୍ଧୁକଧାରୀ ପୁଲିସ କନେଷ୍ଟବଳଟି ଆମକୁ ସବୁପ୍ରକାର ସୁରକ୍ଷା ପ୍ରଦାନ କରିଥିଲା । ଆମ ଆଡ଼କୁ ଯିଏ ଚାହୁଁଥିଲେ ସେମାନଙ୍କ ଉପରକୁ ସେ ବନ୍ଧୁକ ଉଞ୍ଚାଉଥିଲା । ବାଟସାରା ମାଆ ଚୁପ୍‌ଚାପ୍ ବସିରହିଥିଲା । କାହାକୁ କିଛି କହୁ ନ ଥିଲା । ସେ ମଧ୍ୟ ଲକ୍ଷ କରିଚାଲିଥିଲା ଆମରି ଭଳି ଆହୁରି ହଜାର ହଜାର ଶରଣାର୍ଥୀ ସୀମା ଆଡ଼କୁ ପିମ୍ପୁଡ଼ିଧାର ପରି
ଚାଲିଥିଲେ । କାହାରି ତୁଣ୍ଡରେ କିଛି ହେଲେ ଭାଷା ନ ଥିଲା । ଆମ ନୂଆ ବଙ୍ଗଳାଟି ଥିଲା ପାକିସ୍ତାନକୁ ପଳେଇ ଯାଇଥିବା ଜଣେ ମୁସଲମାନ ଭଦ୍ରବ୍ୟକ୍ତିଙ୍କର । ଏବେ ଆମେ ଯେତେବେଳେ ସେ ଘର ଦରଜାର ଜଉମୁଦ ଭାଙ୍ଗି ଭିତରକୁ ପଶିଲୁ ମୋ ମା’ ଛାତିରୁ ଦୀର୍ଘଶ୍ୱାସଟିଏ ବାହାରି ଆସିଲା ।

ଘର ଭିତରେ ଥିବା ଟୋପିଷ୍ଟାଣ୍ଡ୍‌ରେ ଆଶାବାଡ଼ିଟିଏ ଝୁଲୁଥିଲା । ସେ ଆଶାବାଡ଼ିଟିର ହ୍ୟାଣ୍ଡଲ୍‌ଟି ବେଶ୍ କଳା ଓ ଚିକ୍କଣ ଲାଗୁଥିଲା । ଷ୍ଟାଣ୍ଡ୍‌ର ଅନ୍ୟ କିଳାରେ ଆଉ
ସାତୋଟି ଟୋପି ଝୁଲୁଥିଲା । ତଳ ଚଟାଣରେ କେତେଗୁଡ଼ିଏ ପୁରୁଣା ଚିଠି ପଡ଼ିଥିଲା । ବୋଧହୁଏ ବାହାର କବାଟ ତଳ ଦେଇ କେହି ସେସବୁକୁ ଗଳେଇ ଦେଇଥିଲା । ଚିଠିସବୁରେ ଠିକଣା ଲେଖାଥିଲା: ଖାନ୍ ବାହାଦୂର ଶେଖ୍‌ ମିରାଜୁଦ୍ଦିନ୍‌, ମିସ୍ ଜୁବେଦା, ଏମ.ଏ., ଏବଂ ବେଗମ୍‌ ମିରାଜୁଦ୍ଦିନ୍ । ସେଥିରୁ କେତୋଟି ଥିଲା ବିବାହ ନିମନ୍ତ୍ରଣ କାର୍ଡ । ଆଉ ଗୋଟିଏ ଚିଠି ଥିଲା କମିଶନରଙ୍କ ବାସଭବନରେ ବସିବାକୁ ଥିବା ଏକ ଶାନ୍ତି କମିଟି ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ । ପୁରି ଆଉ ଖଣ୍ଡିଏ ପତ୍ର ଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଯିଏ ଖାନ୍ ବାହାଦୂରଙ୍କୁ ଚବିଶ ଘଣ୍ଟା ଭିତରେ ଏ ସ୍ଥାନ ଛାଡ଼ି ଚାଲିଯିବାକୁ ଲେଖାଥିଲା । ଅନ୍ୟଥା ତାଙ୍କୁ ଏହାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ସେଥିରେ ଧମକ ଦିଆଯାଇଥିଲା । ଘରର ଚାରିଆଡ଼େ ବହଳ ଧୂଳିର ଏକ ଆସ୍ତରଣ ବସିଥିଲା । ଛାତ କୋଣକୁ ବୁଢ଼ିଆଣୀ ଜାଲସବୁ ବୁଣି ହୋଇଥିଲା । ବାରଣ୍ଡାରେ କେଇଟା ଆରାମ ଚୌକି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଥିଲା । ତା’ପାଖକୁ ଲାଗି ଗୋଟିଏ ଟେବୁଲ୍ ।

ତା’ଉପରେ ସଦ୍ୟ ଧୋବାଘରୁ ସଫା ହୋଇଆସିଥିବା ଟେବୁଲ୍‌ କ୍ଲଥ୍ ବିଛା ଯାଇଥିଲା । ଟେବୁଲ୍ ଉପରେ ଫୁଲଦାନିଟିଏ ଥିଲା । ତା’ ଭିତରେ ଖୋସା ହୋଇଥିବା ଡେମ୍ଫ ଲାଗିଥିବା ଫୁଲସବୁ କାହିଁ କେଉଁଦିନୁ ମଉଳି ଶୁଖି ସାରିଥିଲା । ସେଇ ଶୁଖିଲା ଫୁଲର ପାଖୁଡ଼ାସବୁ ଚଟାର ଉପରେ ଚାରିଆଡ଼େ ବିଛେଇ ହୋଇ ପଡ଼ିଥିଲା । ସେସବୁ ଶୁଖିଲା ପାଖୁଡ଼ାଗୁଡ଼ିକ ପିଆଜରୁ ଛଡ଼ାଯାଇଥିବା ଚେପା ପରି ଲାଗୁଥିଲା । ବୈଠକଖାନା ଚଟାଣରେ ମୋଟା ଓ ଦାମୀ କାର୍ପେଟ ବିଛାଯାଇଥିଲା । ସୋଫା ସେଟ୍ ବି ସେମିତିକିଆ ସୌଖିନ ଲାଗୁଥିଲା ଓ ସେସବୁ ବେଶ୍ ବିନ୍ୟସ୍ତ ଭାବେ ସଜା ହୋଇଥିଲା । ସେଥିରୁ ଗୋଟିଏ ଚୌକି ଉପରେ ୧୯୪୭, ଅଗଷ୍ଟ ୧୫ ତାରିଖର ‘ଦି ଡନ୍‌’ ସମ୍ବାଦପତ୍ରର କପି ଖଣ୍ଡିଏ ଥିଲା । ଆଶ୍ଚର୍ଯ୍ୟର କଥା, ମୁଣ୍ଡ ଉପର ସିଲିଂ ଫ୍ୟାନ୍‌ଟା ସେମିତି ଘିର୍‌ଘିର୍ ହୋଇ ଘୂରି ଚାଳିଥିଲା । ତା’ମାନେ ଗଲା ଦଶ ଦିନ
ଦଶ ରାତି ଧରି ସେ ଫ୍ୟାନ୍‌ଟା ସେମିତି ଘୂରୁଥିଲା! ଡାଇନିଂ ଟେବୁଲ ମଧ୍ୟ ଖୁବ୍ ସୁନ୍ଦର ଭାବେ ସଜା ହୋଇଥିଲା ।

ଟେବୁଲ ଉପରେ ଶାମୀ କବାବ, କୁର୍ମା, ଦୋପିଆଜି, ପଲାଉ ଓ ଅନ୍ୟାନ୍ୟ ସୁମିଷ୍ଠ ଖାଦ୍ୟ ପରଷା ଯାଇଥିଲା । ଶିଶୁମାନଙ୍କ ଲଗି ଉଦ୍ଦିଷ୍ଟ ଖଣ୍ଡି, ଛୋଟ ଚୋକି ସାମ୍ନାରେ ଗୋଟିଏ ପ୍ଲେଟ୍‌ ଭାତ ଥୁଆ ହୋଇଥିଲା ଓ ତା’ ଦେହରେ ଚାମୁଚାଏ ଭାରତ ସେମିତି ଅଖିଆ ରହିଥିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ିଟା ବନ୍ଦ୍ ଥିଲା । ଠିକ୍ ବାରଟା ବାଜି ଦଶ ମିନିଟ୍‌ରେ ଘଣ୍ଟାଏଟି ବନ୍ଦ୍ ହୋଇଥିଲା । ରେଡ଼ିଓ ସେଟ୍‌ଟିର ଗୋଟିଏ ପଟୁ ପୋଡ଼ି ଯାଇଥିଲା । କାନ୍ଥରେ ସାମାନ୍ୟ ପୋଡ଼ା କଳା ଦାଗ ଯାହା ସେଥିରୁ ବାହାରିଥିବା ଧୂଆଁକୁ ସୂଚାଉଥିଲା । ଶୋଇବାଘର ଚଟାଣରେ ଗୋଟିଏ ନମାଜପଢ଼ା ଆସନ ବିଛାହୋଇ ପଡ଼ିଥିଲା ଓ ତା’ ଉପରେ ଜମାମାଳିଟିଏ ଥୁଆ
ହୋଇଥିଲା । ଆସନର ଗୋଟିଏ କୋଣ ଉପରକୁ ସାମାନ୍ୟ ମୋଡ଼ିହୋଇ ରହିଥିଲା । ଘର ଭିତରେ ଥିବା ଥାକରେ କେତେଗୁଡ଼ିଏ ପୁରୁଣା କୋରାନ୍ ଗ୍ରନ୍ଥ ସଯତ୍ନରେ ସଜାଇ ରଖାଯାଇଥିଲା ।

ରୋଷେଇଘରେ ଚୁଲି ଉପରେ ଥୁଆ ହୋଇଥିବା ତାୱାରେ ରୁଟି ଖଣ୍ଡିକ ସମ୍ପୂର୍ଣ୍ଣ ଭାବେ ଜଳି ଅଙ୍ଗାର ଭଳି ଦିଶୁଥିଲା । ପାଣି ଟ୍ୟାପ୍ ତଳେ ସୁରେଇଟିଏ ଥୁଆ ହୋଇଥିଲା । ଦୀର୍ଘ ସମୟ ଧରି ତା’ ଭିତରକୁ ଠୋପା ଠୋପା ପାଣି ପଡ଼ି ସେଇଟା କେତେବେଳୁ ଭର୍ତ୍ତି ହୋଇସାରିଥିଲା । କାନ୍ଥ ପାଖକୁ ଲାଗି କଂସାପାତ୍ର ଓ ବିଭିନ୍ନ ଆକୃତିର ପାଞ୍ଚଟି ଲୋଟା ପାଖାପାଖି ଥୁଆ ହୋଇଥିଲା । ଚାକରବାକରଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ଚେନ୍‌ରେ ବନ୍ଧା ହୋଇଥିବା ମଲା କୁକୁରଟିଏ ପଡ଼ିଥିଲା । ଦୁଆରମୁହଁ ଉପରେ ତା’ର ଥୋମଣିଟି ଥିଲା । ସେମିତି ପଞ୍ଜୁରି ଭିତରେ ଥିବା ବୁଲବୁଲଟିର ପ୍ରାଣପକ୍ଷୀ କେବେଠାରୁ ଉଡ଼ିଯାଇ ସାରିଥିଲା । ପଞ୍ଜୁରିଟି ଅଗଣାର ଲେମ୍ବୁଗଛରେ ଟଙ୍ଗା ହୋଇଥିଲା ।

ମା’ଘରସାରା ବୁଲି ସବୁକିଛି ଦେଖିଲା, ହେଲେ ଉଁ ଚୁଁ କିଛି କହିଲାନି ।

ଆମେସବୁ ବଗିଚାର କମଳାଗଛକୁ ଚାହିଁ ରହିଥିଲୁ । ମୁଁ ଓ ମୋର ପତ୍ନୀ କୁଅରେ ଲାଗିଥିବା ଚକ୍ରି ଚଳାଇ ପାଣି କାଢ଼ିବାକୁ ଚେଷ୍ଟା କରୁଥିଲୁ । ସେଇ ଚେନ୍‌ରେ ଲାଗିଥିବା ଭଙ୍ଗା ଲୋଟାଗୁଡ଼ିକୁ ଆମେ ଗଣିଲୁ । ପୁଣି ସେଥିରୁ କେଇଟା ଖାଲି ଥିଲା । ମୋ ପତ୍ନୀ କହିଲେ, ଆସନ୍ତା ଅକ୍ଟୋବର ମାସ ବେଳକୁ ସେସବୁ ପାଚିବା ଆରମ୍ଭ କରିବ । ମୁଁ କିନ୍ତୁ କହିଲି, ନଭେମ୍ବର ବେଳକୁ ହିଁ ସେସବୁ ଅଧିକ ରସାଳ ଓ ସୁସ୍ୱାଦୁ ହେବ, ତା’ ଆଗରୁ ନୁହେଁ । ମୋ ପତ୍ନୀ ଅଗଣାରେ ଥିବା ପିଜୁଳି ଗଛରୁ ଶୁଆଖୁମ୍ପା କେଇଟା ପାଚିଲା ପିଜୁଳି ତୋଳି ଚୋବାଇ ଚାଲିଥିଲେ । କୁକୁଡ଼ା ଭାଡ଼ି ଭିତରେ ଏଣେତେଣେ ଗୁଡ଼ିଏ ଅଣ୍ଡା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଏସବୁ ଦେଖିବା ଭିତରେ ଘରଟା ଏତେ ଅଳିଆ ହୋଇଛି ବୋଲି ମୋ ପତ୍ନୀ ପ୍ରଥମେ ଯେମିତି ନାକ ଟେକୁଥିଲେ, ତାଙ୍କ ମନରୁ ସେସବୁ ଧାରଣା କୁଆଡ଼େ ଉଭେଇ ସାରିଥିଲା ।

ପ୍ରାୟ ଘଣ୍ଟାଏ କାଳ ଚାରିଆଡ଼େ ବୁଲାବୁଲି କରି ଆମେ ବଙ୍ଗଳାକୁ ଲେଉଟିଲୁ । ସେତେବେଳକୁ ଡ୍ରାଇଭର ଘରଦ୍ୱାର ସବୁ ଭଲଭାବେ ସଫାସୁତୁରା କରି ସାରିଥିଲେ । ରୋଷେଇଘରୁ ଧୂଆଁ ଉଠୁଥିଲା । ଅଗଣାରେ ଥିବା ପାଣିଟ୍ୟାପ୍‌ରୁ ଖୁବ୍‌ ଜୋର୍‌ରେ ପାଣି ବହି ଚାଲିଥିଲା । ଘର ପଛପଟ ଅଗଣାରୁ ମୋ ପତ୍ନୀ କାନିରେ ପୁଳାଏ
କଅଁଳିଆ ଭେଣ୍ଡି ତୋଳି ଆଣିଥିଲେ । ଏବେ ସେ ବାରଣ୍ଡାରେ ଝୁଲୁଥିବା ରସିଦୋଳିରେ ବସି ସେସବୁକୁ କାଟି ଚାଲିଲେ । ସେଇ ବାରଣ୍ଡା ଉପରେ ପଡ଼ିଥିବା ଖଟିଆଟା ଉପରେ ମା’ ଆରାମରେ ଶୋଇ ଯାଇଥିଲା । ତା’ ଆଖିରୁ କେତେବେଳୁ ଲୁହ ଶୁଖି ସାରିଥିଲା । ଡାଇନିଂ ଟେବୁଲ ପାଖରେ ଥୁଆ ହୋଇଥିବା ଦରପୋଡ଼ା
ରେଡିଓ ସେଟ୍‌ଟିକୁ ମୁଁ ଖୋଲିଲି । କେବଳ ଟ୍ରାନ୍ସଫର୍ମରକୁ ଛାଡ଼ି ଅନ୍ୟ କିଛି ପୋଡ଼ି ନ ଥିବା ପରି ମୋତେ ଲାଗିଲା । ଜୀବନ ପୁଣି ସ୍ୱାଭାବିକ ଭଳି ଲାଗୁଥିଲା…

-ଠ-ଠ-ଠ-

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

 

Leave A Reply

Your email address will not be published.