Latest Odisha News

BREAKING NEWS

ଗଳ୍ପ : ନୀରବତାର ଭାଷା

ଆରତୀ ପଟ୍ଟଯୋଷୀ 

ଟିକେ ଥୟଧର “ଶ୍ରୀମତୀ”, ଏବେ ସୋମୁ ଓ ବୋହୁ ଆସି ପହଞ୍ଚି ଯିବେ। ଘରୁ ସେମାନେ କେତେବେଳୁ ବାହାରି ସାରିଲେଣି, ଫୋନ କରିଥିଲେ ପରା। ତୁମେ ଏମିତି ବ୍ୟସ୍ତ ହେଲେ ହେବ ? ମୃତ୍ୟୁ ଶଯ୍ୟାରେ ପୁଅକୁ ଅପେକ୍ଷା କରିଥିବା ସ୍ତ୍ରୀ “ଶ୍ରୀମତି”ଙ୍କୁ ବାରମ୍ବାର ଏମିତି କହି ବୋଧ ଦେଉଥିଲେ ସ୍ୱାମୀ “ଅରବିନ୍ଦ”।

ବାହାରେ ଗାଡି ରହିବାର ଶବ୍ଦରେ ଆଖି ତରାଟି ଚାହିଁଲେ ଶ୍ରୀମତୀ। ହେଇଟି !! “ମୋ ପୁଅ ଆସିଲାଣି ବୋଧେ” ର ଭାବଟିଏ ସ୍ପଷ୍ଟ ଫୁଟି ଉଠୁଥିଲା ତାଙ୍କ ନିଷ୍ପ୍ରଭ ଆଖିରେ। ତରତର ହୋଇ ଘର ଭିତରକୁ ପଶି ଆସିଲେ ପୁଅ ବୋହୂ। ସଦା ଚଳ ଚଞ୍ଚଳ ମାଆ ର ଏ ନିସ୍ତେଜ ଅବସ୍ଥା ଦେଖି ଛଳ ଛଳ ଆଖିରେ ମୁହଁରେ ଗଙ୍ଗାପାଣି ଟୋପେ ଦେଇ “ବୋଉ” ବୋଲି ଡାକିଦେଲା ପୁଅ। ଭାରି ସ୍ପଷ୍ଟ ଭାବେ ହୁଁ…!! ଟିଏ ମାରି ପୁଅକୁ ଏକା ଲୟରେ ଚାହିଁ ରହିଥିଲେ ଶ୍ରୀମତୀ। ବାସ୍…..!! ସବୁ ଶେଷ….!! ପ୍ରାଣପକ୍ଷୀ ଟି ସତେ ଯେମିତି ପୁଅକୁ ହିଁ ଅପେକ୍ଷା କରି ରହିଥିଲା।

ଦଶ ବାର କାମ ସରିଲା। ପହଞ୍ଚିଲା ପୁଅର ଲେଉଟାଣି ବେଳ। ବୋଉ ଯିବା ପରଠୁ ସବୁଆଡେ ଶୁନ୍ ଶାନ୍। ବାପା ନୀରବ, ଘର ନୀରବ, ଖାଁ ଖାଁ ଚାରିଆଡେ, ଖାଲି ଶୁନ୍ୟତାର ରାଜୁତି। ଆରାମ ଚେଆର ଉପରେ ଆଖିମୁଜି ଚୁପ ଚାପ ବସିଥିଲେ ଅରବିନ୍ଦ, ମନ ଭିତରେ ଘାଣ୍ଟି ହେଉଥିଲା ଅତୀତ। ପୁଅ ଡାକରେ ଆଖି ଖୋଲିଲେ ଅରବିନ୍ଦ। ହଁ !! କଣ କହିବୁ ? ବାପା, ଆମେ କାଲି ଫେରିଯିବୁ। ଧୀର ଭାବରେ ପୁଅ କହିଲା।
“ହଁ !! ହଉ ଯାଅ”
ଆଉ ତୁମେ ?
“ମୁଁ କୁଆଡେ ଯିବି”?
କିନ୍ତୁ ତୁମେ ଏଠି ଏକୁଟିଆ କେମିତି ରହିବ ?
“ଆରେ ମୋ କଥା ଚିନ୍ତା କରନା”
ନାଇଁ ବାପା, ଆପଣଙ୍କୁ ଏକା ଛାଡି ଆମେ ଯାଇ ପାରିବୁନି।
ହସିଲେ ଅରବିନ୍ଦ, “ମୁଁ ଏକା କୋଉଠିରେ ମାଆ ? ତୋ ଶାଶୁ ପରା ମୋ ସହ ସବୁବେଳେ ଅଛି”।

ନାଇଁ ବାପା ତୁମେ ଆମ ସଙ୍ଗେ ଯିବ ଦ୍ୟାଟିଜ ଫାଇନାଲ। ତୁମେ’ତ ଜାଣ ଆମେ ଦୁହେଁ ପ୍ରାଇଭେଟ ଚାକିରିଆ, ଛୁଟି ଖୁବ କମ, କେମିତି ତୁମକୁ ଏଠି ଏକା ଛାଡ଼ିବୁ ? ତା ଛଡା ଆମେବି କେତେଥର ଛୁଟି ନେଇ ଆସିପାରିବୁ ? ତେଣୁ ଅଯଥା ଜିଦ ନକରି ନିଜ ଜିନିଷ ସଜାଡ ଓ ଆମ ସାଥିରେ ଚାଲ। ପୁଅ ତାର ନିଷ୍ପତ୍ତି ଶୁଣେଇଲା ଓ ଚାଲିଗଲା। ସବୁଦିଗରୁ ଚିନ୍ତାକଲେ ଅରବିନ୍ଦ, ସତରେ ପୁଅ’ବି କିଛି ଭୁଲ କହୁନଥିଲା। ପ୍ରକୃତରେ କେତେଥର ସେମାନେ ବା ଆସି ପାରିବେ ? ଦିଲ୍ଲୀ ବି କିଛି ପାଖବାଟ ନୁହେଁ ନା……? ଅଗତ୍ୟା ଦୀର୍ଘ ନିଶ୍ଵାସଟେ ଛାଡି ଉଠିଲେ ଅରବିନ୍ଦ। ଜିନିଷ ପତ୍ର ସଜାଡି ପୁଅ ସହ ଯିବାକୁ ପ୍ରସ୍ତୁତ ହେଲେ।

ଦିଲ୍ଲୀରେ ଫ୍ଲାଟ ଘର। ବିରାଟ ବିରାଟ ଆପାର୍ଟମେଣ୍ଟ । ୧୧ ମହଲାରେ ଥାଏ ପୁଅର ଘର। ପୁଅ ବୋହୁଙ୍କ ସହ ଲିଫ୍ଟରେ ପ୍ରଥମକରି ଚଢିଲେ ଅରବିନ୍ଦ। ଘର ଭିତରେ ପଶି ଚାରିଆଡେ ବୁଲି ଦେଖିଲେ। ଆରେ ଇୟା ନାଁ ଘର……? ଏ’ତ ପିଞ୍ଜରା ଭିତରେ ରହିଲା ଭଳି ଲାଗୁଛି। ଭୀଷଣ ଅଣ ନିଶ୍ୱାସୀ ଲାଗୁଛି ଏଠି। ନା ଦାଣ୍ଡ ଅଛି ନା ବାରି। ତୁଳସୀ ଗଛଟିଏ ପୋତିବାକୁ ବି ଜାଗାଟିଏ ନାହିଁ। ଘରର ବାଲକୋନୀ କୁ ଗଲେ ଅରବିନ୍ଦ। ହଁ !! ଏଇ ବାଲକୋନୀ ଓ ଏଠି ବନ୍ଧା ହୋଇଥିବା ଦୋଳି, ଏତିକି ହିଁ ଭଲ ଲାଗିଲା ଅରବିନ୍ଦଙ୍କୁ। ଅନ୍ତତଃ ପକ୍ଷେ ଏଠି ଟିକେ ନିଶ୍ୱାସ ନେଇ ହେଉଛି।

ପରଦିନଠାରୁ ପୁଅ ବୋହୂଙ୍କ ରୁଟିନ୍ ଲାଇଫ ଆରମ୍ଭ ହୋଇଗଲା। ଭୋର ପାଞ୍ଚଟାରୁ ଉଠ ଆଉ ମିଳିମିଶି ରୋଷେଇ କର। ଏକାଠି ତରତର ହୋଇ ଖାଅ, ଆଉ ଏକାଠି ଅଫିସ ଯାଅ। ଗଲାବେଳେ ବୋହୁ କହିଯାଏ ବାପା, ରୋଷେଇ କରି ଦେଇଛି ଖାଇ ନେବେ। ବାକି ସବୁ ସେମିତି ଥିବ ମୁଁ ଫେରିଲେ ସଫା ସଫି କରିବି। ଫ୍ରିଜରେ ଫଳ ମିଠା ସବୁ ରଖିଛି, ଡ଼ବାରେ ସ୍ନାକ୍ସ ବି ଅଛି, ଭୋକ ହେଲେ ଖାଇ ନେବେ। ହଁ !! ଆଜି ଅନ ଲାଇନ ରେ ଆପଣଙ୍କ ଲାଗି ମାଗାଯିନ ମଗେଇଦେବି। ଆପଣ ବସି ଟିଭି ଦେଖନ୍ତୁ, ପତ୍ର ପତ୍ରିକା ପଢନ୍ତୁ, ବୋର ଲାଗିବନି। କିଛି ଦରକାର ହେଲେ ଫୋନ କରିବେ। ଖାଇପିଇ ହସଖୁସିରେ ସମୟ କାଟନ୍ତୁ।

ଯେତେ ଯାହା ବ୍ୟବସ୍ଥା ଥିଲେ ମଧ୍ୟ ପୁଅ ବୋହୁ ଗଲାପରେ କିନ୍ତୁ, ବହୁତ ଏକା ଲାଗେ ଅରବିନ୍ଦଙ୍କୁ। ଏ ନିବୁଜ ଘରଟାରେ ଏକୁଟିଆ କେତେ ସେ ବସି ରହିବେ ? ବାହାରକୁ ଯିବାର ଉପାୟ ବି ନାହିଁ। କାରଣ ଓଡ଼ିଆ ଛଡା ଆଉ କିଛି ଭାଷାବି ତ ଜାଣନ୍ତିନି ସେ। ଭାରି ଏକା ଏକା ଲାଗେ। କାହା ସହ ଦୁଇପଦ କଥା ହେବାକୁ ମନଟା ଛଟପଟ ହୁଏ ତାଙ୍କର। ମନେହୁଏ ସମୟ ଯେମିତି ଅଟକିଯାଏ। ଘରସାରା ଏକାଏକା ପଦ ଚାରଣ କରୁଥାନ୍ତି ଅରବିନ୍ଦ। ନିଜ ସହ ନିଜେ କଥା ହୁଅନ୍ତି। ସମୟ କାଟିବା ପାଇଁ ଘରସାରା ବୁଲି ବୁଲି କାମ ଖୋଜନ୍ତି। ଦିନେ ମନେ ମନେ ଭାବିଲେ, ଯଦି ସେ ବୋହୂକୁ କାମରେ ଟିକେ ସାହାଯ୍ୟ କରନ୍ତେ ତେବେ ତାଙ୍କ ସମୟ ବି କଟିଯାଆନ୍ତା ବୋହୂକୁ ବି ଟିକେ ଆରାମ ମିଳନ୍ତା। ବିଚାରୀ ସିଆଡୁ ଚାକିରୀ କରି ଆସି ଇଆଡ଼େ ଘର ଯାକର ଯାବତୀୟ କାମରେ ହଇରାଣ ହେଉଛି। ଏମିତି ସବୁ ଚିନ୍ତା କରି, ଦିନ ବେଳାର ଖାଇବା ବାସନତକ ମାଜି ବସିଲେ ଅରବିନ୍ଦ। ବାସନ ଥାକ ସଜାଡ଼ିଲେ, ରୋଷେଇ ଘର ଥାକ ସବୁକୁ ସଫା ସଫି କରି ସଜାଡ଼ିଲେ। ସବୁ ରୁମ୍ ର ବେଡ଼ସିଟ୍ ଗୁଡ଼ିକୁ ଝଡା ଝଡି କରି ସଜାଡ଼ିଲେ। ରାତି ଝାଇବା ପାଇଁ ଅଟା ଚକଟି ଦେଲେ। ଫ୍ରିଜ ଭିତରୁ ପରିବା କାଢି, କଟା କଟି କରି ଡାଲମା କରିକି ରଖିଲେ। ଏତେ ସବୁ କଲାପରେ ମଧ୍ୟ ତାଙ୍କ ପାଇଁ ସମୟ ସରୁନି। ଶେଷରେ ନିରୁପାୟ ହୋଇ ବାଲକୋନୀ ଦୋଳିରେ ଯାଇ ବସିଲେ। ସନ୍ଧ୍ୟାରେ ବୋହୁ ଫେରି ଘରର ପରିବର୍ତ୍ତିତ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପଚାରିଲା, “ଏସବୁ କିଏ କଲା ବାପା”?

ମୁଁ କଲିରେ ମାଆ, କେତେ ଖାଲି ଟାରେ ବସିବି। ଭାବିଲି କିଛି କାମ କରେ, ଅନ୍ତତଃ ସମୟ କଟିଯିବ। ନାଇଁ ବାପା, ଆପଣ ଏସବୁ କରିବେନି। ମୁଁ କଣ ଏଠିକୁ ଆପଣଙ୍କୁ କାମ କରିବାକୁ ଆଣିଛି ? ଏ ସବୁ ଦେଖିଲେ, ଆପଣଙ୍କ ପୁଅ ଭାବିବେ, ଘର କାମ କରିବାକୁ, ମୁଁ ଆପଣଙ୍କୁ କହିଛି। ପ୍ଲିଜ ବାପା, ଆମ ଭିତରେ ଭୁଲ ବୁଝାମଣା ସୃଷ୍ଟି କରନ୍ତୁନି। ହେଲେ ନିରୁପାୟ ଅରବିନ୍ଦ।

ପୁଅ ବୋହୁଙ୍କ ରୁଟିନ୍ ବନ୍ଧା ଜୀବନ, ଦୁହେଁ କର୍ମଜୀବି। ଅଫିସରୁ ଫେରି ପୁଅ ଲାପ୍ ଟପ୍ ରେ ଓ ବୋହୁ ରୋଷେଇ ଘରେ। ନାଇଁ ବୋହୂର ଯଦି କିଛି ଅଫିସ କାମ ଅଛି, ତେବେ ହୋଟେଲରୁ ମଗେଇ ଖାଅ। ଦୁଇପଦ କଥା ହେବା ପାଇଁ କାହା ପାଖରେ ସମୟ ନାହିଁ। ସ୍ତ୍ରୀଙ୍କ ଶାଢ଼ୀକୁ ଚେଆର୍ ରେ ଘୋଡେଇ ଦେଇ ଗପନ୍ତି ଅରବିନ୍ଦ। ଖଟ ଉପରେ ସ୍ତ୍ରୀଙ୍କ ଶାଢ଼ୀକୁ ରଖି ତାଙ୍କ ଉପସ୍ଥିତିକୁ ଅନୁଭବ କରନ୍ତି ସେ। ଏବେ ତାଙ୍କର ଗୋଟେ ନୂଆ ସଉକ ମୁଣ୍ଡରେ ପଶିଛି। ବାଲକୋନୀ ରେ ବସି କିଛି ଚାଉଳ ପାଖରେ ଉଡୁଥିବା ଚଢେଇ ମାନଙ୍କ ପାଇଁ ବୁଣି ଦିଅନ୍ତି। କିଛି କିଛି ବଣି ଚଢେଇ ଘର ଭିତରକୁ ପଶି ଆସି ସେସବୁ ଖାଆନ୍ତି। ଧୀରେ ଧୀରେ ସେମାନେ ପାଲଟି ଯାଆନ୍ତି ଅରବିନ୍ଦଙ୍କ ସାଥି। ସେମାନଙ୍କ ସହ ସେ ଗପନ୍ତି। ଚଢ଼େଇଗୁଡା ବି ଏବେକୁ ଅରବିନ୍ଦଙ୍କୁ ଚିହ୍ନି ଗଲେଣି। କେବେ କେବେ ତାଙ୍କ ଦୋଳିରେ ତ କେବେ ପୁଣି କାନ୍ଧରେ ହେଉ କି ହାତରେ ଆସି ବସି ଯାଆନ୍ତି। ସେ ଘର ଭିତରକୁ ଗଲେ ବଣି ଚଢେଇ ମାନେ ବି ତାଙ୍କୁ ଅନୁସରଣ କରନ୍ତି। ଅରବିନ୍ଦଙ୍କ ଅଲକ୍ଷ୍ୟରେ ପୁଅ ବୋହୁ ବି କେତେଥର ଏସବୁ ଲକ୍ଷ କଲେଣି। ଭାବନ୍ତି ବୋଧ ହୁଏ ବୟସର ପ୍ରଭାବ। ଧୀରେଧୀରେ ବାପାଙ୍କର ମତିଭ୍ରମ ହେଲାଣି ବୋଧେ। ଏମିତି ସବୁ ପାଗଳାମି ଭିତରେ କାହାକୁ କିଛି ହଇରାଣ ନକରି ଦିନେ ହାର୍ଟ ଆଟାକ୍ ରେ ଆରପାରିକି ଚାଲିଗଲେ ଅରବିନ୍ଦ…!!

ବୋଉ କେବେଠୁ ଚାଲି ଯାଇଥିଲା, ଥିଲେ କେବଳ ବାପା, ଯାହାଙ୍କ ଉପସ୍ଥିତିରେ ନିଜକୁ ଭାଗ୍ୟବାନ ମଣୁଥିବା ପୁଅ ସୌମେନ୍ଦ୍ର ଆଜି ପୁରା ପୁରି ଏକା ହୋଇଗଲା। ବାପାଙ୍କ ଅନୁପସ୍ଥିତିରେ ଭାଙ୍ଗିପଡ଼ିଲା ସୌମେନ୍ଦ୍ର। ନିଜକୁ ସ୍ଥିର ଓ ସହଜ କରିବା ପାଇଁ କିଛିଦିନ ଛୁଟି ନେବା ଉଚିତ ମଣିଲା। ସ୍ତ୍ରୀ ଅଫିସକୁ ଚାଲିଗଲା ପରେ, ଖାଲି ଖାଲି ଘରଟା ଭିତରେ ବାପାଙ୍କୁ ଖୋଜୁଥିଲେ ସୌମେନ୍ଦ୍ର। ଅନୁଭବ କରୁଥିଲେ ଆପାର୍ଟମେଂଟର ବନ୍ଦୀ ଘର ଭିତରେ ସେଦିନର ବାପାଙ୍କ ଅସହାୟତା କୁ। ଚେଆର୍ ରେ ବୋଉ ଶାଢ଼ୀକୁ ରଖି ବାପାଙ୍କର ମନକୁ ମନ କଥା ହେବାର କାରଣ। ବାହାର ବାଲକୋନୀରେ ଯାଇ ଏକୁଟିଆ କିଛି ସମୟ ପାଇଁ ଠିଆ ହେଲେ ସୌମେନ୍ଦ୍ର। ମେଞ୍ଚେ ବଣି ଚଢ଼େଇ ଚୁପ ଚାପ ହେଇ ବସିଛନ୍ତି। ସେମାନଙ୍କୁ ଦେଖି ହଠାତ୍ କିଚିରି ମିଚିରି ଶବ୍ଦ କରି ଉଠିଲେ ଚଢେଇ ଗୁଡିକ। ସେମାନଙ୍କ ଭିତରୁ କେତେଜଣ ଘର ଭିତରକୁ ମଧ୍ୟ ପଶି ଆସିଲେ। ବାପାଙ୍କ ପାଇଁ ପଡିଥିବା ଖଟ, ଚେୟାର, ସବୁଠି ବଣି ଚଢ଼େଇଙ୍କ କିଚିରି ମିଚିରି, ଯେମିତିକି ସେମାନେ ପଚାରୁଛନ୍ତି ଆମ ସାଙ୍ଗ କାଇଁ ? କୁଆଡେ ଗଲେ ଆମ ସାଙ୍ଗ ? ଭୋ, ଭୋ, ହୋଇ କାନ୍ଦି ଉଠିଲେ ସୌମେନ୍ଦ୍ର। ପାଟିରୁ ବାହାରି ଆସିଲା, “ମୋତେ କ୍ଷମା କର ବାପା”। ଖୋଲା ଆକାଶରୁ ଟାଣି ଆଣି ତୁମକୁ ମୁଁ ହିଁ ସୁନା ପଞ୍ଜୁରୀରେ ବାନ୍ଧି ରଖିଥିଲି। ବୁଝି ପାରିଲିନି ତୁମେ କେତେ ଏକା ଏକା ଅନୁଭବ କରୁଥିବ ? ଯାହାକୁ ଏ ସାମାନ୍ୟ ବଣି ଚଢେଇ ମାନେ ବୁଝିପାରିଲେ। ଅଥଚ…….!! ସତରେ ପଞ୍ଜୁରୀ ଲୁହାର ହେଉ ଅବା ସୁନାର, ପଞ୍ଜୁରୀ ତ ପଞ୍ଜୁରୀ ନା ? ଆମ ଅନୁପସ୍ଥିତିରେ କେତେ ଅସହାୟ ଅବସ୍ଥା ଥିବ ବାପାଙ୍କର ? ସେଇଥିପାଇଁ ବୋଧେ ସେ ଏ ବଣି ଚଢ଼େଇ ମାନଙ୍କ ସହ କଥା ହେଉଥିଲେ, ଯେଉଁଟାକୁ କି ଆମକୁ ବାପାଙ୍କ ମୁଣ୍ଡ ଖରାପ ବୋଲି ଲାଗୁଥିଲା। ନା….!! ପଛ କଥାକୁ ମନେ ପକେଇ କିଛି ଲାଭ ନାହିଁ। ନିଜକୁ ନିଜେ ବୁଝେଇଲା। ଏବେ ସେ ଏ ଚଢେଇ ମାନଙ୍କ ଭିତରେ ହିଁ ବାପାଙ୍କୁ ଦେଖିବ। ସେ’ବି ସେମାନଙ୍କ ସହ ଗପିବ। ଘର ଭିତରୁକୁ ଯାଇ କିଛି ଚାଉଳ ଆଣି ବାଲକୋନି ରେ ବିଞ୍ଚି ଦେଲେ ସୌମେନ୍ଦ୍ର। ହଠାତ୍ ଦଲକାଏ ଥଣ୍ଡା ପବନ ତାଙ୍କୁ ପଛପଟୁ ଧକ୍କା ଦେଲା ଭଳି ଲାଗିଲା। ପଛକୁ ବୁଲି ଚାହିଁଲେ ସୌମେନ୍ଦ୍ର, କେହି ନଥିଲେ ସତ, ହେଲେ କାହାର ଜଣଙ୍କର ଉପସ୍ଥିତି ଜାହିର କରି ଦୋଳିଟି କିନ୍ତୁ ଦୋହୁଲୁଥିଲା। ଆଉ ସେଇ ଝୁଲୁଥିବା ଦୋଳିରୁ ସୌମେନ୍ଦ୍ର ସ୍ପଷ୍ଟ ବୁଝି ପାରୁଥିଲେ ନୀରବତାର ଭାଷା  !!

ବାରିକ ସାହି
ରଥରୋଡ଼ ,ଭୁବନେଶ୍ୱର
୭୦୦୮୬୮୩୪୬୫

Leave A Reply

Your email address will not be published.