Latest Odisha News

BREAKING NEWS

ଗଳ୍ପ : ଝଡ଼

ଅଳକା ମହାପାତ୍ର

ଟଳି ଟଳି ଘର ଭିତରକୁ ପଶି ଆସିଲା ନରେଶ। ବଡ଼ ପାଟିରେ ଡାକିଲା ପତ୍ନୀ ସାବିକୁ। ଚୁଲି ପାଖରେ ବସି, ତା ଦେହରେ ଅନାବନା କାଠଝାଟି ଖେଞ୍ଚୁଥିଲା ସାବି ଭାତ ରାନ୍ଧିବା ପାଇଁ। ନରେଶର ଡାକରେ ଆଠମାସର ପେଟ ସହିତ ଧିରେ ଧିରେ ଛିଡ଼ାହୋଇ ପାଖକୁ ଆସିଲା । ତାକୁ ଦେଖି ଟଙ୍କା ମାଗିଲା ନରେଶ। ସାବି କହିଲା ଟଙ୍କା ନାହିଁ ; ଯାହାଥିଲା ଚାଉଳ ନେଇ ଆସିଛି । ଟଙ୍କା ନାହିଁ ଶୁଣି ରାଗରେ ଠେଲି ଦେଲା ସାବିକୁ, ଭାଗ୍ୟ ଭଲ କାନ୍ଥରେ ଆଉଜି ହୋଇ ରହିଗଲା ସାବି।ନହେଲେ ତା ଅବସ୍ଥା କଣ ଯେ ହୋଇ ଥାନ୍ତା ?

ଏହା ଦେଖି ଦୁଇ ବର୍ଷର କୁନି ଝିଅ ଭୟରେ ମା’ର ଶାଢ଼ୀ ପଣତରେ ଲୁଚିବାକୁ ଚେଷ୍ଟା କରୁଥିଲା ।

କାଳେ କୋଉଠି ଟଙ୍କା ଥିବ ଭାବି ଘରର ସବୁ ଜିନିଷ ପତ୍ର ଛିନଛତ୍ର କରି ଫୋପାଡି ଦେଲା ନରେଶ। ବାଇକ ଧରି ପୁଣି ବାହାରକୁ ଚାଲିଗଲା ।

ଦିନ ତିନିଟା ହେବାକୁ ବସିଲାଣି ନରେଶର ଦେଖାନାହିଁ। ଝିଅକୁ ଭାତ ଖୁଆଇଦେଇ, ସାବି ଚାହିଁ ବସିଛି କେତେବେଳେ ତା ସ୍ବାମୀ ଆସିବ। ତାକୁ ଖାଇବାକୁ ଦେଲା ପରେ ଯାହା ବଳିବ ସେ ଖାଇବ । ଭୋକରେ ଆଉଟୁ ପାଉଟୁ ହୋଇଗଲାଣି ସେ, ପେଟ ଛୁଆଟାକୁ ବି ବୋଧେ ଭୋକ ହେଲାଣି ବାରମ୍ବାର ଲାତ ମାରି ଚାଲିଛି ପେଟରେ ।

କିଛି ସମୟ ପରେ ପଡିଶା ଘର ରାମୁ ଆସି କହିଲା ସାବିନାନୀ,ଲୋକେ କହୁଛନ୍ତି ମୂଖ୍ୟ ରାସ୍ତାରେ ଭିଣେଇ କାହା ଉପରେ ବାଇକ ମଡେଇ ଦେଇଛନ୍ତି, ଦୁର୍ଘଟଣାରେ ଦୁହେଁ ଆହାତ ହୋଇଛନ୍ତି , ବହୁ ଲୋକ ରୁଣ୍ଡ ହୋଇଥିଲେ ପୋଲିସ ଆସିଲା ପରେ ସେମାନଙ୍କୁ ଡ଼ାକ୍ତରଖାନା ପଠା ହୋଇଛି ।

ଝିଅକୁ ପଡୋଶୀ ଘରେ ରଖି, ରାମୁ ସହିତ ଡ଼ାକ୍ତରଖାନା ଦୌଡିଲା ସାବି । ସେଠାକୁ ଯାଇ ଜାଣିବାକୁ ପାଇଲା ଯାହା ଉପରେ ଗାଡି ମାଡ଼ି ଯାଇଥିଲା ସେ ପିଲାଟି ମୃତ ଏବଂ ନରେଶ ମୁମୂର୍ଷୁ ଅବସ୍ଥାରେ, ଦେହ ମୁଣ୍ତ ସବୁ ଆଡ଼େ ଶକ୍ତ ଆଘାତ ଲାଗିଛି । ନିଶାସକ୍ତ ନରେଶ ନିଜ ଉପରେ ନିୟନ୍ତ୍ରଣ ରଖି ପାରୁ ନ ଥିଲା,ସେହି ଟଳମଳ ଅବସ୍ଥାରେ ରାସ୍ତା କଡ଼ରେ ଥିବା ଦହିବରା ବିକାଳି ମଣ୍ଟୁ ଉପରେ ବାଇକ ମଡେଇ ଦେଇଛି । ସେହିଠାରେ ପିଲାଟିର ଜୀବନ ଦୀପ ଲିଭିଯାଇଛି ।

କାନ୍ଦି କାନ୍ଦି ଏକ ବୃଦ୍ଧ ଦମ୍ପତି ପହଞ୍ଚିଲେ ଡ଼ାକ୍ତରଖାନରେ, ବୁଢୀଟି ବୁଢାର ହାତ ଧରି ଆଣୁଛି , ବୋଧେ ବୁଢାଟାର ଆଖିକି ଦେଖା ଯାଉନି । ଦହିବରା ବିକାଳି ମଣ୍ଟୁର ବାପା ମା ଏମାନେ। ଏକମାତ୍ର ପୁତ୍ରର ମୃତ୍ୟୁ ଖବର ତାଙ୍କୁ ଭାଙ୍ଗି ଦେଇଛି । ବାହୁନି ହୋଇ କାନ୍ଦୁଛନ୍ତି, ପୁଅ କେତେ ଆଶା କରିଥିଲା ରୋଜଗାର ତ ଭଲ ହେଉଛି। ଝିଅଟେ ଦେଖି ବାହା ହୋଇଯିବି, ବାପା ମାଆଙ୍କୁ ସୁଖରେ ରଖିବି। ବାପାଙ୍କ ଆଖି ଅପରେସନ କରିବି ।ଦୁହିଁଙ୍କର କିଛି ଅସୁବିଧା କରିବି ନାହିଁ । କିନ୍ତୁ ହାଏରେ ଦଇବ ଏ କଣ ହୋଇଗଲା ।
ଦୁଇଦିନ ଡ଼ାକ୍ତରଖାନାରେ ମୁତ୍ୟୁ ସହ ଯୁଝି ଚାଲିଗଲା ନରେଶ । ଅସହାୟ ହୋଇଗଲା ସାବି, ଅନାଥ ହୋଇଗଲେ ତା କୁନି ଝିଅ ଓ ଆସୁଥିବା ସନ୍ତାନ ।

ଆଖିର ଲୁହ ଆଖିରେ ସୁଖି ଯାଇଛି ସାବିର, ମନେ ପଡୁଛି ପୁରୁଣା କଥା ସବୁ, ବାହାହୋଇ ଯେବେ ନରେଶ ସହ ସହରକୁ ଆସିଥିଲା କେତେ ଖୁସିରେ ବିଭୋର ହୋଇ ଯାଇଥିଲା ସେ । ସ୍ବାମୀ ସ୍ତ୍ରୀ ଦୁହିଁଙ୍କ ମନ ସମୁଦ୍ରରେ ସ୍ନେହ, ପ୍ରେମ, ସମର୍ପଣର ଜୁଆର ଲହଡ଼ି ମାରୁଥିଲା। ନିଜ ପାଇଁ, ଆଗାମୀ ସନ୍ତାନ ପାଇଁ ଅନେକ ସବୁଜ ସ୍ୱପ୍ନ ଦେଖୁଥିଲେ ସେମାନେ। ହସଖୁସିର ଏକ ସୁନ୍ଦର ସଂସାରରେ ମଜ୍ଜି ଯାଇଥିଲେ । ଅଳ୍ପ ରୋଜଗାର ହେଲେ ମଧ୍ୟ ପେଟ ଅପୁରା ରହୁ ନ ଥିଲା । ନରେଶ ସେତେବେଳ ମଦ ପିଉ ନଥିଲା । କିନ୍ତୁ ଯେଉଁଦିନଠୁ ମଦ ନିଶାରେ ପଡ଼ିଲା ସେହି ଦିନଠାରୁ ଅମଣିଷ ହୋଇଗଲା ସେ ।
ମଦ ଏପରି ଏକ ନିଶା ବହୁ ଲୋକଙ୍କ ବୁଦ୍ଧି ବିବେକକୁ ବିନାଶ କରି ଦେଉଛି । ତା ଯୋଗୁଁ ଅନେକ ଲୋକ ଦୁଃଖ ଦୈନ୍ୟ ରେ ସଢ଼ୁଛନ୍ତି, କେତେ ଯେ ସଂସାର ଉଜୁଡି ଯାଉଛି ତାର ହିସାବ ନାହିଁ ।

ନରେଶର ସୁଖି ଜୀବନରେ ମଧ୍ୟ ମଦ ଆସି, ଝଡବତାସ ପରି ଧ୍ଵଂସ ବିଧ୍ଵଂସ କରିଦେଲା ତାର ସଂସାର, ଛାରଖାର ହୋଇଗଲା ସଭିଙ୍କ ଜୀବନ । ନରେଶର ଜୀବନ ତ ଗଲା ତା ସହ ଉଜାଡି ଦେଲା ସାବି ଓ ପିଲାଙ୍କ ଭବିଷ୍ୟତ । ସେଇ ଝଡ଼ର ପ୍ରାଦୁର୍ଭାବରେ ନିଃସ୍ୱ ହୋଇଗଲେ ନିରୀହ ମଣ୍ଟୁର ବୃଦ୍ଧ ପିତାମାତା ।

ସମ୍ବଲପୁର

Leave A Reply

Your email address will not be published.