Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: ନେତାଙ୍କୁ ଦାୟିତ୍ୱ ବାଣ୍ଟିଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ତିନି ପ୍ରମୁଖ ଦଳ ମଧ୍ୟ ଭୋଟ୍ ବ୍ୟାଙ୍କ ଗୋଟାଇବାକୁ ପ୍ରୟାସ କରିଛନ୍ତି। ଯଦିଓ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା କୌଣସି ଦଳ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି କିନ୍ତୁ ବିଜେଡି-ବିଜେପି ଉପନିର୍ବାଚନରେ ବିଜୟୀ ହେବାକୁ ରଣନୀତି ପ୍ରସ୍ତୁତ କରି ବିଭିନ୍ନ ନେତାଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି। ବିଜେଡି ଧାମନଗରର ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ବିଜେପି ମଧ୍ୟ ୨୦୧୪ ଫଳାଫଳର ପୁନରାବୃତି କରି ଶାସକ ଦଳକୁ ମାତ୍ ଦେବାକୁ ଅଣ୍ଟା ଭିଡିଛି।

ବରଗଡର ଏହି ଆସନରେ ଉପନିର୍ବାଚନ ପାଇଁ ଶାସକ ଦଳର ପ୍ରଚାରର ମଙ୍ଗ ଧରିବେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ସେହିପରି ନେତୃତ୍ୱ ନେବେ ଉଭୟ ପ୍ରସନ୍ନ ଏବଂ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ। ସେହିପରି ମନ୍ତ୍ରୀ ନିରଞ୍ଜନ ପୂଜାରୀ, ନବ କିଶୋର ଦାସ ଏବଂ ଟୁକୁନି ସାହୁ, ରୀତା ସାହୁଙ୍କୁ ବିଜେଡି ଦାୟିତ୍ୱ ଦେଇଛି। ପଦ୍ମପୁର ବ୍ଳକ ଦାୟିତ୍ୱରେ ନିରଞ୍ଜନ ପୂଜାରୀ. ପାଇକମାଳ ବ୍ଳକ ପାଇଁ ମନ୍ତ୍ରୀ ନବ କିଶୋର ଦାସ ଏବଂ ଝାରବନ୍ଧ ବ୍ଲକ ପାଇଁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦଳ ଦାୟିତ୍ୱ ଦେଇଛି।

ସେହିପରି ଦଳର ଅନ୍ୟତମ ନେତା ବିଧାୟକ ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ସରୋଜ ମେହେର ଓ ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ  ଜୋନ ଅନୁଯାୟୀ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି।

ବିଜେପି ମଧ୍ୟ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି। ପ୍ରାଥମିକ ଭାବରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ଵରେ ଦଳ ଉପନିର୍ବାଚନ ଲଢ଼ିବ। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରଝଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଧାମନଗର ପରି ପଦ୍ମପୁରରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି ସେ କହିଛନ୍ତି। ତେବେ ଏହି ଆସନ ପାଇଁ ରଣନୀତି କଣ ହେବ ସେଥିପାଇଁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି ଏକ ବୈଠକ କରିବେ। ଏହି ବୈଠକରେ ଦଳର ବିଧାୟକ ଏବଂ ସାଂସଦ ଏକାଠି ହେବା ପରେ ନିର୍ବାଚନ ରଣନୀତି ପ୍ରସ୍କୁତ କରାଯିବ ବୋଲି ସୂଚନା ରହିଛି। ଏହାପରେ ସଂପୂର୍ଣ୍ଣ ଦାୟିତ୍ୱ ବଣ୍ଟାଯିବ ବୋଲି ସୂଚନା ରହିଛି। ସୁନୀଲ ବଂଶଲ ଓଡ଼ିଶା ବିଜେପି ପାଇଁ ଗୋଟିଏ ଭଲ କୋଚ ମିଳିଛି ବୋଲି କହୁଥିବା ଜୟନାରାୟଣ ମିଶ୍ରଙ୍କ ପାଇଁ ଏହି ଆସନରେ ଜିତିବା ସମ୍ମାନ ପ୍ରଶ୍ନ। କାରଣ ସେ ପଶ୍ଚିମ ଓଡ଼ିଶାର ନେତା। ନିର୍ବାଚନ ହେଉଛି ପଶ୍ଚିମ ଓଡ଼ିଶାରେ।

ତେବେ ପଦ୍ମପୁର ଯାଇ କଂଗ୍ରେସର ଏକ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ସହିତ ନେତାମାନଙ୍କୁ ଦାୟିତ୍ବ ବାଣ୍ଟିବ ବୋଲି ସୂଚନା ରହିଛି।

Comments are closed.