ଭଦ୍ରକ: ଅନ୍ତରାଷ୍ଟ୍ରୀୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଜିଲ୍ଲା ପୋଲିସ । ଗିରଫ ସାଇବର ଠକ ଜଣକ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ରଘୁନାଥ ପୁର ଗାଁର ଶୁଭମ ଜ୍ୟୋତି ନାୟକ । ସେ ଗତ କିଛି ମାସ ହେଲା ସାଇବର ଅପରାଧ ନେଟୱର୍କର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ସାଇବର ଅପରାଧ ନେଟୱର୍କର ପର୍ଦାଫାଶ କରିଛି ପୋଲିସ ।
ଗିରଫ ବେଳେ ତା ନିକଟ ରୁ ୧୩ଶହ ୩୩ଟି ସିମ, ୧୩ଟି ବ୍ୟାଙ୍କ ପାସ ବୁକ, ୪ଟି ଚେକ ବୁକ, ୧ ଲକ୍ଷ ୭୩ ହଜାର ୫୦୦ଟଙ୍କା ନଗଦ ଅର୍ଥରାଶି ଜବତ ହୋଇଥିଲା ।
ସୂଚନା ମୁତାବକ, ସାଇବାର ଠକ ଶୁଭମ ଜ୍ୟୋତି ନାୟକ ସାଧାରଣ ଲୋକଙ୍କ ନାମରେ ଅଭିନଵ ଉପାୟରେ ସିମ କାର୍ଡ ସଂଗ୍ରହ କରି ତାର ଓଟିପି ଚୀନ ଏବଂ ଅନ୍ୟ ରାଜ୍ୟର ଥିବା ସାଇବର ଠକଙ୍କ ପାଖକୁ ପଠାଉଥିଲେ । ଏଥିପାଇଁ ହ୍ବାଟ୍ସଆପ ଓ ଟେଲିଗ୍ରାମକୁ କରୁଥିଲେ ମାଧ୍ୟମ । ସେମାନେ ସେଠାରେ ରହି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକି ନେଉଥିଲେ । ଏଥିପାଇଁ ଶୁଭମ ଜ୍ୟୋତି ନାୟକଙ୍କୁ ସେହି ଅର୍ନ୍ତରାଷ୍ଟ୍ରୀୟ ଠକ ମାନେ କିଛି ଟଙ୍କା ଦେଉଥିଲେ ।
ଏ ସମ୍ପର୍କରେ ଖବର ପାଇ ଭଦ୍ରକ ପୋଲିସ ସାଇବର କ୍ରାଇମ ଓ ଇକୋନମିକ ଅଫେନ୍ସ ପୋଲିସ ମିଶି ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଶୁଭମ ଜ୍ୟୋତି ଗିରଫ ହୋଇଥିଲା । ଏ ମାମଲାରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।
