Latest Odisha News

BREAKING NEWS

PG Medical Seats in Odisha:ରାଜ୍ୟରେ ବଢ଼ିଲା ୩୧୮ଟି ପିଜି ମେଡିକାଲ ସିଟ୍;ଏହି ସବୁ ନୂଆ କଲେଜରେ ଆରମ୍ଭ ହେବ ପାଠ୍ୟକ୍ରମ

ଭୁବନେଶ୍ବର:ରାଜ୍ୟରେ ମେଡିକାଲ ଶିକ୍ଷା କ୍ଷେତ୍ର ପାଇଁ ଆସିଛି ବଡ଼ ଖୁସି ଖବର। ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି।

ସୂଚନାଥାଉକି, ପ୍ରଥମ ଥର ପାଇଁ ରାଜ୍ୟର ୫ଟି ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ। କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ତାଳଚେର ଓ ଫୁଲବାଣୀର ମେଡିକାଲ କଲେଜରେ ପିଜି ସିଟ୍ ପାଇଁ ଅନୁମତି ମିଳିଛି। NMCର ନୂଆ ଅନୁମୋଦନ ଅନୁସାରେ, କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ୪୪ଟି ପିଜି ସିଟ୍ ମିଳିଛି। ସେହିପରି ସୁନ୍ଦରଗଡ଼ ମେଡିକାଲ କଲେଜରେ ୨୨ଟି, କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୮ଟି, ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ୩୨ଟି ଏବଂ ଫୁଲବାଣୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜରେ ୨୭ଟି ପିଜି ସିଟ୍‌କୁ ଅନୁମତି ମିଳିଛି।

ଏଥିସହ ପୂର୍ବରୁ ପିଜି ପାଠ୍ୟକ୍ରମ ଚାଲୁଥିବା ମେଡିକାଲ କଲେଜଗୁଡ଼ିକରେ ମଧ୍ୟ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି। ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜରେ ସର୍ବାଧିକ ୪୬ଟି ସିଟ୍ ବୃଦ୍ଧି ପାଇଛି। ପୂର୍ବରୁ ଏଠାରେ ୮ଟି ପିଜି ସିଟ୍ ଥିବାବେଳେ ଏବେ ଏହା ୫୪କୁ ବୃଦ୍ଧି ପାଇଛି।ସେହିପରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ୪୪ଟି ସିଟ୍ ବୃଦ୍ଧି ପାଇ ୧୦ରୁ ୫୪ ହୋଇଛି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୩୩ଟି ସିଟ୍ ବଢ଼ି ପୂର୍ବରୁ ଥିବା ୨୦ଟିରୁ ୫୩ଟି ହୋଇଛି।କଟକ ଏସସିବି ମେଡିକାଲ କଲେଜରେ ୧୭ଟି ସିଟ୍ ବୃଦ୍ଧି ପାଇ ୨୩୨ରୁ ୨୪୯ ହୋଇଛି। ବୁର୍ଲା ଭୀମସାରରେ ୧୧ଟି ସିଟ୍ ବଢ଼ି ୧୪୪ରୁ ୧୫୫ ହୋଇଥିବାବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର PGIMERରେ ମଧ୍ୟ ୧୧ଟି ସିଟ୍ ବୃଦ୍ଧି ପାଇ ୩୬ରୁ ୪୭ ହୋଇଛି। ଏହାବ୍ୟତୀତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନରେ ମଧ୍ୟ ୩ଟି ପିଜି ସିଟ୍ ବୃଦ୍ଧି ପାଇଛି।

NMC ପକ୍ଷରୁ ଅନୁମୋଦିତ ଅତିରିକ୍ତ ପିଜି ସିଟ୍‌ଗୁଡ଼ିକ ମୋଟ ୧୪ଟି ମେଡିକାଲ ବିଭାଗରେ ଉପଲବ୍ଧ ହେବ। ସେଗୁଡ଼ିକ ହେଲା ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ଇଏନଟି, ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ମାଇକ୍ରୋବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଏବଂ ରେସ୍ପିରେଟୋରି ମେଡିସିନ୍।

ଏହାଦ୍ୱାରା ରାଜ୍ୟରେ ଅଧିକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ସୃଷ୍ଟି ହେବା ସହ ଉନ୍ନତ ସ୍ୱାସ୍ଥ୍ୟସେବାକୁ ଗତି ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

Leave A Reply

Your email address will not be published.