Latest Odisha News

BREAKING NEWS

‘ବବିଙ୍କୁ ବିରୋଧ କରି ଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ଫଣ୍ଡିଂ କରିଥିଲେ’

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ବିଜେଡି ହାରିବା ପରେ ଏହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଏହାପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧୀ ଗୋଷ୍ଠୀ ପାଇଁ ଅବନ୍ତୀ ଦାସ ନିର୍ବାଚନରେ ହାରିଲେ ବୋଲି କହିଛନ୍ତି। ଆଉ ସେ ସିଧା କହିଛନ୍ତି, ବିଜେଡିର ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି।

ବିଧାୟକ ତାରା ବାହିନୀପତି କହିଛନ୍ତି, ବବି (ପ୍ରଣବ ପ୍ରକାଶ ଦାସ)ଙ୍କ ପତିଆରାକୁ ତାଙ୍କ ଦଳର କିଛି ନେତା ସହିପାରୁ ନାହାନ୍ତି। ତେଣୁ ତାଙ୍କୁ ପରୋକ୍ଷର ଚେକ୍ ଦେବାକୁ ଉଦ୍ୟମ ହୋଇଥିଲା। ତେଣୁ ବିଜେଡିର କିଛି ବରିଷ୍ଠ ଏବଂ କନିଷ୍ଠ ନେତା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଫଣ୍ଠିଂ କରିଥିଲେ। ଯେଉଁଥିପାଇଁ କଂଗ୍ରେସକୁ ମିଳିବାକୁ ଥିବା ଭୋଟ୍ ବିଜେପି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ଆଡକୁ ପଳାଇଲା।

ଆଉ ବିଜେଡି-ବିଜେଡି କନ୍ଦଳର କ୍ଷତି କଂଗ୍ରେସ ସହିଲା ବୋଲି ଜୟପୁରର କଂଗ୍ରେସ ବିଧାୟକ କହିଛନ୍ତି। କଂଗ୍ରେସ ପାଖରେ ଟଙ୍କା ନାହିଁ। ତେଣୁ କିଛି କଂଗ୍ରେସ କର୍ମୀ ଓ ନେତା ଅନ୍ୟଠୁ ପଇସା ନେଇ ଭୋଟ୍ ପରିବର୍ତ୍ତନ କରୁଛନ୍ତି। ଯେଉଁଥିପାଇଁ କଂଗ୍ରେସ ଉପନିର୍ବାଚନରେ ହାରି ଯାଉଛୁ ବୋଲି କହିଛନ୍ତି। କିନ୍ତୁ ପଦ୍ମପୁରରେ ଏହା ହେବ ନାହିଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡି ଧାମନଗରରେ ହାରିବା ପରେ ଦଳ ପରାଜୟର ସମୀକ୍ଷା କରିବ ବୋଲି କହିଛି। ହେଲେ କେଉଁ ନେତାଙ୍କ ଭୁଲ ପରିଚାଳନା ପାଇଁ ବିଜେଡି ହାରିଲା ତାର ଉତ୍ତର ଦାୟିତ୍ବ କିଏ ନେବେ ସେ ନେଇ ପ୍ରଶ୍ନ ଉଠିଛି। କାରଣ ଉପନିର୍ବାଚନ ପ୍ରଚାରରେ ବିଜେଡି ପାଇଁ ଯାଜପୁରର ସମସ୍ତ ନେତା ଧାମନଗରରେ ଆଣ୍ଠେଇଥିଲେ। ରାତିରେ ରହି ଭୋଟ୍ ବ୍ୟାଙ୍କ ଗୋଟାଇବାକୁ ପ୍ରୟାସ କରିଥିଲେ। ଏହାପରେ ବି ଶାସକ ଦଳ ବିଜେପିର ରଣନୀତିକୁ ଭେଦ କରିନପାରି ନିର୍ବାଚନରେ ଚିତପଟାଙ୍ଗ ମାରିଛି।

Comments are closed.