Latest Odisha News

BREAKING NEWS

ମହଣ ମହଣ ସୁନାରେ ଚମକିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ପୁରୀ ବଡ଼ଦାଣ୍ଡରେ ରଥାରୁଢ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ତିନିଠାକୁର ମହଣ ମହଣ ସୁନା ଅଳଙ୍କାରରେ ଚମକୁଛନ୍ତି । ତିନିଠାକୁରଙ୍କ ଏହି ଅପୂର୍ବ ସୁନାବେଶ ଦେଖି ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜକୁ ଧନ୍ୟ ମନେ କରିଛନ୍ତି ।

ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି । ରଥ ଉପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡ ଜନସମଦ୍ର ପାଲଟିଥିଲା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ବହୁ ପ୍ରତିକ୍ଷୀତ ସୁନାବେଶ ଅତ୍ୟନ୍ତ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି ।

ଏକାଦଶୀ ତିଥିର ତିନି ରଥ ଉପରେ ତିନି ଠାକୁର ୧୩ ପ୍ରକାରର ସ୍ୱର୍ଣ୍ଣାଳଙ୍କାରରେ ଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ସୁନାବେଶ ଲାଗି ସମସ୍ତ ପ୍ରକାରର ନୀତିକାନ୍ତି ଅପରାହ୍ନ ସୁଦ୍ଧା ସେବାୟତମାନେ ସମାପ୍ତ କରିଥିଲେ । ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ତିନିଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ତିନିଠାକୁରଙ୍କୁ ଭିନ୍ନ ଭିନ୍ନ ସ୍ୱର୍ଣ୍ଣାଳଙ୍କାରରେ ସଜା ଯାଇଥିଲା । ସ୍ୱର୍ଣ୍ଣାଳଙ୍କାର ମଧ୍ୟରେ ଶ୍ରୀପୟର, ଶ୍ରୀଭୁଜ, କମର ଝୁମ୍ପା, ଧୁକୁଧୁକିଆ ଝୁମ୍ପା, ରୌପ୍ୟଶଙ୍ଖ, ହରିଡ଼ା ମାଳି, ସ୍ୱର୍ଣ୍ଣଚକ୍ର, ତାବିଜ ମାଳି, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକ ଚନ୍ଦ୍ରିକା, ଅଳକା, ଟ୍ନୋବା କଣ୍ଠି, ହଳ, ମୂଷଳ ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି, ତ୍ରିଖଣ୍ଡିକା, କମରପଟି, ହରିତକ ମାଳା, ଅପରାଜିତା, ଚିତା, ନାକୁଆଶି ଆଦି ଅଳଙ୍କାର ମାନ ଠାକୁରଙ୍କ ଠାରେ ବେଶ କରାଯାଇଥିଲା ।

ସେବାୟତମାନେ  ସକାଳେ ରଥରେ ମଙ୍ଗଳ ଆଳତୀ, ମଇଲମ ଓ ତଡ଼ପଲାଗି ଦୈନିକ ନୀତି ସେବା ଯଥା ସମୟରେ ସମାପ୍ତ କରିଥିଲେ ।

ରଥରେ ମଧ୍ୟ ଅବକାଶ, ଗୋପାଳବଲ୍ଲଭ ଓ ସକାଳଧୂପ ଦିନଚର୍ଯ୍ୟା ନୀତି ନିର୍ଦ୍ଦାରିତ ସମୟ ନିର୍ଘଣ୍ଟ ପୂର୍ବରୁ ସମାହିତ ହୋଇଥିଲା । ତେବେ ସୁନାବେଶ ଆରମ୍ଭ ପୂର୍ବରୁ ମଇଲମ ଲାଗି, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଆଳତି ପରି ନୀତି ଯଥାରୀତି ସମ୍ପନ୍ନ ହେବାପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ମହାପ୍ରଭୁଙ୍କ ସେବାୟତମାନେ ।

ସୁନାବେଶରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ପ୍ରସ୍ତୁତି ହୋଇଥିଲା । ଏହି ବିଶେଷ ଉତ୍ସବକୁ ଶାନ୍ତି ଓ ଶୃଙ୍ଖଳାର ସହିତ ସମାପନ କରିବାଲାଗି ପବିତ୍ର ପୁରୀ ସହରରେ ୧୪୫ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.