Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଏ ଜହ୍ଲାଦଙ୍କ କବଳରୁ ପଳା

ରାମାନନ୍ଦ ସାଗର (୧୯୧୭- ୨୦୦୫) ଚନ୍ଦ୍ରମୌଳି ଚୋପ୍ରା ଓରଫ ରାମାନନ୍ଦ ସାଗର ଭାରତରେ ଏକ ଚର୍ଚ୍ଚିତ ନାମ । ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଦଖଲ ଥିଲେ ସୁଦ୍ଧା ଜଣେ ସଫଳ ଚଳଚ୍ଚିତ୍ର ନିର୍ମାତା ଭାବେ ସେ ସୁପରିଚିତ ଥିଲେ । ତାଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଧାରାବାହିକ ଭାରତୀୟ ଟେଲିଭିଜନ୍ ପର୍ଦ୍ଦାରେ ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ ବଦଳାଇ ଦେଇଥିଲା । ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଦଙ୍ଗାର ସମ୍ମୁଖୀନ ହୋଇଥିଲେ । ଏହି ଅନୁଭୂତିକୁ ନେଇସେ ରଚନା କରିଥିଲେ ‘ଔର୍ ଆଦ୍‌ମୀ ମାରା ଗୟା...’ ଉପନ୍ୟାସ । ସେହିଭଳି ଏହି କଥାବସ୍ତୁ ଉପରେ ସେ ଅନେକ କାଳଜୟୀ କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରିଥିଲେ ଏବଂ ‘ଏ ଜହ୍ଲାଦଙ୍କ କବଳରୁ ପଳା’ ତାଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୮

ମୂଳ ଉର୍ଦ୍ଦୁ: ରାମାନନ୍ଦ ସାଗର

‘ସକାଳୁ ସକାଳୁ ମୁସଲମାନମାନେ ଆମ ଗାଆଁ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ସେତେବେଳେ ନଈକୂଳେ ମୁଁ ଜାଳେଣିକାଠ ସଂଗ୍ରହ କରୁଥିଲି । ସେବର୍ଷ ମରୁଡ଼ି ପଡ଼ିଥିଲା । ତେଣୁ ଫସଲ ଭଲ ଅମଳ ହୋଇ ନ ଥିଲା । ସମସ୍ତଙ୍କ ଘରେ ଜାଳେଣି କାଠ ଅଭାବ । ଆମ ଗାଆଁଟି ନଈର ଆରକୂଳେ, ପଠା ଉପରେ । ନଈଧାରଠାରୁ ଢେର୍ ଉଚ୍ଚରେ । ଏଠାରେ ନଈକୂଳଟି ଯେତିକି ସୁନ୍ଦର ପାଣି ବି ସେତିକି ସ୍ୱଚ୍ଛ । ତା’ କୂଳେ କୂଳେ ଅନେକ ବଡ଼ ବଡ଼ ଗଛ । ପିଲାଦିନେ ନଈ ଉପରକୁ ଢଳି ପଡ଼ିଥିବା ସେଇସବୁ ଗଛର ଅଗଡ଼ାଳ ପର୍ଯ୍ୟନ୍ତ ମୁଁ ଚଢ଼ିଯାଇ ବସେ ଓ ସେଠାରୁ ନଈର ଧାର ଆଡ଼କୁ ଚାହିଁରହେ ।

ବେଳେବେଳେ ନଈ ପାଣିରେ ମନଇଚ୍ଛା ଗାଧାଏ । ଥରେ ଥରେ ଏକା ନିଃଶ୍ୱାସକେ ନଈର ଏ କୂଳରୁ ସେ କୂଳ ପର୍ଯ୍ୟନ୍ତ ପହଁରି ପହଁରି ଯାଏ । ସେତେବେଳେ ମତେ ମାତ୍ର ତେର କି ଚଉଦ ବର୍ଷ ବୟସ ହୋଇଥିଲା । ଏମିତି ଅନେକ ପ୍ରକାର ଆବୁରୁଜାବୁରୁ କଥା ସିଏ ଗପି ଚାଲିଥିଲା । କୌଣସି ଗୋଟିଏ କଥାର ଅନ୍ୟ କଥା ସହିତ କିଛି ହେଲେ ତାଳମେଳ ନଥିଲା । ଲାଗୁଥିଲା ଯେମିତି ଗୋଟିଏ ସୁଖସ୍ୱପ୍ନରେ ବିଭୋର ରହି ସେ ବିଳିବିଳେଇ ହେଉଥିଲା!

ଆନନ୍ଦକୁ ଲାଗୁଥିଲା ସିଏ ଗୋଟିଏ ଛୋଟ ଝିଅ ଅବା ଲତା ଭିତରୁ ଉପରକୁ ମୁଣ୍ଡ ଟେକି ପବନରେ ଢଳଢ଼ଳ ହେଉଥିବା ସୁନ୍ଦର ଲାଲ ଫୁଲଟିଏ! ଆଖି ସାମ୍‌ନାରେ ଭରା ନଈର ସୁଅରେ ସୂର୍ଯ୍ୟକିରଣ ପଡ଼ି ଚକମକ କରୁଥିଲା । ଅସ୍ଥିର ଜଳ କେମିତି ବିଚିତ୍ର ଲାଗୁଥିଲା । ଆନନ୍ଦ ତା’ରି ଆଖିରେ ସେସବୁ ଦୃଶ୍ୟ ଦେଖି ଚାଲିଥିଲା । ଝିଅଟି ଆତ୍ମସଚେତନ ହେବା ପର୍ଯ୍ୟନ୍ତ ଆନନ୍ଦ ଆଗରେ ସେଇସବୁ କଥା ଗପି ଚାଲିଥିଲା । ଜପାମାଳଟି ଛିଣ୍ଡିଯାଇ ବାଲିରେ ମାଳିସବୁ ଛିନ୍‌ଛତର ହୋଇ
ପଡ଼ିବାପରି ଝିଅଟିର ସ୍ୱପ୍ନ ହଠାତ୍ ତୁଟି ଯାଇଥିଲା । ତେଣୁ ତା’ର ସେଇ ଖୁସିରେ ଢଳଢ଼ଳ ଓ ବାସ୍ତବତାର ମଟାଳମାଟି ଉପରେ ସେ ଗାରଟିଏ କାଟିବାକୁ ଚେଷ୍ଟା କରୁଥିଲା । ‘ନଈର ଏଇ ପଟୁ ମୁସଲମାନମାନେ ଡଙ୍ଗାରେ ବସି ଆମ ଗାଆଁକୁ ଯାଇଥିଲେ ଓ ଲୋକମାନଙ୍କ ଉପରେ ଆକ୍ରମଣ କରିଥିଲେ । ସେଦିନ ମୁଁ କାଠ ସଂଗ୍ରହ କରିବାଲାଗି ନଈର ପୂରା କୂଳ ପର୍ଯ୍ୟନ୍ତ ଚାଲି ଯାଇଥିଲି । ମୋ ସ୍ୱାମୀ ମଧ୍ୟ ମୋ’ଠାରୁ କିଛି ଦୂରରେ କାଠ ସଂଗ୍ରହ କରୁଥିଲେ । ସେତେବେଳ ପର୍ଯ୍ୟନ୍ତ
ସେମାନେ ଡଙ୍ଗାରେ ଆସୁଛନ୍ତି ବୋଲି ମୋର ସେମାନଙ୍କ ଉପରେ ନଜର ପଡ଼ି ନ ଥିଲା । କେବଳ ଯାହା କିଛି ଲୋକଙ୍କ କଥାବାର୍ତ୍ତା ଶବ୍ଦ ମୋ କାନରେ ପଡ଼ୁଥିଲା । ‘ସୁହାନଲ୍ଲା! ଆରେ କେଡ଼େ ସୁନ୍ଦରୀ ଝିଅଟିଏ ରେ!’ କେହି ଜଣେ କହିଲା । ‘ତା’ହେଲେ ତ ଆମ କାମ ଆରମ୍ଭରୁ ସଫଳ ହେବାର ଶୁଭ ଲକ୍ଷଣ!’ ଆଉ ଜଣେ ଉତ୍ତର ଦେଲା ।

ମୁଁ ଯେତେବେଳେ ମୁହଁ ବୁଲେଇ ଚାହିଁଲି, ଦେଖିଲାବେଳକୁ ତିନି ଚାରିଜଣ ମୋଟାସୋଟା ମୁସଲମାନ ଲୋକ ମୋରି ଆଡ଼କୁ ମାଡ଼ି ଆସୁଥିଲେ । ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ଧାରୁଆ ଫାର୍ଶା । ଡଙ୍ଗାରୁ ଆହୁରି ଅନେକ ଲୋକ ଓହ୍ଲାଉଥିଲେ । ନଈରେ ଆଉ କେଇଟା ଡଙ୍ଗାରେ ସେମାନଙ୍କ ଦଳର ଲୋକ ମଧ୍ୟ ଆସୁଥିଲେ ।
ମୁଁ ଚିତ୍କାର ଛାଡ଼ି ଏକମୁହାଁ ଦୌଡ଼ିବା ଆରମ୍ଭ କଲି । ମୁଣ୍ଡରେ ମୁଣ୍ଡେଇଥିବା କାଠବିଡ଼ାଟାକୁ ଫିଙ୍ଗି ଦେଲି । ଚିଲ୍ଲେଇ ଚିଲ୍ଲେଇ ମୋ ସ୍ୱାମୀଙ୍କୁ ଡାକ ପକେଇଲି । କିନ୍ତୁ
ଜାଣିପାରିଲି ଯେ ମୁଁ ପଳେଇବାର ଉପକ୍ରମ କରିବା ଆଗରୁ ମୋ ସ୍ୱାମୀ ସେଠାରୁ ଗାଆଁଆଡ଼େ ଦୌଡ଼ି ସେଠାରୁ ପଳେଇ ସାରିଥାଆନ୍ତି । ସେତେବେଳକୁ ସେ ମୋ’ଠାରୁ ଢେର୍ ଦୂରକୁ ଯାଇ ସାରିଥିଲେ । ବୋଧହୁଏ ଦୁର୍ବୃତ୍ତଙ୍କ ଉପରେ ମୋ ନଜର ପଡ଼ିବା ଆଗରୁ ସେ ସେମାନଙ୍କୁ ଦେଖି ସାରିଥିଲେ । କିନ୍ତୁ ମୋତେ ସୁରକ୍ଷା ଦେବା ପରିବର୍ତ୍ତେ ସେ ନିଜ ଜୀବନ ବଞ୍ଚେଇବାକୁ ଏମିତି ଅତର୍ଚ୍ଛା ଏକମୁହାଁ ଦୌଡ଼ୁଥିଲେ । ମୁଁ ମଧ୍ୟ ଆଉ କିଛି ନ ଭାବି ଯଥାସମ୍ଭବ ବେଗରେ ଦୌଡ଼ିଲି…’ ଏଥର ସେ ଦଣ୍ଡେ ତୁନି ପଡ଼ିଗଲା । ପୁଣି ଥରେ କଥାର ଖିଅ ଧରି କହିଲା ବେଳକୁ ତା’ର ସ୍ୱର ଯଥାସମ୍ଭବ ଧୀର ହୋଇଯାଇଥିଲା ।

‘ମୋରି ଭଳିଆ, ଗାଆଁର ଅନେକ ସ୍ତ୍ରୀଲୋକ ଏବେ ସେମାନଙ୍କ କବ୍‌ଜାରେ ଥିଲେ । ଗାଆଁ ଦାଣ୍ଡରେ ଅନେକ ବୁଢ଼ା ଓ ଗଜା ଟୋକାଙ୍କ ଶବ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିଲା । ମୁଁ ମୁହଁ ବୁଲେଇ ଲକ୍ଷଲକଲି ସାରିଥିଲ ଯେ ସେଇ ମୃତକଙ୍କ ଭିତରେ ଆମ ପରିବାରର କେହି ନ ଥିଲେ । ସେତିକିବେଳେ ମୁଁ ମୋ ମନକୁ ବୁଝେଇନେଲି, ମୋ ସ୍ୱାମୀ କାଇଁକି ମୋତେ ନ ଡାକି ରକ୍ଷା କରିବାକୁ ଅପେକ୍ଷା ନ କରି ଏକମୁହାଁ ଦୌଡ଼ି କଳାଇଥିଲେ । ଯାହା ହେଉ ନିଜ ପ୍ରାଣ ବଞ୍ଚେଇ ପାରିଥିଲେ ଓ ମୋ କୁନି ପୁଅ ପ୍ରେମ୍‌ର ଜୀବନ ମଧ୍ୟ ରକ୍ଷା କରିପାରିଥିଲେ । ମୋ ଚାରିକଡ଼େ ଆଉ କିଛି ସ୍ତ୍ରୀଲୋକ ଥିଲେ ଯେଉଁମାନଙ୍କ ଘରର ପୁରୁଷ ଲୋକମାନେ ନିଜ ନିଜ ଘର ଭିତରେ ହିଁ ମୃତ୍ୟୁବରଣ କରିଥିଲେ । ସେ ପର୍ଯ୍ୟନ୍ତ ସେମାନଙ୍କ ଶବସବୁ ସେଇଠି କଡ଼ି ରହିଥିଲା । ଏବେ ନିଜ ଘରେ ଆଉ କିଛି ଲୋକ କ୍ରୀତଦାସ ପରି ବନ୍ଧାହୋଇ ପଡ଼ିଥିଲେ । କାରଣ ସେସବୁ ଘରକୁ ଅନ୍ୟମାନେ ଦଖଲ କରି ନେଇସାରିଥିଲେ । ମୁଁ ମନେ ମନେ ଭଗବାନଙ୍କୁ ମୁଣ୍ଡିଆ ମାରୁଥିଲି, ମୋ ସ୍ୱାମୀ ଏମାନଙ୍କ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି; ମୋ ପୁଅ ବି ବର୍ତ୍ତିଯାଇଛି… । ସେଇ ଖୁସିରେ ତା’ର ଗଳା ବାଷ୍ପରୁଦ୍ଧ ହୋଇ ଉଠୁଥିଲା ।

‘ଆମ ଗାଆଁକୁ ଦଙ୍ଗାକାରୀମାନେ ସମ୍ପୂର୍ଣ୍ଣରୂପେ ଅକ୍ତିଆର କରି ନେଇଥିଲେ । ମାସ ମାସ ଧରି ନିଜ ଘରେ ସେଇମାନଙ୍କ ନିୟନ୍ତ୍ରଣରେ ଆମକୁ ଦୟନୀୟ ଜୀବନ ବିତାଇବାକୁ ପଡ଼ିଥିଲା । ଏମିତି ଦିନେ ସେମାନେ କଥାବାର୍ତ୍ତା ହେଉଥିବାର ଆମ କାନରେ ପଡ଼ିଲା ଯେ ନଈ ଆରପଟେ ଥିବା ଗାଆଗୁଡ଼ିକ ହିନ୍ଦୁସ୍ତାନ ଭାଗରେ
ପଡ଼ିଛି । ସେମାନେ କେଉଁ ଦେଶର ଫଉଜ ସେକଥା ଭଗବାନଙ୍କୁ ଜଣା । ସେକତା ଆମେ କେହି ଜାଣି ନ ଥିଲୁ । ଏକଥା ଶୁଣିବା ମାତ୍ରେ ସେମାନେ ଆମ ଗାଆଁର ସ୍ତ୍ରୀଲୋକମାନଙ୍କୁ ଧରି ଡଙ୍ଗାରେ ବସେଇ ନଈ ଆରପଟକୁ ତୁରନ୍ତ ଚମ୍ବଟ ମାରିଲେ । ପ୍ରତି ସ୍ତ୍ରୀଲୋକଙ୍କୁ ଡଙ୍ଗାର ଚାରିକଡ଼େ ଦଶ ପନ୍ଦରଜଣ ଲେଖାଏଁ ଜଗି ବସିଥିଲେ । କାଳେ ସ୍ତ୍ରୀ ଲୋକଟି ନଈକୁ ଡେଇଁ ଖସିଯିବାକୁ କି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବ! ତା’ ପୂର୍ବରୁ ବାସ ବାସ ଧରି ସେମାନେ ଆମ ଗାଆଁରୁ ସବୁ ଜିନିଷପତ୍ର ଲୁଟି ନିଜ ଗାଆଁକୁ ନେଇ ସାରିଥିଲେ । ତେଣୁ ଆଗ ଗାଆଁରେ ସେମାନଙ୍କ ପାଇଁ  ଶେଷ ସମ୍ପତ୍ତି ଥିଲୁ ଆମେ କେଇଜଣ ଝିଅବୋହୂ ।

ମୁଁ ନିଜ ଜାଣେନି ସେମାନେ ଆମକୁ ଧରି ନେବାବେଳେ କାହିଁକି କେଜାଣି ମୋ ମନ ସେମିତି ବେଶୀ ଦୁଃଖ ହେଉ ନ ଥିଲା । ବରଂ ମନେ ମନେ ମୁଁ ଖୁସି ହେଉଥିଲି, ଯାହା ହେଉ, ଗାଆଁଟା ଏ ଜହ୍ଲାଦଙ୍କ କବଳରୁ ମୁକ୍ତି ପାଇଲା! ଆଉ ସେଇ ଖୁସି ଓ ଆଶ୍ୱସ୍ତି ଭିତରେ ଆଶା ଥିଲା ଯେ ଗାଆଁରୁ ବିପଦ ଟଳିଯିବା ପରେ ମୋ ସ୍ୱାମୀ ପୁଣି ଆମ ଘରକୁ ଲେଉଟି ଆସିବେ । ସେଇ ପୁରୁଣା ଘରକୁ । ଠିକ୍ ନଦୀ ଆରକୂଳକୁ ଲାଗି ଗାଆଁମୁଣ୍ଡରେ ଥିବା ଘରକୁ । କିଛି ନ ହେଲେ ନଈ ଏ କୂଳରୁ ତ ମୁଁ ସେମାନୁ ଦେଖିପାରିବି- ସଦାବେଳେ, ସବୁଦିନ । ଦୁର୍ବୃତ୍ତମାନେ ଡଙ୍ଗାରେ ବସେଇ ମୋତେ ନଦୀର ଏପାରିକୁ ନେଇ ଆସିବା ଦିନଠାରୁ ମୁଁ ସେଇ ଆଶାରେ ଆରକୂଳକୁ
ଚାହୁଁଥିଲି । ମନେ ମନେ ସ୍ୱାମୀଙ୍କୁ ଦେଖିବି ବୋଲି ଆଶା ବାନ୍ଧିଥିଲି । ସେଇ ସମୟରେ ହଠାତ୍ ରାବୀ ନଦୀର ଜଳ ବଢ଼ିଥିଲା । ନଈ ଏକୂଳ ସେକୂଳ ଖାଇଲା । ତଥାପି ମୋତେ ଲାଗୁଥିଲା ସତେ ଯେମିତି ଆରକୂଳ ଆହୁରି ପାଖେଇ ଆସିଚି! ମୋତେ ଆହୁରି ଭଲଭାବେ ଦୃଶ୍ୟ ହେଉଚି ।  ପ୍ରତିଦିନ ମୋ ଭିତରେ ଆଶା ଓ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥିଲା । ଆର କୂଳରେ ଲୋକମାନଙ୍କ ଆତଯାତ, ସବୁ କିଛି ମୁଁ ସ୍ପଷ୍ଟ ଦେଖି ପାରୁଥିଲି । ଆଉ… ପୁଣି ଥରେ ସେ କଥା ମଝିରେ ଅଟକିଗଲା ।

ଏବେ ତା’ ତୁଣ୍ଡରୁ ଆଗକୁ ଶୁଣିବା ଲାଗି ମନରେ ଉତ୍କଣ୍ଠା ପ୍ରବଳ ହୋଇଚାଲିଥିଲା । ତେଣୁ ସେ ଆଉ ମୁହୂର୍ତ୍ତକ ଲାଗି ନ ଅଟକି ସେମିତି କହି ଚାଳିଥାଉ ବୋଲି ମୁଁ ମନେ ମନେ ଆଶା କରୁଥିଲି । ସେମିତି ଦିନେ ଦେଖିଲି ନଈର ଆରକୂଳେ ପ୍ରେମ୍ ଖେଳୁଥିଲା । ସେ ଏକୁଟିଆ ଥିଲା । ସେତେବେଳକୁ ସିଏ ଭଲକରି ଚାଲିବା ସୁଦ୍ଧା
ଶିଖି ନ ଥିଲା । କେଇ ପାହୁଣ୍ଡ ଚାଲିବାପରେ ତଳେ ପଡ଼ିଯାଉଥିଲା । ବୋଧହୁଏ ତା’ବାପା ସେଇଠି କେଉଁଠି ଜାଳେଣି କାଠ ସଂଗ୍ରହ କରୁଥିଲେ । ମୁଁ କିନ୍ତୁ ତାଙ୍କ ଉପରେ ମନେ ମନେ ରାଗି ଯାଇଥିଲି । ଭରା ନଈଟା । ବଡ଼ ବଡ଼ ଢେଉ ଉଠୁଥିଲା । ତା’ସାଙ୍ଗକୁ ଯେତିକି ଗଭୀର ସେତିକି ମାତ୍ରାରେ ସୁଅ ଥିଲା । କେତେବେଳେ ଆହୁରି ଅଧିକ ପାଣି ଆସିଯିବ ସେକଥା କିଏ କହିବ? ପିଲାଟା ଯଦି ନଈକୁ ଖସି ପଡ଼ିଲା! ମୁଁ ଘରକୁ ଫେରିବା ପର୍ଯ୍ୟନ୍ତ ତାକୁ ଜଗାରଖା କରିବା କ’ଣ ତାଙ୍କର କର୍ତ୍ତବ୍ୟ ନୁହଁ? ମୁଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଥିଲି । ନଈର ଆରକୂଳକୁ ଥରେ ଯିବାଲାଗି ମୋ ମନ ଉଚ୍ଛନ୍ନ ହୋଇ ଉଠୁଥିଲା । ଥରେ ଯାଇ ସ୍ୱାମୀଙ୍କୁ କହିଆସନ୍ତି ଯେ ପୁଅର
ଭଲକରି ଯତ୍ନ ନିଅ । ଗୋଡ଼େ ଗୋଡ଼େ ତା’ ଉପରେ ଦୃଷ୍ଟି ରଖିଥିବ । ମୁଁ ଫେରିଆସିବା ପର୍ଯ୍ୟନ୍ତ ତାକୁ ଏକୁଟିଆ ଛାଡ଼ିବନି । ପାଖରେ ଭରା ନଈ । କେତେବେଳେ କେଉଁ କଥା, କିଏ କହିବ? କିନ୍ତୁ ଏକଥା ଭାବିବା ଯେତିକି ସହଜ, ନଈର ଆର କୂଳେ ପହଞ୍ôଚବା ସେତିକି କଷ୍ଟସାଧ୍ୟ ଥିଲା । ଅନ୍ୟ ସ୍ତ୍ରୀଲୋକଙ୍କ ଭଳି ମୋତେ ବି ଦୁର୍ବୃତ୍ତମାନେ ସେମାନଙ୍କ କବ୍‌ଜାରେ ରଖିଥିଲେ ।’

ଏମିତି ଭାବି ଭାବି ସେ ବସିବା ସ୍ଥାନରୁ ଉଠିପଡ଼ିଲା ଓ ଯାଇ ସୁରେଇରୁ ପାଣି ପିଇଲା । ଏବେ ସେ ପୁଣି ଥରେ ତା’କଥା ଆରମ୍ଭ କଲାବେଳକୁ ତା’କଣ୍ଠସ୍ୱର କେମିମତି ହୋଇଗଲା ପରି ଲାଗୁଥିଲା । ତା’ପାଖରେ ନିଷ୍ପ୍ରାଣ ମୂର୍ତ୍ତିଟିଏ ଭଳି ବସି ଆନନ୍ଦ ସେଇସବୁ କଥା ଶୁଣି ଚାଲିଥିଲା । ଆଉ ସେ ତା’ର କାହାଣୀ ଏମିତି ଭାବେ ବଖାଣି ଚାଲିଥିଲା ସତେକି ଶୁଣିବାକୁ ତା’ପାଖରେ କେହି ଲୋକ ନାହାନ୍ତି!

ସିଏ ପୁଣି ଆରମ୍ଭ କଲା – ‘ମୋ ମନକୁ ହଠାତ୍ କାହିଁକି କେଜାଣି ଖିଆଲ ଆସିଲା ଯେ ପ୍ରେମ୍ ମତେ ଖୋଜୁଛି । ଦେଖିବାକୁ ଚାହୁଁଛି । ସିଏ ସେଇସବୁ ଗଛତଳେ ଧାଁଦଉଡ଼ କରୁଥିଲା ଯେଉଁଠି ସେଦିନ ମୁଁ ଜାଳକାଠ ସଂଗ୍ରହ କରୁଥିଲି । ମୋ ସ୍ୱାମୀ କ’ଣ ପ୍ରେମ୍‌କୁ କହିଛନ୍ତି ଯେ ମୁସଲମାନ ଲୋକମାନେ ମୋତେ ଉଠେଇ ନେଇ
ଆସିଛନ୍ତି? ଏକଥା ଭାବିଲା ବେଳକୁ ମୋ ମନ ଆହୁରି ଦୁଃଖରେ ଭରି ଉଠିଲା । ପ୍ରେମ୍ ସେପର୍ଯ୍ୟନ୍ତ ଭଲଭାବେ କଥାସୁଦ୍ଧା କହି ଶିଖି ନ ଥିଲା । ଯେତେବେଳେ ମୁଁ ଏଠାରୁ ଲେଉଟିବି ସିଏ ସେଇ ଗୋଟିଏ ଶବ୍ଦ ‘ମୁସଲମାନ’ ଭିତରେ କେତେ ଭାବ ପ୍ରକଟ କରିବାକୁ ଚେଷ୍ଟା କରିବ । ଏତେ ସେ କ’ଣ ଚିନ୍ତା କରୁଥିବ?

ନଈକୂଳର ସେସବୁ ଗଛମୂଳେ ସିଏ ତା’ମାଆକୁ ମନେ ମନେ ଖୋଜୁ ନ ଥିବ ତ? ସିଏ ମୋତେ କେମିତି ‘ମା’! ମା’! ବୋଲି ଡାକିବ? ‘କେମିତି ଭାବପ୍ରବଣର ବଶବର୍ତ୍ତୀ ହୋଇ ମୁଁ ଏସବୁ କଥା ତୋ ଆଗରେ ବଢଖାଣି ପକାଇଲିରେ ପୁଅ! ହେଲେ ମୋ କଥା ତା’ ପାଖ ପାରି ନ ଥିଲା । ତେଣୁ ବେଳକୁ ବେଳ ମୁଁ ଅଧିକ ଉତ୍କଣ୍ଠିତ ହୋଇ ଉଠୁଥିଲି ।

‘ୟା’ଭିତରେ ଆଉ ଗୋଟିଏ ବିପତ୍ତି ଆସି ମୁଣ୍ଡ ଉପରେ ପଡ଼ିସାରିଥିଲା । ପ୍ରେମ୍ ଠୁକୁରୁ ଠୁକୁରୁ ହୋଇ ନଈକୂଳେ ଚାଲିଲାବେଳେ ହଠାତ୍ ତା’ଗୋଡ଼ ଖସିଗଲା । ସିଏ ପୂରା ନଈ ଧାରକୁ ଗଡ଼ିପଡ଼ିଲା । ନଈରେ ବଡ଼ ବଡ଼ ଢେଉସବୁ ଉଠି କୂଳରେ ମଥା ପିଟୁଥିଲା । ପ୍ରେମ୍ ଦେହରେ ବି ସେଇ ଢେଉ ବାଜିଲା । ଏକଥା ଦେଖି ମୋ ଛାତି ଥରିଉଠିଲା । ମୁଁ ଦି’ମହଲାର ଗୋଟିଏ କୋଠରିର ଝର୍କରୁ ଏସବୁ ଦେଖୁଥିଲି ।

କିଛି ନ ଭାବି ମୁଁ ସେଇ ଝର୍କାରୁ ପାଖରେ ଥିବା ଆଉ ଗୋଟିଏ ଘରର ପିଢ଼ା ଉପରକୁ ଡେଇଁପଡ଼ିଲି । ସେ ଘରଟି ଚାଳଛପର । ତା’ରି ଉପରେ ମୁଁ ପଡ଼ିଲି । ମୋର
ସେକଥା ସ୍ପଷ୍ଟ ମନେନାହିଁ । ସେଠାରୁ ଗଡ଼ି ଗଡ଼ି ଆସି ତଳେ ପଡ଼ିଲି । ତଳେ ମାଟିକାଦୁଅ ଥିଲା । ବର୍ତ୍ତିଗଲି । ହେଲେ ସେକଥା ଭାବିବାକୁ ମୋ ପାଖରେ ବେଳ ନ ଥିଲା । ପର ମୁହୂର୍ତ୍ତେରେ ଭରା ନଈକୁ ଡେଇଁପଡ଼ି ପହଁରି ଚାଲିଲି । ସବୁ ଶକ୍ତି ଖଟାଇ ଏକମୁହାଁ ଆରପଟକୁ ଆଗେଇଲି । ମୋ ଦୃଷ୍ଟି ପ୍ରେମ୍‌ ଉପରେ ନିବଦ୍ଧ ଥିଲା । ମୁଁ ଲକ୍ଷ୍ୟକଲି, ମୋ ସ୍ୱାମୀ ବି ଦୌଡ଼ିଆସି ପ୍ରେମ୍‌କୁ ଉଠାଇନେଲେ । ମୋ ମନ ଆଶ୍ୱସ୍ତ ହେଲା । ପର ମୁହୂର୍ତ୍ତରେ ଦେହହାତ ଅବଶ ହୋଇପଡ଼ିଲା । ପଛରୁ ନଦୀକୂଳରେ ଲୋକମାନଙ୍କ ସମବେତ କୋଳାହଳ ମୋ କାନରେ ପଡ଼ିଲା । ମୁଁ ସେଇ ପାଣି ଭିତରେ ପହଁରିବାବେଳେ ପଛକୁ ବୁଲି ଚାହିଁଲି । ଗାଆଁସାରା ମୁସଲମାନ ଲୋକମାନେ ନଦୀକୂଳେ ରୁଣ୍ଡହୋଇ ଉଚ୍ଚସ୍ୱରରେ ଚିତ୍କାର ଛାଡ଼ୁଥିଲେ । ମୋତେ ଧରିବାଲାଗି ସେମାନେ ଗୋଟିଏ ଡଙ୍ଗା ପ୍ରସ୍ତୁତ କରୁଥିଲେ ।

ଲୋକମାନଙ୍କ କୋଳାହଳ ବେଳକୁ ବେଳ ବଢ଼ି ବଢ଼ି ଚାଲିଥିଲା । ସେତେବେଳେ ଯାଇ ମୋ ମନରେ ହେଜ ପଶିଥିଲା – ମୁଁ କେଡ଼େ ଗର୍ହିତ କାମ କରିଛି ଓ ତା’ର ପରିଣାମ ଏବେ କ’ଣ ହେବାକୁ ଯାଉଛି । ଯଦି ସେମାନେ ମୋତେ ପୁଣି ଥରେ ଧରିନିଅନ୍ତି! ସମସ୍ତଙ୍କ ଦୃଷ୍ଟି ମୋରି ଉପରେ ନିବଦ୍ଧ ଥିଲା । ମୋର ହାତପାଦ ହଠାତ୍ ଅବଶ ହୋଇପଡ଼ିଲା । ମୁଁ ଆଉ ପହଁରି ପାରିଲିନି ଓ ପର ମୁହୂର୍ତ୍ତରେ ବୁଡ଼ିବାକୁ ଆରମ୍ଭ କଲି । ମୁଁ ଢେର୍ ସମୟ ଦରି ପାଣି ତଳେ ସେମିତି ବୁଡ଼ିରହିଲି । ଯେମିତି ନଦୀର ଆରକୂଳେ ଠିଆ ହୋଇଥିବା ମୁସଲମାନ ଲୋକମାନେ ଭାବିବେ ଯେ ମୁଁ ବୁଡ଼ିଗଲି । ମଝିରେ ମଝିରେ ନିଃଶ୍ୱାସ ନେବାକୁ ମୁଁ ଯେତେବେଳେ ଉପରକୁ ଉଠୁଥିଲି, ସେତେବେଳେ ଲକ୍ଷ୍ୟ କରିନେଉଥିଲି ଯେ ପ୍ରେମ୍ ତା’ ବାପା କୋଳରେ ସୁରକ୍ଷିତ ଅଛି । ମୁଁ କେତେ ଚେଷ୍ଟା କରିଥିଲି, ସେମାନଙ୍କୁ ଡାକ ଛାଡ଼ିବି, ମୋ ପାଇଁ ଅପେକ୍ଷା କରିବାକୁ କହିବି । ଯେଉଁଠାରେ ଦିନେ ମୋ ସ୍ୱାମୀ ମୋତେ ହରେଇଥିଲେ ସେହି ସ୍ତାନରୁ ପୁଣି ଏକାଠି ହୋଇ ଘରକୁ ଫେରିବୁ । କିନ୍ତୁ ମୋର ସେଇ
ମୁସଲମାନ ଲୋକଙ୍କ କଥା ବାରମ୍ବାର ମନେ ପଡ଼ିଯାଉଥିଲା ଓ ମୁଁ ବାରମ୍ବାର ପାଣିରେ ବୁଡ଼ି ଯିବାର ଛଳନା କରି ଚାଲିଥିଲି । ସେମିତି କଲେ ସେମାନଙ୍କ ଆଖିରେ ମୁଁ ଧୂଳି ପକାଇ ପାିବି ଓ ଗୋଡ଼ହାତ ବାଡ଼େଇ ପହଁରି ପହଁରି ନଈର ଆର କୂଳେ  ପାରିବି । ଏମିତି କେତେ ଥର ବୁଡ଼ାଉଠା ହୋଇ ଯେତେବେଳେ ମୁଁ ପୁଣି ଆରମ୍ଭ କଲି, ମୋର ହଠାତ୍‌ ମନେପଡ଼ିଲା, ଗଲା କେଇଦିନ ଧରି ମୁଁ କିଛି ଖାଇ ନ ଥିଲି । ତେଣୁ ମୋ ଶରୀରରେ ଆଉ ପୂର୍ବର ବଳ ନ ଥିଲା । ସେତେବେଳକୁ ମୁଁ ଅଧା ନଈ ପାର ହୋଇସାରିଥିଲି । କିନ୍ତୁ ଆଗକୁ ପହଁରିବା ଲାଗି ମୋର ଜୁ’ ପାଉ ନ ଥିଲା । ବୋଧହୁଏ ଦି’ମହଲା କୋଠାରୁ ଡେଇଁବାବେଳେ ମୋ ଦେହହାତ ଗୁରୁତର ଭାବେ
ଖଣ୍ଡିଆଖାବରା ହୋଇଥିଲଳ । ତେଣୁ ନଦୀର କାଲୁଆ ପାଣିରେ ଏବେ ସେସବୁ କ୍ଷତ ଭୀଷଣ ପୋଡ଼ିବା ଆରମ୍ଭ କରିଥିଲା । କିନ୍ତୁ ମୋର ପ୍ରେମ୍ କଥା ମନେ ପଡ଼ୁଥିଲା । ସ୍ୱାମୀଙ୍କ କଥା ମନକୁ ଆସିଲା: ପ୍ରେମ୍ କେମିତି ମୋତେ କୁଣ୍ଡାଇ ଧରି ଗେଲ କରେ, ମୋ’ଠାରୁ କ୍ଷୀର ଖାଏ । ମୋ ମୁହଁକୁ ଚାହି ହସେ ।

ସେତିକିବେଳେ ମୁଁ ଅନୁଭବ କଲି ଏତେ ବଡ଼ ଭରା ନଈଟାକୁ ମୁଁ ମୋ ସାମର୍ଥ୍ୟରେ ପହଁରୁ ନ ଥିଲି, ମୋ ମନୋବଳ ହିଁ ମୋତେ ପହଁରିବାକୁ ପ୍ରେରଣା ଯୋଗାଉଥିଲା । ମୁଁ ପୁଣି ଥରେ ସବୁ ସାହସ ଜୁଟାଇ ପହଁରି ଚାଲିଲି । ନଦୀର ଆରକୂଳେ ଆସିଲାବେଳକୁ ପ୍ରାୟ ବେଳ ବୁଡ଼ି ସନ୍ଧ୍ୟା ହେବାକୁ ବସିଥିଲା । ମୋ ଗାଆଁ ତଥାପି ଅନେକ ଦୂର । କିନ୍ତୁ କୂଳକୁ ପାଦ ବଢ଼ାଇବା ମାତ୍ରେ ମୁଁ ଅନୁଭବ କଲି ମୋର ସବୁ କ୍ଳାନ୍ତି କୁଆଡ଼େ ଉଭେଇ ଯାଇଛି! ମୁଁ ଏବେ ମୁକ୍ତ ଓ ମୁକ୍ତିର ଭୂମି, ମୋର ନିଜ ମାତୃଭୂମି ହିନ୍ଦୁସ୍ତାନରେ ଆସି  ସାରିଛି । ଆନନ୍ଦରେ ମୋ ହୃଦୟ ନାଚି ଉଠିଲା । ସେତେବେଳେ ମୁଁ ବାସ୍ତବରେ କେମିତି ଅନୁଭବ କରୁଥିଲି ତାହା ବଖାଣିବା ଲାଗି ମୋ ପାଖରେ ଶବ୍ଦ ନ ଥିଲା । ମତେ ଲାଗୁଥିଲା ଯେମିତି ମୋ ହୃଦୟରେ କିଏ ପଶିଯାଇଛି ଓ ତା’ ଭିତରେ ନାଚିକୁଦି ଅଥୟ ହୋଇପଡ଼ୁଛି! ସେଇ ପାଣି ସରସର ଓଦା ଲୁଗାରେ ମୁଁ ଏକମୁହାଁ ମୋ ଗାଆଁଆଡ଼େ ଦୌଡ଼ୁଥିଲି । ଓଦାଲୁଗା ମୋ ପାଦକୁ ଛନ୍ଦି ପକାଉଥିଲା । ସେଇ ଖାଲଢ଼ିପ ରାସ୍ତାରେ ମୁଁ ସଳଖି ଚାଲିପାରୁ ନ ଥିଲି । କିନ୍ତୁ ମୁଁ ପଡ଼ି ନ ଥିଲି କି ତଳେ ପଡ଼ିଯାଇ ନ ଥିଲି । ମୁଁ ଗାଆଁରେ  ବେଳକୁ ସମସ୍ତଙ୍କ ଘରେ ସନ୍ଧ୍ୟାବତୀ ଜଳା ସରିଥିଲା । ମୋତେ ଲାଗୁଥିଲା, ମୋତେ ସ୍ୱାଗତ କରିବା ଲାଗି ଯେମିତି ସମସ୍ତେ ଦୀପ ଜଳାଇ ପ୍ରତୀକ୍ଷା କରିରହିଥିଲେ! ଆଉ ତା’ରି ଭିତରେ ମୋ ନିଜ ଘରର ଆଲୁଅ ମୋତେ ଦିଶିଲା । ସାରା ଗାଆଁରେ କେବଳ ଆମରି ଦି’ମହଲା କୋଠାଘରଟିଏ ଥିଲା । କାହିଁ ପିଢ଼ି ପିଢ଼ି ଧରି ମୋର ଶାଶୂ-ଶଶୁର ଓ ସେମାନଙ୍କ ପୂର୍ବଜମାନେ ଏଇ ଗାଆଁରେ ସାହୁକାର ଥିଲେ । ଆଖପାଖ
ଗାଆଁରେ ବି ଲୋକେ ସେମାନଙ୍କୁ ଚିହ୍ନିଥିଲେ । ଆମ ଘର ଯେତିକି ନିକଟତର ହୋଇଆସୁଥିଲା, ମୋତେ ଲାଗୁଥିଲା କାଲି ସକାଳୁ ପାଖଆଖ ସବୁ ଗାଆଁର ଲୋକେ ଆସି ମୋତେ ଶଙ୍ଖୁଳିବେ । ମୋ ସାହସକୁ ପ୍ରଶଂସା କରିବେ । ମୋର ହାନିଲାଭ କଥା ପଚାରିବେ । ସେମାନଙ୍କ ଝିଅବୋହୂମାନେ ସେତେବେଳକୁ ଦୁର୍ବୃତ୍ତଙ୍କ କବଳରୁ ଖସି ପଳାଇ ଆସି ସାରିଥିଲେ । ସେମାନେ ମଧ୍ୟ ନିଜ ବୁଦ୍ଧି ଓ ସାହସ କଥା ବଖାଣିଥିବେ । ସେସବୁ କଥା ସିଏ ବି ଶୁଣିବ । ଦୂୂରଦୂରାନ୍ତରୁ ସ୍ତ୍ରୀଲୋକମାନେ
ମୋତେ ଦେଖିବାକୁ ଆସିବେ । ଏ ରକ୍ତନଦୀକୁ ପାରିହୋଇ ଜୀବନ ଧରି ଫେରିଥିବାରୁ ମୋତେ ଭୂରି ଭୂରି ପ୍ରଶଂସା କରିବେ । ଆଉ ପ୍ରେମ୍‌…! ତା’ ତୁଣ୍ଡର ସେଇ ଗୋଟିଏ ଶବ୍ଦ ‘ମୁସଲମାନ’ ଭିତରେ ଅନେକ କିଛି ପ୍ରଶ୍ନ ଭରି ରହିଥିବ । ଆଉ ତା’ପରେ…? ମୁଁ ମନେ ମନେ ସ୍ଥିରକରି ନେଇଥିଲି ଯ ସ୍ୱାମୀଙ୍କ ସାଙ୍ଗରେ ମୁଁ ରୀତିମତ ଝଗଡ଼ା କରିବି । ସେଇଦିନ ରାତିରେ ଝଗଡ଼ା କରିବି । କାଇଁକି ସେ  ଦୁର୍ବୃତ୍ତମାନଙ୍କ ବିଷୟରେ କହିଥିଲେ? କାହିଁକି ସେ ପ୍ରେମକୁ ମିଛ କହି ନଥିଲେ – ତୋ ମାଆ ମାମୁଘରକୁ ଯାଇଛି…? ଆଉ ସ୍ୱାମୀ ମୋର ମୋତେ ପଚାରିବେ – ‘ସେକଥା କେମିତି କହି ପାରିଥାଆନ୍ତି? ତୁମ ନିଜ ମାଆ ତ ଏଠାକୁ ଆସି ତୁମକୁ ଖୋଜୁଥିଲେ । ପ୍ରେମକୁ କୋଳରେ ଜାକିଧରି ଧରି ବାହୁନୁଥିଲେ ।’ ଏକଥା ଶୁଣି ମୁଁ ଭାବିଲି, ମୋ ଫେରିଆସିବା ଖବର ପାଇ ମାଆ ସତରେ କେତେ ଖୁସି ହେବ! ମୋ ଫେରିବା ଖବର ପାଇ ସିଏ ଦୌଡ଼ି ଆସିବ । ମତେ ଦେଖି କାନ୍ଦି ପକାଇବ । ହେଲେ ସେ କାନ୍ଦ ଭିତରେ ଆନନ୍ଦ ଭରି ରହିଥିବ । ମୁଁ ତ ବାପଘର ଛାଡ଼ିବା ଦିନୁ ତା’ଆଖିରୁ ଲୁହ ଶୁଖି ନ ଥିଲା । ଶାଶୂଘରେ ଥିଲାବେଳେ ବି ତା’ମନ ସଦାବେଳେ ବ୍ୟସ୍ତ ହେଉଥିଲା । କିନ୍ତୁ କେତେବେଳେ ସେ ଘରେ ମୋତେ ବେଶି ଦିନ ରଖି ଦିଏନନି । ସଦାବେଳେ କହେ, ‘ବାହାସାହା ଝିଅ ଅଧିକ ଦିନ ବାପଘରେ ରହିବା ଅନୁଚିତ । ନିଜ ସ୍ୱାମୀର ପାଦତଳେ ସେବାକରି ପଡ଼ିରହିବୋ ଓ  ମରିବା ହିଁ ଝିଅଟିଏ ପାଇଁ ସବୁଠାରୁ ପୁଣ୍ୟର କଥା ।’

ଏଇ କଥା ଭାବି ଭାବି କେତେବେଳେ ଆସି ମୁଁ ଆମ ଘର ଦୁଆର ମୁହଁରେ ଥିଲି ସେକଥା ଜାଣିପାରି ନ ଥିଲି । ସେତେବେଳେ ମୋ ସ୍ୱାମୀ ଦାଣ୍ଡକବାଟ ବନ୍ଦ୍ କରୁଥିଲେ । ଭାବିଲି ତାଙ୍କ ସାଭ୍‌ଗରେ ଦଣ୍ଡେ ପରିହାସ ହେବି । ତାଙ୍କୁ ବୁଝେଇଦେବି ଯେ ଘର ଦରଜା ବନ୍ଦ୍ କରିବା ବଦଳରେ ନିଜ ହୃଦୟର ଦରଜାକୁ ମୁକୁଳା
ରଖିବା ଉଚିତ । ଭାବିଲି, କବାଟ ବାଡ଼େଇବି କିନ୍ତୁ ଛପି ରହିବି । କେଇଥର ଏମିତି କରି ତାଙ୍କୁ ଡରେଇବାକୁ ଚେଷ୍ଟା କରିବି । ଶେଷରେ ବିରକ୍ତ ହୋଇ ଯେତେବେଳେ ସେ ପଦାକୁ ବାହାରିବେ ସେତେବେଳେ ପାଳଗଦା ପଛପଟେ ଛପିଯିବି । ଆଉ ତା’ପରେ… । କିନ୍ତୁ ବାସ୍ତବ ଘଟନା ଭିନ୍ନ ହେଲା । ମୁଁ କବାଟ
ବାଡେଇଲି ଓ ସେ ଭିତରେ ଥାଇ ପଚାରିଲେ, ‘କିଏ ଡାକୁଚ?’ ମୁଁ ଚୁପ୍ ରହିଲି । ସେ ପୁଣି ଥରେ ପଚାରିଲେ, ‘ବାହାରେ କିଏ?’ ହେଲେ କବାଟ ଖୋଲିଲେନି । ମୁଁ ମନେ ମନେ ଭାବିଲି, ତାଙ୍କ ମନରୁ ପୂର୍ବର ଭୟ ଯାଇନି । ତେଣୁ ଡାକ ଶୁଣୁ ଶୁଣୁ ସେ ଦରଜା ଖୋଲୁନାହାନ୍ତି । ତାଙ୍କ ଉପରେ ମୋର ଦୟା ଆସିଲା । ସେ ଯାହା ହେଉ, ତାଙ୍କ କଣ୍ଠସ୍ୱର ଏତେ ପାଖରୁ ଶୁଣିବା ମାତ୍ରେ ମୋ ମନ କିନ୍ତୁ ଉଚ୍ଚାଟିତ ହୋଇଉଠିଲା । ମୁଁ ଏଥର ଧୀରେ କହିଲି,

‘ମୁଁ, ନିର୍ମଳା!’ ମୁଁ ନିଜେ ବୁଝିପାରୁ ନ ଥିଲି ମୋ ସ୍ୱର କାହିଁକି ସେତେବେଳେ ଏତେ କ୍ଷୀଣ ହୋଇଗଲା । ସତେ ଯେପରି ମୁଁ କାହା କାନରେ ଚାପାସ୍ୱରରେ କିଛି କହୁଥିଲି! ସେ କିନ୍ତୁ ମୋ ଡାକକୁ ସ୍ପଷ୍ଟ ଶୁଣିପାରିଥିଲେ । ମୋ ଡାକ ତାଙ୍କ କାନରେ ପଡ଼ିବା ପରେ ସେ ଆଶ୍ଚର୍ଯ୍ୟ ହେଲାପରି କହିଲେ, ‘ତୁ…!’ ଆଉ ତା’ପରେ ଦୀର୍ଘ ନୀରବତା । ସତେ ଯେମିତି ସଂସାରର ହୃଦ୍‌ସ୍ପନ୍ଦନ ବନ୍ଦ୍‌ହୋଇଯାଇଛି! ଆଉ ସେଇ ଶୀତଳ ନୀରବତା ଅନନ୍ତକାଳ ପର୍ଯ୍ୟନ୍ତ ବ୍ୟାପିଯାଇଛି! ପର ମୁହୂର୍ତ୍ତଟି ସେମିତି ନିସ୍ପନ୍ଦରେ ବିତିଲା । କିନ୍ତୁ ଦରଜା ଖୋଲିଲାନି । ସମ୍ଭବତଃ ସ୍ୱାମୀ ଏଭଳି ବାସ୍ତବତାକୁ ବିଶ୍ୱାଶ କରିପାରୁ ନ ଥିଲେ । ମୁଁ ତ ଶୁଣିଥିଲି ଖୁସି ଖବର ଶୁଣି ଆନନ୍ଦରେ ଗଦ୍‌ଗଦ୍ ହୋଇଉଠି ଲୋକେ ଛୋବ ଚାଲିଯାଆନ୍ତି । ଆଉ କେହି କେହି ତ ସେଇ ଆନନ୍ଦରେ ଟଳିପଡ଼ନ୍ତି… ମୋ ମନକୁ ଏକ ଅଜଣା ଭୟ ଆବୋରି ବସିଲା । ମୁଁ କବାଟକୁ ବାରମ୍ବାର ବାଡ଼େଇ ଚାଲିଲି । ‘ଖୋଲ, କବାଟ ଖୋଲ । ମୁଁ ନିର୍ମଳା । ତୁମରି ନିର୍ମଳା… ।’

ପରିଶେଷରେ କବାଟ ଖୋଲିଲା । କିନ୍ତୁ ମୋ ସାମ୍‌ନାରେ ଏବେ ଯେଉଁ ଲୋକଟିକୁ ମୁଁ ଦେଖୁଥିଲି ସିଏ ମୋର ସ୍ୱାମୀ ନୁହନ୍ତି ।’ ଏଥର ସ୍ତ୍ରୀଲୋକଟି ହଠାତ୍ ତୁନି ପଡ଼ିଗଲା । ସତେକି ଡରିଯାଇଥିଲା! ଆନନ୍ଦ ମୁହଁକୁ ସେ ଏମିତି ଚାହିଁଲା, ଯେମିତି ତାକୁ ସେ ଆଗରୁ କେବେ ଦେଖି ନ ଥିଲା । ଏଇ ସବୁ କଥା ଶୁଣି ଶୁଣି ଆନନ୍ଦ ଏତେ ପରିମାଣରେ ଭାବ ବିହ୍ୱଳ ହୋଇଉଠିଥିଲା ଯେ ସେ ବସିବା ସ୍ଥାନରୁ ଉଠିପଡ଼ିଲା । ଏଥର ସେ ଉତ୍କଣ୍ଠାର ସହ ପଚାରିଲା, ‘ତା’ହେଲେ ସିଏ କିଏ ଥିଲା?’
ଏବେ କିନ୍ତୁ ସେ ସ୍ତ୍ରୀଲୋକଟିର କଣ୍ଠସ୍ୱରରେ କିଛି ଭାବାବେଗ ଥିବାପରି ଲାଗୁ ନ ଥିଲା । ବରଂ କେମିତି ଏକ ଫାଙ୍କା ସ୍ୱରରେ ସେ ନିଜର ସେଇ କଥା ପଦକୁ ପୁଣି ଥରେ ଦୋହରାଇଲା, ‘ସିଏ ମୋ ସ୍ୱାମୀ ନ ଥିଲେ ।’ ଏଥର ଦୀର୍ଘଶ୍ୱାସଟିଏ ଛାଡ଼ି ସେ କହିଚାଲିଲେ, ‘ଯିଏ ଦିନେ ସମସ୍ତଙ୍କ ସାମ୍‌ନାରେ ମୋ ହାତ ଧରିଥିଲେ, ଯିଏ ଦିନେ ବିବାହ ବେଦୀରେ ବସି ମୋତେ ସୁରକ୍ଷା ଦେବାଲାଗି ଅଗ୍ନିକୁ ସାକ୍ଷୀ ରଖି ଏତେ ପ୍ରତିଜ୍ଞା କରିଥିଲେ, ଶରୀରରେ ସିନା ସିଏ ସେଇ ଲୋକଭଳି ଦିଶୁଥିଲେ, କିନ୍ତୁ… କିନ୍ତୁ… ମୁଁ ବୁଝିପାରୁ ନ ଥିଲି, ତାଙ୍କର କ’ଣ ହେଲା । ପ୍ରଥମେ ତ ସିଏ ମୋତେ ଆଦୌ ଚିହ୍ନିଲେନି । ତା’ପରେ ମୋତେ କେମିତି ଆବେଗହୀନ ସ୍ୱରରେ ପଚାରିଲେ, ‘ଏବେ ଆଉ ଏଠାକୁ କାଇଁକି ଆସିଛୁ?’ ତାଙ୍କ ତୁଣ୍ଡରୁ ଏକଥା ପଦକ ଶୁଣିବା ମାତ୍ରେ ମତେ ଲାଗିଲା ଯେମିତି ମୋ ଛାତିରେ କିଏ ଗୋଟିଏ ଧାରୁଆ ଛୁରୀଟିଏ ଭୁସିଦେଉଛି! ମୋ ସିରା ପ୍ରସିରାରେ ରକ୍ତସବୁ ଜମାଟ ବାନ୍ଧିଯାଉଛି । ମୋ ଜିଭ ଭିତରକୁ ପଶିଯାଉଛି! ତାଙ୍କ ପ୍ରଶ୍ନର ଅବା ମୁଁ କି ଉତ୍ତର ଦେଇଥାଆନ୍ତି? କେମିତି ତାଙ୍କୁ ବୁଝେଇ ଥାଆନ୍ତି, ମୁଁ କାଇଁକି ଫେରିଆସିଛି?’

‘ଏତିକିବେଳେ ଘର ଭିତରୁ ମୋ ଶ୍ୱଶୁରଙ୍କର କଠଉ ଶବ୍ଦ ଶୁଭିଲା । ସେ ଅଗଣାକୁ ବାହାରି ଆସିଲେ । ସବୁଦିନ ପରି ସେ ଦେହରେ ଖଣ୍ଡେ ନାମାବଳୀ ବେଢ଼େଇ ହୋଇଥିଲେ । ଚାଦରଟି ସାରା ଭଗବାନ ରାମଙ୍କ ନାମ ଲେଖା ହୋଇଥିଲା । ଶ୍ୱଶୁରଙ୍କୁ ଦେଖିବାମାତ୍ରେ ମୁଁ ତାଙ୍କ ପାଦଛୁଇଁ ମୁଣ୍ଡିଆ ମାରିବାକୁ ଦୌଡ଼ିଗଲି । ଗୁରୁଜନମାନଙ୍କୁ ପ୍ରଣିପାତ କରି ଆଶୀର୍ବାଦ ନେବି ବୋଲି ମନେ ମନେ ଭାବିଲି । ସେ ମୋ ଆଡ଼ୁ ମୁହଁ ଫେରେଇନେଇ କେମିତି ଆଶ୍ଚର୍ଯ୍ୟ ହେଲାଭଳି ସେ
ତାଙ୍କ ପୁଅକୁ ଚାହିଁଲେ । ତାଙ୍କ ତରଉ୍‌ଡ଼ରୁ ବାହାରି ଆସିଲା, ‘ରାମ! ରାମ!’ ସତେ ଯେମିତି ମୋ ଅପବିତ୍ର ସ୍ପର୍ଶ ଫଳରେ ସେ ପାପ ଅର୍ଜିଛନ୍ତି ଏବଂ ସେଇ ପାପରୁ ରକ୍ଷା ପାଇବା ଲାଗି ସେ ପ୍ରଭୁ ରାମଙ୍କ ଶରଣାପନ୍ନ ହେବାକୁ ଚାହୁଁଛନ୍ତି । ତା’ପରେ ହଠାତ୍ ସମସ୍ତେ ତୁନି ପଡ଼ିଗଲେ । ଚାରିଆଡ଼େ ମୃତ୍ୟୁଭଳି ନୀରବତା ବିରାଜମାନ କଲା । ଆମେ ତିନିହେଁ କେହି କାହାରି ମୁହଁକରୁ ଚାହିଁପାରୁ ନ ଥିଲୁ । ପ୍ରତି ମୁହୂର୍ତ୍ତର୍ ଗତ ହେବା ସହ ମୋ ମନରେ ଭୟ ଓ ଆଶଙ୍କା ବଦ୍ଧମୂଳ ହୋଇ ଚାଲିଥିଲା । ନିଜକୁ ନିଜେ ମୁଁ ପଚାରି ହେଉଥିଲି – ମୁଁ କ’ଣ ସତରେ କିଛି ଗର୍ହିତ ଅପରାଧ କରିପକେଇଛି! ଶେଷରେ ସେଇ ନୀରମତା ଭିତରେ ମୁଁ ଅନୁଭବ କଲି, ସତେକି ଲୋକଲଜ୍ଜାର ଛୁରୀକାରେ କିଏ ମୋର ସର୍ବାଙ୍ଗକୁ କ୍ଷତବିକ୍ଷତ କରିପକାଇଛି! ଆଉ ସେଇ ଓଦାଲୁଗା ଭିତରେ ମୋର ଶରୀର ହୁତ୍‌ହୁତ୍ ହୋଇ ଜଳୁଛି! ମୋ ଶ୍ୱଶୁର
ଓ ମୋ ସ୍ୱାମୀଙ୍କ ସାମ୍‌ନାରେ ମୁଁ ସର୍ମ୍ପର୍ଣ୍ଣ ବିବସ୍ତ୍ର ହୋଇ ଠିଆ ହୋଇଛି! ମୁଁ ଜାଣେନା, କେଉଁ ଭାବାବେଗରେ କେଜାଣି, ମୁଁ ଶ୍ୱରୁରଙ୍କ ଦେହରେ ପଡ଼ିଥିବା ସେଇ ନାମାବଳୀ ଚଦର ଖଣ୍ଡିକୁ ଭିଡ଼ିନେଇ ନିଜେ ବେଢ଼େଇ ହୋଇପଡ଼ିଲି… ତଥାପି ମୋତେ ଲାଗୁଥିଲା ମୁଁ ବିବସ୍ତ୍ର, ଉଲଗ୍ନ! ମୋ ଶ୍ୱରୁର ମୋ ଆଡ଼କୁ ଚାହିଁ କେମିତି ସମବେଦନାଭରା କଣ୍ଠରେ କହିଲେ, ‘ବିଚାରୀର ମୁଣ୍ଡ ବିଗିଡ଼ି ଯାଇଛି । ସିଏ ପାଗଳୀ ହୋଇଯାଇଛି ।’

ମୋ ସ୍ୱାମୀ ମଧ୍ୟ ତାଙ୍କ କଥାରେ ସମ୍ମତି ଭରିଲା ପରି କହିଲେ, ‘ହଁ, ହଁ, ନିଶ୍ଚୟ ମୁଣ୍ଡ ଖରାପ ହୋଇଯାଇଛି । ନ ହେଲେ କ’ଣ ସିଏ ଏଠାକୁ ଲେଉଟି ଆସିଥାଆନ୍ତା?’
ଶ୍ୱଶୁର ତାଙ୍କୁ ବାରଣ କାଭଳି ଶ୍‌ଶ୍‌ଶ୍‌… ଭଳି ଶବ୍ଦ କରି ନିଜ ଓଠରେ ଆଙ୍ଗୁଳିଥାପି କହିଲେ, ‘ଧୈର୍ଯ୍ୟ ଧର… ଅପେକ୍ଷା କର୍‌… । ସାଇପଡ଼ିଲା ଲୋକେ ଶୁଣିବେ । ସମସ୍ତେ ଧରି ନେଇଛନ୍ତି, ତୁ ମରିସାରିଛୁ ।’

‘ମିଛ କଥା! ସମସ୍ତେ ଜାଣିଛନ୍ତି ଆମ ଗାଆଁରେ ଝିଅବୋହୂମାନଙ୍କୁ ସେମାନେ ଜୋର ଜବରଦସ୍ତ ଉଠେଇ ନେଇଥିଲେ ।’

ମୁଁ ପ୍ରତିବାଦ କଲାପରି ଚିତ୍କାର ଛାଡ଼ିଲି ।

‘ହଁ, ହଁ । ସମସ୍ତେ ଏକଥା ବି ଜାଣିଛନ୍ତି ଯେ ନିଜ ଇଜ୍ଜତ ବଞ୍ଚେଇବାଲାଗି ସେମାନଙ୍କ ଝିଅବୋହୂମାନେ ଭରା ନଈକୁ ଡେଇଁ
ପଡ଼ିଥିଲେ ।’

‘ତା’ହେଲେ କ’ଣ କେହି ସୁଦ୍ଧା ନିଜ ଝିଅବୋହୂଙ୍କୁ ଫେରେଇ ଆଣିବେନି?’

‘କିଏ ଭୂତ ପ୍ରେତଙ୍କୁ ନିଜ ଘରେ ରଖିବ କହିଲୁ? ଯିଏ ମଲା, ସିଏ ଗଲା ।’

‘ହେ ରାମ! ଇଏ କି ପ୍ରକାର ଅନ୍ୟାୟ!’ ମୁଁ ଚିତ୍କାର ଛାଡ଼ିଲି ।

‘ଅନ୍ୟାୟ କାଇଁକି ହେବ? ସଂସାରର ନିୟମ ତ ଏଇଆ ।  ମୋ ଶ୍ୱଶୁର ଅତି ଧୈର୍ଯ୍ୟର ସହ ସ୍ୱାଭାବିକ ସ୍ୱରରେ ମୋତେ ବୁଝେଇବାକୁ ଚେଷ୍ଟା କଲେ । ସେ କହିଚାଲିଥିଲେ – ‘ତୁ ତ ସବୁଦିନେ ରାମାୟଣ ପଢ଼ୁଥିଲୁ । ନିଶ୍ଚୟ ଜାଣିଥିବୁ, ରାମଚନ୍ଦ୍ରଙ୍କ ଭଳି ମର୍ଯ୍ୟାଦାପୁରୁଷ ନିଜ ପରିବାରର ମାନଇଜ୍ଜତ ରକ୍ଷା କରିବା ଲାଗି କ’ଣ କରିଥିଲେ? ମା’ ସୀତା କ’ଣ ସତୀ ସାଧ୍ୱୀ ନ ଥିଲେ?’

‘ମା’ ସୀତା ସତୀ! ତାଙ୍କ କଥାକୁ ଆଣି ମୋ ସହ ତୁଳନା କରୁଛନ୍ତି!’ ମୋ ଦେହ ଗୋଟାପଣେ ଜଳିଉଠିଲା । ରାମାୟଣ ରଚନା କରିଥିବା ଋଷିଙ୍କୁ ମନେ ମନେ ଅଭିଶାପ ଦେଲି । ସେ କ’ଣ ଏଇ କଥା ସିଦ୍ଧ କରିବାଲାଗି ରାମାୟଣ ରଚନା କରିଥିଲେ? ହିନ୍ଦୁ ମହିଳାମାନଙ୍କୁ କ’ଣ ଏଇଥିପାଇଁ ରାମାୟଣ ପଢ଼ିବାକୁ କୁହାଯାଏ! ସେ ଋଷିମାନେ କ’ଣ ପତିମାନଙ୍କୁ ଏଇଥିପାଇଁ ଦେବତାର ସ୍ଥାନ ଦେଇଥିଲେ ଯଦ୍ୱାରା ସେମାନଙ୍କର ସବୁପ୍ରକାର ଦମନ ଓ ଦମ୍ଭକୁ ମର୍ଯ୍ୟାଦା ବୋଲି ବିବେଚନା କରାଯିବ? ଆଉ ମୋ ନିଜ ସ୍ୱାମୀ, ମୋ ମର୍ଯ୍ୟାଦା ପୁରୁଷୋତ୍ତମ,   ଅବତାର, ଏସବୁ କଥା ଶୁଣି ଚୁପ୍ ରହିବେ! ତାଙ୍କ ବିରୁଦ୍ଧରେ ମୋର କିଛି ବୋଲି କିଛି ଅଭିଯୋଗ ନାହିଁ ।

ଦୁର୍ବୃତ୍ତମାନେ ନିଜ ପତ୍ନୀକୁ ଉଠାଇ ନେଲାବେଳେ ଯିଏ ନିଜ ପ୍ରାଣ ବଞ୍ଚେଇ ଦୌଡ଼ି ପଳାଏ ସିଏ ସ୍ୱାମୀ ନା କାପୁରୁଷ! ଆଉ ଯେତେବେଳେ ନିଜ ପରିବାରର ମର୍ଯ୍ୟାଦାକୁ ବଞ୍ଚାଇବା ଲାଗି ଏବେ ତାଙ୍କ ପତ୍ନୀର ଏଭଳି ଦଶା ହୋଇଛି ସିଏ ଭଲା କ’ଣ କରିପାରିବେ?

ଉଁ ଚୁଁ କିଛି ନ କହି ମୁଁ ମୁହଁ ଫେରେଇନେଲି । ପଛକୁ ପାହୁଣ୍ଡ ପକାଇଲି । ଦୁଆରମୁହଁରୁ ଫେରିଯିବାବେଳେ ପଛରୁ ଶ୍ୱଶୁରଙ୍କ ପ୍ରଶଂସାବାଣୀ ମୋ କାନରେ ପଡ଼ୁଥିଲା: ‘ରାତି ଅନ୍ଧାରରେ ତୁ ଆସି ଠିକ୍ କରିଛୁ । ନ ହେଲେ ଆଜି ଆମ ଖାନ୍‌ଦାନର ଇଜ୍ଜତ ମାଟିରେ ମିଶି ଯାଇଥାଆନ୍ତା ।’

ମୁଁ କିଛି ନ କହି ଏକମୁହାଁ ଚାଲିବା ଆରମ୍ଭ କଲି । ଶ୍ୱଶୁରଙ୍କ ପ୍ରଶଂସାବାଣୀ ମୋ କାନରେ ପଡ଼ୁଥିଲା, ‘ଏଥିରେ ମନ ଦୁଃଖ କରିବାର କିଛି ନାହିଁ । ଆମେ ବି ସେମାନଙ୍କ ଉପରେ ପ୍ରତିଶୋଧ ନେଇଛୁ । ଆମ ଗାଆଁର ଯେତିକି ଝିଅବୋହୂଙ୍କୁ ସେମାନେ ଅଟକ ରଖିଥିଲେ ତା’ଠାରୁ ଅଧିକ ସଂଖ୍ୟକ ସେମାନଙ୍କର ସ୍ତ୍ରୀଲୋକଙ୍କୁ ଆମେ ବି ଅଟକ ରଖିଥିଲୁ ।’ ମୋ ତୁଣ୍ଡରୁ ଶାଣିତ ଛୁରୀକା ପରି କେଇଟି ଶବ୍ଦ ବାହାରି ଆସିଲା, ‘ଆପଣ ସେମାନଙ୍କୁ ଆଣି ନିଜ ଘରେ ରଖିଛନ୍ତି?’

‘ହଁ । ସେମାନଙ୍‌ୁ ନିଜ ଘରେ ରଖିବା ଗର୍ବ ଓ ଗୌରବର କଥା ।’ଗର୍ବରେ ଛାତି ଫୁଲେଇ ମୋ ଶ୍ୱଶୁର କହୁଥିଲେ । ଏଥର ଘର ଭିତରକୁ ଆଙ୍ଗୁଠି ଇଙ୍ଗିତକରି ସେ କହିଲେ – ଆମ ଘରେ ବି ସେମିତିଆ ଦିଓଟି ସ୍ତ୍ରୀଲୋକ ଅଛନ୍ତି ।’ ଆଗକୁ ମୁଁ ଆଉ କିଛି ଶୁଣି ପାରିଲିନି । ମୋତେ ଳାଗିଲା, ମୁଁ ପଞ୍ଝାଏ ମାଂସଲୋଭୀ ଦଲାଲ ଓ ନିର୍ଲଜ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଛି! ସେମାନଙ୍କ ଜାଲରେ ଫସିଯାଇଛି । ସେ ଜାଲ ଭିତରେ ମୋ ଭଳି ଅନେକ ଝିଅବୋହୂ ଛନ୍ତି ହୋଇପଡ଼ିଛନ୍ତି । ପର ମୁହୂର୍ତ୍ତରେ ମୁଁ ଏକମୁହାଁ ଦୌଡ଼ିବା ଆରମ୍ଭ କଲି । ହେଲେ ଯିବି କୁଆଡ଼େ? କେଉଁଠି ମୋତେ ଆଶ୍ରା ମିଳିବ? ‘ଆମ’ ହିନ୍ଦୁସ୍ତାନରେ ତ ମାନ ଇଜ୍ଜତ ଥିବା ମହିଳାମାନଙ୍କ ଅବସ୍ଥା ଏଇଆ! ପାକିସ୍ତାନରେ ତ ଅବସ୍ଥା ତଦ୍ରୂପ । ଉଭୟ ଦେଶ କେବଳ ପୁରୁଷଙ୍କର ଯେଉଁମାନେ ଏବେ ମୁହଁରେୁ ସମ୍ଭ୍ରାନ୍ତର ମୁଖା ଖୋଲି ନାରୀମାନଙ୍କ ନଗ୍ନ ଶରୀର ଚାରିପଟେ ଭ୍ରକୁଟି ନୃତ୍ୟ କରୁଥିଲେ । କୌଣସି ଦେଶରେ ନାରୀପାଇଁ ସୁରକ୍ଷା ନାହିଁ କି ସ୍ଥାନ ନାହିଁ । ଭୂମି ପରି ସେମାନଙ୍କ ନାରୀମାନଙ୍କ ଶରୀରକୁ ସୁଦ୍ଧା ନିଜ ନିଜ ଭିତରେ ଭାଗ ନେଇଛନ୍ତି । ହେଲେ କେହି ଜଣେ ନିଜ ଭାଗରେ ଜଣେ ପତ୍ନୀ କିମ୍ବା ଗୋଟିଏ ଅସହାୟା ମା’କୁ ଗ୍ରହଣ କରିବାକୁ ନାରାଜ!

ମୁଁ ସେମିତି ଏକମୁହାଁ ଦୌଡ଼ୁଥିଲି । ଆଶ୍ରୟ ଖୋଜୁଥିଲି । କିନ୍ତୁ କେଉଁଠି ହେଲେ ଆଶ୍ରା ମିଳୁ ନ ଥିଲା । ହିନ୍ଦୁସ୍ତାନ ଭୂମିର ସବୁଆଡ଼େ ମୁଁ ଥିଲି ସାକ୍ଷୀ । ପ୍ରତି ସ୍ଥାନରେ
ପ୍ରତିଟି ବସ୍ତୁ ଉପରେ ସତେ ଯେମିତି ଅସହାୟା ଗାରୀର ରକ୍ତଛିଟା ମୋତେ ଦୃଶ୍ୟ ହେଉଥିଲା । ଯେଉଁମାନଙ୍କୁ ଉଭୟ ହିନ୍ଦୁସ୍ତାନ ଓ ପାକିସ୍ତାସରେ ନିର୍ମମ ଭାବରେ ଧର୍ଷଣ କରାଯାଇଥିଲା । ଉଭୟପଟର ପୁରୁଷପୁଙ୍ଗବମାନେ ଏହାକୁ ମନଭରି ଉପଭୋଗ କରିଥିଲେ । ସମସ୍ତେ ଏକାକାର ହୋଇ ଉଠିଥିଲେ । ମୁଁ ଉଭୟଙ୍କ
ଠାରୁ ଦୂରକୁ, ଢେର୍ ଦୂରକୁ ଚାଲିରସବାକୁ ଦୌଡ଼ୁଥିଲି । ମୋ ସାମ୍‌ନାରେ ଭରା ରାବୀଦୀ ଦି’କୂଳ ଖାଇ ଉଛୁଳୁଥିଲା । ମୋତେ ଲାଗୁଥିଲା ମୋ’ପରସ ସେ ନଦୀଟା ମଧ୍ୟ ହିନ୍ଦୁସ୍ତାନ ଓ ପାକିସ୍ତାନ କବ୍‌ଜାରେ ତ୍ରାହି ତ୍ରାହି ଡାକ ଦେଉଥିଲା । ନିଜର ମାନ ମର୍ଯ୍ୟାଦା ରକ୍ଷା କରିବା ସକାଶେ ତା’ର ସ୍ରୋତ ଆହୁରି ପ୍ରଖର ବେଗରେ ସମୁଦ୍ର ଆଡ଼କୁ ଦୌଡ଼ୁଥିଲା । ହଠାତ୍‌ ମୋତେ ମୋ ସହଯୋଗୀମାନେ ମିଳିଯାଇଛନ୍ତି । ସେମାନେ ମୋତେ ରକ୍ଷା କରିବେ, ସେମାନଙ୍କ କୋଳକୁ ନେଇଯିବେ । ମୁଁ ନିଜକୁ
ସମ୍ପୂର୍ଣ୍ଣ କ୍ଳାନ୍ତ ଅନୁଭବ କରୁଥିଲି । ଆଗକୁ ଆଉ ଦୌଡ଼ି ପାରୁ ନ ଥିଲି । ପର ମୁହୂର୍ତ୍ତରେ ମୁଁ ନିଜକୁ ରାବୀ ମୋଳରେ ପାଇଲି । କିନ୍ତୁ… ସେମାନେ ସୁଦ୍ଧା ମୋତେ ପ୍ରତ୍ୟାଖ୍ୟାନ କରିଦେଲେ । ବୋଧହୁଏ ମୁଁ ସେମାନଙ୍କ ଭଳି ମୁଁ ଧର୍ଷିତା ।

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Comments are closed.