Latest Odisha News

BREAKING NEWS

ମନ୍‌ ଷ୍ଟାଇଲ୍‌ରେ ବାହା ହେଲେ ପ୍ରେମ ଚଢ଼େଇ, ହ୍ବିଲ୍‌ ଚେୟାରରେ ନେଲେ ସାତ ଫେରା

ବାଲେଶ୍ବର : ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ତ୍ୟାଗର ଅନ୍ୟ ନାମ ହେଉଛି ପ୍ରେମ  । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେବେ କାହା ସହ କରିହେବ ନାହିଁ  । ଆଜିର ଡିଜିଟାଲ ଯୁଗରେ ପ୍ରେମ କରି କିଏ ପ୍ରତାରଣାର ଶିକାର ହେଉଛି ତ କାହାର ଜୀବନ ଚାଲିଯାଉଛି  । ତେବେ ଏଭଳି ସ୍ଥିତିରେ ଏକ ନିଛକ ପ୍ରେମ କାହାଣୀ ଆମ ସାମ୍ନାକୁ ଆସିଛି । ଯାହା ଆପଣ ମାନେ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି । ହଁ ଆଜ୍ଞା ଆପଣମାନେ କୌଣସି ଫିଲ୍ମରେ ଏପରି କାହାଣୀ ଦେଖିଥିବେ ମାତ୍ର ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ  ।

କଥା ଦେଇଥିଲେ ଯେକୌଣସି ପରିସ୍ଥିତି ଆସିଲେ ବି ପରସ୍ପର କେବେ ହାତ ଛାଡ଼ିବେନି । ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ୮ ବର୍ଷର ପ୍ରେମରେ ପାଚେରି ଛିଡ଼ା କରିପାରିଲାନି ପକ୍ଷାଘାତ । ତେବେ ଏଭଳି ଦୃଶ୍ୟ ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଫତେପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରେମ ଆଗରେ ମୁଣ୍ଡ ନୁଆଁଇଛି ପକ୍ଷାଘାତ ।

ସୂଚନା ଅନୁଯାୟୀ, ଫତେପୁର ଅଞ୍ଚଳର ଅବସର ପ୍ରାପ୍ତ ସେନା କର୍ମଚାରୀ ବିଷ୍ଣୁଚରଣ ମହାପାତ୍ରଙ୍କର ପୁଅ ଶୁଭ୍ରାଂଶୁ । ୨୦୧୫ ରୁ ଶୁଭ୍ରାଂଶୁ ଓ ଦେବସ୍ମିତା ପରସ୍ପରକୁ ଭଲପାଇ ଆସୁଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କରେ ଆସିଥିବା ସବୁ ଝଡ଼ ଝଞ୍ଜାକୁ ଦୂର କରି ସାତ ଜନ୍ମ ପାଇଁ ସାଥି ହେବେ ବୋଲି ପରସ୍ପରକୁ କଥା ଦେଇଥିଲେ ।  ହେଲେ ବିଡ଼ମ୍ବନାର ବିଷୟ ଯେ ଦେବସ୍ମିତା ପଣ୍ଡା କୌଣସି କାରଣ ବଶତଃ ପକ୍ଷାଘାତର ଶିକାର ହୋଇଥିଲେ  । ଫଳରେ ଦେବସ୍ମିତା ନିଜ ଗୋଡ଼ରେ ଚାଲିପାରି ନଥିଲେ । କିନ୍ତୁ ଏହି ଘଟଣା ପରେ ନିଜ ନିଷ୍ପତ୍ତିରୁ ଓହରି ନଥିଲେ ଶୁଭ୍ରାଂଶୁ  ।

ସେ ନଭେମ୍ବର ମାସ ୪ ତାରିଖରେ ଏକ ମନ୍ଦିରରେ ରୀତି ନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ । ତାଙ୍କର ଏହି ସ୍ବତନ୍ତ୍ର ପ୍ରେମ କାହାଣୀ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ଏହି ପ୍ରେମୀ ଯୁଗଳ ସମାଜ ପାଇଁ ସାଜିଛନ୍ତି ଏକ ଉଦାହରଣ । ଏନେଇ ଉଭୟ ସେରଗଡ଼ ନିକଟରେ ରହୁଥିବା ବେଳେ ବର୍ତ୍ତମାନ ଦୁହେଁ ବହୁତ ଖୁସି ଅଛନ୍ତି ବୋଲି ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.