Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: କିଏ ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର: ଜୋର ଧରିଲାଣି ପଦ୍ମପୁର ଉପନିର୍ବାଚନ ତାତି । ଶେଷଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଖାରଜ ହୋଇଯାଇଛି ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ମଇଦାନରେ ୧୧ ପ୍ରାର୍ଥୀ ।  ନିର୍ବାଚନରେ ଜୋରଦାର ଟକ୍କର ହେବ ବିଜେଡି-ବିଜେପି ମଧ୍ୟରେ । ତଥାପି କଂଗ୍ରେସ ଉପରୁ ଭୋଟରଙ୍କ ନଜର ହଟିନି । କଂଗ୍ରେସ ବି ପୂର୍ବ ଭୁଲକୁ ସୁଧାରିବା ପାଇଁ ଲାଗି ପଡ଼ିଛି । ଦଳର ବରିଷ୍ଠ ନେତୃବୃନ୍ଦ ଏକାଠି ହୋଇ ନିଜ ସମ୍ମାନ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ।

ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ।

ପ୍ରାର୍ଥିପତ୍ର ଦାଖଲ ସମୟରେ କରିଥିବା ସତ୍ୟପାଠରୁ ଜଣାଯାଇଛି, ଶ୍ରୀ ସାହୁଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୪.୩୩ କୋଟି । ତାଙ୍କ ପାଖରେ ନଗଦ ୫୦ ହଜାର ଟଙ୍କା,  ୫୦ ଗ୍ରାମ ସୁନା ଅଳଙ୍କାର ରହିଛି । ପତ୍ନୀଙ୍କ ପାଖରେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି । ଏଥିସହିତ ପାଇକମାଳ ମାଣ୍ଡୋସିଲରେ ଜମି, ବାସଭବନ ଇତ୍ୟାଦି ରହିଛି ।

ଏହା ପଛକୁ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବର୍ଷାଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୧.୦୨ କୋଟି ଟଙ୍କା । ତାଙ୍କ ପାଖରେ ୨୦ ହଜାର ନଗଦ ଟଙ୍କା ଥିବାବେଳେ ବିଭିନ୍ନ ବ୍ୟାଙ୍କରେ ରହିଛି ୧୭ ଲକ୍ଷର ଜମା । ଏହାବାଦ ୧୫ ଲକ୍ଷର ବୀମା, ୧.୩୪ ଲକ୍ଷର ସୁନା, ୬୦ ହଜାର ଟଙ୍କାର ରୂପା ଗହଣା ଇତ୍ୟାଦି ରହିଛି । ତାଙ୍କ ସ୍ୱାମୀଙ୍କ ପାଖରେ ଥିବା ସଂପତ୍ତିର ମୂଲ୍ୟ ୪୨.୫୦ ଲକ୍ଷ ।

ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୯୯.୬୭ ଲକ୍ଷ ଟଙ୍କା । ଏଥିରୁ ୫୫.୬୭ ଲକ୍ଷ କେବଳ ଅସ୍ଥାବର ସଂପତ୍ତି ଏବଂ ୪୪ ଲକ୍ଷର ସ୍ଥାବର ସଂପତ୍ତି ରହିଛି । ତାଙ୍କ ପାଖରେ ନଗଦ ୩ ଲକ୍ଷ ଟଙ୍କା, ୫ ଲକ୍ଷର ବୀମା, ୧୦ ଲକ୍ଷର ଗାଡ଼ି, ୪୮ ହଜାର ଟଙ୍କାର ସୁନା ଅଳଙ୍କାର, ୭,୪୭ ଲକ୍ଷ ଟଙ୍କାର  ସ୍ଥାୟୀ ଜମା ରହିଛି । ସ୍ଥାବର ସମ୍ପତ୍ତିରେ ୪୪ ଲକ୍ଷ ଟଙ୍କାର ତାଙ୍କ ପୈତୃକ ଘର ରହିଛି   । ସେହିପରି ପତ୍ନୀ  ପ୍ରତିମାଙ୍କ ପାଖରେ ରହିଛି ଲକ୍ଷେ ଟଙ୍କାର ନଗଦ କ୍ୟାସ, ୯୬ ହଜାର ଟଙ୍କାର ସୁନାଳଙ୍କାର । ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ୩୮.୫୧  ଲକ୍ଷ ଟଙ୍କା ହେବ । ସେହିପରି ଶ୍ରୀ ପୁରୋହିତଙ୍କ ନାଁରେ ବିଭିନ୍ନ ଥାନାରେ ୧୦ଟି ଫୌଜଦାରୀ ମାମଲା ରହିଛି ।

ଶ୍ରୀ ସାହୁ ବିଜ୍ଞାନରେ ସ୍ନାତକୋତ୍ତର କରିଥିବାବେଳେ ବର୍ଷା ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ହେଲେ ଶ୍ରୀ ପୁରୋହିତଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.