Latest Odisha News

BREAKING NEWS

ଓଡ଼ିଶା ସରକାର ୨୦୧୦ରୁ ୯ଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୦ ପରଠାରୁ ୯ଟି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୋମବାର ଦିନ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ବିଧାନସଭାରେ କହିଛନ୍ତି ।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ୯ଟି ମାମଲା ମଧ୍ୟରୁ ରାଜ୍ୟ ସରକାରଙ୍କ ନିକଟରେ ୪ଟି ମାମଲାର ରିପୋର୍ଟ ହସ୍ତଗତ ହୋଇଛି ଏବଂ ସେଥିମଧ୍ୟରୁ ୩ଟି ରାଜ୍ୟ ବିଧାନସଭା ଗୃହରେ ଉପସ୍ଥାପିତ ହୋଇଛି ।

ଚିଟଫଣ୍ଡ ତଦନ୍ତ ସମ୍ପର୍କରେ ଉତ୍ତର ରଖି ସେ କହିଛନ୍ତି, ଏନେଇ ବସିଥିବା ଜଷ୍ଟିସ ଏମଏମ ଦାସ କମିଶନଙ୍କ ତଦନ୍ତ କାର୍ଯ୍ୟରେ ଏପର୍ଯ୍ୟନ୍ତ ସମୁଦାୟ ଖର୍ଚ୍ଚ ୫,୫୫, ୩୦,୦୦୦ ଟଙ୍କା ହୋଇଛି । ଏହାବ୍ୟତୀତ, ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଭାର ବହନ କରୁଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ବାବଦକୁ ସମୁଦାୟ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

“ସରକାର ଯେଉଁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ତାହା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଯାଞ୍ଚ ହୋଇଛି,” ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, କୁନ୍ଦୁଲୀ ଗଣଦୁଷ୍କର୍ମ ଘଟଣା, ଗୁମୁଡୁମାହା ଗୁଳିଚାଳନା ଘଟଣା ତଥା ସମ୍ ହସ୍ପିଟାଲ୍ ଗୁଳିଚାଳନା ଘଟଣାର ତଦନ୍ତ ରିପୋର୍ଟ ସରକାର ଏପର୍ଯ୍ୟନ୍ତ ପାଇପାରିନାହାନ୍ତି ।

ମାତ୍ର, ପିପିଲି ଗଣଦୁଷ୍କର୍ମ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.