Latest Odisha News

ଉପନିର୍ବାଚନ ବେଳେ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଶାସକ ଦଳ ବିଜେଡି ପଦ୍ମପୁର ଉପନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ରବିବାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀଙ୍କ ସହ ବୈଠକ କରିଥିବାରୁ ଏପରି ଅଭିଯୋଗ ଆଣିଛି ବିଜେପି।

ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ବୈଠକର ଫଟୋ ପ୍ରମାଣ ସ୍ୱରୂପ ଦେଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି, ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଏହି ବୈଠକ ବସିଥିଲା। ଯେଉଁଥିରେ ଜିଆରଏସ, ଏମବିକେ, ସିଆରପି ଏବଂ ମିଶନ ଶକ୍ତିର ନେତାଙ୍କୁ ଡକାଯାଇଥିଲା। ବୈଠକରେ ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ଏହି ଅବସରରେ ଉପନିର୍ବାଚନରେ ଶାସକ ଦଳ ପାଇଁ କାମ କରିବାକୁ ମନ୍ତ୍ରୀ ଓ ପ୍ରଣବ ପ୍ରକାଶ ଦାସ ଆହ୍ବାନ କରିଥିଲେ।

ଏଥିସହ ନିର୍ବାଚନ ବେଳେ ଭୋଟ୍ ହାତେଇବାକୁ ସରକାରୀ କର୍ମଚାରୀଙ୍କ ଜରିଆରେ ଟଙ୍କା ବାଣ୍ଟିବାକୁ ଶାସକ ଦଳ ପ୍ରୟାସ କରିଛି। କେଉଁ ପଞ୍ଚାୟତର କେଉଁ ବୁଥରେ କେତେ ଟଙ୍କା ବଣ୍ଟା ହେବ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବିଜେପି ଦାବି କରିଛି। ଏପରି କରି ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ବିଜେଡ଼ି ପ୍ରୟାସ କରୁଛି। ତେଣୁ  ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।

 

ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାଣ୍ଡୋସିଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିନୟ ରଂଜନ ପଣ୍ଡା ଏବଂ ଡାଭା ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସୁଧୀର ରଥଙ୍କୁ ମଧ୍ୟ ଗିରଫ କରାଯିବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି।

Comments are closed.