Latest Odisha News

BREAKING NEWS

ଗୁଜରାଟ ନିର୍ବାଚନ: ଏଥର କାହାକୁ ସମର୍ଥନ ଦେବେ ମୁସଲିମ୍ ମତଦାତା ?

ମୁସଲିମ ଭୋଟ ପାଇଁ କଂଗ୍ରେସ, ଆପ୍, ଏଆଇଏମଆଇଏମ୍ ମଧ୍ୟରେ ଚାଲିଛି ପ୍ରତିଯୋଗିତା

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଏବେ ସାରା ଦେଶର ନଜର ରହିଛି । ଏହି ବିଧାନସଭା ନିର୍ବାଚନରେ ମୁସଲିମ ଭୋଟର କାହାକୁ ସମର୍ଥନ କରିବେ ତାହା ମଧ୍ୟ ଚର୍ଚା ହେଉଛି । ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିବା ବେଳେ କଂଗ୍ରେସ ୬ ଜଣଙ୍କୁ ଟିକେଟ ଦେଇଛି । ସମସ୍ତ ୧୮୨ ଆସନରେ ଲଢ଼ୁଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଦଳ  ଆପ ୨ ଜଣଙ୍କୁ ଟିକେଟ ଦେଇଥିବା ବେଳେ ଓବେସିଙ୍କ ଏଆଇଏମଆଇଏମ ଦଳ ୧୨ ଜଣ ମୁସଲିମଙ୍କୁ ଟିକେଟ ଦେଇଛି । ତେବେ ମୁସଲିମ ମତଦାତା ବିରୋଧୀଙ୍କ ମଧ୍ୟରେ କାହାକୁ ସମର୍ଥନ କରୁଛନ୍ତି ତାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି ।

ଏଥର ଗୁଜରାଟ ନିର୍ବାଚନରେ ବିଜେପିର ଭୋଟ କାଟିବା ଏବଂ ନିଜର ସ୍ଥିତିକୁ ଦୃଢ଼ କରିବା ପାଇଁ ବିରୋଧୀମାନେ ଗୁଜରାଟ ମଇଦାନକୁ ଓହ୍ଲାଇଛନ୍ତି ।  ପ୍ରଥମ ପର‌୍ୟ୍ୟାୟ ନିର୍ବାଚନକୁ ଆଉ ଜମାରୁ ୧୦ ଦିନ ରହିଛି ।  ଦୁଇ ପର‌୍ୟ୍ୟାୟ ଭୋଟ ପାଇଁ ପ୍ରାର୍ଥୀମାନେ ରାତି ଦିନ ଏକ କରି ପ୍ରଚାର କରୁଛନ୍ତି ।  ନିର୍ବାଚନରେ ମୁସଲିମ ମତଦାତାଙ୍କ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନଥିବା ବେଳେ ମୁସଲିମ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି କରୁଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ମୁସଲିମଙ୍କ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ଭାଗରେ ପଡୁଥିଲା । ତେବେ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ଏଥର ମୁସଲିମ ଭୋଟରଙ୍କ ଉପରେ ଅଧିକ ନଜର ଦେଇଥିବାରୁ କଂଗ୍ରେସକୁ କ୍ଷତି ହେବ ବୋଲି ଆଲୋଚନା କରୁଛନ୍ତି ରାଜନୀତି ବିଶ୍ଲେଷକ । ଗତଥର ଅପେକ୍ଷା ଏଥର ନିର୍ବାଚନକୁ  ତ୍ରିକୋଣୀୟ କରିବାକୁ ଚେଷ୍ଟା କରୁଛି ଆପ। ଆଉ ସେଥିପାଇଁ ସଂଖ୍ୟାଲଘୁ ଭୋଟ ଉପରେ ଆପର ଆଖି ରହିଛି । କିନ୍ତୁ ଆପକୁ ଟକ୍କର ଦେବାକୁ  ଆସାଦୁଦ୍ଦିନ ଓବେସି ଲଢ଼େଇରେ ଏଣ୍ଟ୍ରି କରି ନିର୍ବାଚନ ପାଣିପାଗକୁ ଗୋଳିଆ କରିଦେଇଛନ୍ତି । ତେବେ ରାଜନୀତି ସମୀକ୍ଷକଙ୍କ କହିବା କଥା ଏଥର ଓପିନିୟନ ପୋଲରେ ଅଧିକାଂଶ ସର୍ଭେ ବିଜେପି ପୁଣି ସରକାର ଗଠନ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଏହାରି ଭିତରେ ମୁସଲିମ ମତଦାଦାଙ୍କ ଭୋଟ ବିଭାଜନ ହେଉଛି ନା ପୂର୍ବଭଳି କଂଗ୍ରେସକୁ ଯାଉଛି ନା ଆପକୁ ଯାଉଛି ତାହାକୁ ନେଇ ପୂର୍ବରୁ ଆକଳନ କରିହେବ ନାହିଁ ।

ନିର୍ବାଚନ ଅଙ୍କ ଅନୁସାରେ ୨୦୧୧ ଜନଗଣନା ଆଧାରରେ ଗୁଜରାଟରେ ପ୍ରାୟ ୧୦ ପ୍ରତିଶତ ମୁସଲମାନ ଭୋଟର ଅଛନ୍ତି। ମୁସଲିମ ବହୁଳ ବିଧାନସଭା ଆସନରେ ହାର ଜିତରେ ମୁସଲିମ ଭୋଟରଙ୍କ ଉପରେ ନିର୍ଭର କରୁଛି । ୩୦ଟି  ଆସନରେ ମୁସଲମାନ ଭୋଟରଙ୍କ ସଂଖ୍ୟା ୧୫ ପ୍ରତିଶତରୁ ଅଧିକ ରହିଛି । ସେହିପରି ୨୦ଟି ବିଧାନସଭା ଆସନରେ ମୁସଲିମ ଭୋଟରଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ରହିଛି । ଏହି ସବୁ ଆସନରେ କଂଗ୍ରେସ, ଆପ ଏବଂ ଓବେସିଙ୍କ ଦଳ ଜିତିବେ ବୋଲି ସେମାନେ ପ୍ରଚାର ବେଳେ କହୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏଥର ଗୁଜୁରାଟରେ ମୁସଲମାନ ମତଦାତା କାହାକୁ ସମର୍ଥନ କରିବେ?

ଗୁଜୁରାଟରେ ମୁସଲମାନ ମତଦାତାଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ ଭୋଟ ନଦେଇ କଂଗ୍ରେସ , ଆପ, ଓବେସିଙ୍କ ଦଳକୁ ଭୋଟ ଦେବା ଆଲୋଚନା ହେଉଛି ।  ୧୦ ପ୍ରତିଶତ ଭୋଟରଙ୍କ ଦୃଷ୍ଟିରୁ ବିଧାନସଭାରେ ପ୍ରାୟ ୧୮ ଜଣ ବିଧାୟକ ରହିବା କଥା । ତେବେ ଗୁଜୁରାଟର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା କଦାପି ସାତରୁ ଅଧିକ ହୋଇନାହିଁ। ୨୦୧୭ ରେ, ତିନିଜଣ ମୁସଲମାନ ପ୍ରାର୍ଥୀ ଜିତିଥିଲେ ଏବଂ ବିଧାୟକ ହୋଇଥିଲେ। ଏହି ତିନିଜଣ କଂଗ୍ରେସ ଟିକେଟରେ ଜିତିଥିଲେ। ଅନ୍ୟପକ୍ଷରେ, ୨୦୧୨ ବିଧାନସଭା ନିର୍ବାଚନରେ ​​କେବଳ ଦୁଇଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଥିଲେ।

ଚଳିତ ନିର୍ବାଚନରେ ​​କଂଗ୍ରେସ ୬ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ।  ସେଥିମଧ୍ୟରୁ ସୁରଟ ପୂର୍ବର ଅସଲମ ସାଇକେଲୱାଲା, ୱାନକାନେରରୁ ମହମ୍ମଦ ଜାଭେଦ ପୀରଜାଦା, ଅବଦାସ ସିଟରୁ ମାମଡଭାଇ ଜଙ୍ଗ ଜାତ, ୱାଗରା ରୁ ସୁଲେମାନ ପଟେଲ, ଦରିଆପୁର ସିଟରୁ ଜିଆସୁଦ୍ଦିନ ଶେଖ, ଜମାଲପୁର ଖଡିଆରୁ ଇମ୍ରାନ ଖେଡାୱାଲା ଅଛନ୍ତି। ତେବେ ଏଥରୁ କେତେ ଜଣ ଜିତୁଛନ୍ତି ତାହା ଫଳାଫଳ ପରେ ଜଣାପଡିବ ।

ଏଥର ଆମ୍ ଆଦମୀ ପାର୍ଟି ମୁସଲିମ ମତଦାତାଙ୍କ ସମର୍ଥନକୁ ଆଶା ରଖିଥିବା ବେଳେ ମାତ୍ର ଦୁଇ ଜଣ ମୁସଲିମଙ୍କୁ ନିଜ ପ୍ରାର୍ଥୀ ଭାବେ ଟିକେଟ ଦେଇଛି ।  ସେପଟେ ୩୦ ଟି ଆସନରେ ଜିତିବାକୁ  ଘୋଷଣା କରିଥିବା ଓବେସିଙ୍କ ଦଳ  ୧୨ ଜଣ ମୁସଲମାନଙ୍କୁ ଟିକେଟ ଦେଇଛି । ଏହି ତିନି ଦଳ ଦଳିତମାନଙ୍କ ଭୋଟକୁ ମଧ୍ୟ ଆଖିରେ ରଖି ପ୍ରଚାର କରୁଛନ୍ତି । ଦଳିତ ଭୋଟ ବିଜେପି ଏବଂ କଂଗ୍ରେସ ଭିତରେ ପୂର୍ବରୁ ବିଭାଜନ ହେଉଥିବା ଦେଖାଯାଉଥିଲା ।

ଗତ ୨୦ ବର୍ଷ ହେଲା ସବୁ  ନିର୍ବାଚନରେ ​​ମୁସଲମାନ ଭୋଟରଙ୍କ ଭୋଟ କଂଗ୍ରେସକୁ ଯାଇଥିଲା । ଯାହାର ଫାଇଦା କଂଗ୍ରେସ ପାଇଥିଲା । ଏପରିକି ଗତ ନିର୍ବାଚନରେ  ୭୭ଟି ଆସନରେ ଜିତିଥିଲା କଂଗ୍ରେସ । ଏଥର ଓବେସିଙ୍କ ଏଆଇଏମଆଇଏମ , ଆପ୍ ପ୍ରତିଯୋଗିତାରେ ଥିବାରୁ ଲଢ଼େଇ ଅଧିକ ଆକର୍ଷଣୀୟ ହେବ  ନିଶ୍ଚୟ । ଯଦି ମୁସଲମାନ ଭୋଟରେ ବିଭାଜନ ହୁଏ ତେବେ ଏହାର ଲାଭ ବିଜେପି ପାଇବ ବୋଲି ରାଜନୀତି ସମୀକ୍ଷକ ଆଲୋଚନା କରୁଥିବା ବେଳେ ଆପ କିନ୍ତୁ ଏଥର ସମସ୍ତଙ୍କୁ ଚକମା ଦେବ ବୋଲି  କହୁଛି ।

ଭୁଜ ଏବଂ ଭରୁଚ ଜିଲ୍ଲାରେ ମୁସଲମାନମାନଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ। ଏଥି ସହିତ ଅହମ୍ମଦାବାଦର ଭେଜଲପୁର, ଦରିଆପୁର, ଜମାଲପୁର ଖାଡିଆ ଏବଂ ଡାନିଲିମଡା ଭଳି ଆସନରେ ମୁସଲମାନମାନେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ପୂର୍ବରୁ ଦେଖାଯାଇଛି ।

ଗୁଜୁରାଟର ଜମାଲପୁର ଖାଡିଆ ହେଉଛି ଏକମାତ୍ର ଆସନ ଯେଉଁଠାରେ ମୁସଲମାନ ଭୋଟରମାନେ ୬୦ ପ୍ରତିଶତରୁ ଅଧିକ ଅଟନ୍ତି। ଏଠାରେ ମୋଟ ଭୋଟରଙ୍କ ମଧ୍ୟରୁ ୬୧ ପ୍ରତିଶତ ମୁସଲମାନ ଭୋଟର ପୂର୍ବଥର କଂଗ୍ରେସ ଜିତିଥିଲା ।  ଏହା ବ୍ୟତୀତ ଦାନିଲିମଦାଠାରେ ୪୮% ମୁସଲମାନ ଭୋଟର, ଦରିଆପୁରରେ ୪୬%, ୱାଗ୍ରା ରେ ୪୪%, ଭରୁଚରେ ୩୮%, ଭେଜଲପୁରରେ ୩୫%, ଭୁଜରେ ୩୫%, ଜମ୍ବୁସରରେ ୩୧%, ବାପୁନଗରରେ ୨୮% ଏବଂ ୨୬% ଲିମ୍ବାୟତରେ ମୁସଲମାନ ମତଦାତା ଅଛନ୍ତି  ।

୨୦୧୭ ରେ ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଏହି ଦଶଟି ଆସନ ମଧ୍ୟରୁ ପାଞ୍ଚଟି ଆସନ ବିଜେପି ଏବଂ ପାଞ୍ଚଟି ଆସନରେ  କଂଗ୍ରେସ ବିଜୟ ଲାଭ କରିଥିଲେ ।  ୨୦୧୨ ବିଷୟରେ କହିବାକୁ ଗଲେ ବିଜେପି ଏହି ଦଶଟି ଆସନ ମଧ୍ୟରୁ ଆଠଟି ଜିତିଥିଲା। ଯେତେବେଳେ କି, କଂଗ୍ରେସକୁ କେବଳ ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ଅତୀତରେ ବିଜେପିର ପ୍ରତିଦ୍ବନ୍ଦ୍ବୀ ହିସାବରେ କଂଗ୍ରେସ ଥିବାରୁ ଦ୍ବିମୁଖୀ ଲଢ଼େଇ ହେଉଥିଲା । ଏବେ କିନ୍ତୁ ମୁସଲିମ ବହୁଳ ଇଲାକାରେ ତିନୋଟି ଦଳ ଭୋଟ ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ତେବେ ମୁସଲିମ ମତଦାତା କାହାକୁ ସମର୍ଥନ ଦେବେ? ମୁସଲିମ ଭୋଟ ପାଇଁ କଂଗ୍ରେସ, ଆପ୍, ଏଆଇଏମଆଇଏମ୍ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ କାହାର ପଲା ଭାରି ରହିବ? କାହା ଖାତାକୁ ମୁସଲିମ ଭୋଟ ଅଧିକ ଯିବ ତାହାର ଉତ୍ତର ପାଇଁ ଡିସେମ୍ବର ୫ କୁ ଅପେକ୍ଷା କରିବାକୁ ପଡ଼ିବ ।

Leave A Reply

Your email address will not be published.