ପଦ୍ମପୁରରୁ ଟିଟିଲାଗଡ଼ ଡେଇଁଲା ଜିଲ୍ଲା ମାନ୍ୟତା ଦାବି, ବିଜେଡି ପାଇଁ ଆଣିପାରେ ସମସ୍ୟା!
2024 ସାଧାରଣ ନିର୍ବାଚନରେ ପକାଇପାରେ ପ୍ରଭାବ
ଟିଟିଲାଗଡ଼: ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ ପାଇଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରି ଟିଟିଲାଗଡ଼ରେ ରାଜନୀତିର ତାପମାତ୍ରା ବଢ଼ାଇ ଦେଇଛନ୍ତି । ଏବେ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ବାସୀ ରାଜରାସ୍ତାକୁ ବାହାରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି ଟିଟିଲାଗଡ଼ ଜିଲ୍ଲା ଦାବି। ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ ଏହି ଆନ୍ଦୋଳନର ନେତୃତ୍ବ ନେଉଛି ।
ଟିଟିଲାଗଡ଼ରେ ସକାଳୁ ସଂଧ୍ୟା ବନ୍ଦ ଡାକରା ଦିଆଯାଇଥିବା ବେଳେ ଟିଟିଲାଗଡ଼ ସହର ସହ ବିଭିନ୍ନ ପଂଚାୟତ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଏପରିକି ଗାଁ ଗାଁରେ ଏହି ଆନ୍ଦୋଳନ କରାଯିବ ବୋଲି କମିଟିର ସଦସ୍ୟମାନେ କହିଛନ୍ତି । ଏହି ବନ୍ଦରେ ଟିଟିଲାଗଡ଼ ସହରର ସମସ୍ତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସହ ବଣିକ ସଂଘ ସାମିଲ ହୋଇଛନ୍ତି। ଏହାକୁ ନେଇ ଏବେ ବିଜେଡି ହରଡ଼ଘଣାରେ ପଡିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗ କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିରୋଧୀ ଦଳମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଜିଲ୍ଲା ଗଠନ ଦାବି ଜୋର ଧରିଛି । କୁହାଯାଉଛି ଆଗାମୀ ଦିନରେ ଆଉ ୬ ଜିଲ୍ଲା ଗଠନ ପାଇଁ ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି । ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନ କରାଯାଉଥିବାରୁ ଏହାର ପ୍ରଭାବ ମଧ୍ୟ ଆଗାମୀ ନିର୍ବାଚନରେ ପଡିବାର ସଂଭାବନା ଥିବା ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।
ଓଡ଼ିଶାରେ ୧୩ଟି ଜିଲ୍ଲା ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୩୦ ଜିଲ୍ଲା କରିଥିଲେ । ଦଶମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୁ ପଟ୍ଟନାୟକ ୩୦ ଜିଲ୍ଲା ଗଠନ କରିବାକୁ ଘୋଷଣା କରିଥିଲେ । ଯାହାର ପ୍ରଭାବ ଦଶମ ବିଧାନସଭା ନିର୍ବାଚନ ଉପରେ ପଡିଥିଲା ଏବଂ ବିଜୁ ପଟ୍ଟନାୟକ ୧୨୩ ଟି ଆସନ ପାଇ ସରକାର ଗଠନ କରିଥିଲେ । ୫.୦୩.୧୯୯୦ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ୩୦ ଟି ଜିଲ୍ଲା ଗଠନ କରିଥିଲେ । କଟକ, କୋରାପୁଟ, ସମ୍ବଲପୁର ଜିଲ୍ଲାକୁ ୪ଟି ଲେଖାଏଁ ଜିଲ୍ଲାରେ ପରିଣତ କରାଯାଇଥିଲା । ପୁରୀ ଜିଲ୍ଲାକୁ ୩ଟି ଜିଲ୍ଲା କରାଯାଇଥିଲା । ବାଲେଶ୍ବର, ଗଂଜାମ, ଢ଼େଙ୍କାନାଳ, କଳାହାଣ୍ଡି, ଫୁଲବାଣୀ ଜିଲ୍ଲାକୁ ଦୁଇଟି ଜିଲ୍ଲା କରାଯାଇଥିଲା । ସେତେବେଳେ ଅନ୍ୟ ଜିଲ୍ଲା ଗଠନ ଦାବି ଉଠିଥିଲେ ମଧ୍ୟ ବିଜୁ ପଟ୍ଟନାୟକ ଏହି ଦାବି ପରେ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ ୧୯୯୫ ପରେ ଆଉ ବିଜୁ ପଟ୍ଟନାୟକ ସରକାରକୁ ଫେରିନଥିଲେ । ଏବେ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଥିବାବେଳେ ପଦ୍ମପୁର ଜିଲ୍ଲାକୁ ନୂଆ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ପଦ୍ମପୁର ସବ୍ଡିଭିଜନକୁ ନୂଆ ଜିଲ୍ଲା ମାନ୍ୟତା ଦେବା ଘୋଷଣା ପରେ ଏବେ ପୁରୁଣା ଦାବି ପୁଣି ପୂରଣ ପାଇଁ ଆଉ ୧୦ରୁ ଅଧିକ ନୂଆ ଜିଲ୍ଲା ଗଠନ ଲାଗି ଦାବି ଉଠୁଛି । ପଦ୍ମପୁର ପରେ ଏବେ ଆନ୍ଦୋଳନ ଅନେକ ସ୍ଥାନରେ ଆରମ୍ଭ ହୋଇଛି । ଭୁବନେଶ୍ୱରକୁ ସ୍ୱତନ୍ତ୍ର ନୂଆ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଦଳମତ ନିର୍ବିଶେଷରେ ଦାବିହୋଇ ଆସୁଛି । ରାୟଗଡାର ଗୁଣୁପୁର, କଳାହାଣ୍ଡିର ଧର୍ମଗଡ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ବାଲେଶ୍ୱରର ଜଳେଶ୍ୱର ଓ ଅନୁଗୁଳର ତାଳଚେର,କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର , ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଗଂଜାମ ଜିଲ୍ଲାର ବ୍ରହ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦାବି ଏବେ ପୁଣି ଜୋର ଧରିଛି ।
ବରଗଡ ଜିଲ୍ଲା ଅନ୍ତର୍ଭୁକ୍ତ ପଦ୍ମପୁର ସବ୍ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବା ଲାଗି ପ୍ରାୟ ୩୦ବର୍ଷ ତଳେ ମଧ୍ୟ ଆଲୋଚନା ହୋଇଥିଲା । ନୂଆ ଜିଲ୍ଲା ଗଠନ ବେଳେ କମିଟି ମଧ୍ୟ ପଦ୍ମପୁର ଜିଲ୍ଲା ହେବାକୁ ସୁପାରିସ କରିଥିଲା । ତେବେ ଶେଷ ମୁହୂର୍ତ୍ତରେ ଏହା ବରଗଡ଼ ଜିଲ୍ଲାରେ ରହିଯାଇଥିଲା । ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ଏବେ ରାଜ୍ୟରେ ଆଉ ଏକାଧିକ ଜିଲ୍ଲା ଗଠନ ଲାଗି ଦାବି ଜୋର୍ ଧରିଥିବା ବେଳେ ଏହାକୁ ବିଜେଡି କିପରି ମ୍ୟାନେଜ କରୁଛି ତାହା ବଡ଼ ପ୍ରଶ୍ନ । ଏମିତିକି ବିଧାୟକଙ୍କଠାରୁ ଆରମ୍ଭକରି ପୌରାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ଅନେକ ନେତା ଜିଲ୍ଲା ଗଠନ ପାଇଁ ସାଧାରଣ ଲୋକଙ୍କ ସହ ଆନ୍ଦୋଳନରେ ବସୁଛନ୍ତି । ତେବେ ଏହି ନୂତନ ଜିଲ୍ଲା ଗଠନ ଦାବିକୁ ମୁଖ୍ୟମନ୍ତ୍ରୀ କିପରି ସମାଧାନ କରୁଛନ୍ତି ତାହାକୁ ଅପେକ୍ଷା ।
Comments are closed.